କିଛି ଦିନ ତଳେ ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ତାଙ୍କର ଇନ୍‌ଷ୍ଟାଗ୍ରାମ୍‌ ପୃଷ୍ଠାରେ ଏକ ବିପଜ୍ଜନକ ଚିକିତ୍ସା ପଦ୍ଧତି ଅନୁସରଣ କରିବାକୁ ଉପଦେଶ ଦେଇଥିଲେ। ତେବେ ଏବି ଫିଲିପ୍‌ ନାମକ ଜଣେ ଡାକ୍ତର ସାମନ୍ଥାଙ୍କ ଏହି ଉପଦେଶକୁ ବିପଜ୍ଜନକ ବୋଲି ପ୍ରକାଶ କରିବା ସହିତ ତାଙ୍କୁ ‘ସ୍ବାସ୍ଥ୍ୟ ଓ ବିଜ୍ଞାନ ଅଜ୍ଞ’ ବୋଲି ଅଭିହିତ କରିଥିଲେ। ଏ ବିଷୟଟି ଜନସ୍ବାସ୍ଥ୍ୟ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଏହାକୁ ନେଇ ଏ ପର୍ଯ୍ୟନ୍ତ ବିତର୍କ ଜାରି ରହିଛି। ପ୍ରକୃତରେ ସାମନ୍ଥା ଇନ୍‌ଷ୍ଟାଗ୍ରାମ୍‌ରେ ‘ହାଇଡ୍ରୋଜେନ୍‌ ପେରୋକ୍ସାଇଡ୍‌ ନେବ୍ୟୁଲାଇଜେସନ୍‌’ ନାମକ ବିପଜ୍ଜନକ ଚିକିତ୍ସା ପଦ୍ଧତିର ଲାଭ ସମ୍ପର୍କରେ ଉଲ୍ଲେଖ କରିଥିଲେ। କିନ୍ତୁ ଡାକ୍ତର ଏବି ଫିଲିପ୍‌ଙ୍କ କହିବା ଅନୁସାରେ ଏହି ପ୍ରକ୍ରିୟା ବିପଜ୍ଜନକ ଏବଂ ସାମନ୍ଥାଙ୍କ ଉପଦେଶ ଭୁଲ୍ ସୂଚନା ପ୍ରସାରଣ କରୁଛି; ତେଣୁ ଜନସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ତାଙ୍କୁ ଜେଲ୍‌ ଦଣ୍ଡ ହେବା ଆବଶ୍ୟକ। ଡାକ୍ତର ଏବିଙ୍କ ସମାଲୋଚନା ଏତେ ଚର୍ଚ୍ଚିତ ହୋଇଥିଲା ଯେ ସାମନ୍ଥାଙ୍କୁ ଶେଷରେ ସ୍ପଷ୍ଟୀକରଣ ଦେବାକୁ ପଡ଼ିଲା। ସ୍ପଷ୍ଟୀକରଣରେ ସେ ଲେଖିଛନ୍ତି ଯେ ସେ ଜଣେ ଡାକ୍ତର ନୁହନ୍ତି କିନ୍ତୁ ଭଲ ଉଦ୍ଦେଶ୍ୟ ରଖି ଉକ୍ତ ଉପଦେଶ ଦେଇଥିଲେ। ସେହି ଚିକିତ୍ସା ପଦ୍ଧତିର ପ୍ରଚାର ପାଇଁ ସେ କୌଣସି ଅର୍ଥ ନେଇନାହାନ୍ତି। ଆଗକୁ ସେ ଅଧିକ ସତର୍କ ରହିବେ, କାହାକୁ ଆଘାତ ଦେବା ତାଙ୍କର ଉଦ୍ଦେଶ୍ୟ ନଥିଲା।

Advertisment

ଜ୍ବାଲାଙ୍କ ପ୍ରଶ୍ନ
ବ୍ୟାଡ୍‌ମିଣ୍ଟନ ତାରକା ଜ୍ବାଲା ଗୁଟ୍ଟା ମଧ୍ୟ ସାମନ୍ଥାଙ୍କୁ କଠୋର ସମାଲୋଚନା କରିଛନ୍ତି। ତାଙ୍କ କହିବା ଅନୁସାରେ ସାମନ୍ଥା ତାଙ୍କର ପଡ୍‌କାଷ୍ଟ୍‌ (ରେଡିଓ ଆଲୋଚନା କାର୍ଯ୍ୟକ୍ରମ) ‘ଟେକ୍‌ ୨୦’ରେ ଲଗାତାର ଅବୈଜ୍ଞାନିକ ଚିକିତ୍ସା ଉପଦେଶ ଦେଇଆସୁଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ ବିଶାଳ ସଂଖ୍ୟକ ଲୋକଙ୍କୁ ମେଡିସିନ୍‌ ଖାଇବାକୁ କହୁଥିବା ସେଲିବ୍ରିଟିଙ୍କ କଥାରେ ପଡ଼ି ଯଦି କେହି ମୃତ୍ୟୁବରଣ କରେ ତେବେ ସେ ତାହାର ଦୋଷ ନେବେ କି? ତାଙ୍କର ଏହି ଯୁକ୍ତିକୁ ଅନେକ ଲୋକ ସମର୍ଥନ କରି କହିଛନ୍ତି ଯେ ସେଲିବ୍ରିଟିମାନେ ଶ୍ରେଷ୍ଠ ଚିକିତ୍ସା ସେବା ପାଇବାକୁ ଟଙ୍କା ଖର୍ଚ୍ଚ କରିପାରିବେ। କିନ୍ତୁ ଆମେ ଭୁଲ୍ ମେଡିସିନ୍‌ ନେଇ ଅସହାୟ ଭାବେ ମୃତ୍ୟୁବରଣ କରିବା। ଉଦ୍ଦେଶ୍ୟ ଭଲ ଥିଲେ ହେଁ ଅବୈଜ୍ଞାନିକ ସୂଚନା ପ୍ରସାର କରିବା ବିପଜ୍ଜନକ। ସାମାଜିକ ଗଣମାଧ୍ୟମରେ ‘ଇନ୍‌ଫ୍ଲୁଏନ୍‌ସର୍‌’ମାନେ ଦେଉଥିବା ଉପଦେଶକୁ ଡାକ୍ତରଙ୍କ ପରମର୍ଶ ବିନା ଆଖିବୁଜି ଅନୁସରଣ କରିବା ବୋକାମି ବୋଲି ଜାଣିରଖିବା ଉଚିତ।