ଲକ୍‌ଡାଉନରେ ମାନସିକ ସନ୍ତୁଳନ ରକ୍ଷା କରିବା ଗୁରୁତ୍ବପୂର୍ଣ୍ଣ : ବହି ପଢିବା, ଟିଭି ଦେଖିବା, ଗୀତ ଶୁଣିବା ମନକୁ ଚାପମୁକ୍ତ କରେ

ଭୁବନେଶ୍ବର: ଲକ୍‌ଡାଉନ ଘୋଷଣା ହେବା ପାଖାପାଖି ଅଠର ଦିନ ହୋଇଗଲାଣି। ଘରେ ରହି ଅନେକ ନିଜର ଅଫିସ କାମ କରୁଛନ୍ତି। ଏହି ଲକ୍‌ଡାଉନ ଅନେକଙ୍କ ଜୀବନକୁ ଶୃଙ୍ଖଳିତ କରିଛି। ମାତ୍ର ଏ ସମୟରେ ନିଜର ଯତ୍ନ ନେବା ଯେତିକି ଆବଶ୍ୟକ, ମାନସିକ ସନ୍ତୁଳନ ସେତିକି ଗୁରୁତ୍ବପୂର୍ଣ୍ଣ। ଗୁରୁଗାଓଁରେ ଏକ ବହୁରାଷ୍ଟ୍ରୀୟ କମ୍ପାନିରେ କାମ କରୁଥିବା ଏବଂ ଜଣେ ସୋସିଆଲ ମିଡିଆ ବିଶେଷଜ୍ଞ ଭାବେ ଜଣାଶୁଣା ସବ୍ୟସାଚୀ ଅମିତାଭ ନିଜ ଅଭିଜ୍ଞତା ବ୍ୟକ୍ତ କରିବା ସହ କିପରି ଏ ସମୟରେ ମାନସିକ ସନ୍ତୁଳନ ରକ୍ଷା କରିବେ ସେ ସମ୍ପର୍କରେ ସୂଚନା ଦେଇଛନ୍ତି।

ନିଜ ଅଭିଜ୍ଞତାକୁ ବ୍ୟକ୍ତ କରି ସେ କହିଛନ୍ତି, କରୋନା ଲକ୍‌ଡାଉନ ପରିସ୍ଥିତି ଉଭୟ ଆମ ପାଇଁ ନୂଆ ହୋଇଥିବାରୁ ଏଇ ସମୟରେ ଅନେକ ଗୁଡ଼ାଏ ଦିଗ ବୁଝିବାକୁ ଓ ଜାଣିବାକୁ ସୁଯୋଗ ମିଳିଥିଲା। ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ପେଟିଏମ୍‌ର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ସାଇବରସିଟିର ଅଧିକାଂଶ କମ୍ପାନି ନିଜର କର୍ମଚାରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ପ୍ରାଥମିକତା ଦେଇ ଘରୁ କାମ କରିବା ପାଇଁ ପରାମର୍ଶ ଦେଇଥିଲେ। ମୁଁ ଯେହେତୁ ଏକ ଡିଜିଟାଲ ତଥା ସୋସିଆଲ ମିଡିଆ କମ୍ପାନିରେ କାମ କରୁଛି, ଘରୁ କାମ କରିବା ଏକ ପ୍ରକାର ନୂଆ ଅଭିଜ୍ଞତା କହିଲେ ଭୁଲ୍ ହେବନି। ଗୁରଗାଁଓରେ ମୁଁ ରହୁଥିବା ଆପାର୍ଟମେଣ୍ଟ ତଥା ଆଖପାଖର ସବୁ ଆପାର୍ଟମେଣ୍ଟରେ ପରିସ୍ଥିତି ପାଖାପାଖି ସମାନ। ତେବେ ଏଠି ଗୋଟିଏ କଥା ମୁଁ ଅନୁଭବ କଲି, ଲୋକେ ସରକାରଙ୍କ ନିୟମ ପାଳନ କରନ୍ତି। ଆଖପାଖର ପ୍ରାୟ ସବୁ ମଲ୍, ଦୋକାନବଜାର ବନ୍ଦ। କିଛି ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଉଥିବା ଦୋକାନ ଯାହା ସକାଳେ ୨/୩ ଘଣ୍ଟା ପାଇଁ ଓ ସଂଧ୍ୟା ବେଳେ ଦୁଇ ଘଣ୍ଟା ପାଇଁ ଖୋଲନ୍ତି। ଲୋକେ ସାମାଜିକ ଦୂରତା ପାଳନ କରି ଜିନିଷ କିଣିଥାଆନ୍ତି। ପ୍ରାୟ ସମସ୍ତେ ମାସ୍କ ବ୍ୟବହାର କରୁଥିବା ‌ବେଳେ ଜରୁରୀ ଆବଶ୍ୟକତା ପଡିଲେ ହିଁ ବାହାରକୁ ଆସୁଥିବା ଦେଖିବାକୁ ମିଳୁଛି।

ପ୍ରାୟ ପ୍ରତି ଘଣ୍ଟାରେ ପୁଲିସ ପ୍ରଶାସନ ପକ୍ଷରୁ ସାଇରନ୍ ବାଜିବା ସହ ଲୋକଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଉଛି। ଗୁରଗାଓଁରେ ଅଧିକାଂଶ ସାମଗ୍ରୀ, ତଥା ପନିପରିବା ଦର ମଧ୍ୟ ବଢିଛି। ତେବେ କଳାବଜାରୀ ଅବା ସାମଗ୍ରୀ ଅଭାବ ପରିସ୍ଥିତି ଦେଖାଦେଇନି। ପ୍ରଶାସନ ପକ୍ଷରୁ ତେଜରାତି ସାମଗ୍ରୀର ଦର ନିର୍ଦ୍ଧାରଣ କରାଯାଇଛି। ହେଲେ ବାହାର ରାଜ୍ୟର ଅଧିକାଂଶ ଆଇଟି ପ୍ରଫେସନାଲ ଏଠାରେ ରହୁଥିବାରୁ ଦୋକାନୀମାନେ ଦରବୃଦ୍ଧି କରୁଥିଲେ ମଧ୍ୟ କିଣାବିକାରେ ଏହାର ପ୍ରଭାବ ଦେଖିବାକୁ ମିଳୁନାହିଁ।

ଯେହେତୁ ମୋ ପରିବାର ଓଡ଼ିଶାରେ ଓ ମୁଁ ଏଠି ଏକା, ଅଧିକାଂଶ ସମୟରେ ରୋଷେଇ କରିବା ସମ୍ଭବ ହୋଇନଥାଏ। ଜମାଟୋ, ସ୍ବିଗି ପରି ସଂସ୍ଥାଙ୍କ ଉପରେ ଅଧିକାଂଶ ଦିନ ନିର୍ଭର କରେ। ତେବେ ଏଇ ଲକ୍‌ଡାଉନ ସମୟରେ ଗୋଟିଏ ଶିକ୍ଷା ପାଇଲି ଯେ ସମସ୍ତେ ଅଳ୍ପେ ବହୁତେ ରୋଷେଇ ଜାଣିବା ଦରକାର। ଘରୁ କାମ କରିବା ବେଳେ, ନୂଆ ନୂଆ ଆହ୍ବାନ ମଧ୍ୟ ସାମନାକୁ ଆସେ। ଅନ୍‌ଲାଇନରେ କିପରି ଏହାର ସମାଧାନ କରାଯାଏ, ତାହା ବି ଜାଣିବାର କଥା। ସେହିପରି ଘରେ ରହି ବୃତ୍ତିଗତ କାମ ସହ ନିଜର ଖାଇବା ପିଇବା, ଘରର ପରିଷ୍କାର ପରିଚ୍ଛନ୍ନତା, ଅନ୍ୟକାମ ଗୁଡିକ କରିବା ସମୟାନୁବର୍ତ୍ତିତାକୁ ଶିଖାଇ ଦେଇଛି। ଲକ୍‌ଡାଉନ ବେଳେ ମାନସିକ ଚାପ ଏକ ସାଧାରଣ ଘଟଣା। ଏକ ନିର୍ଦିଷ୍ଟ ସ୍ଥାନରେ ବେଶି ଦିନ ରହିଲେ ମାନସିକ ଚାପ ବଢ଼େ। ଏହାକୁ କେହି କେହି କ୍ୟାବିନ ଫିଭର ବୋଲି କହିଥାନ୍ତି। ମୁଣ୍ଡ ବିନ୍ଧା, ଚିଡିଚିଡା ଓ ବ୍ୟତିବ୍ୟସ୍ତ ହେବା ଲକ୍ଷଣ ଦେଖାଦିଏ। ତେବେ ଏହି ସମୟରେ କିପରି ମାନସିକ ସନ୍ତୁଳନ ରକ୍ଷା କରିବେ ତା ଉପରେ ଧ୍ୟାନ ଦେବା ସହ ବୃତ୍ତିଗତ କାମ ସହ ନିଜକୁ ମଧ୍ୟ ସମୟ ଦେବା ଜରୁରୀ। ବହି ପଢିବା, ଟିଭି ଦେଖିବା, ଗୀତ ଶୁଣିବା, ନିଜର ପ୍ରିୟଜନମାନଙ୍କ ସହ ଭିଡିଓ କଲ୍ ରେ କଥା ହେବା ଏପରି କରି ମାନସିକ ଚାପ ଉପରେ ନିୟନ୍ତ୍ରଣ କରାଯାଇପାରିବ। କରୋନା ପରିସ୍ଥିତିରେ ସାରା ବିଶ୍ବ ଯୁଝୁଛି, ସେଥିପାଇଁ ଆମକୁ ମଧ୍ୟ ଯୋଗଦାନ କରିବାକୁ ପଡିବ। ନିଜେ ସୁସ୍ଥ ରହି ଅନ୍ୟକୁ ସୁସ୍ଥ ରଖିବାର ଶପଥ ନେବାକୁ ହେବ ବୋଲି ସବ୍ୟସାଚୀ କହିଛନ୍ତି।

(ସବ୍ୟସାଚୀ ଅମିତାଭଙ୍କ ସହ କଥା ହୋଇଥିଲେ ସନ୍ତୋଷ ତ୍ରିପାଠୀ)

ସମ୍ବନ୍ଧିତ ଖବର