ଆଜି ‘ସମ୍ବାଦ’କୁ ଛତିଶ ପୂରି ସଇଁତିରିଶ ଚାଲିଲା। ୧୯୮୪ ମସିହା ଅକ୍‍ଟୋବର ୪ ବିଜୟା ଦଶମୀରେ ‘ସମ୍ବାଦ’ର ପ୍ରଥମ ସଂଖ୍ୟା ପ୍ରକାଶ ପାଇଥିଲା। ସ୍ବନକ୍ଷତ୍ର ଅବସରରେ ଓଡ଼ିଶାର ଲବ୍‍ଧ ପ୍ରତିଷ୍ଠିତ ଲେଖକଙ୍କ ଲେଖାଗୁଡ଼ିକୁ ନେଇ ଏକ ବିଶେଷାଙ୍କ ପ୍ରକାଶ କରୁଛୁ। ଆଶା, ‘ସମ୍ବାଦ’ର ଏହି ସ୍ବନକ୍ଷତ୍ର ବିଶେଷାଙ୍କ ପାଠକଙ୍କ ଆଦର ଲାଭ କରିବ।

Advertisment

ଆଜି ‘ସମ୍ବାଦ’ର ଜନ୍ମଦିନ। ଛତିଶ ବର୍ଷ ତଳେ ୧୯୮୪ ଅକ୍‌ଟୋବର ୪ ତାରିଖ, ବିଜୟା ଦଶମୀ ତିଥିରେ ଓଡ଼ିଶାର ପ୍ରଥମ ପ୍ରଭାତୀ ସଂସ୍କରଣ ଖବରକାଗଜ ଭାବରେ ଏହି ସମ୍ବାଦପତ୍ର ଭୁବନେଶ୍ବରରୁ ପ୍ରଥମେ ଆତ୍ମପ୍ରକାଶ କରିଥିଲା। ଇତିମଧ୍ୟରେ ଏହାର ସଂସ୍କରଣ ସଂଖ୍ୟା ବଢ଼ିଛି ଏବଂ ସାମର୍ଥ୍ୟ, ପ୍ରତିଷ୍ଠା ଓ ବ୍ୟବସାୟ ବଢ଼ି ଏହାକୁ ରାଜ୍ୟର ଏକ ନମ୍ବର ସମ୍ବାଦପତ୍ରର ପ୍ରତିଷ୍ଠା ଆଣି ଦେଇଛି, ଯାହା କିଛି କମ୍‌ କଥା ନୁହେଁ। ‘ସମ୍ବାଦ’ର ପ୍ରଥମ ସଂପାଦକ, ବିଖ୍ୟାତ ଲେଖକ ସୁରେନ୍ଦ୍ର ମହାନ୍ତି ତାଙ୍କର ପ୍ରଥମ ସଂପାଦକୀୟରେ ଲେଖିଥିଲେ, ‘‘ଓଡ଼ିଶାର ଦୈନିକ ସମ୍ବାଦପତ୍ର ସବୁ ରାଜନୈତିକ ବାଦବିସମ୍ବାଦ, ଉଦ୍ଦେଶ୍ୟ, ଛକାପଞ୍ଝା, ମାର-ପେଞ୍ଚ, ମାରଣ, ତାରଣ, ଉଚ୍ଚାଟନ ପ୍ରଭୃତି କାଣ୍ଡମାନଙ୍କରେ ଯେତେ ଗୁରୁତ୍ବ ଦିଅନ୍ତି, ଜନଜୀବନରେ ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ, ବୈଷୟିକ ଓ ବୌଦ୍ଧିକ ଦିଗ ପ୍ରତି ସେତେ ଦୃଷ୍ଟି ଦିଅନ୍ତି ନାହିଁ। ଓଡ଼ିଶାର ସମ୍ବାଦପତ୍ରକୁ ପାଠ କଲେ ମନେହୁଏ, ଯେପରି ଏ ରାଜ୍ୟରେ କେବଳ ପଟୁଆର ବିକ୍ଷୋଭ ଛଡ଼ା ଆଉ କିଛି ଘଟୁନାହିଁ।... ଆମ୍ଭେମାନେ ଏହି ବିକୃତିରୁ ସମ୍ବାଦପତ୍ର ପ୍ରକାଶନକୁ ମୁକ୍ତ ରଖି ‘ସମ୍ବାଦ’କୁ ଓଡ଼ିଶାର ସାମଗ୍ରିକ ଜୀବନର ମୁକୁରରେ ପରିଣତ କରିବାର ଉଦ୍ୟମ କରିବୁ।... ଅବଶ୍ୟ ଆମ୍ଭେମାନେ ରାଜନୈତିକ ସନ୍ନ୍ୟାସ ନେବୁ ବୋଲି କଦାପି ହଲପ କରିନାହୁଁ। କିନ୍ତୁ ରାଜନୀତି ତା’ର ପରିସୀମା ଭିତରେ ରହିବ। କାରଣ ଜୀବନ କେବଳ ରାଜନୀତି ନୁହେଁ।’’ ସଂପାଦକଙ୍କର ଏହି ପ୍ରକାର ବୌଦ୍ଧିକ ଅଭିଳାଷ ସାଙ୍ଗକୁ ପ୍ରଥମ ପ୍ରଭାତୀ ସଂସ୍କରଣର ଉଷ୍ମତା, କମ୍ପ୍ୟୁଟର ମୁଦ୍ରଣର ଚମକ, ନୂଆ ନୂଆ ଫିଚରର ସଂଯୋଜନା ସର୍ବୋପରି ସପ୍ତାହାନ୍ତ ରଙ୍ଗିନ ପତ୍ରିକାର ସଂଯୋଜନା ‘ସମ୍ବାଦ’କୁ ପ୍ରତିଦ୍ବନ୍ଦ୍ବୀ ଖବରକାଗଜମାନଙ୍କଠାରୁ ଆଗରେ ରଖିଥିଲା। ଏହା ସାଙ୍ଗକୁ ସାମ୍ବାଦିକତାରେ ଗୋଟେ ପେସାଦାରୀ ଦୃଷ୍ଟିଭଙ୍ଗୀର ଆରମ୍ଭ ଏହି ସମ୍ବାଦପତ୍ର କରିଥିଲା ଯାହାଫଳରେ ବହୁ ଅଭିଜ୍ଞ ପ୍ରବୀଣଙ୍କ ସହ ଅନେକ ପ୍ରତିଭାଶାଳୀ ତରୁଣ ଏଥିରେ ଯୋଗ ଦେଇଥିଲେ। ତେବେ ସବୁଯାକ କଥା ଯେ ‘ସମ୍ବାଦ’ ଲାଗି ଅନୁକୂଳ ଥିଲା ତାହା କହିବା ସତ୍ୟର ଅପଳାପ ହେବ। ସମ୍ପାଦକ ସୁରେନ୍ଦ୍ର ମହାନ୍ତିଙ୍କ ସ୍ପଷ୍ଟୋକ୍ତି ସତ୍ତ୍ବେ ୧୯୮୪ରେ ‘ସମ୍ବାଦ’ ସଂପର୍କରେ ଏକ ସାଧାରଣ ଧାରଣା ସୃଷ୍ଟି ହୋଇଥିଲା ଯେ ଏହା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସରକାରକୁ ସୁରକ୍ଷା ଦେବାଲାଗି ପ୍ରତିଷ୍ଠିତ ଏକ ସମ୍ବାଦପତ୍ର। ଏହାର କାରଣ ହେଲା ‘ସମ୍ବାଦ’ର ପ୍ରତିଷ୍ଠାତା ଏବଂ ବର୍ତ୍ତମାନର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ସେପର୍ଯ୍ୟନ୍ତ ଓଡ଼ିଶାର ସାଧାରଣ ଜୀବନରେ ବିଶେଷ ପରିଚିତ ନ ଥିଲେ। ଦ୍ବିତୀୟତଃ, ଜଣେ ବିଶିଷ୍ଟ ରାଜନେତା ଭିନ୍ନ ଜାନକୀବଲ୍ଲଭ ପଟ୍ଟନାୟକଙ୍କର ଜଣେ ସାମ୍ବାଦିକ-ସଂପାଦକ ଭାବରେ ପ୍ରତିଷ୍ଠା ଜଣାଶୁଣା ଥିଲା। ସେଥିପାଇଁ କିଛି ବୁଦ୍ଧିଜୀବୀଙ୍କର ଅନୁମାନ ଥିଲା, ‘ସମ୍ବାଦ’ର ସଂପାଦକୀୟ ନୀତିରେ ମୁଖ୍ୟମନ୍ତ୍ରୀ ଅବଶ୍ୟ ହସ୍ତକ୍ଷେପ କରୁଥିବେ।

publive-image ୨୩ତମ ବାର୍ଷିକ ଉତ୍ସବ ମଞ୍ଚର ଏକ ଦୃଶ୍ୟ

ଓଡ଼ିଶାର ସମ୍ବାଦପତ୍ର ଇତିହାସରେ ‘ଉତ୍କଳ ଦୀପିକା’କୁ ଛାଡ଼ିଦେଲେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ‘ସମାଜ’ ଏବଂ ଡକ୍ଟର ହରେକୃଷ୍ଣ ମହତାବଙ୍କ ‘ପ୍ରଜାତନ୍ତ୍ର’ର ଭୂମିକା ବିଶେଷ ଗୁରୁତ୍ବପୂର୍ଣ୍ଣ। ଓଡ଼ିଶାର ସାମାଜିକ ଜୀବନର ଅଭ୍ୟନ୍ତରକୁ ସ୍ପର୍ଶ କରିଥିବା ‘ସମାଜ’ ତାହାର ଗଭୀରତା ପାଇଁ ଅନୁକରଣୀୟ ହୋଇଥିବା ବେଳେ ଜୀବନର ଭିନ୍ନ ଭିନ୍ନ ପ୍ରେକ୍ଷାପଟକୁ ସ୍ପର୍ଶ କରି ବ୍ୟାପ୍ତିର ପରିଚୟ ଦେଇଥିଲା ମହତାବଙ୍କ ‘ପ୍ରଜାତନ୍ତ୍ର’। ଯଥାର୍ଥତଃ ‘ପ୍ରଜାତନ୍ତ୍ର’ ଜରିଆରେ ମହତାବ ଏକ ସାମାଜିକ ପୁନର୍ଜାଗରଣ ସୃଷ୍ଟି କରିବା ସହ ସମ୍ବାଦପତ୍ରର ପରିସର ଭିତରକୁ ତରୁଣ, କ୍ରୀଡ଼ାବିତ୍‌, କିଶୋର, ପ୍ରବୀଣ, ସାହିତ୍ୟିକ ଜନନେତା - ସଭିଙ୍କୁ ସାମିଲ କରିବାରେ ସମର୍ଥ ହୋଇଥିଲେ। ଏ ଦୁଇ ସମ୍ବାଦପତ୍ର ପରେ ଆଉ ଯେଉଁ ସମ୍ବାଦପତ୍ର ଭିନ୍ନ ଭିନ୍ନ କାରଣ ଲାଗି ଜନମାନସରେ ଆଲୋଡ଼ନ ସୃଷ୍ଟି କରିପାରିଥିଲା ତାହା ହେଉଛି ‘ସମ୍ବାଦ’, କାରଣ ତା’ ପୂର୍ବରୁ ଅନ୍ୟ କୌଣସି ଓଡ଼ିଆ ସମ୍ବାଦପତ୍ର ଏଭଳି ଆଡ଼ମ୍ବରପୂର୍ଣ୍ଣ ଭାବରେ କିମ୍ବା ଏତେଗୁଡ଼ିଏ ‘ନୂଆ’ ବିଭାବ ନେଇ ଆତ୍ମପ୍ରକାଶ କରି ନ ଥିଲେ। ଆଜି ୩୬ ବର୍ଷ ପରେ ଏକଥା ନିର୍ବିବାଦରେ କୁହାଯାଇପାରିବ ଯେ ‘ସମ୍ବାଦ’ କେବଳ ଖବରକାଗଜ ପ୍ରକାଶନ ଭିତରେ ନିଜକୁ ସୀମିତ ରଖିନାହିଁ, ଏହା ସମାଜର ବିଭିନ୍ନ ଦିଗକୁ ସ୍ପର୍ଶ କରି ଏକ ଆନ୍ଦୋଳନ ରୂପେ ନିଜକୁ ଗଢ଼ି ତୋଳି ପାରିଛି।

ତେବେ ଏକ ସମ୍ବାଦପତ୍ର ଭାବେ ଛତିଶ ବର୍ଷ ତଳେ ‘ସମ୍ବାଦ’ ନିକଟରେ ଯେଉଁ ସମ୍ଭାବନା ଓ ସମସ୍ୟା ଥିଲା ସେଗୁଡ଼ିକ ଏହା ଭିତରେ ସଂପୂର୍ଣ୍ଣ ବଦଳିଗଲାଣି। ଆଜି ୨୦୨୦ରେ କରୋନା ବିଭୀଷିକାର ଆତଙ୍କ ଭିତରେ ଏକଥା ଲେଖିବାବେଳକୁ ମନେ ହେଉଛି ମୁଦ୍ରିତ ସମ୍ବାଦପତ୍ରର ସମୟ ହୁଏତ ସରି ସରି ଆସୁଛି। ଏ ସଂପର୍କରେ ଅଧିକ ଆଲୋଚନା କରିବା ଆଗରୁ ଗତ ୩୬ ବର୍ଷର ‘ସମ୍ବାଦ’ର ଯାତ୍ରା ସଂପର୍କରେ ଦୁଇ ଚାରି ପଦ ଉଲ୍ଲେଖ କରିବା ଉଚିତ ହେବ।

୧୯୮୪ରୁ ୯୧ ପର୍ଯ୍ୟନ୍ତ ଓଡ଼ିଶାରୁ ପ୍ରକାଶିତ ପ୍ରତିଦ୍ବନ୍ଦ୍ବୀ ଖବରକାଗଜଗୁଡ଼ିକୁ ଅତିକ୍ରମ ନୁହେଁ, ମୁକାବିଲା କରିବା ଥିଲା ‘ସମ୍ବାଦ’ ଆଗରେ ବଡ଼ ଆହ୍ବାନ। ୧୯୯୧ରେ କିନ୍ତୁ ଚିତ୍ର ବଦଳିଲା। ଆଗରୁ ସରକାରଙ୍କ ଦୂରଦର୍ଶନ କେବଳ ଖବର ପ୍ରସାରଣ କରୁଥିଲା। ୧୯୯୧ରେ ‘ଗଲ୍‌ଫ ଵାର’ ତୀବ୍ର ହେଲା। ଇରାକ୍‌ ଉପରେ ଆକ୍ରମଣ କଲା ଆମେରିକା। ଏ ଖବର ପ୍ରସାର ଘଟଣା ଟେଲିଭିଜନ୍‌ର ଚାହିଦାକୁ ବଢ଼େଇଦେଲା। ଲୋକମାନେ ନିଜ ନିଜ ଡ୍ରଇ˚ରୁମ୍‌ର ନିରାପତ୍ତା ଭିତରେ ବସି ରକେଟ୍‌ ମାଡ଼ ଦେଖିଲେ। ପ୍ରଥମେ ଜୀ ନ୍ୟୁଜ୍‌ ଭାରତରେ ସମ୍ବାଦ ପ୍ରସାର କଲା ତା’ପରେ ଗୋଟିକ ପରେ ଗୋଟିଏ। ଆଜି ସବୁପ୍ରକାର ଚ୍ୟାନେଲ୍‌କୁ ମିଶାଇଲେ ପାଖାପାଖି ହଜାରେ ହେବ ଏବ˚ କେବଳ ନ୍ୟୁଜ୍‌ ଚ୍ୟାନେଲ୍‌ ସ˚ଖ୍ୟା ପ୍ରାୟ ୪୦୦ ଯେଉଁଥିରେ ଓଡ଼ିଆ ଚ୍ୟାନେଲ୍‌ଗୁଡ଼ିକ ମଧ୍ୟ ରହିଛି। ସେଥିମଧ୍ୟରୁ ହିନ୍ଦୀ, ଇ˚ରାଜୀ ଚ୍ୟାନେଲ୍‌ ମୁଖ୍ୟତଃ ‘ସମ୍ବାଦ’ର ପ୍ରତିଦ୍ବନ୍ଦ୍ବୀ ହେଲେ। ଟି.ଭି ନ୍ୟୁଜ୍‌ ପ୍ରସାରଣ ପରେ ଖବର ସରବରାହ ଯୁଦ୍ଧର ନିୟମ ବଦଳିଲା। ଗୋଟେ ପଟେ ପ୍ରତିଦ୍ବନ୍ଦ୍ବୀ ଖବରକାଗଜ, ଆରପଟେ ଟି.ଭି ଚ୍ୟାନେଲ୍‌। ଖବରକାଗଜ ଓ ଟି.ଭି ଭିତରେ ଫରକ ଅନେକ, ସେ କଥା ଏଠାରେ ଆଲୋଚନା କରିବାକୁ ଯାଉନାହିଁ, ସମସ୍ତେ ତାହା ଜାଣନ୍ତି। ଏହାପରେ ଆସିଲା ୧୯୯୫। ଭାରତରେ ଇଣ୍ଟରନେଟ୍‌ ସେବା ଆରମ୍ଭ ହେଲା। ତା’ ସାଙ୍ଗକୁ ଡିଜିଟାଲ୍‌ ଯୁଗ ଆରମ୍ଭ ହୋଇଗଲା। ତାକୁ New Media ବା ଅନ୍‌ଲାଇନ୍‌ ଜର୍ଣ୍ଣାଲିଜମ୍‌ ବୋଲି କୁହାଯାଉଛି, ଯାହା ଆଜି ବିକଳ୍ପ ଗଣମାଧ୍ୟମ। ୧୯୯୫ରେ ପ୍ରଥମେ ଚେନ୍ନାଇର ‘ହିନ୍ଦୁ’ ତାହାର େଵବ୍‌ ଏଡିସନ୍‌ ପ୍ରସାର ଆରମ୍ଭ କରିଥିଲା। ୧୯୯୮ ସୁଦ୍ଧା ଦେଶର ୪୮ଟି ଖବରକାଗଜ ଏହା କାର୍ଯ୍ୟକାରୀ କରିଥିଲେ। ଏବେ ‘ସମ୍ବାଦ’ ସମେତ ପ୍ରାୟ ସବୁ ବଡ଼ ଖବରକାଗଜର େଵବ୍‌ ଏଡିସନ୍‌ ରହିଛି। ଏହା ସାଙ୍ଗକୁ ଇ-ପେପର। ଆମେ ଆମର ସ୍ମାର୍ଟଫୋନ୍‌ରେ ଯେକୌଣସି କାଗଜର ଇ-ପେପର ‌େଗାଟିଏ ସ୍ଥାନରେ ବସି ପଢ଼ିପାରୁଛନ୍ତି, ତାହାର େଵବ୍‌ ସ˚ସ୍କରଣ ମଧ୍ୟ ପଢ଼ିପାରୁଛନ୍ତି। ପ୍ରତିଷ୍ଠିତ ଖବରକାଗଜକୁ ଛାଡ଼ି ଅନେକ ସ˚ସ୍ଥା ତାଙ୍କର େଵବ୍‌ସାଇଟ୍‌ ଜରିଆରେ ଖବର ସରବରାହ କରୁଛନ୍ତି। ଏହା ଭିନ୍ନ ନାନା ପ୍ରକାର ସୋସିଆଲ୍‌ ମିଡିଆରେ ମଧ୍ୟ ଖବର ଆସୁଛି। ତେଣୁ ଖବର ପ୍ରସାରଣ ପାଇଁ କେବଳ ଖବରକାଗଜ କି ଟି.ଭି ଚ୍ୟାନେଲ୍‌ ଉପରେ ନିର୍ଭର କରିବାର ଯୁଗ ଶେଷ ହୋଇଛି। ୧୯୮୪ରେ ‘ସମ୍ବାଦ’ ଯେଉଁମାନଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରୁଥିଲା ସେମାନଙ୍କ ଚେହେରା ଦେଖିପାରୁଥିଲା, ସେମାନଙ୍କର ଭୌତିକ ସତ୍ତା ଥିଲା, ଟି.ଭି ଚ୍ୟାନେଲ୍‌ଗୁଡ଼ିକ ମଧ୍ୟ ଦୃଶ୍ୟମାନ ହେଉଥିଲେ, ସ˚ଖ୍ୟା ଅଧିକ ହେଲେ ବି ସେମାନଙ୍କୁ ଗଣାଯାଇପାରୁଥିଲା; ମାତ୍ର ଅନ୍‌ଲାଇନ୍‌ ଜର୍ଣ୍ଣାଲିଜମ୍‌ରେ, ଯେଉଁଠି ପ୍ରତିଟି ନାଗରିକ ଜଣେ ସମ୍ବାଦଦାତା ସେଠାରେ ପ୍ରତିଦ୍ବନ୍ଦ୍ବୀଙ୍କୁ ଦେଖି ହେଉନାହିଁ କି ଗଣି ହେଉନାହିଁ। ସେମାନେ ଅଦୃଶ୍ୟ ଏବ˚ ଅସ˚ଖ୍ୟ। ଏହା ବର୍ତ୍ତମାନ ମୁଦ୍ରିତ ଗଣମାଧ୍ୟମ ଲାଗି ଏକ ଆହ୍ବାନ।

ଏବେ ପୂର୍ବ ପ୍ରସଙ୍ଗକୁ ଫେରିଆସେ। ମୁଦ୍ରିତ ସମ୍ବାଦପତ୍ରର ସମୟ ସରି ସରି ଆସୁଛି ବୋଲି କାହିଁକି କୁହାଯାଉଛି। ଭାରତରେ ଖବରକାଗଜର ଇତିହାସ ଖୁବ୍‌ ପୁରୁଣା ନୁହେଁ।

‘ବେଙ୍ଗଲ ଗେଜେଟ୍‌’, ଯାହାକୁ ଭାରତର ପ୍ରଥମ ଇ˚ରାଜୀ ସମ୍ବାଦପତ୍ର କୁହାଯାଏ, ତାହା ପ୍ରକାଶିତ ହୋଇଥିଲା ୧୭୮୦ରେ। ତେଣୁ ଆମ ଦେଶର ସମ୍ବାଦପତ୍ରର ଇତିହାସ ମାତ୍ର ୨୪୦ ବର୍ଷର। ଓଡ଼ିଶାରେ ପ୍ରଥମ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ ପ୍ରକାଶ ପାଇଥିଲା ନଅଙ୍କ ଦୁର୍ଭିକ୍ଷ ବର୍ଷ ଅର୍ଥାତ୍‌ ୧୮୬୬ରେ। ତାହା ଥିଲା ସାପ୍ତାହିକୀ। ୧୯୧୯ରୁ ପ୍ରକାଶିତ ‘ସମାଜ’ ବି ପ୍ରଥମେ ସାପ୍ତାହିକୀ ଥିଲା। ଓଡ଼ିଶାର ପ୍ରଥମ ଦୈନିକ ଖବରକାଗଜ ଭାବେ ‘ଦୈନିକ ଆଶା’ ପ୍ରକାଶ ପାଇଲା ୧୯୨୮ରେ ଏବ˚ ଦୈନିକ ଭାବେ ‘ସମାଜ’ର ପ୍ରକାଶ ୧୯୩୦ରେ। ତେଣୁ ଓଡ଼ିଶାରେ ଦୈନିକ ଖବରକାଗଜର ଆୟୁଷ ଶହେ ବର୍ଷରୁ ସୁଦ୍ଧା କମ୍‌।

publive-image ୩୨ତମ ବାର୍ଷିକ ଉତ୍ସବ ମଞ୍ଚର ଏକ ଦୃଶ୍ୟ

ବର୍ତ୍ତମାନ ଏକ ଧାରଣା ସୃଷ୍ଟି ହୋଇସାରିଛି ଯେ ସମ୍ବାଦପତ୍ର ଶିଳ୍ପ ଅବକ୍ଷୟିଷ୍ଣୁ। ଅବଶ୍ୟ FICCIର ରିପୋର୍ଟ ଅନୁସାରେ ଭାରତର କଥା ଟିକିଏ ଅଲଗା। ବ୍ରାଜିଲ, ଚୀନ୍‌ ପରି ଭାରତର ସମ୍ବାଦପତ୍ର ଶିଳ୍ପରେ ଅଭିବୃଦ୍ଧି ଘଟିଚାଲିଛି ଏବ˚ ଏହି ହାର ଆହୁରି କିଛି ବର୍ଷ ଅବ୍ୟାହତ ରହିବ ବୋଲି କୁହାଯାଉଛି। ପୃଥିବୀର ପାଞ୍ଚଟି ବହୁଳ ପ୍ରସାରିତ ସମ୍ବାଦପତ୍ର ଭିତରେ ଭାରତର ‘ହିନ୍ଦୀ ଜାଗରଣ’ ଖବରକାଗଜ ରହିଛି ଯାହାର ପ୍ରସାର ସ˚ଖ୍ୟା ପ୍ରାୟ ୩୪ ଲକ୍ଷ। ଅବଶ୍ୟ ପୃଥିବୀର ସବୁଠୁ ବେଶୀ ପ୍ରସାରିତ ଜାପାନ୍‌ର ‘ୟୋମିୟୁରି ସିମ୍ବୁମ୍‌’ ଖବରକାଗଜର ପ୍ରସାରଣ ସ˚ଖ୍ୟା ୯୧ ଲକ୍ଷ। ଏ କାଗଜ ଦିନରେ ଦି’ଥର ପ୍ରକାଶିତ ହୁଏ।

ଭାରତରେ ଖବରକାଗଜ ବ୍ୟବସାୟର ସଫଳତାର କାରଣ ଗୁଡ଼ିକ କ’ଣ?
୧. ପ୍ରଥମ କଥା ହେଲା ଖବରକାଗଜର ମୂଲ୍ୟ। ଭାରତରେ ଖବରକାଗଜଗୁଡ଼ିକର ମୂଲ୍ୟ ଖୁବ୍‌ କମ୍‌। ବେଶୀ ପ୍ରସାରିତ ଖବରକାଗଜର ଦେଶ ଜାପାନ୍‌, (ୟୋମିୟୁରି ସିମ୍ବୁମ୍‌ - ୯୧ ଲକ୍ଷ) ସବୁଠୁ ଧନୀ ଦେଶ ଆମେରିକା। ଏ ଦେଶର ଦିନକର ଖବରକାଗଜର ମୂଲ୍ୟ ଯାହା ସେତିକି ଟଙ୍କାରେ ଓଡ଼ିଶାର ଜଣେ ପାଠକ ମାସସାରା କାଗଜ ପଢ଼ିପାରିବ। ଧରାଯାଉ ‘ସମ୍ବାଦ’, ଯିଏ ମାସ ସାରା କିଣିବ ସେ ଦେବ ୨୧୦ ଟଙ୍କା। ଆମେରିକାର ଖଣ୍ତିଏ କାଗଜର ମୂଲ୍ୟ ୩ ଡଲାର ବା ପାଖାପାଖି ୨୨୦ ଟଙ୍କା। ଜାପାନ୍‌ରେ ଦର ଆହୁରି ବେଶୀ।
୨. ଭାରତରେ ପଢ଼ିବାର ଅଭ୍ୟାସ ଖୁବ୍‌ ପୁରୁଣା। ପୁରାଣ ସମୟରୁ ନେଇ ଆଜି ପର୍ଯ୍ୟନ୍ତ ଆମ ଦେଶର ଲୋକମାନଙ୍କ ଭିତରେ ଥିବା ଏହି ଅଭ୍ୟାସ ସମ୍ବାଦପତ୍ର ଶିଳ୍ପକୁ ବଞ୍ଚେଇ ଆସିଛି।
୩. ଛାପା ଅକ୍ଷରର ବିଶ୍ବସନୀୟତା ବେଶୀ। ଯାହା ଛପାଯାଇଛି ତାହା ଠିକ୍‌, ଏହାର ସୁଯୋଗ ସମ୍ବାଦପତ୍ର ନେଇଥାଏ। ନିକଟରେ ଉଚ୍ଚତମ ନ୍ୟାୟାଳୟ ମଧ୍ୟ ଏ ପ୍ରକାର ଏକ ମନ୍ତବ୍ୟ ଦେଇଛନ୍ତି।
୪. ଭାରତର ଅନନ୍ୟ ବିତରଣ ବ୍ୟବସ୍ଥା। ଆମାଜନ୍‌ ଓ ଫ୍ଲିପ୍‌କାର୍ଟ ଆସିବାର ବହୁ ଆଗରୁ ଆମ ଦେଶର ସମ୍ବାଦପତ୍ରଗୁଡ଼ିକ ହକର‌୍‌ମାନଙ୍କ ଜରିଆରେ ଗ୍ରାହକର ଘରେ, ପ୍ରାୟ ନିୟମିତ ଓ ସମୟାନୁବର୍ତ୍ତିତାର ସହ ପହଞ୍ଚି ଆସିଛି। ଲୋକେ ଘରେ ବସି କାଗଜ ପାଉଥିବାରୁ ତାଙ୍କ ପାଇଁ ଏହା ସହଜ ହୋଇଛି।
୫. ଲୋକାଲ୍‌ ନ୍ୟୁଜ୍‌ ବା ସ୍ଥାନୀୟ ଖବର। ଟେଲିଭିଜନ୍‌ କିମ୍ବା ଅନ୍ୟ ମାଧ୍ୟମ ଏହି କାରବାରରେ ଖବରକାଗଜର ସ୍ଥାନୀୟ ସ˚ସ୍କରଣଗୁଡ଼ିକ ସହ ପ୍ରତିଯୋଗିତା କରିପାରନ୍ତି ନାହିଁ। ଟି.ଭି ଚ୍ୟାନେଲ୍‌ଗୁଡ଼ିକ ପାଞ୍ଚ ଛଅଟି ବଡ଼ ଖବରକୁ ନେଇ ଆଲୋଚନା, ଖବର ପ୍ରସାରଣ କଲାବେଳେ ‘ସମ୍ବାଦ’ ପରି ଖବରକାଗଜ ଛୋଟ ବଡ଼ ସବୁ ଖବର ଛାପିଥାଏ।
୬. ଓଡ଼ିଶାରେ ଏପର୍ଯ୍ୟନ୍ତ ସବୁ ଅଞ୍ଚଳରେ ଇଣ୍ଟରନେଟ୍‌ ସୁବିଧା ଉପଲବ୍ଧ ହୋଇନାହିଁ। ବିଜୁଳି ଯୋଗାଣ ମଧ୍ୟ ନିରବଚ୍ଛିନ୍ନ ନୁହେଁ। ତାହା ମଧ୍ୟ ଖବରକାଗଜ ପାଇଁ ପରୋକ୍ଷରେ ଅନୁକୂଳ ପରିବେଶ ହୋଇଛି।
୭. ଖବରକାଗଜକୁ ସାଙ୍ଗରେ ନେଇ ଯାଇ ହୁଏ। ରେଳରେ, ଉଡ଼ାଜାହାଜରେ ଯେକୌଣସି ଜାଗାରେ ଓ ସମୟରେ ପଢ଼ିହୁଏ।
୮. ଚିନ୍ତାଶୀଳ ପାଠକଙ୍କ ପସନ୍ଦ ଖବରକାଗଜ। ସେମାନେ ଭାବନ୍ତି ଯେ, ଟି.ଭି ଆଲୋଚନାର ବକ୍ତାଙ୍କଠାରୁ ଖବରକାଗଜ ପ୍ରବନ୍ଧ ଲେଖକ ଅଧିକ ଗବେଷଣା କରିଥାଏ। ଯାହା ଇଚ୍ଛା ସେୟା କହି ଚାଲିଯାଏ ନାହିଁ। ‘ସମ୍ବାଦ’ର ସଂପାଦକୀୟ ପୃଷ୍ଠାର ଅଦ୍ଭୁତ ଲୋକପ୍ରିୟତା ଏହାର ଏକ ଉଦାହରଣ।
ଏବେ ଖବରକାଗଜର ସମସ୍ୟା କଥା ଆଲୋଚନା କରାଯାଉ।
(୧) ଛପାକାଗଜର ଅସମ୍ଭବ ଦରବୃଦ୍ଧି। ୧୫ ଟଙ୍କାର ଖର୍ଚ୍ଚ ଜାଗାରେ ବିକ୍ରି ୭ ଟଙ୍କାରେ। ଆଶ୍ବସ୍ତିର କଥା ଯେ ‘ସମ୍ବାଦ’ ଅନ୍ୟମାନଙ୍କଠାରୁ ଆଗୁଆ ଦରବୃଦ୍ଧି ପରି ସାହସିକ ନିଷ୍ପତ୍ତି ନେଇ ତା’ର ଏକାଧିପତ୍ୟ ପ୍ରତିଷ୍ଠା କରିଛି। କରୋନା ବ୍ୟାପିବା ପରେ ବିଜ୍ଞାପନ ବଜାର ସଂପୂର୍ଣ୍ଣ ଶୂନ୍ୟ ହୋଇପଡ଼ିଥିଲା। ସେତେବେଳେ ‘ସମ୍ବାଦ’ ୫ ଟଙ୍କାରୁ ୭ ଟଙ୍କାକୁ ଦରବୃଦ୍ଧି କରି ନ ଥିଲେ ପ୍ରକାଶନ ଅବ୍ୟାହତ ରଖିବା କାଠିକର ହୋଇଥାଆନ୍ତା।
(୨) ବିଜ୍ଞାପନ ଉପରେ ଅତିଶୟ ନିର୍ଭରଶୀଳତା। ‘ସମ୍ବାଦ’ ପରି ଖବରକାଗଜ ଆୟର ୭୦ ଭାଗ ଆସୁଛି ବିଜ୍ଞାପନରୁ ୩୦ ଭାଗ ବିକ୍ରୟରୁ। ଯେତେ ବିଜ୍ଞାପନ, ସେତେ ପରାଧୀନତା। ଫଳରେ ସମ୍ବାଦପତ୍ରର ସ୍ବାଧୀନତା ବହୁ ପରିମାଣରେ ସ˚କୁଚିତ ହୋଇଯାଉଛି।
(୩) ନୂଆପିଢ଼ିର ଯୋଗ୍ୟତମ ଯୁବକଯୁବତୀଙ୍କର ସାମ୍ବାଦିକତା ପ୍ରତି ଅନାଗ୍ରହ। କେବେ କୌଣସି ମେଧାବୀ ଯୁବକ ବା ଯୁବତୀଙ୍କୁ ଗଣମାଧ୍ୟମରେ କାମ କରିବାକୁ ଆଗ୍ରହୀ ବୋଲି କହିବା ମୁଁ ଦେଖିନାହିଁ। ଏହାର କାରଣ ଏ ବୃତ୍ତି ଅନ୍ୟ ବୃତ୍ତି ପରି ଉପାର୍ଜନକ୍ଷମ ନୁହେଁ। ଗ୍ରାମାଞ୍ଚଳ ସାମ୍ବାଦିକମାନଙ୍କ ଅବସ୍ଥା ଆହୁରି ଖରାପ। ତାହାଛଡ଼ା ସାମ୍ବାଦିକମାନଙ୍କର ଅବସରକାଳୀନ ନିରାପତ୍ତା ଓ ସ୍ବାସ୍ଥ୍ୟ ପ୍ରସଙ୍ଗ ପ୍ରଶ୍ନ ମଧ୍ୟ ରହିଛି।
(୪) ଗ୍ରାମାଞ୍ଚଳ ରିପୋର୍ଟରମାନଙ୍କ ଉପରେ ସମ୍ବାଦପତ୍ରଗୁଡ଼ିକ ନିର୍ଭରଶୀଳ। ମାତ୍ର, ସେଠାରେ ତାଲିମପ୍ରାପ୍ତ ଦକ୍ଷ ସାମ୍ବାଦିକଙ୍କର ଅଭାବ।
(୫) ଖବରକାଗଜର ଦର ବୃଦ୍ଧି ହେଉନାହିଁ, ଏଣେ ପ୍ରସାରକୁ ଅବ୍ୟାହତ ରଖିବାଲାଗି ଖବରକାଗଜଗୁଡ଼ିକ ପରସ୍ପର ସହ ପ୍ରତିଦ୍ବନ୍ଦ୍ବିତା କଲା ପରି ବିିଭିନ୍ନ ପ୍ରକାର ଉପହାର ଯୋଜନାମାନ ଚାଲୁ କରୁଛନ୍ତି। ସେ ବାବଦରେ କୋଟି କୋଟି ଟଙ୍କା ସମ୍ବାଦପତ୍ର ଶିଳ୍ପ ବ୍ୟୟ କରୁଛି।
(୬) ଗ୍ରାମାଞ୍ଚଳରେ ବିତରଣ ସମସ୍ୟା। ଗାଁର ଜଣେ ଲୋକ ଟି.ଭି. ରଖି ଖବର ଦେଖିପାରିବ ବା ମୋବାଇଲ୍‌ରେ e-paper ପଢ଼ିପାରିବ; ମାତ୍ର ତା’ ପାଖରେ ଖଣ୍ତିଏ କାଗଜ ପହଞ୍ଚାଇବା ଲାଭଜନକ ହେବନାହିଁ।
(୭) ଖବରକାଗଜଗୁଡ଼ିକ କ୍ରମେ ଚାଞ୍ଚଲ୍ୟ ଉପରେ ଅଧିକ ନିର୍ଭର କରୁଛନ୍ତି। ଅସଲ ସମସ୍ୟା ଗୁରୁତ୍ବ ପାଉନାହିଁ। ତେଣୁ ପରିପକ୍ବ ପାଠକ ସମ୍ବାଦପତ୍ରଗୁଡ଼ିକ ଉପରୁ ଆସ୍ଥା ହରାଉଛନ୍ତି।
(୮) ଖବରକାଗଜଗୁଡ଼ିକର ମାଲିକ/ସ˚ପାଦକଙ୍କର ପ୍ରତ୍ୟକ୍ଷ ରାଜନୀତିରେ ଅ˚ଶଗ୍ରହଣ ପାଠକଙ୍କ ମନରେ ନିରପେକ୍ଷତା ଓ ବିଶ୍ବସନୀୟତାକୁ ନେଇ ସନ୍ଦେହ ସୃଷ୍ଟି କରିଥାଏ।
(୯) ଏହା ସାଙ୍ଗକୁ ବିଶ୍ବସନୀୟତାର ହ୍ରାସ ପ୍ରସଙ୍ଗ। ନିର୍ବାଚନ ସମୟରେ ଏହା ବେଶୀ ଦେଖିବାକୁ ମିଳେ। ‘ପେଡ୍‌ ନ୍ୟୁଜ୍‌’ କଥା ସମସ୍ତେ ଜାଣନ୍ତି। ସାମ୍ବାଦିକଙ୍କୁ ପ୍ରଭାବିତ କରିବା ଲାଗି ‘ଏନ୍‌ଭଲପ୍‌ ଜର୍ଣ୍ଣାଲିଜମ୍‌’ ତାମିଲନାଡୁ ଓ ଉତ୍ତରପ୍ରଦେଶରୁ ଆରମ୍ଭ ହୋଇଥିଲା। ଏ ବ୍ୟବସ୍ଥା ଏବେ ସର୍ବତ୍ର ବ୍ୟାପିଗଲାଣି।

(୧୦) ଅନ୍‌ଲାଇନ୍‌ ଖବରରେ ଯୋଉ ସୁବିଧା ଅଛି ତାହା ଖବରକାଗଜରେ ନାହିଁ। ଉଦାହରଣ, ଗୋଟିଏ ସ୍ମାର୍ଟଫୋନ୍‌ ଜରିଆରେ କୌଣସି ପ୍ରସଙ୍ଗ ଉପରେ ଶହେ ଆଲୋଚନା ଜଣେ ପଢ଼ିବାକୁ ପାଇବ। କୌଣସି ଖବରକାଗଜ ସେତକ ଯୋଗାଇପାରିବ ନାହିଁ। ଏହାଛଡ଼ା ଅନ୍‌ଲାଇନ୍‌ ଖବର ମାଗଣା। ଦିନକ ଭିତରେ ବାରମ୍ବାର ସେ ସଂପର୍କୀୟ ତାଜା ତଥ୍ୟ ଉପଲବ୍ଧ। ଖବରକାଗଜ ପାଠକକୁ ୨୪ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ। ସେଥିରେ ଉଭୟ ବର୍ଣ୍ଣନା ଓ ଭିଡିଓ ଅପ୍‌ଲୋଡ୍‌ କରାଯାଉଛି। ଆମେରିକା ଓ ୟୁକେ ପରି ସମୃଦ୍ଧ ଦେଶରେ ଛାପା ଖବରକାଗଜଗୁଡ଼ିକ ବନ୍ଦ ହେଉଛନ୍ତି। କେତେକ ଖବରକାଗଜ ସପ୍ତାହରେ ତିନିଦିନ କାଗଜ ପହଞ୍ଚାଉଛନ୍ତି ଓ ଅନ୍ୟ ତିନିଦିନ e-paper ପଢ଼ିବାକୁ ପରାମର୍ଶ ଦେଉଛନ୍ତି। ଏଥିରୁ ଜଣାପଡୁଛି ଯେ ସାମ୍ବାଦିକତାର ଭବିଷ୍ୟତ ହେଉଛି ଅନ୍‌ଲାଇନ୍‌ ବା ଡିଜିଟାଲ୍‌ ରୂପ।

ଏସବୁ ସତ୍ତ୍ବେ ‘ସମ୍ବାଦ’ ଭଳି ସମ୍ବାଦପତ୍ରଗୁଡ଼ିକ ଲାଗି କେତେକ ସମ୍ଭାବନା ମଧ୍ୟ ରହିଛି। ଓଡ଼ିଶା ଆଜି ଦ୍ବିତୀୟ ଦରିଦ୍ର ରାଜ୍ୟର ଅପବାଦ ମୁଣ୍ତେଇଥିଲେ ମଧ୍ୟ ଧୀରେ ଧୀରେ ଅବସ୍ଥାରେ ଉନ୍ନତି ଦେଖାଯାଉଛି। ଆମର ଲୋକସ˚ଖ୍ୟା ୪ କୋଟି ୨୦ ଲକ୍ଷ ଲୋକ ଯଦି ହାରାହାରି ୫ ଜଣ ହିସାବରେ ୮୪ ଲକ୍ଷ ପରିବାରରେ ରହୁଥାଆନ୍ତି ଏବ˚ ତାଙ୍କ ଭିତରୁ ପ୍ରତି ଦଶଟି ପରିବାରରେ ଖଣ୍ତିଏ କାଗଜ କିଣାଯାଏ ତାହାହେଲେ ପ୍ରସାର ସ˚ଖ୍ୟା ଦିଗୁଣା ହୋଇପାରିବ। ଉଦାହରଣ ସ୍ବରୂପ କେରଳର ଲୋକସ˚ଖ୍ୟା ଓଡ଼ିଶାର ଲୋକସ˚ଖ୍ୟାଠାରୁ ପ୍ରାୟ ୧ କୋଟି କମ୍‌। ଓଡ଼ିଶାର ଲୋକସ˚ଖ୍ୟା ୪ କୋଟି ୬୦ ଲକ୍ଷ ହେଲାବେଳକୁ କେରଳର ୩ କୋଟି ୪୦ ଲକ୍ଷ। ସେଠିକାର ବଡ଼ ବଡ଼ ଦୁଇଟି ଖବରକାଗଜର ପ୍ରସାରଣ ସ˚ଖ୍ୟା- ମାଲୟାଲା ମନୋରମାର ୧୦ ଲକ୍ଷ ଓ ମାତୃଭୂମିର ସାଢ଼େ ଛଅ ଲକ୍ଷ। କେରଳର ସାକ୍ଷରତା ହାର ୯୪%, ଓଡ଼ିଶାର ୭୨%।

ତେବେ ଏହା ଏତେ ସହଜ ନୁହେଁ। ଓଡ଼ିଶାର ଗମନାଗମନ ବ୍ୟବସ୍ଥା, ମୁଖ୍ୟସ୍ରୋତଠାରୁ ଦୂରରେ ଥିବା ବିଶାଳ ଆଦିବାସୀ ଜନସମୁଦାୟ, ମାତୃଭାଷା ପରି କୁଣ୍ଠିତ-ଆଗ୍ରହ ପରି ବହୁ ପ୍ରତିବନ୍ଧକ ‘ସମ୍ବାଦ’ ଆଗରେ ରହିଛି। ଏସବୁ ସାଙ୍ଗକୁ ରହିଛି, ବିଶ୍ବସନୀୟତା ଓ ନିରପେକ୍ଷ ଭାବମୂର୍ତ୍ତିର ପ୍ରତିଷ୍ଠା।

ଖବରକାଗଜର ସ˚ପାଦନା ବିଭାଗ ନୂଆ ଚିନ୍ତାଧାରାର ଗବେଷଣାଗାର ଭାବେ କାମ କରିବା ଉଚିତ ବୋଲି କୁହାଯାଇଥାଏ। ସମସ୍ତେ ଯେଉଁ ରାସ୍ତାରେ ଯାଉଛନ୍ତି ‘ସମ୍ବାଦ’ ସେହି ରାସ୍ତାରେ ସବୁବେଳେ ଗଲେ ପାଠକ ହୁଏତ ଦୃଷ୍ଟି ଦେ‌େବ ନାହିଁ। କିନ୍ତୁ କେବଳ ଅଲଗା ଦିଶିବା ପାଇଁ ଅଲଗା ହେବା ବଡ଼ କଥା ନୁହେଁ। ଦୃଷ୍ଟିଭଙ୍ଗୀରେ ସେହି ପରିବର୍ତ୍ତନ ଆସିବା କଥା।

ସାମ୍ବାଦିକତା ଆଗରେ ଅନେକ ସମସ୍ୟା ଥିଲା, ଏବେ ମଧ୍ୟ ରହିଛି। ଏହା ସତ୍ତ୍ବେ ପୃଥିବୀର ବିଶିଷ୍ଟ ସାମ୍ବାଦିକ-ଲେଖକ ଗାବ୍ରିଏଲ୍‌ ଗାର୍ସିଆ ମାର୍କ୍ବେଜ୍‌ କହିଥିଲେ, ପୃଥିବୀରେ ଯେତେ ପ୍ରକାର କାମ ରହିଛି, ସାମ୍ବାଦିକତା ହେଉଛି ତା’ ଭିତରୁ ସର୍ବଶ୍ରେଷ୍ଠ। ଅନ୍ୟ କୌଣସି ବୃତ୍ତି ସାମ୍ବାଦିକତା ପରି ଆତ୍ମସନ୍ତୋଷ ଦିଏ ନାହିଁ। ତେଣୁ ସମ୍ବାଦପତ୍ରର ମୃତ୍ୟୁ ହୋଇପାରେ, ସାମ୍ବାଦିକତାର ମୃତ୍ୟୁ ନାହିଁ। ସେହିପରି ୧୯୬୬ରେ କୋଠାରି କମିସନ୍‌ ଭାରତ ସରକାରଙ୍କୁ ଦାଖଲ କରିଥିବା ରିପୋର୍ଟରେ ଉଲ୍ଲେଖ କରିଥିଲେ, ‘ଭାରତବର୍ଷର ଭବିଷ୍ୟତ ପାର୍ଲାମେଣ୍ଟ୍‌ କି ବିଧାନସଭାରେ ଗଢ଼ାଯାଇ ନ ଥାଏ, ଏହା ଗଢ଼ାଯାଇଥାଏ ଏ ଦେଶର ଶ୍ରେଣୀକକ୍ଷରେ। ସେହିପରି ଓଡ଼ିଶାର ଭବିଷ୍ୟତର ଖସଡ଼ା ବିଧାନସଭା କି ସେକ୍ରେଟେରିଏଟ୍‌ରେ ନୁହେଁ, ସମ୍ବାଦପତ୍ରର ନ୍ୟୁଜ୍‌ଡେସ୍କ୍‌ରେ ହିଁ ନିର୍ମିତ ହୋଇଥାଏ।’ ଯଦି ‘ସମ୍ବାଦ’ର ସାମ୍ବାଦିକମାନେ ଅନ୍ୟସବୁ ପୂର୍ବାଗ୍ରହକୁ ଭୁଲି ଏହି କଥାଟିକୁ ଆବେଗ, ପ୍ରତିବଦ୍ଧତା ଓ ନିଷ୍ଠାର ସହ ଅନୁସରଣ କରନ୍ତି ତାହାହେଲେ ସମସ୍ୟାଗୁଡ଼ିକ ସମ୍ଭାବନାରେ ପରିଣତ ହେବ ଏବଂ ‘ସମ୍ବାଦ’ ସବୁଦି‌ନେ ଓଡ଼ିଶାବାସୀଙ୍କର ପ୍ରିୟ ଖବରକାଗଜ ହୋଇ ରହିପାରିବ।

[email protected]