ଶାମ୍ବଙ୍କ ଅଭିଶାପ

ପୌଷ ଶୁକ୍ଳ ଦଶମୀ ‘ଶାମ୍ବଦଶମୀ’ ଭାବରେ ପ୍ରସିଦ୍ଧ। ଏହି ଦିନ ‘ଶାମ୍ବଦଶମୀ ବ୍ରତ’ ପାଳିତ ହୁଏ। ସନ୍ତାନ ସନ୍ତତିଙ୍କର ମଙ୍ଗଳ କାମନା କରି ଏହି ଦିନ ସୂର୍ଯ୍ୟଦେବଙ୍କୁ ଅନେକ ପ୍ରକାରର ପିଠା ପଣା ଅର୍ପଣ କରାଯାଇଥାଏ। ବିଭିନ୍ନ ବ୍ରତକଥାରେ ଏହିଦିନର ସୂର୍ଯ୍ୟପୂଜା ସଂପର୍କରେ ବର୍ଣ୍ଣନା ଅଛି। ପୌରାଣିକ ଆଖ୍ୟାନ ଅନୁସାରେ, ଅଭିଶାପ ଫଳରେ ଶାମ୍ବ କୁଷ୍ଠରୋଗରେ ଆକ୍ରାନ୍ତ ହୋଇଥିଲେ। ସୂର୍ଯ୍ୟଙ୍କୁ ପୂଜା କରି ସେ ସେଥିରୁ ଆରୋଗ୍ୟ ଲାଭ କରିଥିଲେ।
ଶାମ୍ବ କାହିଁକି ଓ କାହାଠାରୁ ଅଭିଶାପ ପାଇଥିଲେ, ସେ ସଂପର୍କରେ ବ୍ରତକଥା ଆଦିରେ ଭିନ୍ନ ଭିନ୍ନ କାହାଣୀ ଅଛି। ଗୋଟିଏ କାହାଣୀ ଅନୁସାରେ- ଯାଦବ କୁଳରେ ଶାମ୍ବ ଥିଲେ ସବୁଠୁ ସୁନ୍ଦର। ଦିନେ ଗୋପବାଳାମାନେ ପୁଷ୍କରିଣୀରେ ଜଳକେଳି କରୁଥିବା ବେଳେ, ଶାମ୍ବଙ୍କୁ ଦେଖି ମୁଗ୍‌ଧ ହେଲେ। ତାହା ଜାଣି କୃଷ୍ଣ ତାଙ୍କୁ ଅଭିଶାପ ଦେଲେ ଏବଂ ତାହା ଫଳରେ ସେ କୁଷ୍ଠରୋଗରେ ଆକ୍ରାନ୍ତ ହେଲେ। ତାଙ୍କର ସୁନ୍ଦର ରୂପ ବିକୃତ ହୋଇଗଲା। ନାରଦଙ୍କ ପରାମର୍ଶରେ ସେ ମୈତ୍ରେୟ ବନ (କୋଣାର୍କ)ଠାରେ ସୂର୍ଯ୍ୟଙ୍କୁ ପୂଜା କରି ସେଥିରୁ ଆରୋଗ୍ୟ ଲାଭ କରିଥିଲେ।

ଅନ୍ୟ ଏକ ଉପାଖ୍ୟାନ ଅନୁସାରେ, ଶାମ୍ବଙ୍କର ରୂପ ଥିଲା କୃଷ୍ଣଙ୍କ ପରି। ତେଣୁ କୃଷ୍ଣଙ୍କର ପତ୍ନୀମାନେ ଥରେ ତାଙ୍କୁ କୃଷ୍ଣ ବୋଲି ମନେକରି ତାଙ୍କ ସହ ହାସ-ପରିହାସ କରିଥିଲେ। ସେତେବେଳେ ଶାମ୍ବ ସେହି ମାତାମାନଙ୍କର ଭ୍ରମ ଦୂର ନକରି ନିରବ ରହିଥିଲେ। ତାହା ଜାଣି ସତ୍ୟଭାମା ତାଙ୍କୁ କୁଷ୍ଠରୋଗରେ ଆକ୍ରାନ୍ତ ହେବାପାଇଁ ଅଭିଶାପ ଦେଇଥିଲେ। କିନ୍ତୁ ଜାମ୍ବବତୀ ଯାଇ କୃଷ୍ଣଙ୍କୁ କହିଲେ, ଯେ ସେଥିରେ ଶାମ୍ବଙ୍କର କିଛି ଦୋଷ ନାହିଁ। କୃଷ୍ଣ ତାଙ୍କୁ କହିଲେ- ରୋଗ ତିନି ପ୍ରକାରର। କର୍ମଜ, ଗ୍ରହଜ ଓ ଶାପଜ। ସତ୍ୟଭାମାଙ୍କ ଅଭିଶାପ ଅବଶ୍ୟ ଫଳିବ। ସେ କୃଷ୍ଠରୋଗରେ ଆକ୍ରାନ୍ତ ହେବେ। କିନ୍ତୁ ଶାପଜ ରୋଗ ତପସ୍ୟା ଦ୍ୱାରା ଆରୋଗ୍ୟ ହୁଏ। ତେଣୁ କୃଷ୍ଣଙ୍କ ପରାମର୍ଶରେ ଶାମ୍ବ ମୈତ୍ରେୟ ବନରେ ସୂର୍ଯ୍ୟଙ୍କର ଉପାସନା କରି ଆରୋଗ୍ୟ ଲାଭ କରିଥିଲେ।

ସମ୍ବନ୍ଧିତ ଖବର