କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌)ର ଜଣେ ମହିଳା ସବ୍‌-ଇନ୍‌ସପେକ୍ଟର ଗୀତା ସମୋତା ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ୍‌ ଏଭରେଷ୍ଟ (୮,୮୪୯ ମିଟର) ସଫଳତାର ସହ ଆରୋହଣ କରି ଇତିହାସ ସୃଷ୍ଟି କରିଛନ୍ତି। ସେ ଏହି ସଫଳତା ହାସଲ କରିବାରେ ସିଆଇଏସ୍‌ଏଫ୍‌ର ପ୍ରଥମ ମହିଳା ଅଧିକାରୀ ହୋଇଛନ୍ତି। ଗୀତା ଗତ ମାସ ୧୯ ତାରିଖରେ ‘ବିଶ୍ୱର ଛାତ’ ଉପରେ ଠିଆ ହୋଇ ତାଙ୍କ ଅଭିଯାନକୁ ସଫଳ ସମାପ୍ତ କରିଥିଲେ। ଏହି ମୁହୂର୍ତ୍ତଟି କେବଳ ଏକ ବ୍ୟକ୍ତିଗତ ବିଜୟ ନୁହେଁ, ବରଂ ସମଗ୍ର ଭାରତ ଓ ବିଶେଷ କରି ସିଆଇଏସ୍‌ଏଫ୍‌ ବାହିନୀ ପାଇଁ ଗର୍ବର ପ୍ରତୀକ ହୋଇଗଲା।

Advertisment

ରାଜସ୍ଥାନର ସିକର ଜିଲ୍ଲାର ଚକ ଗାଁରେ ଗୀତା ସମୋତାଙ୍କ ଜନ୍ମ। ତାଙ୍କର ଚାରି ଭଉଣୀ ଅଛନ୍ତି। ପାରମ୍ପରିକ ଗ୍ରାମୀଣ ପରିବେଶରେ ପାଳିତ ଗୀତା ସ୍ଥାନୀୟ ଶିକ୍ଷାନୁଷ୍ଠାନରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷା ଶେଷ କରିଥିଲେ। ପିଲାଦିନରୁ ଖେଳକୁଦ ପ୍ରତି ଆଗ୍ରହୀ ଥିବା ଗୀତା ଜଣେ ହକି ଖେଳାଳି ମଧ୍ୟ ଥିଲେ। କିନ୍ତୁ ଏକ ଗୁରୁତର ଆଘାତ ତାଙ୍କ କ୍ରୀଡ଼ା ଜୀବନକୁ ଅଧାରେ ରୋକିଦେଲା। ଏହା ହିଁ ତାଙ୍କ ଜୀବନରେ ନୂତନ ମୋଡ଼ ଆଣିଲା ଯାହା ତାଙ୍କୁ ସିଆଇଏସ୍‌ଏଫ୍‌ରେ ଯୋଗଦାନ ଏବଂ ପର୍ବତାରୋହଣର ଶିଖରରେ ପହଞ୍ଚାଇଲା। ୨୦୧୧ ମସିହାରେ ସେ ସିଆଇଏସ୍‌ଏଫ୍‌ରେ ଯୋଗଦେଲେ। ସୁରକ୍ଷା ବାହିନୀରେ ପର୍ବତାରୋହଣ ପ୍ରତି କୌଣସି ଚେଷ୍ଟା କରାଯାଇନଥିବାର ସେ ଦେଖିଲେ। ଏହାପରେ ସେ ଏହି ଚ୍ୟାଲେଞ୍ଜକୁ ଏକ ସୁଯୋଗ ଭାବେ ନେଇଥିଲେ। ୨୦୧୫ ମସିହାରେ, ତାଙ୍କୁ ଆଉଲିର ଇଣ୍ଡୋ-ତିବ୍ଦତୀୟ ସୀମା ପୁଲିସ (ଆଇଟିବିପି) ପ୍ରତିଷ୍ଠାନରେ ପର୍ବତାରୋହଣର ମୌଳିକ ତାଲିମ ପାଇଁ ମନୋନୀତ କରାଯାଇଥିଲା, ଯେଉଁଠାରେ ସେ ତାଙ୍କ ବ୍ୟାଚ୍‌ର ଏକମାତ୍ର ମହିଳା ଥିଲେ। ୨୦୧୭ ମସିହାରେ ସେ ଉନ୍ନତ ପର୍ବତାରୋହଣ ତାଲିମ ଶେଷ କରିଥିଲେ ଏବଂ ଏହି ସଫଳତା ହାସଲ କରିବାରେ ସେ ଥିଲେ ପ୍ରଥମ ସିଆଇଏସ୍‌ଏଫ୍‌ ମହିଳା କର୍ମଚାରୀ।

ତେବେ ଗୀତାଙ୍କ ଯାତ୍ରା ଏତିକିରେ ଶେଷ ହୋଇନଥିଲା। ୨୦୧୯ ମସିହାରେ ସେ ଉତ୍ତରାଖଣ୍ଡର ସତୋପନ୍ଥ (୭,୦୭୫ ମିଟର) ପର୍ବତ ଓ ନେପାଳର ଲୋବୁଚେ (୬,୧୧୯ ମିଟର) ପର୍ବତ ଚଢ଼ିଥିଲେ ଏବଂ ଏହି ସଫଳତା ହାସଲ କରିବାରେ ସେ ମଧ୍ୟ ସେ ଥିଲେ ସିଆଇଏସ୍‌ଏଫ୍‌ର ପ୍ରଥମ ମହିଳା ପର୍ବତାରୋହୀ। ୨୦୨୧ ମସିହାରେ ଏଭରେଷ୍ଟକୁ ସିଆଇଏସ୍‌ଏଫ୍‌ ଅଭିଯାନ ବାତିଲ କରାଯାଇଥିଲା, କିନ୍ତୁ ଗୀତା ହାର୍‌ ମାନି ନଥିଲେ ଏବଂ ‘ସେଭେନ୍‌ ଶିଖର’ର ଚ୍ୟାଲେଞ୍ଜକୁ ନିଜର ଆଗାମୀ ଲକ୍ଷ୍ୟ ବନାଇଥିଲେ। ଖାଲି ସେତିକି ନୁହେଁ ସେ ଅଷ୍ଟ୍ରେଲିଆର ମାଉଣ୍ଟ୍‌ କୋସିୟୁସ୍କୋ, ରୁଷିଆର ମାଉଣ୍ଟ ଏଲ୍‌ବ୍ରସ୍‌, ତାଞ୍ଜାନିଆର ମାଉଣ୍ଟ କିଲିମାଞ୍ଜାରୋ ଓ ଆର୍ଜେଣ୍ଟିନାର ମାଉଣ୍ଟ୍‌ ଏକାନ୍‌କାଗୁଆ ସଫଳତାର ସହ ଆରୋହଣ କରିଥିଲେ ଏବଂ ମାତ୍ର ୬ମାସ ୨୭ ଦିନରେ ୪ଟି ମହାଦେଶର ସର୍ବୋଚ୍ଚ ଶିଖରରେ ପାଦ ଥାପିଥିଲେ। ଏହା ତାଙ୍କୁ ଭାରତର ଦ୍ରୁତତମ ‘ସେଭେନ୍ ସମିଟ୍ସ’ ମହିଳା ପର୍ବତାରୋହୀଙ୍କ ମଧ୍ୟରେ ସ୍ଥାନ ଦେଇଛି। ଏହାବାଦ୍‌ ଗୀତା ଲଦାଖରେ ୩ଦିନରେ ୫ଟି ଶିଖର ଚଢ଼ି ଆଉ ଏକ ଅନନ୍ୟ ସଫଳତା ହାସଲ କରିଛନ୍ତି। ଦିଲ୍ଲୀ ମହିଳା କମିସନ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସମେତ ଅନେକ ଅନୁଷ୍ଠାନ ତାଙ୍କୁ ସମ୍ମାନିତ କରିଛନ୍ତି।

ଗୀତା କହନ୍ତି, “ପର୍ବତମାନେ ସମସ୍ତଙ୍କୁ ସମାନ ବ୍ୟବହାର କରନ୍ତି। ସେମାନେ ପୁରୁଷ ଓ ମହିଳା ଆଧାରରେ ଭେଦଭାବ ରଖନ୍ତି ନାହିଁ। ଯାହାଙ୍କ ଭିତରେ ଏକ ବିଶେଷ ‘ଏକ୍ସ-ଫ୍ୟାକ୍ଟର୍‌’ ଥାଏ, କେବଳ ସେହିମାନେ ହିଁ ଏହି ଉଚ୍ଚତାକୁ ଛୁଇଁପାରିବେ।’’ ତାଙ୍କର ଏହି ଚିନ୍ତାଧାରା ଆଗାମୀ ପିଢ଼ି ପାଇଁ କେବଳ ପ୍ରେରଣାର ଉତ୍ସ ନୁହେଁ, ବରଂ ଲିଙ୍ଗଗତ ସମାନତା ଓ ଆତ୍ମବିଶ୍ୱାସର ବାର୍ତ୍ତା ମଧ୍ୟ ଦିଏ। ତାଙ୍କର ଐତିହାସିକ ସଫଳତାରୁ ଅନୁପ୍ରାଣିତ ହୋଇ, ସିଆଇଏସ୍‌ଏଫ୍‌ ଏବେ ୨୦୨୬ ମସିହାରେ ମାଉଣ୍ଟ ଏଭରେଷ୍ଟ ଆରୋହଣ ପାଇଁ ଏକ ସମ୍ପୂର୍ଣ୍ଣ ସମର୍ପିତ ସିଆଇଏସ୍‌ଏଫ୍‌ ପର୍ବତାରୋହୀ ଦଳ ପଠାଇବାକୁ ଯୋଜନା କରୁଛି। ସିଆଇଏସ୍‌ଏଫ୍‌ର ମହାନିର୍ଦ୍ଦେଶକଙ୍କ ସମେତ ବାହିନୀର ସମସ୍ତ ଅଧିକାରୀ ମହିଳା ସବ-ଇନ୍ସପେକ୍ଟର୍‌ ଗୀତା ସମୋତାଙ୍କୁ ଏହି ଐତିହାସିକ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି।