ମା’କାଖରୁ ଓହ୍ଲାଇବାକୁ ଚାହୁ ନଥିଲା ପିଲାଟା। ଜୋର୍କରି ଟାଣିଆଣିଲା ବାପା। ତା’ର ସବୁ ଶକ୍ତି ପ୍ରୟୋଗ କରି ହାତ ଦୁଇଟାକୁ ହଲେଇ ହଲେଇ ମା’କୁ ଡାକୁଥିଲା ସେ। ହେଲେ ମା’ ନାଚାର। ପିଲାଟା ରାହା ଧରି କାନ୍ଦୁଥିଲା। ମା’ ଧାଇଁ ଆସୁଥିଲା ପିଲାଟା ପାଖକୁ। କ’ଣ ଭାବିଲା କେଜାଣି, ପାଦେ ଆଗକୁ ବଢ଼ିବା ପରେ ଅଟକି ଗଲା। ତା’ ଆଖି ଛଳଛଳ। ରୋକିପାରିଲାନି ସେ ଲୁହକୁ। ସେ ବି କଇଁକଇଁ ହୋଇ କାନ୍ଦିଲା। ପିଲାର ବାପା କ’ଣ କରିବ ଚିନ୍ତା କରିପାରୁ ନଥିଲା। ସେ ଛାତିକୁ ଟାଣ କରୁଥିଲା। ଯାହା ବି ହେଲେ ତାକୁ ନିଜ ଦେଶରେ ରହିବାକୁ ପଡ଼ିବ। ସେ ତ ସ୍ତ୍ରୀ ସହିତ ଯାଇପାରିବନି ପାକିସ୍ତାନ।ହେଲେ ସାଏରାର ମା’ ମନ ଦୌଡ଼ିଆସିଲା ଫର୍ହାନ୍ ପାଖକୁ। ତା’ କାଖରୁ ଟାଣିନେଲା ପୁଅକୁ। ଜାବୁଡ଼ି ଧରି ଚୁମା ପରେ ଚୁମା ଦେଇଗଲା ତା’ ୯ମାସର ପୁଅ ଅଜ୍ଲାନ୍କୁ। ମା’ ପୁଅ ଅଲଗା ହେବାରୁ କେହି ରୋକିପାରିବେ ନାହିଁ। କାରଣ ଦୁହିଁଙ୍କ ପାସ୍ପୋର୍ଟର ରଙ୍ଗ ଅଲଗା। ସାଏରାର ସବୁଜ, ଅଜ୍ଲାନ୍ର ନୀଳ। ଶେଷରେ ସଜଳ ଆଖିରେ ପୁଣି ପୁଅକୁ ସମର୍ପି ଦେଲା ଫର୍ହାନ୍କୁ। ଏଥର ବିଦାୟ ବେଳା। ସୁରକ୍ଷାକର୍ମୀ ତାଗିଦ୍ କରୁଥିଲେ ସେମାନଙ୍କୁ। ଅଟାରି-ୱାଘା ଗେଟ୍ ଦେଇ ପାକିସ୍ତାନରେ ପ୍ରବେଶ କରିବା ପ୍ରକ୍ରିୟା ଆରମ୍ଭ ହେଲା। ସାଏରା ଆଉ ରୋକି ପାରିଲାନି ନିଜକୁ। ଚିତ୍କାର କରି କାନ୍ଦିଲା। ବୁଲି ବୁଲି ପଛକୁ ଚାହୁଁଥିଲା ବାରମ୍ବାର। ପାକ୍ ସୁରକ୍ଷାକର୍ମୀ ତାକୁ ବାଟକଢ଼େଇ ନେଉଥିଲେ। ହଠାତ୍ ମୂର୍ଚ୍ଛା ହୋଇ ସେଇଠି ଟଳିପଡ଼ିଲା ସେ। ଦୂରରୁ ଥାଇ ଫର୍ହାନ୍ ଲୁହ ଛଳଛଳ ଆଖିରେ ଦେଖୁଥିଲା ସାଏରାକୁ। କିନ୍ତୁ ଏଇ ବିଚ୍ଛେଦକୁ ସେ ଯେତେ ଚାହିଲେ ବି ରୋକିପାରିବ ନାହିଁ।
ପ୍ରାୟ ୩ ବର୍ଷ ତଳେ ଫେସ୍ବୁକ୍ରେ ସାଏରାକୁ ଭେଟିଥିଲା ଫର୍ହାନ୍। ଦିଲ୍ଲୀ ବାସିନ୍ଦା ଫର୍ହାନ୍ର କରାଚୀ ସୁନ୍ଦରୀ ସାଏରା ସହ ସଂପର୍କ ଫେସ୍ବୁକ୍ ବନ୍ଧୁତ୍ବରୁ ଆଗକୁ ବଢ଼ିଥିଲା। ଦୁହେଁ ପରସ୍ପରକୁ ପସନ୍ଦକଲେ। ଶେଷରେ ସୀମା ବାଧକ ଅତିକ୍ରମ କରି ବିବାହକଲେ। ସାଏରା ପାକିସ୍ତାନ ଛାଡ଼ି ଚାଲିଆସିଲା ଭାରତ। ଦିଲ୍ଲୀରେ ଦୁହେଁ ଏକାଠି ଘରସଂସାର କଲେ। ୯ ମାସ ତଳେ କୋଳକୁ ଆସିଥିଲା ଅଜ୍ଲାନ୍। ହସଖୁସିର ସଂସାରରେ ଯେ ଏମିତି ନିଆଁ ଲାଗିଯିବ, ତାହା ସେମାନଙ୍କ କଳ୍ପନାର ବାହାରେ ଥିଲା। ଏପ୍ରିଲ୍ ୨୨ରେ କାଶ୍ମୀରର ପହଲ୍ଗାମ୍ରେ ୨୬ଜଣ ପର୍ଯ୍ୟଟକଙ୍କୁ ଧର୍ମ ପଚାରି ପାକ୍ ଆତଙ୍କବାଦୀ ହତ୍ୟା କରିବା ପରେ ଭାରତ ସରକାର ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ପାକ୍ ନାଗରିକ ହୋଇଥିବାରୁ ସାଏରାକୁ ଫେରିବାକୁ ପଡ଼ିଛି।
ଇଏ କେବଳ ଜଣେ ସାଏରାର କାହାଣୀ ନୁହେଁ, ଏମିତି ଶହ ଶହ ସାଏରା ଏବେ ପରିବାରଠାରୁ ଅଲଗା ହେଉଛନ୍ତି।
ପାକିସ୍ତାନର ସିନ୍ଧ୍ ପ୍ରଦେଶର ବାସିନ୍ଦା ତଖତ୍ ସିଂ ଝିଅ ବିବାହ ଲାଗି ରାଜସ୍ଥାନ ଆସିଥିଲେ। ଜୟପୁରରେ ବେଶ୍ ହସଖୁସିରେ ବିବାହ ଉତ୍ସବ ସଂପନ୍ନହେଲା। ସପ୍ତାହେ ଯାଇଛି କି ନାହିଁ ପହଲ୍ଗାମ୍ରେ ଆତଙ୍କବାଦୀ ଆକ୍ରମଣ ଘଟିଲା। ଭାରତ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେଲା ଏବଂ ପାକ୍ ନାଗରିକ ଦେଶ ଛାଡ଼ିବାକୁ ବାଧ୍ୟ ହେଲେ। ତଖତ୍ ସିଂ ଓ ତାଙ୍କ ପରିବାର ସବୁ କାର୍ଯ୍ୟକ୍ରମ ଅଧାରେ ରଖି ନିଜ ଦେଶକୁ ଫେରିବା ଲାଗି ଅଟାରି-ୱାଘା ବର୍ଡର୍ରେ ପହଞ୍ଚିଲେ। କିନ୍ତୁ ତାଙ୍କ ପତ୍ନୀ ସିନ୍ଧୁ କନ୍ୱାର୍ଙ୍କୁ ତାଙ୍କ ସହ ପାକିସ୍ତାନ ଫେରିବା ଲାଗି ଅନୁମତି ମିଳିଲା ନାହିଁ। କାରଣ ସେତେବେଳକୁ ପାଲଟା ଜବାବରେ ପାକିସ୍ତାନ ମଧ୍ୟ ଭାରତୀୟ ନାଗରିକଙ୍କୁ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇ ସାରିଥିଲା। ଶେଷରେ ଅଟାରିରେ ଅଟକି ଯାଇଥିଲେ ସିନ୍ଧୁ ଏବଂ ତଖତ୍ ସିଂଙ୍କୁ ପରିବାରର ଅନ୍ୟ ସଦସ୍ୟଙ୍କ ସହ ୱାଘା ଦେଇ ପାକିସ୍ତାନ ଫେରି ଯିବାକୁ ପଡ଼ିଥିଲା। ଅଟାରି-ୱାଘା ଚେକ୍ପୋଷ୍ଟ୍ରେ ମା’ଙ୍କୁ ଜାବୁଡ଼ିଧରି କାନ୍ଦୁଥିଲେ ତାଙ୍କର ଦୁଇ ଝିଅ। ବାହୁନି ବାହୁନି କହୁଥିଲେ- ମା’କୁ ଛାଡ଼ି ଆମେ କେମିତି ରହିବୁ?
ଇତିମଧ୍ୟରେ ଅଟାରି-ୱାଘା ଦେଇ ୯୧୧ଜଣ ପାକିସ୍ତାନୀ ସେମାନଙ୍କ ଦେଶକୁ ଫେରି ଯାଇଛନ୍ତି। ହଲିମା ବେଗମ୍ ସେମାନଙ୍କ ମଧ୍ୟରୁ ଜଣେ। ତାଙ୍କ କାହାଣୀ ବି ହୃଦୟ ବିଦାରକ। କାରାଚୀ ବାସିନ୍ଦା ହଲିମା ପ୍ରାୟ ୨୫ ବର୍ଷ ତଳେ ବିବାହ କରି ଓଡ଼ିଶା ଚାଲି ଆସିଥିଲେ। ଦୁଇଦୁଇଟି ପୁଅର ମା’ ହେବା ପରେ ତାଙ୍କ ସ୍ବାମୀଙ୍କର ବିୟୋଗ ଘଟିଥିଲା। ଏବେ ତାଙ୍କୁ ପାକିସ୍ତାନ ଫେରିବାକୁ ହୋଇଛି। ଦୁଃଖର କଥା, ସେଠାରେ ନା ତାଙ୍କର ଘରଦ୍ବାର ଅଛି ନା କୌଣସି ଚିହ୍ନାପରିଚୟ କି ପରିଜନ ଅଛନ୍ତି। ଦୁଇପୁଅ ମା’ଙ୍କ ସହ ଯିବାକୁ ଚାହିଥିଲେ, କିନ୍ତୁ ଭାରତୀୟ ପାସ୍ପୋର୍ଟ ଥିବା ହେତୁ ଅନୁମତି ମିଳିନାହିଁ। ଏକ ଅନିଶ୍ଚିତ ଭବିଷ୍ୟତ ଭିତରକୁ ଠେଲି ହୋଇଯାଇଛନ୍ତି ହଲିମା। କତିପୟ ଧର୍ମାନ୍ଧ ଆତଙ୍କବାଦୀଙ୍କ ଅମାନବୀୟ କାଣ୍ଡ ଯୋଗୁଁ ଆଜି ହଜାର ହଜାର ପରିବାର ଦଣ୍ଡ ଭୋଗୁଛନ୍ତି। ମା’ଠାରୁ ଅଲଗା ହୋଇଯାଉଛି ପୁଅ, ସ୍ବାମୀ ଠାରୁ ସ୍ତ୍ରୀ, ନାତିନାତୁଣୀଙ୍କଠାରୁ ଜେଜେମା’ଜେଜେବାପା। ଦୋଷ କରୁଛି କିଏ, ଦଣ୍ଡ ଭୋଗୁଛି କିଏ! ଭାରତ ଭୂମିରୁ ଆତଙ୍କବାଦକୁ ସମୂଳେ ଉତ୍ପାଟନ କରିବା ଜରୁରି ହୋଇପଡ଼ିଛି।