କଣିହାଁ: ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ଥିଲେ ସବୁ କିଛି ସମ୍ଭବ। ଯାହାକୁ ପ୍ରମାଣିତ କରିଛନ୍ତି ଅନୁଗୁଳଜିଲ୍ଲା କଣିହାଁ ବ୍ଲକ୍‌ କର୍ଣ୍ଣପାଳ ପଞ୍ଚାୟତ ସିପୁର ଗାଁର ସାଗରିକା ବେହେରା। ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ସ୍ବାବଲମ୍ବୀ ହେବାକୁ ପ୍ରେରଣା ଦେଉଛନ୍ତି। ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିବା ସହିତ ପରିବାରର ଆର୍ଥିକ ସ୍ଥିତିକୁ ମଜଭୁତ କରିପାରିଛନ୍ତି।  

Advertisment

ସାଗରିକାଙ୍କ ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିଲା। ତେଣୁ ଗ୍ରାମର ୧୦ ଜଣ ମହିଳାଙ୍କୁ ନେଇ ସେ ମା’ ସୁଭଦ୍ରା ସ୍ୱୟଂସହାୟକ ଗୋଷ୍ଠୀ ଗଠନ କଲେ। ଗୋଷ୍ଠୀର ସଭାନେତ୍ରୀ ଥାଇ ୨୦୨୧ ମସିହାରେ କୁକୁଡ଼ା ଚାଷ ଆରମ୍ଭ କରିଥିଲେ। ଏଥିରେ ସଫଳ ହେବା ପରେ ପରବର୍ତ୍ତୀ ସମୟରେ ଦୁଇଟି କୁକୁଡ଼ା ଫାର୍ମ କରିଥିଲେ। ଏହାଦ୍ବାରା ସେ ନିଜେ ଆତ୍ମନିର୍ଭରଶୀଳ ହେବା ସାଙ୍ଗକୁ ଅନ୍ୟମାନଙ୍କୁ ରୋଜଗାର ଯୋଗାଇବାରେ ସକ୍ଷମ ହୋଇଥିଲେ। ବର୍ତ୍ତମାନ ସାଗରିକାଙ୍କର ୩ଟି କୁକୁଡ଼ା ଫାର୍ମ ରହିଛି। ଫାର୍ମରେ କାମ କରିବା ପାଇଁ ୬ ଜଣଙ୍କୁ ନିୟୋଜିତ କରାଯାଇଥିବାବେଳେ ସେମାନଙ୍କୁ ମାସକୁ ମାସ ଦରମା ଦେଉଛନ୍ତି।

ଆଖପାଖ ଅଞ୍ଚଳ ସମେତ ଜିଲ୍ଲା ବାହାରୁ ଆସୁଥିବା ବ୍ୟବସାୟୀ ତାଙ୍କ ଫାର୍ମରୁ କୁକୁଡ଼ା ନେଇଥାନ୍ତି ବୋଲି ସାଗରିକା କହିଛନ୍ତି। ସମସ୍ତ ଖର୍ଚ୍ଚକୁ ଛାଡ଼ିଦେଲେ ଗୋଟିଏ ଫାର୍ମରୁ ବାର୍ଷିକ ୫ ଲକ୍ଷରୁ ଅଧିକ ଟଙ୍କା ରୋଜଗାର ହେଉଛି। ବର୍ତ୍ତମାନ କୁକୁଡ଼ା ଫାର୍ମକୁ ସେ ନିଜ ଜୀବିକାର ମୁଖ୍ୟ ରୋଜଗାର ମାଧ୍ୟମ କରିଛନ୍ତି। ପରିବାରର ସମସ୍ତ ଦାୟିତ୍ବ ବୁଝିବା ସହିତ ନିଜ ବ୍ୟବସାୟକୁ ମଧ୍ୟ ଧ୍ୟାନ ଦେଉଛନ୍ତି। ଏବେ ସେ ସ୍ଥାନୀୟ ଅଞ୍ଚଳର ମହିଳାମାନଙ୍କ ଲାଗି ପ୍ରେରଣା ଓ ଉତ୍ସାହର ପ୍ରତୀକ।