ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ପ୍ରାୟ ସମୟରେ ସାମାଜିକ ଗଣମାଧ୍ୟମରେ ନିଜର ଫିଟନେସ୍ ଓ ସୁସ୍ଥତା ବିଷୟରେ ଆଲୋଚନା କରନ୍ତି। ନିକଟରେ ସେ ତାଙ୍କର ପଡ୍କାଷ୍ଟରେ ସକାଳ ବ୍ୟାୟାମ ଉପରେ ଆଲୋକପାତ କରିଥିଲେ। ସକାଳେ ସୂର୍ଯ୍ୟସ୍ନାନ ପରେ ଵିମ୍ ହଫ୍ ନାମକ ଶ୍ବାସକ୍ରିୟା ବ୍ୟାୟାମ ଓ ଧ୍ୟାନ ତାଙ୍କୁ ସୁସ୍ଥ ତଥା ସତେଜ ରଖିଛି ବୋଲି ସେ ପ୍ରକାଶ କରିଛନ୍ତି। ସାମନ୍ଥା ସକାଳେ ପ୍ରାୟ ପାଞ୍ଚ ମିନିଟ୍ କାଳ ଖରାରେ ବସିବା ପରେ ଵିମ୍ ହଫ୍ ପଦ୍ଧତିର ଶ୍ବାସକ୍ରିୟା ବ୍ୟାୟାମ କରନ୍ତି ଏବଂ ତା’ପରେ ୨୫ ମିନିଟ୍ କାଳ ଧ୍ୟାନରେ ନିମଗ୍ନ ରହନ୍ତି। ଏହି ସରଳ ବ୍ୟାୟାମରେ ଦୃଷ୍ଟିଭଙ୍ଗୀ ପରିବର୍ତ୍ତନ କରିବାର ଶକ୍ତି ଅଛି ବୋଲି ସେ କହିଛନ୍ତି।
ଆସନ୍ତୁ ଵିମ୍ ହଫ୍ ଶ୍ବାସକ୍ରିୟା ପଦ୍ଧତିର ଉପକାରିତା ବାବଦରେ ଜାଣିବା। ଏହି ଶ୍ବାସକ୍ରିୟା ବ୍ୟାୟାମ ପ୍ରସିଦ୍ଧ ଡଚ୍ ଅଧିବକ୍ତା ଓ କ୍ରୀଡ଼ାବିତ୍ ଵିମ୍ ହଫ୍ଙ୍କ ଦ୍ବାରା ବିକଶିତ। ଏଥିପାଇଁ ପ୍ରଥମେ ସ୍ଥିର ହୋଇ ବସନ୍ତୁ ବା ଲମ୍ବଦଣ୍ଡ ହୋଇ ଶୁଅନ୍ତୁ। ତା’ପରେ ନାକବାଟେ ଗଭୀର ପ୍ରଶ୍ବାସ ନେବା ଆରମ୍ଭ କରନ୍ତୁ ଏବଂ ପାଟି ଦେଇ ନିଃଶ୍ବାସ ଛାଡ଼ନ୍ତୁ। ସଚେତନ ଭାବରେ ୩୦ରୁ ୪୦ ଥର ଏପରି ଗଭୀର ଶ୍ବାସକ୍ରିୟା କରନ୍ତୁ। ଏପରି ପ୍ରଶ୍ବାସ ଛାଡ଼ିଲା ପରେ ନିଃଶ୍ବାସକୁ ଯେତେ ସମୟ ସମ୍ଭବ ଧରି ରଖନ୍ତୁ। ଯେତେବେଳେ ପୁଣି ପ୍ରଶ୍ବାସ ନେବା ଦରକାର ପଡ଼ିବ, ସେତେବେଳେ ଗଭୀର ଭାବରେ ପ୍ରଶ୍ବାସ ନିଅନ୍ତୁ ଓ ୧୫ରୁ ୨୦ ସେକେଣ୍ଡ ଯାଏ ଧରି ରଖନ୍ତୁ। ଏହି ପ୍ରକ୍ରିୟାକୁ ୩ରୁ ୪ ଥର ପୁନରାବୃତ୍ତି କରନ୍ତୁ। ଧୀରେ ଧୀରେ ଏହାକୁ ବଢ଼ାଇ ୧୦ରୁ ୨୦ ଥର ଯାଏ କରନ୍ତୁ। ଏହି କୌଶଳ ଶକ୍ତି ବଢ଼ାଏ, ଚାପ କମାଏ, ଧ୍ୟାନକୁ ଉନ୍ନତ କରେ ଓ ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରିଥାଏ। ଏହି ବ୍ୟାୟାମ କରିବା ବେଳେ ମୁଣ୍ଡ ବୁଲାଇପାରେ କିମ୍ବା ହାଲୁକା ମୁଣ୍ଡବିନ୍ଧା ହୋଇପାରେ, ତେଣୁ ଗାଡ଼ି ଚଲାଇବା କିମ୍ବା ପହଁରିବା ସମୟରେ ଏହା କରନ୍ତୁ ନାହିଁ। ଯଦି ହୃଦ୍ରୋଗ କି ଶ୍ବାସ ସମସ୍ୟା ଥାଏ, ତେବେ ପ୍ରଥମେ ବିଶେଷଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରି।