ନିକଟ ଅତୀତରେ ଭାରତୀୟ ସେନାରେ ଆଉ ଏକ ସଫଳ ଅଧ୍ୟାୟ ଯୋଡ଼ି ହୋଇଛି। ସେନାବାହିନୀର ମହାନିର୍ଦ୍ଦେଶକ ପଦ (ସ୍ବାସ୍ଥ୍ୟସେବା)ରେ ଅବସ୍ଥାପିତ ହୋଇଛନ୍ତି ଲେଫ୍‌ଟନାଣ୍ଟ ଜେନେରାଲ୍‌ ସାଧନା ସକ୍‌ସେନା ନାୟାର୍‌। ସେନାବାହିନୀର ଏଭଳି ବରିଷ୍ଠ ପଦରେ ପଦୋନ୍ନତି ପାଇବାରେ ‌ସାଧନା ହେଉଛନ୍ତି ପ୍ରଥମ ମହିଳା। ଖାଲି ସେତିକି ନୁହେଁ, ପ୍ରଥମ ମହିଳା ଭାବେ ‌େସ ଏୟାର ମାର୍ଶଲ୍‌ ପଦରୁ ପଦୋନ୍ନତି ପାଇ ଡିଜି ହସ୍ପିଟାଲ୍‌ ସର୍ଭିସେସ୍ (ସଶସ୍ତ୍ର ବାହିନୀ) ପଦରେ ନିଯୁକ୍ତି ପାଇଛନ୍ତି।

Advertisment

ଲେଫ୍‌ଟନାଣ୍ଟ ଜେନେରାଲ ନାୟାର ଉତ୍ତରପ୍ରଦେଶର ପ୍ରୟାଗର ସେଣ୍ଟ୍‌ ମେରି କନ୍‌ଭେଣ୍ଟ୍‌ରେ ଶିକ୍ଷା ଆରମ୍ଭ କରିଥିଲେ ଏବଂ ଲକ୍ଷ୍ନୌର ଲୋରେଟୋ କନ୍‌ଭେଣ୍ଟ୍‌ରେ ଶିକ୍ଷା ସମାପ୍ତ କରିଥିଲେ। ଏହା ମଧ୍ୟରେ ସେ ଆସାମର ତେଜପୁର, ଗୋରଖପୁର, କାନପୁର ଓ ଚଣ୍ଡିଗଡ଼ରେ ପାଠ ପଢ଼ିଥିଲେ। ପୁଣେର ସଶସ୍ତ୍ର ବାହିନୀ ମେଡିକାଲ୍‌ କଲେଜରୁ ସ୍ନାତକ ଶେଷ କରିବା ପରେ ୧୯୮୫ରେ ସେନାର ସ୍ବାସ୍ଥ୍ୟ କର୍ପସରେ ନିଯୁକ୍ତି ପାଇଥିଲେ। ଫ୍ୟାମିଲ୍‌ ମେଡିସିନ୍‌ରେ ସ୍ନାତକୋତ୍ତର, ମାତୃ ଓ ଶିଶୁ ସ୍ବାସ୍ଥ୍ୟ ଓ ସ୍ବାସ୍ଥ୍ୟ ପରିଚାଳନା‌ରେ ଡିପ୍ଲୋମା କରିବା ସହିତ ନୂଆଦିଲ୍ଲୀ ଏମ୍‌ସରେ ମେଡିକାଲ୍‌ ଇନ୍‌ଫର୍ମାଟିକ୍‌ସରେ ଦୁଇବର୍ଷ ପ୍ରଶିକ୍ଷଣ ନେଇଛନ୍ତି। ସେ ଇସ୍ରାଏଲ୍‌ ପ୍ରତିରକ୍ଷା ବାହିନୀ ସହିତ ରାସାୟନିକ, ଜୈବିକ, ବିକିରଣ ଓ ଆଣବିକ ଯୁଦ୍ଧକୌଶଳ (CBRN)ର ପ୍ରଶିକ୍ଷଣ ନେଇଛନ୍ତି। ସୁଇଜର୍‌ଲ୍ୟାଣ୍ଡ୍‌ରେ ମଧ୍ୟ ସ୍ବିସ୍‌ ସେନାଠାରୁ ସାମରିକ ସ୍ବାସ୍ଥ୍ୟନୀତି ବିଷୟରେ ତାଲିମ ପାଇଛନ୍ତି।

ଜାତୀୟ ଶିକ୍ଷା ନୀତିର ଡାକ୍ତରୀ ଶିକ୍ଷା ଉପାଦାନର ଏକ ପାଠ୍ୟକ୍ରମ ପ୍ରସ୍ତୁତ ପାଇଁ ସମ୍ମାନଜନକ ଡକ୍ଟର କସ୍ତୁରୀରଙ୍ଗାନ କମିଟିର ଜଣେ ବିଶେଷଜ୍ଞ ସଦସ୍ୟ ଭାବେ ଲେଫ୍‌ଟନାଣ୍ଟ୍‌ ଜେନେରାଲ୍‌ ନାୟାରଙ୍କୁ ମନୋନୀତ କରାଯାଇଥିଲା। ସାଧନାଙ୍କ ଉତ୍ସର୍ଗୀକୃତ ସେବା ପାଇଁ ତାଙ୍କୁ ଏୟାର୍‌ ଅଫିସର୍‌ କମାଣ୍ଡିଂ-ଇନ୍‌, ୱେଷ୍ଟର୍ଣ୍ଣ ଏୟାର୍‌ କମାଣ୍ଡ୍‌ ତଥା ଏୟାର୍‌ ଷ୍ଟାଫ୍‌ ମୁଖ୍ୟ ତଥା ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ବିଶ୍ୱ ସେବା ପଦକ ପ୍ରଦାନ କରାଯାଇଛି। ଗତ ସାତ ଦଶନ୍ଧି ମଧ୍ୟରେ ତାଙ୍କ ପରିବାରର ତିନି ପିଢ଼ି ସଶସ୍ତ୍ର ବାହିନୀରେ କାର୍ଯ୍ୟ କରିଛନ୍ତି। ସାଧନା ଅବସରପ୍ରାପ୍ତ ଏୟାର୍‌ ମାର୍ଶାଲ୍‌ କେପି ନାୟାର୍‌ଙ୍କୁ ବିବାହ କରିଛନ୍ତି ଏବଂ ସାମରିକ ଡାକ୍ତର ପରିବାରର ଝିଅ ଓ ଭଉଣୀ ହେବାସହିତ ଭାରତୀୟ ଆକାଶବାହିନୀର ପାଇ‌ଲଟ୍‌ ଯୋଦ୍ଧାଙ୍କ ପତ୍ନୀ ଓ ମାଆ ହେବାର ଅନନ୍ୟ ଗୌରବ ପାଇଛନ୍ତି ଲେଫ୍‌ନାଣ୍ଟ ଜେନେରାଲ ସାଧନା ସକ୍‌ସେନା ନାୟାର୍‌।