ଭୁବନେଶ୍ବର: ‘ସମ୍ବାଦ ’କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍; ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ଆଜି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀମାନଙ୍କ ପାଇଁ ସମ୍ଭବ ହୋଇପାରିଛି। ‘ସମ୍ବାଦ’ ପକ୍ଷରୁ ଗତ ୮ ବର୍ଷ ହେଲା ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଆସୁଛି। ଏପରିକି କୋଭିଡ୍ ସମୟରେ ମଧ୍ୟ ଏହି ପୁରସ୍କାର ପ୍ରଦାନ କରିବାରେ ‘ସମ୍ବାଦ’ ସମର୍ଥ ହୋଇଛି ବୋଲି କାର୍ଯ୍ୟକ୍ରମରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ନିର୍ଦ୍ଦେଶିକା ଡ. ମୋନିକା ନୈୟର ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ଡ. ପଟ୍ଟନାୟକ କହିଥିଲେ ‘ସମ୍ବାଦ’ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡ ରାଜ୍ୟର ଏକ ସମ୍ମାନଜନକ ପୁରସ୍କାରରେ ପରିଣତ ହୋଇଛି। ବିଗତ ସଂସ୍କରଣଗୁଡ଼ିକ ଭଳି ଚଳିତ ସଂସ୍କରଣରେ ମଧ୍ୟ ରାଜ୍ୟର ଉଦ୍ୟୋଗୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଛନ୍ତି। ରାଜ୍ୟର କୋଣ ଅନୁକୋଣରୁ ଏଥିପାଇଁ ଆବେଦନ ଆସିଥିଲା।
ଅତୀତରେ ଇମର୍ଜିଂ/ଷ୍ଟାର୍ଟଅପ୍ ବର୍ଗରେ ସମ୍ବର୍ଦ୍ଧିତ ହୋଇଥିବା ଉଦ୍ୟୋଗ କିଛି ବର୍ଷ ଭିତରେ ସେମାନଙ୍କ ବ୍ୟବସାୟରେ ଉନ୍ନତି ଆଣି ଏବେ କ୍ଷୁଦ୍ର ବର୍ଗରେ ଆବେଦନ କରୁଥିବା ଜାଣି ଖୁସି ଲାଗୁଛି ବୋଲି ସେ କହିଥିଲେ। ଚଳିତବର୍ଷ ବିନିର୍ମାଣ ଠାରୁ ଆରମ୍ଭ କରି ରିଅଲ୍ ଇଷ୍ଟେଟ୍, ଜୁଏଲାରି, ଆଦି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାଗୁଡ଼ିକଠାରୁ ଆବେଦନ ମିଳିଥିବା ସେ ସୂଚନା ଦେଇଥିଲେ। ଓଡ଼ିଶାରେ ବ୍ୟବସାୟ ଆରମ୍ଭ କରି ରାଜ୍ୟ ଭିତରେ ଏବଂ ଦେଶବିଦେଶରେ ପ୍ରତିଷ୍ଠା ଲାଭ କରିଥିବା ଉଦ୍ୟୋଗ ଓ ଉଦ୍ୟୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିବା ଉଦ୍ଦେଶ୍ୟରେ ‘ସମ୍ବାଦ’ ଏହି କାର୍ଯ୍ୟକ୍ରମ ଗତ ୮ ବର୍ଷ ହେଲା ନିରନ୍ତର ଭାବେ ଆୟୋଜନ କରି ଆସୁଛି। ଚଳିତବର୍ଷ ଅଷ୍ଟମ ସଂସ୍କରଣ। ବିଭିନ୍ନ ଦୃଷ୍ଟିକୋଣରୁ ଏହି ପୁରସ୍କାର ସ୍ବତନ୍ତ୍ର ବୋଲି ଡ.ପଟ୍ଟନାୟକ ମତ ଦେଇଥିଲେ।
ଏକ ଗଣମାଧ୍ୟମ ଏବଂ ମନୋରଞ୍ଜନ ସଂସ୍ଥା ଭାବେ ରାଜ୍ୟର ୩୧୪ଟି ବ୍ଲକରେ ନିଜର ଉପସ୍ଥିତି ରହିଥିବାରୁ ‘ସମ୍ବାଦ’ କର୍ପୋରେଟ୍ ଏକ୍ସଲେନ୍ସ ଭଳି ଅନେକ କାର୍ଯ୍ୟକ୍ରମ ସଫଳତାର ସହ କରିପାରୁଛି ବୋଲି ସେ କହିଥିଲେ। ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ ୨୦୨୫ରେ ରାଜ୍ୟ ସରକାର ୧୬.୭୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆକୃଷ୍ଟ କରି ପାରିଛନ୍ତି। କେନ୍ଦ୍ର ସରକାର ପକ୍ଷରୁ ମଧ୍ୟ ନିକଟରେ ଆଗତ କରାଯାଇଥିବା ବଜେଟ୍ରେ ଉଦ୍ୟୋଗ କ୍ଷେତ୍ରଗୁଡ଼ିକ ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ବଜେଟ୍ରେ ୧୦ ହଜାର କୋଟି ଟଙ୍କାର ମାଷ୍ଟର ଷ୍ଟାର୍ଟଅପ୍ ପାଣ୍ଠି ସୃଷ୍ଟି କରାଯାଇଛି। ଏସବୁ କାର୍ଯ୍ୟକ୍ରମ ଶିଳ୍ପ ଓ ଉଦ୍ୟୋଗ ଜଗତକୁ ଆଗକୁ ନେବ ବୋଲି ଡ.ପଟ୍ଟନାୟକ ମତ ଦେଇଥିଲେ।