ବାହାଘର ଏକ ମଧୁର ଶବ୍ଦ। ଏଥିରେ ପୁଅ ଓ ଝିଅର ମନ ବାନ୍ଧିହେବା ସହିତ ଦୁଇ ପରିବାରର ମିଳନ ହୋଇଥାଏ। ଝିଅ, ପୁଅ ଦେଖାଦେଖି ହେବା ଠାରୁ ମୁଦିପିନ୍ଧା, ହାତଗଣ୍ଠି ଓ ଝିଅବିଦା ପର୍ଯ୍ୟନ୍ତ ନିଆରା ଅନୁଭୂତିକୁ ସମସ୍ତେ ସାଉଁଟିବାକୁ ଚାହିଁଥାନ୍ତି। କିନ୍ତୁ ଏବେ ସମୟ ସହିତ ବିବାହରେ ବହୁ ପରିବର୍ତ୍ତନ ଆସିଲାଣି। ବିଗତ କିଛି ବର୍ଷ ମଧ୍ୟରେ ନିର୍ବନ୍ଧଠାରୁ ଆରମ୍ଭ କରି ବାହାଘର ସାଜସଜ୍ଜା, ବେଶପୋଷାକରେ ଅନେକ ପରିବର୍ତ୍ତନ ଆସିଛି। ହଳଦୀ, ମେହେନ୍ଦୀ ପରି ନୂଆ ପ୍ରଥା ଯୋଡ଼ା ହୋଇଛି। ଯଦିଓ ବାହାଘରରେ ବ୍ୟାଣ୍ଡ୍ବାଜା, ଶୋଭାଯାତ୍ରା, କନ୍ୟାଦାନ ପରମ୍ପରା ସମ୍ପୂର୍ଣ୍ଣ ହଜିନାହିଁ, ତଥାପି କିଛି ପରମ୍ପରା ସମୟ ସହିତ ହଜିଯାଇଛି। ଏମିତି କିଛି ପରମ୍ପରାକୁ ମନେ ପକାଇବା ପାଇଁ ଆଜିର ସ୍ବତନ୍ତ୍ର ଉପସ୍ଥାପନା...
ହଜିଗଲାଣି ଶବାରି
ଷାଠିଏ ସତୁରି ଦଶକରେ ଝିଅଟିଏ ବାହାହୋଇ ଶାଶୂଘରକୁ ଆସିବାର ଚିତ୍ରପଟ ଥିଲା ଟିକେ ନିଆରା। ଭଳିକି ଭଳି ଝାଲର ଓ ଜରି ଫୁଲରେ ସଜେଇ ହେଉଥିଲା ଶବାରି। ଆଉ ସେଇ ଶବାରିରେ ଝିଅ ବାପଘରୁ ବିଦା ହେଉଥିଲା। ବାପ ଘରକୁ ସବୁଦିନ ପାଇଁ ପର କରି ଯାଉଥିବାରୁ ଶବାରି ଭିତରେ ମାନ ଅଭିମାନ କରି ଭୋ ଭୋ ହୋଇ କାନ୍ଦୁଥିଲା କନିଆ। ଶବାରି ବାହୁଥିବା ଲୋକଟି ଗାଇ ଗାଇ ଚାଲୁଥିଲା....‘ଏଇଠି ଖାଲରେ, ଦେଖିକି ଚାଲରେ... ହାକୁମ ଧାବଲ ହାକୁମ ଧାବଲ’। କିନ୍ତୁ ଏବେ ସ୍ଥିତି ବଦଳିଛି। ଆଉ ପୁରୁଣା ନୀତିରେ ବନ୍ଧା ହୋଇ ରହିନାହାନ୍ତି। ପ୍ରି ୱେଡିଂ, ପୋଷ୍ଟ୍ ୱେଡିଂ ସହିତ ଡେଷ୍ଟିନେସନ୍ ୱେଡିଂ ଭଳି ପ୍ରଥା ଆରମ୍ଭ ହୋଇସାରିଲାଣି। କାର୍ଠାରୁ ଆରମ୍ଭ କରି ଉଡ଼ାଜାହାଜରେ ମଧ୍ୟ ଏବେ ଝିଅଟିଏ ତା’ ଶାଶୂଘରକୁ ଗଲାଣି। ପୂର୍ବଭଳି ଏବେ କାର୍ରେ ସତସତିକା ଫୁଲ, ଫଳ ଓ ପରିବା ସଜାଯାଉଛି ଆଉ ଜଲଦି ନେଇ ଘରେ ପହଞ୍ଚାଇ ଦେଉଛି। କିନ୍ତୁ ସେତେବେଳେ ବର ନ ଆସିବା ପର୍ଯ୍ୟନ୍ତ ଝିଅଟିଏ ବାଡ଼ୁଅ ପାଣି ଗାଧୋଉ ନଥିଲା। କାରଣ ଗାଧୋଇଲା ପରେ ଝିଅଟି ମଙ୍ଗୁଳା ହୋଇଯାଏ ବୋଲି ଧରା ଯାଉଥିଲା। ଏବେ ପ୍ରତ୍ୟେକ ପ୍ରଥା ଓ ପରମ୍ପରାରେ ପରିବର୍ତ୍ତନ ହେଉଛି ସତ କିନ୍ତୁ ସେ କାଳର ବାହାଘରରେ ଯେଉଁ ଆତ୍ମୀୟତା, ସ୍ନେହ ଓ ସୌହାର୍ଦ୍ଦ୍ୟର ବନ୍ଧନ ଥିଲା ତାହା ଏବେ ଆଉ ଦେଖିବା ସାତ ସପନ ହୋଇଯାଇଛି।
ବିସ୍ମୃତ ପାରମ୍ପରିକ ବାଦ୍ୟ
ବାହାଘରରେ ଶଙ୍ଖ, ହୁଳହୁଳି, ସାହାନାଈ, ତେଲିଙ୍ଗି ବାଜା, ହାଡ଼ି ବାଜାରେ ପ୍ରକମ୍ପିତ ହେଉଥିବା ବେଳେ ଏବେ ତାହା ଆଉ ଶୁଣିବାକୁ ମିଳୁନି। ଏହିସବୁ ବାଦ୍ୟଯନ୍ତ୍ରର ବେଶ୍ ଗୁରୁତ୍ୱ ରହିଛି। ମଙ୍ଗନ ଦିନରୁ ଆରମ୍ଭ କରି କନିଆ ମେଲାଣି ଯାଏ ଏହି ବାଦ୍ୟ ବାଜିବା ଶୁଭ ବୋଲି କୁହାଯାଏ। ଏଥିପାଇଁ ମଧ୍ୟ ଦକ୍ଷ ବାଦକ ରହିଥା’ନ୍ତି। ତେବେ ଦିନକୁ ଦିନ ସହରରୁ ଏହି ବାଦ୍ୟ ଶବ୍ଦ ଉଭେଇ ଯିବାରେ ଲାଗିଛି। କାଁ ଭାଁ କେଉଁଠି ପାରମ୍ପରିକ ବାଦ୍ୟ ଶୁଣିବାକୁ ମିଳୁଛି।
ବଦଳିଛି ସଙ୍ଗୀତର ଧାରା
ପୂର୍ବରୁ ନା ଥିଲା ରିମିକ୍ସ, ନା ଥିଲା ଡିଜେ ସାଉଣ୍ଡ୍। ନୂଆକରି ରିଲିଜ୍ ହେଉଥିବା ଯେକୌଣସି ସଙ୍ଗୀତ ଶୁଣିବାକୁ ମିଳୁଥିଲା ବିବାହ ସମୟରେ। ଯେଉଁ ଗୀତରେ ପିଲାଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ବାୟା ହେଉଥିଲେ। ଶୁଣିବାକୁ ମିଳୁଥିଲା ଲାଇଭ୍ ସଙ୍ଗୀତ। କଣ୍ଠଶିଳ୍ପୀମାନେ ଟ୍ରଲି ଉପରେ ବାଜା ବାଣ ସହିତ ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ରର ଲୋକପ୍ରିୟ ସଙ୍ଗୀତ ପରିବେଷଣ କରୁଥିଲେ, ଯାହାକୁ ଶୁଣି ଆପେ ଆପେ ନାଚି ଉଠୁଥିଲେ ସମସ୍ତେ। ହେଲେ ବର୍ତ୍ତମାନ ହଲିଉଡ୍ ସଙ୍ଗୀତ ସାଙ୍ଗକୁ ଡିଜେ ସାଉଣ୍ଡ୍ ସମସ୍ତଙ୍କୁ ମତୁଆଲା କରିଛି।
ପରିଧାନରେ ପରବର୍ତ୍ତନ
ପୂର୍ବରୁ ବଉଳପାଟ ପିନ୍ଧି ଝିଅଟି ଶାଶୂଘରକୁ ଯାଉଥିଲା। ବାହାଘର ମଝିରେ ନୀତି ନିୟମ ଅନୁଯାୟୀ ୨ରୁ ୩ ଥର ଶାଢ଼ି ବଦଳୁଥିଲା। କିନ୍ତୁ ଏବେ ଲେହେଙ୍ଗା ସହିତ ମ୍ୟାଚିଙ୍ଗ୍ ଜୁଏଲାରି, କୁଙ୍କୁମ ବଦଳରେ ମେକଅପ୍, ସୁନା ବଦଳରେ ଏମିଟେସନ୍ ଧାରଣ କରୁଛନ୍ତି। ଗୋଟିଏ ଦିନକୁ ମନେ ରଖିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି।
ବୋହୂ ପେଡ଼ିରୁ ଭ୍ୟାନିଟି ବ୍ୟାଗ୍
ପୂର୍ବରୁ ଝିଅଟିଏ ଶାଶୂଘରକୁ ଗଲାବେଳେ ମାଆ, ଖୁଡ଼ୀ, ମାଇଁମାନେ ଝିଅର ବାକ୍ସରେ ତା’ର ଅତ୍ୟାବଶ୍ୟକ ଜିନିଷ ସହିତ ପଇସା, ଔଷଧ, ପୁରାଣ ବହି ଏବଂ ତା’ ପିଲାବେଳର କଣ୍ଢେଇ ଓ ବାପଘରର କିଛି ସାଇତା ସନ୍ତକକୁ ଗୋଟେ ଛୋଟ ଆଲୁମିନିଅମ୍ ବାକ୍ସରେ ପୂରାଇ ଦେଉଥିଲେ। ତାକୁ ହାତରେ ନେଇ ସେ ଶାଶୂଘର ଯାଉଥିଲା। କିନ୍ତୁ ଏବେ ଝିଅ ହାତରେ ଭ୍ୟାନିଟ୍ି ବ୍ୟାଗ୍। ଯେଉଁଥିରେ ଅତି କମ୍ରୁ କମ୍ ଜିନିଷ, ଏଟିଏମ୍ କାର୍ଡ, ଲିପ୍ଷ୍ଟିକ୍, ପାନିଆ ଆଦି ରହୁଛି। ଏବେ ସିନା ଜିନିଷ ବଦଳିଛି କିନ୍ତୁ ସେଇ ଝିଅର ନିତ୍ୟ ବ୍ୟବହାର୍ଯ୍ୟ ଓ ଅତ୍ୟାବଶ୍ୟକ ଜିନିଷ ହିଁ ରଖୁଛନ୍ତି।
ତୋରାଣି ଖିଆରୁ ବ୍ୟାଚ୍ଲର୍ ପାର୍ଟି
ପୂର୍ବରୁ ବରକନ୍ୟା ଆଗରୁ ଦେଖାସାକ୍ଷାତ ହେଉ ନଥିଲେ। ଘରର ବୟୋଜ୍ୟେଷ୍ଠମାନେ ପୁଅ ଝିଅଙ୍କ ବାହାଘର ଠିକ୍ କରୁଥିଲେ। ଥରେ ଝିଅର ବାହାଘର ଠିକ୍ ହୋଇଗଲେ ତୋରାଣି ଖିଆର ନୀତି ଓ ପରମ୍ପରା ଆରମ୍ଭ ହେଉଥିଲା। ପଡ଼ିଶା ଘରଠାରୁ ଆରମ୍ଭ କରି ବନ୍ଧୁବାନ୍ଧବ ସମସ୍ତେ ଖାଇବା ପାଇଁ ନିମନ୍ତ୍ରଣ କରୁଥିଲେ। ଭଳିକି ଭଳି ବ୍ୟଞ୍ଜନ ସହିତ ଗଲାବେଳେ ହାତରେ ନୂଆ ଲୁଗା, ଅଳତା, ଚୁଡ଼ି ଦେଉଥିଲେ। କିନ୍ତୁ ଏସବୁ ଏବେ ବଦଳିଗଲାଣି। ଏବେ ତା’ର ନାଁ ‘ବ୍ୟାଚ୍ଲର୍ ପାର୍ଟି’ ହେଲାଣି। ପୁଅ ଝିଅ ସେମାନଙ୍କ ସାଙ୍ଗସାଥୀଙ୍କୁ ଧରି ହୋଟେଲ୍, କ୍ଲବ୍ ଓ ସମୁଦ୍ର କୂଳରେ ନାଚଗୀତ କରି ପାର୍ଟି କରୁଛନ୍ତି।
ଶୁଭୁନାହିଁ କନ୍ୟା ବିଦା କାନ୍ଦଣା
ଝିଅଟିଏ ବାହାହୋଇ ବିଦା ହେଲାବେଳେ ସମସ୍ତଙ୍କୁ ଧରି ବାହୁନି ବାହୁନି କାନ୍ଦୁଥିଲା। ଏମିତି କି ସେ ମାସେ ପୂର୍ବରୁ ଏହାକୁ ଅଭ୍ୟାସ କରି ରଖୁଥିଲା। ସେତେବେଳେ ଏହି କାନ୍ଦଣା ଗୀତ ବହି ମେଳା ଓ ବଜାରରେ ମଧ୍ୟ ବିକ୍ରି ହେଉଥିଲା ଯାହାକି ଏବେ ଆଉ ଦେଖିବାକୁ ମିଳୁନାହିଁ। ବାହାଘର ଆଗରୁ ଝିଅ ଶାଶୂଘର ବାବଦରେ କିଛି ଜାଣିନଥିବା ବେଳେ ଲାଜ ହେତୁ ସେ ନିଜର ସ୍ୱାମୀ ଓ ଶାଶୂଘର ପରିବାରର ଆଉ କାହା ବିଷୟରେ କିଛି ପଚାରିବାର ସୁଯୋଗ ପାଇନଥାଏ। ଅଜଣା ପରିବେଶରେ ନୂଆ ଲୋକଙ୍କ ସହିତ କିପରି ଚଳିବ ତାହା ଝିଅଟି କାନ୍ଦଣା ବୋଲିରେ ଜଣାଇଥାଏ। ବାଡୁଅ ପାଣିରେ ଝିଅକୁ ଗାଧୋଇବା ପାଇଁ ଘରର ମହିଳାମାନେ ସଜବାଜ କରୁଥିବା ଦେଖି ସେ ନିଜର ବୋଉ, ଖୁଡ଼ୀ, ମାଇଁ, ଭାଉଜମାନଙ୍କୁ ଧରି କାନ୍ଦିଥାଏ।
“ରଜ ହୋଇଛି କି ସଜ କରୁଛ ମୋ ଖୁଡ଼ୀ,
ରୁଷିବସିଛି କି ବୋଧ କରୁଛ ମୋ ମାଇଁ,
ଏବେ ସବୁ ସ୍ନେହ ପାସୋରି ଦେଲ ମୋ ଆଈ,
କାନି ପଣତରୁ ଫିଟାଇଦେଲ ମୋ ମାଉସୀ...’’
ବିଦାୟ ସମୟରେ ସେ ଶାଶୂଘରେ ଜୀବନ ଖୁବ୍ କଷ୍ଟକର ହେବ ବୋଲି ମନ ଭିତରେ ଥିବା ଭୀତି କାନ୍ଦଣା ମାଧ୍ୟମରେ କହେ...
“ଗର୍ଭେ ଦଶମାସ ତୁ ଧରିଥିଲୁ ମୋ ବୋଉ,
ଦିନେ ମର ବୋଲି କହି ନଥିଲୁ ମୋ ବୋଉ,
ମୁଁ ସହି ନଥିଲି ତୁମ ବଚନ ମୋ ବୋଉ,
କିପରି ସହିବି ପର ବଚନ ମୋ ବୋଉ।”
କିନ୍ତୁ ଏସବୁ ଲୋକଗୀତ ଓ ମନର ଭାବନା ପ୍ରକାଶ କରିବାକୁ ସମୟ ନାହିଁ। ନାଚ, ଗୀତରେ ଝୁମି ପାଶ୍ଚାତ୍ୟ ଶୈଳୀରେ ଏବେ ନିଜ ମନପସନ୍ଦ ବର ସହିତ ଖୁସିରେ ଘରକୁ ଫେରୁଛନ୍ତି।