ଚାକିରି ଛାଡ଼ି ନିର୍ମାଣ କଲେ ହାଇଟେକ ଫାର୍ମ, ପ୍ରତିଦିନ ବାହାରୁଛି ୮ ହଜାର କିଲୋ ପରିବା

ହାଇଦ୍ରାବାଦ: ବିଦେଶରେ ଭଲ ଚାକିରି ସାଙ୍ଗକୁ ଭଲ ଦରମା ଛାଡ଼ି ଚାଷ କାମକୁ ଆପଣାଇଲେ ଦମ୍ପତ୍ତି | ହାଇଦ୍ରାବାଦରେ ରହୁଥିବା ସଚିନ ଓ ଶ୍ଵେତା ୨୦୧୩ ମସିହାରେ ‘ସିଂପଲି ଫ୍ରେସ’ ନାମକ କମ୍ପାନୀ ପ୍ରତିଷ୍ଠା କରିଥିଲେ | ସିଂପଲି ଫ୍ରେସ ପକ୍ଷରୁ ଏହାର ଗ୍ରାହକଙ୍କୁ ତାଜା ପନିପରିବା ଯୋଗାଇଦିଆଯାଏ | ତେବେ ଏହି ତାଜା ପନିପରିବାକୁ ନିଜେ ଚାଷ କରିଥାନ୍ତି ଶ୍ଵେତା ଓ ସଚିନ | ଉଭୟ ନିଜ ଫାର୍ମରେ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରି ପରିବା ଚାଷ କରିଥାନ୍ତି | ହାଇଡ୍ରୋପନିକ୍ସ ଟେକନିକ ସହ ଗ୍ରୀନ ହାଉସର ବ୍ୟବହାର ସହ ପୋଷକ ତତ୍ତ୍ୱକୁ କିଭଳି ବଜାୟ ରଖିହେବ ସେ ଉପରେ ଗୁରୁତ୍ୱ ଦେଇଥାନ୍ତି |

କିଭଳି ଆରମ୍ଭ ହେଲା କମ୍ପାନୀ
ହାଇଦ୍ରାବାଦରେ ଜନ୍ମ ହୋଇଥିବା ସଚିନ ପେସାରେ ଜଣେ ସଫ୍ଟୱେୟାର ଇଂଜିନିୟର ହୋଇଥିବାବେଳେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ୧୮ ବର୍ଷ ଧରି କାମ କରିଥିଲେ | ଆଉ କିଛି ନୂଆ କରିବା ଆଶାରେ ସେ ୨୦୧୩ ମସିହାରେ ହାଇଦ୍ରାବାଦ ଚାଲି ଆସିଥିଲେ | ଆଉ ନିଜ ପତ୍ନୀ ଶ୍ଵେତାଙ୍କ ସହ ମିଶି ସିଂପଲି ଫ୍ରେସ ନାମକ କଂପାନୀ ପ୍ରତିଷ୍ଠା କରିଥିଲେ | କିଭଳି ଲୋକଙ୍କୁ ପୋଷକ ତତ୍ତ୍ୱରେ ଭରପୁର ତଥା କୀଟନାଶକବିହୀନ ପରିବା ଯୋଗାଇ ହେବ ସେହି ଲକ୍ଷ୍ୟ ନେଇ କମ୍ପାନୀ ପ୍ରତିଷ୍ଠା କରିଥିଲେ | ୨୦୧୩ ମସିହାରେ ସଚିନ ଓ ଶ୍ଵେତା ପାଖାପାଖି ୧୦ ଏକର ଜମିରେ ସିଂପଲି ଫ୍ରେସ କମ୍ପାନୀ ଆରମ୍ଭ କରିଥିଲେ |

Simply Fresh
photo-better india

ବଡ଼କଥା ଯେ ସଚିନ ନିଜ ଫାର୍ମ ହାଉସରେ ସମସ୍ତ ପ୍ରକାରର ଆଧୁନିକ ଜ୍ଞାନ କୌଶଳକୁ ବ୍ୟବହାର କରିଛନ୍ତି | ସିଧା ସଳଖ ସୂର୍ଯ୍ୟକିରଣ ପଡିବା ଦ୍ୱାରା ଗଛର ପୋଷକ ତତ୍ତ୍ୱ ନଷ୍ଟ ହେଉଥିବାର ଅନୁଭବ କରି ସେମାନେ ଗ୍ରୀନ ହାଉସରେ ଚାଷ ଆରମ୍ଭ କରିଥିଲେ | ବର୍ତ୍ତମାନ ତାଙ୍କ ଫାର୍ମ ହାଉସ ୧୫୦ ଏକର ଜମିରେ ବିସ୍ତାରିତ ହୋଇଥିବାବେଳେ ପ୍ରତିଦିନ ୮ ହଜାର କିଲୋଗ୍ରାମ ପରିବା ଉତ୍ପାଦନ ହୋଇଥାଏ |

ଏହି ଫାର୍ମରେ ୧୭୦ ଜଣ କାମ କରୁଥିବାବେଳେ ସମସ୍ତେ ସ୍ଥାନୀୟ ଲୋକ ବୋଲି ସଚିନ କହିଛନ୍ତି | ନିଜ ଫାର୍ମରେ ହାଇଡ୍ରୋପନିକ୍ସ ଟେକନିକ ବ୍ୟବହାର କରାଯାଉଥିବାବେଳେ ଏଥିରେ କମ ମାଟି ବ୍ୟବହାର ହୋଇଥାଏ |

ସମ୍ବନ୍ଧିତ ଖବର