ଭଉଣୀ ହାତରେ ରାଖୀ ବାନ୍ଧିବା ବେଳେ ଭାଇ କଥା ଦେଇଥିଲା କି ଜୀବନ ସାରା ତାକୁ ସୁରକ୍ଷା ଦେବ। କିନ୍ତୁ ବିଧିର ବିଧାନ ବଡ଼ ବିଚିତ୍ର। ଦେଶର ସୁରକ୍ଷା ଲାଗି ପ୍ରାଣବଳି ଦେଇ ବୀରଗତି ପ୍ରାପ୍ତକଲା ଭାଇ। ଭଉଣୀ ଆରାଧନାର ବିବାହ ସ୍ଥିରହେବା ପରେ ସେ ଝୁରୁଥିଲା ସାନଭାଇ ଆଶିଷକୁ। ଭାରତୀୟ ସେନାର ଗ୍ରେନେଡିୟର୍ ୧୯ ବାଟାଲିୟନ୍ରେ କାର୍ଯ୍ୟରତ ଆଶିଷ କୁମାର ଅରୁଣାଚଳ ପ୍ରଦେଶର ଉପର ସୁବନସିରି ଜିଲ୍ଲାରେ ‘ଅପରେସନ୍ ଆଲର୍ଟ’ରେ ଅଂଶଗ୍ରହଣ କରିଥିବା ବେଳେ ୨୦୨୪ ଅଗଷ୍ଟ ୨୭ରେ ସହିଦ ହୋଇଥିଲେ।
କିନ୍ତୁ ଜୀବନର ସବୁଠାରୁ ଆନନ୍ଦଦାୟକ ମୁହୂର୍ତ୍ତରେ ଭାଇକୁ ଝୁରୁଥିବା ଆରାଧନାଙ୍କ ମନରେ ଆଶ୍ବାସନା ଭରି ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଆଶିଷଙ୍କ ସହକର୍ମୀ। ସେମାନେ ଅରୁଣାଚଳ ପ୍ରଦେଶରୁ ଆଶିଷଙ୍କ ଗାଁ ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାର ପାଓଣ୍ଟା ସାହିବ ତହସିଲ ଅନ୍ତର୍ଗତ ଭାର୍ଲି ଗାଁକୁ ଆସି ଆରାଧନାଙ୍କ ବିବାହୋତ୍ସବରେ ସାମିଲ ହୋଇଛନ୍ତି। କେବଳ ସେତିକି ନୁହେଁ, ଆରାଧନାଙ୍କ ବିବାହରେ ଭାଇର ଭୂମିକା ନିର୍ବାହ କରି ପ୍ରଶଂସିତ ହୋଇଛନ୍ତି। ସେଦିନ ଥିଲା ଅକ୍ଟୋବର ୩। ହଠାତ୍ ଆରାଧନାଙ୍କ ଘରେ ପହଞ୍ଚିଗଲେ ସେନା ପୋଷାକ ପରିହିତ ୫ ଜଣ ଯବାନ୍। ଆଉ ସେମାନେ ଯେତେବେଳେ ଜଣାଇଦେଲେ କି ଆଶିଷଙ୍କ ଭଉଣୀ ବିବାହରେ ସେମାନେ ଭାଇର ଭୂମିକା ତୁଲାଇବାକୁ ଶହ ଶହ କିଲୋମିଟର ଦୂରରୁ ଛୁଟି ଆସିଛନ୍ତି, ସେତେବେଳେ ଆରାଧନା ଓ ତାଙ୍କ ପରିବାର ଆନନ୍ଦରେ ଆତ୍ମହରା ହୋଇପଡ଼ିଲେ। ଭାଇ ସହିଦ ଆଶିଷ କୁମାରଙ୍କ ଅନୁପସ୍ଥିତିକୁ ଅନୁଭବ ନକରାଇଦେବା ପାଇଁ ସଂକଳ୍ପବଦ୍ଧ ସହକର୍ମୀମାନେ ପରିବାର ସହ ଠିଆ ହୋଇଗଲେ। ବିବାହ ସମାରୋହରେ ସୈନିକମାନେ ବଧୂ ବେଶରେ ଥିବା ଆରାଧନାଙ୍କ ମଥା ଉପରେ ଫୁଲରେ ସଜ୍ଜିତ ପାରମ୍ପରିକ ଚୁନରୀ ଧରି ତାଙ୍କୁ ଯେତେବେଳେ ବିବାହ ବେଦିକୁ ଆଣିଲେ, ସେଠାରେ ଉପସ୍ଥିତ ସମସ୍ତଙ୍କ ଆଖି ଆନନ୍ଦାଶ୍ରୁରେ ଛଳଛଳ ହୋଇଯାଇଥିଲା।
କେବଳ ସେତିକି ନୁହେଁ, ଗ୍ରେନେଡିୟର୍ ୧୯ ବାଟାଲିୟନ୍ର ସଦସ୍ୟ ହାବିଲ୍ଦାର ରାକେଶ କୁମାର, ନାଏକ୍ ରାମ୍ପାଲ୍ ସିଂ, ନାଏକ୍ ମନୀଷ କୁମାର, ଗ୍ରେନାଡିୟର୍ ଅଭିଷେକ ସିଂ ଓ ଆୟୁଷ କୁମାର ବିବାହ ଉପହାର ଭାବରେ ଆରାଧନାଙ୍କୁ ୫ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍ ମଧ୍ୟ ପ୍ରଦାନ କରିଥିଲେ। ବିବାହ ସମୟରେ ଏମାନେ ନିଜ ଭାଇ ଭଳି ସମସ୍ତ ପାରମ୍ପରିକ ରୀତିନୀତିରେ ସାମିଲ ହେବା ସହିତ ବରକୁ ଉପଯୁକ୍ତ ବିଧିରେ ଘରକୁ ପାଛୋଟି ନେଇଥିଲେ।
ବିବାହ କାର୍ଯ୍ୟ ସଂପନ୍ନ ହେବା ପରେ ସହିଦ ଆଶିଷଙ୍କ ବାପା ମଙ୍ଗିରାମ କହିଥିଲେ,‘‘ଭାରତୀୟ ସେନାର ଏଭଳି କାର୍ଯ୍ୟ ଦେଖି ଆମେ ଆଚମ୍ବିତ। ଏସବୁ ଆମର କଳ୍ପନାତୀତ ଥିଲା। ଅରୁଣାଚଳ ପ୍ରଦେଶରୁ ଆସିଥିବା ଆଶିଷର ପାଞ୍ଚ ଜଣ ସହକର୍ମୀ ଗତ ରାତିରେ ଫେରି ଯାଇଛନ୍ତି ସତ, କିନ୍ତୁ ସେମାନଙ୍କର କାର୍ଯ୍ୟ ଓ ଭଲପାଇବାକୁ ଆମେ କେବେ ଭୁଲିପାରିବୁ ନାହିଁ।’’