ସହିଦ ଦିବସ: ମୋ ପାଉଁଶରୁ ବି ମାତୃଭୂମିର ସୁଗନ୍ଧ ମହକିବ

ଅମର ସ୍ବାଧୀନତା ସଂଗ୍ରାମୀ ଭଗତ ସିଂହ, ସୁଖଦେବ ଥାପର ଓ ଶିବରାମ ରାଜଗୁରୁଙ୍କ ପ୍ରାଣଦାନର ସ୍ମୃତିରକ୍ଷା ପାଇଁ ପ୍ରତି ବର୍ଷ ମାର୍ଚ୍ଚ ୨୩ ତାରିଖକୁ ସହିଦ ଦିବସ ଭାବେ ପାଳନ କରାଯାଉଛି। ୧୯୨୮ରେ ଲାଲା ଲଜପତ ରାୟ ସାଇମନ୍ କମିଶନ ବିରୋଧରେ ଆନ୍ଦୋଳନ କରୁଥିବା ବେଳେ ବ୍ରିଟିସ୍ ପୁଲିସ ମାଡ଼ରେ ଆହତ ହୋଇ ପରେ ମୃତ୍ୟୁବରଣ କରିଥିଲେ। ଲଜପତ ରାୟଙ୍କ ମୃତ୍ୟୁର ପ୍ରତିଶୋଧ ସ୍ବରୂପ ଶିବରାମ ରାଜଗୁରୁ, ସୁଖଦେବ ଥାପର ଓ ଚନ୍ଦ୍ରଶେଖର ଆଜାଦଙ୍କ ସହ ମିଶି ଭଗତ ଜନ୍ ପି. ସାଣ୍ଡର୍ସ ନାମକ ପୁଲିସ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିଥିଲେ। କିଛି ମାସ ଅଜ୍ଞାତବାସରେ ରହିବା ପରେ ଭଗତ ସିଂହ ସକ୍ରିୟ ହୋଇଉଠିଥିଲେ। ୧୯୨୯ରେ ସହଯୋଗୀ ବଟୁକେଶ୍ବର ଦତ୍ତଙ୍କ ସହିତ ଦିଲ୍ଲୀ ସଂସଦରେ ବୋମା ଫୁଟାଇ ଆତ୍ମସମର୍ପଣ କରିଥିଲେ। ଗିରଫ ପରେ ଜନ୍ ସଣ୍ଡର୍ସ ହତ୍ୟା ମାମଲାରେ ତାଙ୍କର ସଂପୃକ୍ତି ବିଷୟରେ ଜଣାପଡ଼ିଥିଲା। ଏହାର ଶୁଣାଣିରେ ଭଗତ ସିଂହ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଫାଶୀ ଦଣ୍ଡ ଦିଆଯାଇଥିଲା। ଫାଶୀ ଖୁଣ୍ଟ ଅଭିମୁଖେ ଯିବା ବେଳେ ଭଗତ ଗାଇବା ଆରମ୍ଭ କରିଥିଲେ- ‘ଦିଲ୍ ସେ ନିକ୍‍ଲେଗି ନା ମର୍‍କର୍ ଭି ଵତନ କି ଉଲଫତ୍/ମେରି ମିଟ୍ଟି ସେ ଭି ଖୁସ୍‍ବୁଏ ଵତନ୍ ଆଏଗି’ (ମୃତ୍ୟୁ ପରେ ବି ହୃଦୟରୁ ଦେଶପ୍ରେମ ସରିଯିବ ନାହିଁ/ମୋ ପାଉଁଶରୁ ବି ମାତୃଭୂମିର ସୁଗନ୍ଧ ମହକିବ)। ସୁଖଦେବ ଓ ରାଜଗୁରୁ ତାଙ୍କ ସହ ସ୍ବର ମିଳାଇ ଗାଇବାକୁ ଲାଗିଲେ ଓ ବୀର ଦର୍ପରେ ଆମରତ୍ବ ଆଡ଼କୁ ଅଗ୍ରସର ହୋଇଥିଲେ।

ସୁଖଦେବ ଥାପର
ହିନ୍ଦୁସ୍ତାନ ସୋସାଲିଷ୍ଟ ରିପବ୍ଲିକ୍ ଆସୋସିଏସନ୍‌‍ (ଏଚ୍ଏସ୍ଆର୍ଏ)ର ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ଅନ୍ୟତମ ବିପ୍ଳବୀ ଥିଲେ ସୁଖଦେବ ଥାପର। ୧୯୦୭ ମସିହା ମେ ୧୫ ତାରିଖରେ ଲୁଧିଆନାରେ ତାଙ୍କର ଜନ୍ମ। ଭାରତୀୟଙ୍କ ଉପରେ ବ୍ରିଟିସ୍‍ଙ୍କ ନିଷ୍ଠୁରତା ଦେଖି ଦେଖି ସେ ବଡ଼ ହୋଇଥିଲେ। ୧୯୨୧ରେ ନେସ୍‍ନାଲ୍ କଲେଜରେ ଯୋଗ ଦେବା ପରେ ସେଠାରେ ସେ ଭଗତ ସିଂହ, ଭଗବତୀ ଚରଣ ଭୋହରା, ଯଶପାଲଙ୍କ ଭଳି ବିପ୍ଳବ-ମନସ୍କ ଯୁବକଙ୍କ ସଂସ୍ପର୍ଶରେ ଆସିଲେ। ଯୁବପିଢ଼ିକୁ ସ୍ବାଧୀନତା ସଂଗ୍ରାମ ପ୍ରତି ଆକୃଷ୍ଟ କରିବା ନିମନ୍ତେ ବନ୍ଧୁଙ୍କ ସହ ମିଶି ‘ନବଜୀବନ ଭାରତ ସଭା’ ସ୍ଥାପନ କରିଥିଲେ ଏବଂ ‘ହିନ୍ଦୁସ୍ତାନ ସୋସାଲିଷ୍ଟ ରିପବ୍ଲିକ୍ ଆସୋସିଏସନ୍‌‍’ (ଏଚ୍ଏସ୍ଆର୍ଏ)ରେ ଯୋଗ ଦେଇଥିଲେ। ଆତଙ୍କବାଦୀ କାର୍ଯ୍ୟକଳାପକୁ ସେ ସଂପୂର୍ଣ୍ଣ ରୂପେ ବିରୋଧ କରୁଥିଲେ। ତେବେ ହିଂସାକୁ ରାଜନୈତିକ ପ୍ରଚାର ଓ ସଂଘର୍ଷର ଏକ ମାଧ୍ୟମ ଭାବେ ବ୍ୟବହାର କରିବା ସପକ୍ଷରେ ସେ ଥିଲେ। ସେ ବିଶ୍ବାସ କରୁଥିଲେ ଯେ ସମାଜବାଦୀ ଆଦର୍ଶ ଦ୍ବାରା ପରିଚାଳିତ ହେଲେ ଯାଇ ଭାରତରୁ ଉତ୍କଟ ଦାରିଦ୍ର୍ୟ, କ୍ଷୁଧା, ନିରକ୍ଷରତା, ବେକାରି, ସାମ୍ରାଜ୍ୟବାଦୀ ଅତ୍ୟାଚାର ଓ ଶୋଷଣ ଦୂର ହୋଇପାରିବ। ଲାହୋର ଷଡ୍‍ଯନ୍ତ୍ର ମାମଲାରେ ମଧ୍ୟ ତାଙ୍କର ସଂପୃକ୍ତି ରହିଥିଲା।

ଭଗତ ସିଂହ
ସବୁଠାରୁ ବ୍ୟାପକ ଓ ଦୀର୍ଘସ୍ଥାୟୀ ପ୍ରଭାବ ବିସ୍ତାର କରିଥିବା ଯୁବ ବିପ୍ଳବୀ ଥିଲେ ସହିଦ ଭଗତ ସିଂହ। ୧୯୦୭ ସେପ୍‍ଟେମ୍ବର ୨୮ରେ ଅବିଭକ୍ତ ଭାରତର ପଶ୍ଚିମ ପଞ୍ଜାବର ବଙ୍ଗା ଗ୍ରାମରେ ସେ ଜନ୍ମ ହୋଇଥିଲେ। ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରରେ ଜନ୍ମ ହୋଇଥିବାରୁ ସେ ଅଳ୍ପ ବୟସରୁ ସ୍ବାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ। ୧୨ ବର୍ଷର ହୋଇଥିବା ବେଳେ ସେ ଜାଲିଆନଵାଲାବାଗ ଗଣହତ୍ୟାର କିଛି ଘଣ୍ଟା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ। କୁଢ଼ କୁଢ଼ ମୃତଦେହର ଦୃଶ୍ୟ ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା। ସେ ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ। କିନ୍ତୁ ୧୯୨୨ର ଚୌରିଚୋରା ଘଟଣା ପରବର୍ତ୍ତୀ ଗାନ୍ଧୀଙ୍କ ନିଷ୍ପତ୍ତି ତାଙ୍କୁ ନିରାଶ କରିଥିଲା। ୧୯୨୮ରେ ଇଂରେଜ ଲାଠିମାଡ଼ରେ ଆହତ ହୋଇ ଲାଲା ଲଜପତ ରାୟଙ୍କ ମୃତ୍ୟୁ ଘଟିବା ପରେ ଭଗତ ସିଂହ ଗାନ୍ଧୀଙ୍କ ଅହିଂସାତ୍ମକ ପନ୍ଥା ପରିବର୍ତ୍ତେ ହିଂସାତ୍ମକ ପନ୍ଥା ଆପଣାଇବା ଶ୍ରେୟସ୍କର ମଣିଥିଲେ। ୧୯୨୯ରେ ସେ ବଟୁକେଶ୍ବର ଦତ୍ତଙ୍କ ସହ ଦିଲ୍ଲୀର ସେଣ୍ଟ୍ରାଲ୍ ଲେଜିସ୍‍ଲେଟିଭ୍ ହଲ୍‍ରେ ବୋମା ଫିଙ୍ଗିଥିଲେ। ବଧିର ପାଲଟିଥିବା ବ୍ରିଟିସ୍‍ଙ୍କ କାନ ଖୋଲିବାକୁ ସେ ବୋମାର ବ୍ୟବହାର କରିଥିଲେ। ସେ ଭାରତର ପ୍ରଥମ ପିଢ଼ିର ମାର୍କ୍ସବାଦୀ ଥିଲେ। କାର୍ଲ ମାର୍କ୍ସ, ଲେନିନ୍, ଟ୍ରୋଟ୍‍ସ୍କିଙ୍କ ଭଳି ନେତାଙ୍କ ସମ୍ପର୍କରେ ପଢ଼ିବା ପରେ ସେ ନିରୀଶ୍ବରବାଦୀ ପାଲଟିଥିଲେ। ଫାଶୀ ପାଇବାର କିଛି ମାସ ପୂର୍ବରୁ ସେ ‘ହ୍ବାଇ ଏମ୍ ଆଇ ଆନ୍ ଏଥିଷ୍ଟ’ (ମୁଁ ନିରୀଶ୍ବରବାଦୀ କାହିଁକି) ଶୀର୍ଷକ ପ୍ରସିଦ୍ଧ ପ୍ରବନ୍ଧ ଲେଖିଥିଲେ।

ଶିବରାମ ରାଜଗୁରୁ
୧୯୦୮ ମସିହା ଅଗଷ୍ଟ ୨୪ ତାରିଖରେ ମହାରାଷ୍ଟ୍ର ଅନ୍ତର୍ଗତ ପୁନେ ଜିଲ୍ଲାର ଖେଡ଼ ଗ୍ରାମରେ ଜନ୍ମ ହୋଇଥିଲେ ମହାନ ସ୍ବାଧୀନତା ସେନାନୀ ଶିବରାମ ରାଜଗୁରୁ। ଅଳ୍ପ ବୟସରୁ ଶିବରାମ ‘ସେବା ଦଳ’ର ସଦସ୍ୟ ହୋଇଥିଲେ। ଚନ୍ଦ୍ରଶେଖର ଆଜାଦଙ୍କ ଉଗ୍ର ବକ୍ତବ୍ୟ ତଥା ଭାରତ ପାଇଁ ଗଭୀର ପ୍ରେମ ଦ୍ବାରା ବିଶେଷ ଭାବେ ପ୍ରଭାବିତ ହୋଇ ଶିବରାମ ହିନ୍ଦୁସ୍ତାନ ସୋସାଲିଷ୍ଟ ରିପବ୍ଲିକାନ୍ ଆର୍ମି (ଏଚ୍‌ଏସ୍‌ଆର୍‌ଏ)ରେ ଯୋଗ ଦେଇଥିେଲ। ଶିବରାମ ଥିଲେ ଜଣେ ଦକ୍ଷ ମଲ୍ଲଯୋଦ୍ଧା ତଥା ସଂସ୍କୃତ ବିଦ୍ବାନ। ଅତ୍ୟାଚାରର ପ୍ରତ୍ୟୁତ୍ତରରେ ହିଂସାର ପ୍ରୟୋଗକୁ ସେ ସମର୍ଥନ କରୁଥିଲେ। ତେଣୁ ଗାନ୍ଧୀଙ୍କ ଅହିଂସା ନୀତିରେ ତାଙ୍କର ଆସ୍ଥା ନ ଥିଲା। ସେ ଭଲ ବନ୍ଧୁକ ଚାଳନା କରିପାରୁଥିବାରୁ ତାଙ୍କୁ ଏଚ୍‌ଏସ୍‌ଆର୍‌ଏର ‘ଗନ୍‌ମ୍ୟାନ୍’ କୁହାଯାଉଥିଲା। ସଂଗଠନରେ ସେ ରଘୁନାଥ ନାମରେ ପରିଚିତ ଥିଲେ। ତ୍ରିମୂର୍ତ୍ତି କ୍ରାନ୍ତିକାରୀଙ୍କ ମଧ୍ୟରୁ ସର୍ବକନିଷ୍ଠ ସହିଦ ଥିଲେ ଶିବରାମ ରାଜଗୁରୁ। ଫାଶୀ ସମୟରେ ତାଙ୍କୁ ମାତ୍ର ୨୨ ବର୍ଷ ହୋଇଥିଲା। ଏମାନଙ୍କ ଆତ୍ମବଳିଦାନ ଅନେକ ଯୁବକଯୁବତୀଙ୍କୁ କ୍ରାନ୍ତିକାରୀ ପଥ ବାଛିବାକୁ ଉତ୍ସାହିତ କରିଥିଲା ଯାହା ବ୍ରିଟିସ୍ ସାମ୍ରାଜ୍ୟ ବିରୋଧୀ ସଂଗ୍ରାମକୁ ବଳଶାଳୀ କରିବାରେ ବିଶେଷ ଭୂମିକା ଗ୍ରହଣ କରିଥିଲା।

ସମ୍ବନ୍ଧିତ ଖବର