ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବୁନ୍ଦେଲଖଣ୍ଡର ସାଗରରେ ବୃନ୍ଦାବନ ବାଗ ମନ୍ଦିରର ଗଜ ପରମ୍ପରା ଖୁବ ଚର୍ଚ୍ଚିତ ପରମ୍ପରା। ଗତ ୧୮ ବର୍ଷ ଧରି 'ଗଜଲକ୍ଷ୍ମୀ' ନାମକ ହାତୀ କେବଳ ମନ୍ଦିର ପରିସରରେ ରହୁନାହିଁ ବରଂ ନିୟମିତ ଭାବରେ ମନ୍ଦିର ପରିକ୍ରମା କରିବା ସହିତ ଆଳତୀରେ ସାମିଲ ହୋଇ ଜଣେ ସାଧୁଙ୍କ ଭଳି ଶୃଙ୍ଖଳା ପାଳନ କରି ଆସୁଛି।
ମନ୍ଦିରରେ ଗଜଲକ୍ଷ୍ମୀକୁ ରାଜକୀୟ ସଦସ୍ୟ ଭଳି ମାନ୍ୟତା ଦିଆଯାଇଛି। ସକାଳ ଚାରିଟାରେ ଉଠି ଗଜଲକ୍ଷ୍ମୀ ମନ୍ଦିର ପରିସରରେ ପ୍ରବେଶ କରି ମହାଆଳତୀରେ ସାମିଲ ହୁଏ। ଏହା ପରେ ସେ ସମଗ୍ର ମନ୍ଦିର ପରିକ୍ରମା କରିଥାଏ।
ମହନ୍ତ ନରହରି ଦାସ ମହାରାଜ ଏହି ଘଟଣାକୁ ନେଇ କହିଛନ୍ତି, ‘ ଏହି ପରମ୍ପରା କୌଣସି ଦେଖାଣିଆ ନୁହେଁ ବରଂ ଭକ୍ତି ଏବଂ ବିଶ୍ୱାସର ପ୍ରତିମୂର୍ତ୍ତି। ଏହି ପରମ୍ପରା ବ୍ରିଟିଶ ଶାସନ ସମୟରେ ଆରମ୍ଭ ହୋଇଥିଲା, ଯେତେବେଳେ ଜଣେ ସ୍ଥାନୀୟ ଜମିଦାର ମନ୍ଦିରକୁ ଏକ ହାତୀ ଦାନ କରିଥିଲେ। ସେବେଠାରୁ ପାଞ୍ଚ ପିଢ଼ି ଏହି ପରମ୍ପରାକୁ ପାଳନ କରିଆସୁଛନ୍ତି।
ଗଜଲକ୍ଷ୍ମୀ ସେବାରେ ତିନିଜଣ ମାହୁନ୍ତ ନିୟୋଜିତ ଅଛନ୍ତି। ସେମାନେ ହାତୀର ସାଜସଜ୍ଜା ଠାରୁ ଆରମ୍ଭ କରି ଖାଦ୍ୟ ପର୍ଯ୍ୟନ୍ତ, ସବୁକିଛି ପଦ୍ଧତିଗତ ଭାବରେ କରିଥାଆନ୍ତି। ସୋମବାରଠାରୁ ଗୁରୁବାର ପର୍ଯ୍ୟନ୍ତ ହାତୀ ସହର ପରିକ୍ରମା କରିଥାଏ। ଶୁକ୍ରବାର ଏବଂ ଶନିବାର ଜଙ୍ଗଲ ଭ୍ରମଣରେ ଯାଇ ରବିବାର ମନ୍ଦିରରେ ବିଶ୍ରାମ ନେଇଥାଏ।