ଫୁଲବାଣୀ: ଫୁଲବାଣୀ ସହରର ଜୀବନରେଖା କୁହାଯାଉଥିବା ସାଲୁଙ୍କୀ ନଦୀ ପ୍ରଦୂଷିତ ହେବାରେ ଲାଗିଛି। ସହରର ସମସ୍ତ ବର୍ଜ୍ୟଜଳ ବିନା ଟ୍ରିଟ୍‌ମେଣ୍ଟରେ ସାଲୁଙ୍କୀ ନଦୀକୁ ଛଡ଼ା ଯାଉଥିବାରୁ ସାଲୁଙ୍କୀ ଏବେ ଅଣନିଃଶ୍ବାସୀ ହୋଇ ପଡ଼ିଲାଣି। ସାଲୁଙ୍କୀ ନଦୀ ଦ୍ରୁତ ଗତିରେ ପ୍ରଦୂଷିତ ହେଉଥିବାରୁ ଗତ ଦୁଇ ବର୍ଷ ତଳେ ସ୍ଥାୟୀ ‌ଲୋକ ଅଦାଲତ ଉଦ୍‌ବେଗ ପ୍ରକାଶ କରିବା ସହ ସ୍ବେରେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ପୌର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ପୌର ପ୍ରଶାସନ ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ, ଫୁଲବାଣୀ ସହରରେ ଏକ ସ୍ବେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିଲା। ମାତ୍ର, ଏହି ନିଷ୍ପତ୍ତି କେବଳ ଫାଇଲ୍‌ ଭିତରେ ସୀମିତ ରହିଯାଇଛି। ଫୁଲବାଣୀ ସହରର ପ୍ରତି ପରିବାରର ପାଇଖାନାମାନଙ୍କରୁ ନିର୍ଗତ ମଇଳା ପାଣି ସିଧାସଳଖ ନଦୀକୁ ଛଡ଼ା ଯାଉଥିବାରୁ ସାଲୁଙ୍କୀ ମାତ୍ରାଧିକ ପ୍ରଦୂଷିତ ହୋଇ ପଡ଼ିଛି।

Advertisment

ଫୁଲବାଣୀରେ ସ୍ବେରେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ୍‌ (ଏସ୍‌ଟିପି) ପ୍ରତିଷ୍ଠା କରି ସହରର ସମସ୍ତ ମଇଳା ପାଣିକୁ ବୈଜ୍ଞାନିକ ପଦ୍ଧତିରେ ଉପଯୁକ୍ତ ଶୋଧନ କରି ତାକୁ ନଦୀକୁ ଛାଡ଼ିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏ ନେଇ ପୌର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। କୋର୍ଟଙ୍କ ନି‌ର୍ଦ୍ଦେଶକୁ ବେଖାତିର କରି ପୌର ପ୍ରଶାସନ ଚୁପ୍‌ ବସି ଯାଇଛି। କଲେଜଛକ ଠାରୁ ପିଅନପଡ଼ା, ଫୁଲବାଣୀ ସାହି ପର୍ଯ୍ୟନ୍ତ ସାଲୁଙ୍କୀ ନଦୀ କୂଳେକୂଳେ ଡ୍ରେନ୍‌ ନିର୍ମାଣ କରି ଏହାକୁ ସ୍ବେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟକୁ ପଠାଇବାର ବ୍ୟବସ୍ଥା କରିବାକୁ କୋର୍ଟ ପରାମର୍ଶ ଦେଇଥିଲେ। ସଚେତନତାର ଘୋର ଅଭାବ ଯୋଗୁଁ ଫୁଲବାଣୀ ସହର ବାସିନ୍ଦା ନିର୍ଦ୍ବନ୍ଦ୍ବରେ ନିଜ ଘରର ପାଇଖାନାର ମଇଳା ପାଣିକୁ ସିଧାସଳଖ ସାଲୁଙ୍କୀ ନଦୀକୁ ଛାଡ଼ି ଦେଉଛନ୍ତି। 

ସେହିଭଳି ଫୁଲବାଣୀ ସହରର ବିଭିନ୍ନ ‌ହୋଟେଲ୍‌, ଲଜ୍‌ ଓ ଶୌଚାଳୟ ବି ମଇଳା ପାଣିକୁ ସାଲୁଙ୍କୀ ନଦୀକୁ ଛାଡୁଛନ୍ତି। ଏଥିନେଇ ପୌର ପ୍ରଶାସନ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଚୁପ୍‌ ବସିଯାଇଛି। ପୌର ପ୍ରଶାସନ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ସାହି ସାହି ବୁଲି କେଉଁ ପରିବାର ଲୋକେ ସିଧା ସଳଖ ନଦୀକୁ ପାଇଖାନାର ମଇଳା ପାଣି ଛାଡୁଛନ୍ତି, ତାହାର ତଦନ୍ତ କରି ସେମାନଙ୍କ ବି‌ରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଜରିମାନା ଆଦାୟ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପାଇଖାନାରୁ ଛଡ଼ା ଯାଉଥିବା ମଳଯୁକ୍ତ ପାଣି, ସାବୁନ, ଡିଟରଜେଣ୍ଟ୍‌ ଓ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ସାଲୁଙ୍କୀ ନଦୀକୁ ଯାଇ ଭୀଷଣ ଭାବେ ପ୍ରଦୂଷିତ କରୁଛି। ଏହା ସହିତ ପ୍ଲାଷ୍ଟିକ, ପଲିଥିନ, ଲୁହା ଓ ଆଲୁମିନିୟମ ଭଳି ଧାତବ ପଦାର୍ଥ ସାଲୁଙ୍କୀକୁ ଯାଇ ବିପଦ ସୃଷ୍ଟି କରୁଛି।