ଏହି କାରଣରୁ ୧ କୋଟି ଟଙ୍କାର ମର୍ସିଡିଜ୍ କାରକୁ ନିଆଁ ଲଗାଇ ଦେଲେ ଯୁବକ; ଆଖିପିଛୁଳାକେ ହୋଇଗଲା ପାଉଁଶ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ। ଏହି କ୍ରମରେ ୟୁଟୁବରମାନେ ନିଜର ବ୍ଲଗ ତିଆରି କରି ବିଭିନ୍ନ ପ୍ରକାର ଭିଡିଓ ପ୍ରସ୍ତୁତ କରିଥାଆନ୍ତି। ଭିଡିଓକୁ କିଭଳି ଅଧିକରୁ ଅଧିକ ଲୋକ ଦେଖିବେ ସେଥିପାଇଁ ସେମାନେ କିଛି ସ୍ବତନ୍ତ୍ର ଭିଡିଓ ପ୍ରସ୍ତୁତ କରିଥାଆନ୍ତି।
ଏହାରି ଭିତରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଭିଡିଓ ପ୍ରସ୍ତୁତ କରିବା ପାଇଁ ଯେକୌଣସି ବି ସୀମା ପାର କରିଦେଇଥାନ୍ତି। ଏହି କ୍ରମରେ ଜଣେ ୟୁଟ୍ୟୁବରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଉକ୍ତ ୟୁଟ୍ୟୁବରଙ୍କ ନାମ ଋଷର ମିଖାଇଲ୍ ଲିଟବିନ୍ ବୋଲି ଜଣାପଡ଼ିଛି।
ୟୁଟ୍ୟୁବରେ ମିଖାଇଲଙ୍କ ୫୦ ଲକ୍ଷ ସବସ୍କ୍ରାଇବର୍ ଅଛନ୍ତି। ଇନ୍ସଟାଗ୍ରାମରେ ତାଙ୍କର ୧.୧୬ କୋଟି ଫଲୋୟର୍ସ ଅଛନ୍ତି। ତାଙ୍କ ପାଖରେ ମର୍ସିଡିଜ୍ ଜିଟି ୬୩ ଏସ କାର ଥିଲା ଯାହାକୁ ସେ ନିକଟରେ ନିଆଁ ଲଗାଇ ପାଉଁଶ କରି ଦେଇଛନ୍ତି। ଏହାପରେ ସେ ଏହାର ଭିଡିଓ ୟୁଟ୍ୟୁବରେ ଅପଲୋଡ଼ କରିଥିଲେ। ଏହି ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।
ମିଖାଇଲ ଅପଲୋଡ଼ କରିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଋଷର କୌଣସି ଏକ ଖୋଲା ପଡିଆକୁ ନିଜ କାର ନେଇ ଆସୁଛନ୍ତି । ପଡିଆକୁ ଆସି ସେ କାର ଡିକିରୁ କିଛି ତେଲ କ୍ୟାନ କାଢୁଛନ୍ତି। ଏହାପରେ ତେଲ କାର ଉପରେ ଢାଳୁଛନ୍ତି।
ଏହାପରେ କାର୍ ପାର୍କିଙ୍ଗ କରିଥିବା ସ୍ଥାନରୁ କିଛି ଦୂରରେ ସେ ଗୋଟେ ତନ୍ଦୁର ଚୁଲି ଲଗାଇ କିଛି ଫ୍ରାଏ କରୁଛନ୍ତି। ଏହାପରେ ତେଲ ଢାଳିଥିବା ସ୍ଥାନରେ ନିଆଁ ଲଗାଇ ଦେଉଛନ୍ତି। ଆଖି ପିଛୁଆକେ ଏହି ନିଆଁ କାର ଯାଏଁ ମାଡିଯାଉଛି । ଆଉ କାରଟି ପୁରାପୁରି ଜଳିଯାଉଛି। ଏହି ଭିଡିଓକୁ ଏବେ ସୁଦ୍ଧା ୧.୧୪ କୋଟି ଥର ଦେଖାଯାଇ ସାରିଲେଣି। ଏହାକୁ ୧୦ ଲକ୍ଷରୁ ଅଧିକ ଲୋକ ଲାଇକ ମଧ୍ୟ କରିଛନ୍ତି।
ତେବେ ଏହି ଭିଡିଓକୁ ଯିଏ ଦେଖିଲେ ସିଏ ପ୍ରଶ୍ନ କରିଛନ୍ତି କି କୋଟିଏ ଟଙ୍କାର କାରକୁ ମିଖାଇଲ କାହିଁକି ଏଭଳି ଆଖି ପିଛୁଳାକେ ନିଆଁ ଲଗାଇ ପାଉଁଶ କରି ଦେଇଥିଲେ। ତେବେ କୁହାଯାଉଛି କି ମିଖାଇଲ ତାଙ୍କର ଏହି କାରକୁ ସଜାଡ଼ି ଥିବା ସତ୍ତ୍ବେ ବି ବାରମ୍ବାର ତ୍ରୁଟି ରହୁଥିଲା। ଏହି କାରଣରୁ ସେ ଏଭଳି ପଦକ୍ଷେପ ନେଇଥିଲେ।