ପୁରାଣର ବର୍ଣ୍ଣନା ଅନୁଯାୟୀ, ପୁଣ୍ୟତୋୟା ବିଷ୍ଣୁପଦୀ ଗଙ୍ଗା ସଂସାରର ପାପମୋଚନ ନିମିତ୍ତ ଚାରିଯୁଗରେ ଭିନ୍ନଭିନ୍ନ ନାମଧାରଣ କରି ଧରାବତରଣ କରିଛନ୍ତି। ସତ୍ୟଯୁଗରେ କୃତବତୀ, ତ୍ରେତୟାରେ ଗିରିକର୍ଣ୍ଣିକା, ଦ୍ୱାପରରେ ଚନ୍ଦନ ଏବଂ କଳିଯୁଗରେ ସାଭ୍ରମତୀ ଭାବରେ ଗଙ୍ଗା ପୃଥିବୀକୁ ଆସିଛନ୍ତି। ସାଭ୍ରମତୀ, ବାକଲ, ଭୋଗୱା ଆଦି ନାମରେ ପ୍ରବାହିତ ଏହି ପୌରାଣିକ ନଦୀର ସାଂପ୍ରତିକ ନାମ ସାବରମତୀ। ଭାରତରେ ପ୍ରବାହିତ ପଶ୍ଚିମବାହୀ ନଦୀମାନଙ୍କ ମଧ୍ୟରେ ସାବରମତୀ ପ୍ରଧାନ। ରାଜସ୍ଥାନର ଉଦୟପୁର ଜିଲ୍ଲାର ଆରାବଳୀ ପର୍ବତମାଳାସ୍ଥିତ ଧୋବାର ହ୍ରଦରୁ ବାହାରି ରାଜସ୍ଥାନ ମଧ୍ୟରେ ଏହା ମାତ୍ର ୪୮ କି.ମି. ପ୍ରବାହିତ ହୋଇଛି। ସେଠାରୁ ଏହା ଗୁଜୁରାଟ ମଧ୍ୟରେ ୩୨୩ କି.ମି ପ୍ରବାହିତ ହୋଇ ଖମ୍ଭାଟଠାରେ ଆରବ ସାଗରରେ ମିଶିଛି। ଏହି ନଦୀତୀରରେ ରହିଛି ଭାରତର ବାଣିଜ୍ୟ ଓ ରାଜନୈତିକ ନଗରୀ ଅହମଦାବାଦ ଓ ଗାନ୍ଧୀନଗର।
କଥିତ ଅଛି, ଏକଦା ସୁଲତାନ ଅହମଦ୍ ସାବରମତୀ ତୀରରେ ବସିଥିବା ବେଳେ ଠେକୁଆଟିଏ ଏକ କୁକୁରକୁ ଗୋଡ଼ାଉଥିବାର ଆଶ୍ଚର୍ଯ୍ୟ ଦୃଶ୍ୟ ଦେଖି ସେଠାରେ ଅହମଦାବାଦ ନଗର ବସାଇଥିଲେ। ପ୍ରାଚୀନ କାଳର ବିଭିନ୍ନ ପୁରାଣରେ ସାଭ୍ରମତୀ ବା ସାବରମତୀର ଦିବ୍ୟଜନ୍ମ ଓ ମହତ୍ତ୍ୱ ସଂପର୍କରେ ବହୁଳ ବର୍ଣ୍ଣନା ଦେଖାଯାଏ। ଏକଦା ମହର୍ଷି କଶ୍ୟପ ନୈମିଷାରଣ୍ୟ ଭ୍ରମଣ କରିବାକୁ ଯାଇଥିବା ବେଳେ ସେଠାରେ ଥିବା ମୁନିଋଷିମାନେ କଶ୍ୟପଙ୍କୁ ଅନୁରୋଧ କଲେ-ମହର୍ଷି! ଆମ୍ଭମାନଙ୍କ ଆନନ୍ଦବର୍ଦ୍ଧନ ନିମିତ୍ତ ଆପଣ ଦେବୀ ଗଙ୍ଗାଙ୍କୁ ଏଠାକୁ ଆଣି ଦିଅନ୍ତୁ। ମୁନିମାନଙ୍କ ଅନୁରୋଧକୁ ଧ୍ୟାନରେ ରଖି କଶ୍ୟପ ଅର୍ବୁଦ ପର୍ବତ (ସଂପ୍ରତି ମାଉଣ୍ଟ ଆବୁ ଭାବରେ ପ୍ରସିଦ୍ଧ)କୁ ଯାଇ ଶିବଙ୍କୁ ଆରାଧନା କଲେ। ତାଙ୍କର କଠୋର ତପସ୍ୟାରେ ସନ୍ତୁଷ୍ଟ ହୋଇ ଶିବ ତାଙ୍କର ମନ କାମନା ଜାଣି ତାଙ୍କ ଶିରରୁ ଏକ ଜଟା ଛିଡ଼ାଇ କାଶ୍ୟପଙ୍କୁ ଦେଇ କହିଲେ- ନିଅ ତୁମର ଗଙ୍ଗା। କାଶ୍ୟପ ସେହି ଜଟାକୁ ଆଣି ମୁନିମାନଙ୍କୁ ପ୍ରଦାନ କଲେ। ପ୍ରବାହିତ ହେଲା କାଶ୍ୟପ ଗଙ୍ଗା। ତାହାର ନାମ ହେଲା ସାଭ୍ରମତୀ ନଦୀ। ଶିବଙ୍କ ଅଳକାରୁ ଜାତ ହେବାରୁ ଏହି ସାଭ୍ରମତୀ ଭାଗୀରଥି ସଦୃଶ ପରମ ପାବନି ହେଲା। ପିତୃତୀର୍ଥ ଓ ଅନ୍ୟ ସମସ୍ତ ତୀର୍ଥ ସହିତ ପ୍ରୟାଗ, ମାଧବଙ୍କ ସହିତ ବଟେଶ୍ୱର, ଦଶାଶ୍ୱମେଧତୀର୍ଥ ଓ ଗଙ୍ଗାଦ୍ୱାର ଶିବଙ୍କ ଆଦେଶରେ ଏଠାରେ ବସବାସ କରିବାକୁ ଲାଗିଲେ। ସମସ୍ତ ତୀର୍ଥ ସହିତ ସମସ୍ତ ପୁଣ୍ୟତୋୟା ନଦୀମାନେ ମଧ୍ୟ ନିଜ ନିଜର ଜଳଦାନ କରି ସାଭ୍ରମତୀକୁ ପୂର୍ଣ୍ଣଗର୍ଭା କଲେ। ଏହି ନଦୀରେ ସ୍ନାନ କରି, ପୁଷ୍ପ, ଚନ୍ଦନ ଓ ବିଲ୍ୱପତ୍ର ଦେଇ ଶିବଲିଙ୍ଗକୁ ପୂଜନ କଲେ ମନୁଷ୍ୟ ବିଷ୍ଣୁଲୋକ ପ୍ରାପ୍ତ ହୁଏ। ଏହା ପରମ ମୁକ୍ତିଦାୟକ ହୋଇଥିବାରୁ ଏଥିରେ ପିଣ୍ଡଦାନ କଲେ ପିତୃପୁରୁଷଙ୍କୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି।
ଐତିହାସିକ ଦୃଷ୍ଟିକୋଣରୁ ମଧ୍ୟ ସାବରମତୀ ନଦୀ ସ୍ୱତନ୍ତ୍ର। ମହାତ୍ମାଗାନ୍ଧୀ ସାବରମତୀ ତୀରରେ ଆଶ୍ରମ ନିର୍ମାଣ କରି ସ୍ୱାଧୀନତା ସଂଗ୍ରାମର ମୂଳବୀଜ ବପନ କରିଥିଲେ। ଲବଣ ସତ୍ୟାଗ୍ରହର ପ୍ରାରମ୍ଭ ଏଠାରୁ ହୋଇଥିଲା। ସାବରମତୀକୁ ଅହମଦାବାଦର ଜୀବନଧାରା କୁହାଯାଏ। ଏହା ଏକ ଋତୁଭିତ୍ତିକ ନଦୀ ହୋଇଥିବାରୁ ନଦୀର ଜଳ କମିଗଲେ ଏହାକୁ ପର୍ଯ୍ୟାପ୍ତ କୃଷିକ୍ଷେତ୍ର ଭାବରେ ବ୍ୟବହାର କରାଯାଏ। ବାକଲ, ହରବନ, ମଧୁମତୀ, ବରାଟକ, ହଥାବତୀ, ସେର ଆଦି ଏହାର ଉପନଦୀ ଅଟନ୍ତି।