ଭାରତର ସ୍ବାଧୀନତା ସଂଗ୍ରାମ ଅନେକ ରକ୍ତକ୍ଷୟୀ ବଳିଦାନରେ ଋଦ୍ଧିମନ୍ତ। ଅଗଣିତ ନରନାରୀ ହସିହସି ମରଣକୁ ବରଣ କରିଛନ୍ତି। ଦେଶ ଓ ଜାତି ପାଇଁ ବଳିଦାନ ଦେଇଥିବା ଦୁଇଜଣ ଅନାଲୋଚିତ ମହିଳାଙ୍କ ପ୍ରତି ସୁଶ୍ରୀର ଶ୍ରଦ୍ଧା ନିବେଦନ
ଗାନ୍ଧୀବୁଢ଼ୀ ମାତଙ୍ଗିନୀ
ଆମ ଦେଶକୁ ସ୍ବାଧୀନ କରାଇବାରେ ମହାତ୍ମା ଗାନ୍ଧୀଙ୍କ ଯୋଗଦାନ ବିଷୟରେ ସଭିଏଁ ଜାଣନ୍ତି। ତାଙ୍କ ଅହିଂସା ଆନ୍ଦୋଳନ ବିଶ୍ବବିଦିତ। ଇତିହାସ ପୃଷ୍ଠାରେ ଭରି ରହିଛି ଅନେକ ସ୍ବାଧୀନତା ସଂଗ୍ରାମୀଙ୍କ ଜୀବନ କାହାଣୀ, ସେମାନଙ୍କ ସଂଘର୍ଷ ଓ ବଳିଦାନର କଥା। ଅନେେକ ମଧ୍ୟ ରହିଯାଇଛନ୍ତି ଲୋକଲୋଚନ ଆଢୁଆଳରେ। ଏମିତି ଜଣେ ସଂଗ୍ରାମୀ ହେଲେ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ମାତଙ୍ଗିନୀ ଦେବୀ। ଯାହାଙ୍କୁ ଲୋକେ ‘ଗାନ୍ଧିବୁଢ଼ୀ’ ବୋଲି ଶ୍ରଦ୍ଧାରେ କହୁଥିଲେ। ମାତଙ୍ଗିନୀ ଦେବୀ ୧୯ ଅକ୍ଟୋବର ୧୮୭୦ରେ ପୂର୍ବ ବଙ୍ଗରେ ମେଦିନୀପୁର ଜିଲ୍ଲାର ହୋଗଲା ଗ୍ରାମରେ ଏକ ଗରିବ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ମାତ୍ର ୧୨ବର୍ଷ ବୟସରେ ତାଙ୍କ ବିବାହ ୬୨ ବର୍ଷୀୟ ବିଧୁର ତ୍ରିଲୋଚନ ହାଜରାଙ୍କ ସହ କରି ଦିଆଯାଇଥିଲା। ବାହାଘରର ୬ବର୍ଷ ପେର ତାଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଯାଇଥିଲା।
ପିଲାଦିନୁ ସ୍ବାଧୀନତା ସଂଗ୍ରାମୀଙ୍କ ବିଷୟରେ ଜାଣିବାକୁ ଉତ୍କଣ୍ଠା ରଖୁଥିବା ମାତଙ୍ଗିନୀ ନିଜେ ମଧ୍ୟ ଜଣେ ସଂଗ୍ରାମୀ ପାଲଟି ଯାଇଥିଲେ। ୧୯୦୫ରୁ ସେ ପ୍ରତ୍ୟକ୍ଷ ଭାବରେ ଗାନ୍ଧୀଙ୍କ ଆନ୍ଦୋଳନରେ ନିଜକୁ ସାମିଲ କରିନେଲେ। ସ୍ବାଧୀନତା ସଂଗ୍ରାମରେ ମେଦିନାପୁରର ମହିଳାଙ୍କ ଭୂମିକା ବିଷୟରେ ଇତିହାସରେ ଉଲ୍ଲେଖ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ମାତଙ୍ଗିନୀ ଆଗରେ ଥିଲେ। ମାତଙ୍ଗିନୀ ଗାନ୍ଧୀଜୀଙ୍କ ଆଦର୍ଶ ଓ ନୀତିକୁ ନିଜ ଜୀବନରେ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ। ସେ ଅରଟରେ ସୂତା କାଟୁଥିଲେ ଏବଂ ଖଦି ଲୁଗା ପିନ୍ଧୁଥିଲେ। ୧୯୩୨ରେ ଗାନ୍ଧୀଜୀଙ୍କ ନେତୃତ୍ବରେ ସାରା ଦେଶରେ ସ୍ବାଧୀନତା ଆନ୍ଦୋଳନ ତୀବ୍ରତର ହୋଇଥିଲା। ‘ବନ୍ଦେ ମାତରଂ’ ନାରା ଦେଇ ପ୍ରତିଦିନ ଦେଶର ବିଭିନ୍ନ ଗଳିରେ ଚାଲୁଥିଲା। ୨୬ ଜାନୁଆରି ୧୯୩୨ରେ ମାତଙ୍ଗିନୀଙ୍କ ଘର ନିକଟରୁ ବାହାରୁ ଥିବା ଏକ ରାଲିରେ ସେ ସାମିଲ ହୋଇଥିଲେ। ଏଥିରେ ସେ ମନପ୍ରାଣ ଦେଇ ଲଢ଼ିବେ ବୋଲି ଶପଥ ନେଇଥିଲେ ଏବଂ ବ୍ରିଟିସ୍ ସରକାରଙ୍କ ଲବଣ ଆଇନକୁ ଭାଙ୍ଗି ଗିରଫ ହୋଇଥିଲେ। ସେତେବେଳେ ତାଙ୍କୁ ୬୨ ବର୍ଷ ହୋଇଥିଲା। ଜେଲ୍ରୁ ବାହାରିଲା ପରେ ମଧ୍ୟ ଏହି ନିଶା ଛାଡ଼ି ନଥିଲା।
୧୯୩୩ରେ ଯେତେବେଳେ ସେରମପୁରରେ କଂଗ୍ରେସ ଅଧିବେଶନରେ ବ୍ରିଟିସ୍ ସରକାର ଲାଠି ଚାର୍ଜ କରିଥିଲେ ସେତେବେଳେ ତାଙ୍କୁ ଲାଗିଥିବା ଗଭୀର ଆଘାତକୁ ହସି ହସି ସହି ଯାଇଥିଲେ। ବଙ୍ଗଳାର ତତ୍କାଳୀନ ବ୍ରିଟିସ୍ ଗଭର୍ଣ୍ଣର ଜନ୍ ଆଣ୍ଡର୍ସନ୍ ମେଦିନାପୁର ଆସିଥିବା ବେଳେ ମାତଙ୍ଗିନୀ ତାଙ୍କ ସାମ୍ନାରେ କଳା ପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଥିଲେ। ଏଥିପାଇଁ ତାଙ୍କୁ ବହରମପୁର ଜେଲ୍ରେ ୬ ମାସ ବନ୍ଦୀ ଭାବେ ରଖାଯାଇଥିଲା। ୧୯୩୫ରେ ତାମଲୁକ ଅଞ୍ଚଳରେ ଭୀଷଣ ବନ୍ୟା ପରେ ହଇଜା ବ୍ୟାପି ଯାଇଥିଲା। ମାତଙ୍ଗିନୀ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା ମଧ୍ୟ କରିଥିଲେ। ୧୯୪୨ ମସିହାରେ ଗାନ୍ଧୀଜୀ ଯେତେବେଳେ ଭାରତଛାଡ଼ ଆନ୍ଦୋଳନ ଡାକରା ଦେଇଥିଲେ ସେତେବେଳେ ସେ ମୁଖ୍ୟ ମହିଳା ସଂଗ୍ରାମୀ ଭାବେ ଆଗକୁ ଆସିଥିଲେ। ୨୯ ସେପ୍ଟେମ୍ବର ୧୯୪୨ରେ ମାତଙ୍ଗିନୀ ୬୦୦୦ ଲୋକଙ୍କ ଏକ ରାଲିର ନେତୃତ୍ବ ନେଇ ତାମଲୁକ ଥାନାକୁ ଘେରାଉ କରିଥିଲେ। ମାତଙ୍ଗିନୀ ହାତରେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ଦଳୀୟ ପତାକା ଧରି ନାରା ଲଗାଉଥିବା ସମୟରେ ପୁଲିସ ତାଙ୍କ ଉପରେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। ସେହି ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ହେଲେ ତାଙ୍କ ହାତରୁ ପତାକା ଖସି ନଥିଲା ଏବଂ ପାଟିରେ ସେ ବନ୍ଦେ ମାତରଂ ଧ୍ବନି ଉଚାରୁଥିଲେ। ମାତଙ୍ଗିନୀଙ୍କ ଏହି ବଳିଦାନକୁ ସ୍ମରଣୀୟ କରିବା ଲାଗି ତାମଲୁକର ସେହି ସ୍ଥାନରେ ତାଙ୍କର ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି। ୨୦୦୨ରେ ଭାରତଛାଡ଼ ଆନ୍ଦୋଳନର ୬୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଭାରତ ସରକାର ତାଙ୍କ ନାମରେ ଡାକ ଟିକେଟ ମଧ୍ୟ ଜାରି କରିଛନ୍ତି।
ସହିଦ ପରୀ ବେୱା
କାହାଣୀ ଭାରତଛାଡ଼ ଆନ୍ଦୋଳନ ସମୟର। ଗୋଲାମଗିରିର ଅତ୍ୟାଚାର ବିରୋଧରେ ଚାଲିଥିବା ସ୍ୱାଧୀନତା ଆନ୍ଦୋଳନରେ ଆଗରେ ଥିଲା ଓଡ଼ିଶା। ଗାନ୍ଧୀଜୀଙ୍କ ଭାରତଛାଡ଼ ଆନ୍ଦୋଳନ ଡାକରାରେ ପ୍ରେରିତ ହୋଇ ଓଡ଼ିଶାର ପୁରପଲ୍ଲୀର ଅଗଣିତ ଜନତା ଝାସ ଦେଇଥିଲେ ମାଟିର ମହା ସଂଗ୍ରାମରେ। ଏହି ଐତିହାସିକ ଆନ୍ଦୋଳନର ଡାକରା ଉଦ୍ବୁଦ୍ଧ କରିଥିଲା ଇରମ୍ ମାଟିର ବୀର ରମଣୀ ପରୀ ବେୱାଙ୍କୁ। ବ୍ୟକ୍ତିଗତ ସୁଃଖକୁ ପଛକୁ ଠେଲି ପରୀ ମାଟି ମାଆର ସ୍ୱାଧୀନତା ପାଇଁ କାର୍ଯ୍ୟ କରିବାକୁ ଆଗେଇ ଆସିଥିଲେ ସେଦିନ। ଇରମ୍ର ରକ୍ତ ରଂଜିତ ମାଟିରେ ୨୯ ଜଣ ଓଡ଼ିଆଙ୍କ ବଳିଦାନର ଗାଥା ସମଗ୍ର ଭାରତକୁ ଚକିତ କରିଥିଲା। ସହିଦଙ୍କ ମଧ୍ୟରେ ଏକମାତ୍ର ନାରୀନେତ୍ରୀ ଭାବରେ ସାମିଲ ହୋଇ ଦେଶକୁ ପରୀ ଦେଖାଇ ଥିଲେ ଓଡ଼ିଆ ରମଣୀର ବୀରତ୍ୱର ନିଆରା ନିଦର୍ଶନ। ଭାରତର ଦ୍ୱିତୀୟ ଜାଲିଆନଵାଲାବାଗ ହତ୍ୟାକାଣ୍ଡ କୁହାଯାଉଥିବା ‘ଇରମ ଗୁଳିକାଣ୍ଡ’ରେ ସହିଦ ହୋଇଥିଲେ ପରୀ ବେୱା। ସେ ଅବିଭକ୍ତ ବାଲେଶ୍ୱର ଜିଲ୍ଲା ଓ ଏବେର ଭଦ୍ରକ ସ୍ଥିତ ଇରମଠାରେ ଜନ୍ମଗ୍ରହଣ କରିଥିଲେ। ସେ କୌଣସି ବିଧିବଦ୍ଧ ଶିକ୍ଷାଲାଭ କରିନଥିଲେ। ସେ ନାରାୟଣ ସାହୁଙ୍କୁ ବିବାହ କରିଥିଲେ। ଗାଁର ଗୋଟିଏ ପାର୍ଶ୍ବରେ ବଙ୍ଗୋପସାଗର ଓ ଅନ୍ୟ ତିନିଟି ପାର୍ଶ୍ବରେ ରହିଛି କାଂଶବାଁଶ ଓ ଗମେଇ ନଦୀ। ତେଣୁ ସେତେବେଳେ ସ୍ୱାଧୀନତା ସଂଗ୍ରାମୀଙ୍କ ନିରାପଦ ଆଶ୍ରୟସ୍ଥଳ ତଥା ଗୋପନ ମସୁଧାର କେନ୍ଦ୍ର ଥିଲା ଇରମ୍।
ସେଦିନ ଥାଏ ୧୯୪୨ ମସିହା ସେପ୍ଟେମ୍ବର ମାସ ୨୮ ତାରିଖ। ଇରମରେ ଇଂରେଜ ବିରୋଧରେ ଚାଲିଥାଏ ସଭା। ଗୋରା ସରକାରର ଦୂରାଚାରୀ ଶାସନ ବିରୋଧରେ ଲଢ଼ିବା ପାଇଁ ପ୍ରସ୍ତୁତ ହେଉଥାଏ ଯୋଜନା। ଶାନ୍ତିପୂର୍ଣ୍ଣ ଉପାୟରେ ସଭା ଚାଲୁଥିବା ବେଳେ ସଭା ସମ୍ବନ୍ଧରେ ଖବର ପାଇ ସେଠାରେ ପହଞ୍ଚିଲେ ବାସୁଦେବପୁର ଥାନା ଡିଏସ୍ପି କୁଞ୍ଜବିହାରୀ ମହାନ୍ତି। ସେଠାରେ ଗୁଳିଚାଳନା କରିବା ପାଇଁ ନିର୍ଦ୍ଦେଶ ଦେଲେ। ରକ୍ତରେ ଭିଜିଗଲା ଇରମ ମାଟି। ଗୋରା ସରକାର ଗୁଳିରେ ଦେଶ ପାଇଁ ଲଢ଼ି ସହିଦ ହୋଇଗଲେ ୨୯ ସଂଗ୍ରାମୀ। ମୃତକଙ୍କ ମଧ୍ୟରେ ଥିଲେ ପରୀ ବେୱା, ଯିଏ ସହିଦ ହୋଇଥିବା ଏକମାତ୍ର ମହିଳା ସ୍ୱାଧୀନତା ସଂଗ୍ରାମୀ ଭାବେ ବିବେଚିତ।