‘ଡିଜାଇନ୍‌ ହେଉଛି ଗହଣାର ଆତ୍ମା’

ସମ୍ବାଦ ଜୁଏଲାରି ଫୋରମ୍‌ ୨୦୧୮ 

ଭୁବନେଶ୍ୱର : ଡିଜାଇନ୍‌ ହେଉଛି ଗହଣାର ଆତ୍ମା ଓ ଏହା ଯୋଗୁଁ ଗହଣାରେ ପ୍ରାଣ ସଞ୍ଚାର ହୋଇଥାଏ। ଡିଜାଇନ୍‌ ଗହଣାକୁ ଏକ ସାଧାରଣ ତତ୍ତ୍ୱରୁ ଭିନ୍ନ କରିଥାଏ ଓ ଗ୍ରାହକଙ୍କ ସହିତ ଭାବଗତ ସମ୍ପର୍କ ପ୍ରତିଷ୍ଠା କରିବାରେ ସହାୟକ ହୋଇଥାଏ ବୋଲି ଦେଶର ବିଶିଷ୍ଟ ଜେମୋଲୋଜିଷ୍ଟ (ରତ୍ନବିତ୍‌) ଓ ଗହଣା ଡିଜାଇନର୍‌ ଫରାହ୍‌ ଖାନ୍‌ ଅଲ୍ଲୀ କହିଛନ୍ତି।

ଆଜି ହୋଟେଲ୍‌ ସ୍ୱସ୍ତି ପ୍ରିମିୟମ ସମ୍ମିଳନୀ କକ୍ଷରେ ଆୟୋଜିତ ‘ସମ୍ବାଦ ଜୁଏଲାରି ଫୋରମ-୨୦୧୮’ କାର୍ଯ୍ୟକ୍ରମରେ  ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସେ କହିଲେ, ଗହଣାର ଡିଜାଇନ୍‌ ପ୍ରସ୍ତୁତ କରିବା ବେଳେ ସର୍ବଦା ଗ୍ରାହକଙ୍କୁ ନଜରରେ ରଖିବା ଉଚିତ। ଏକ ବ୍ରାଣ୍ଡ୍‌ ସବୁ ବେଳେ ଗ୍ରାହକଙ୍କ ଜୀବନଶୈଳୀ, ମୂଲ୍ୟବୋଧ ଓ ଭାବନା ସହିତ ସମ୍ପର୍କ ସ୍ଥାପନ କରିବା ପାଇଁ ପ୍ରୟାସ କରିବା ଦରକାର। ପ୍ରତି ବ୍ରାଣ୍ଡ୍‌ର ଏକ ସ୍ୱତନ୍ତ୍ର ଡିଜାଇନ୍‌ ପରିଭାଷା ରହିଛି। ସେହି ପରିଭାଷା ହିଁ ବ୍ରାଣ୍ଡ୍‌କୁ ଭିଡ଼ ଭିତରେ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରିଥାଏ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ, ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ବଜାରରେ ଆଗରେ ରହିବାକୁ ହେଲେ ଗୁଣାତ୍ମକ ମାନ, ଡିଜାଇନ୍‌ ଓ ଗ୍ରାହକଙ୍କ ବିଶ୍ୱାସ ଜୟ କରିବା ଉଦ୍ୟମ ହେବା ଦରକାର। କେଉଁମାନେ ଆପଣଙ୍କର ଗ୍ରାହକ ଓ ସେମାନେ କ’ଣ ଚାହାନ୍ତି, ତାହା ଜାଣିବା ପାଇଁ ପ୍ରୟାସ କରନ୍ତୁ ବୋଲି ସେ କହିଛନ୍ତି। ଗ୍ରାହକଙ୍କୁ ଗହଣା ଦେଖାଇବା ବେଳେ ପ୍ରତିଟି ଗହଣା ଆପଣଙ୍କ ପାଇଁ ଅମୂଲ୍ୟ ବୋଲି ଦର୍ଶାଇବାକୁ ପ୍ରୟାସ କରନ୍ତୁ। ଏହା ହେଲେ ଗ୍ରାହକମାନେ ଗହଣାର ମହତ୍ୱ ବୁଝିପାରିବେ ବୋଲି ସେ କହିଛନ୍ତି।

ଗହଣା ବଜାର ବିଷୟରେ ସେ କହିଲେ, ଦେଶରେ ଗହଣା କିଣୁଥିବା ଲୋକମାନଙ୍କ ସଂଖ୍ୟା ବହୁତ ନୁହେଁ। ସେମାନଙ୍କ ମଧ୍ୟରୁ କେବଳ ୧% ହେଉଛନ୍ତି ଧନୀକ ବର୍ଗର। ଅନ୍ୟ ସମସ୍ତେ ସାଧାରଣ ବର୍ଗର ଗ୍ରାହକ।

ଗହଣା ବଜାରକୁ ବଢ଼ାଇବାକୁ ହେଲେ କେବଳ ପୁରୁଣା ଗ୍ରାହକଙ୍କ ଉପରେ ନିର୍ଭରଶୀଳ ରହିଲେ ଚଳିବ ନାହିଁ। ନୂଆ ଗ୍ରାହକ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେବାକୁ ହେବ। ନୂଆ ପିଢ଼ିର ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ପଡ଼ିବ। କମ୍‌ ବୟସର ଗ୍ରାହକଙ୍କୁ ହାତେଇବା ପାଇଁ ଉଦ୍ୟମ ହେବା ଦରକାର ବୋଲି ସେ କହିଛନ୍ତି।

ଗହଣାର ଡିଜାଇନ୍‌ ଯେତେ ସୁନ୍ଦର ହୋଇଥିଲେ ମଧ୍ୟ ତାହାର ଯଦି ପ୍ରଚାରପ୍ରସାର କରାନଯିବ ତେବେ ତାହା ଗ୍ରାହକଙ୍କ ପାଖରେ ପହଞ୍ଚିପାରିବ ନାହିଁ। ତେଣୁ ବ୍ରାଣ୍ଡିଂ ହେଉଛି ବହୁତ ମହତ୍ୱପୂର୍ଣ୍ଣ ବୋଲି ସେ ଜଣାଇଛନ୍ତି।

ଏହି ଅବସରରେ ସମ୍ବାଦ ଗ୍ରୁପ୍‌ର ଅଧ୍ୟକ୍ଷ, ‘ସମ୍ବାଦ’ର ସମ୍ପାଦକ ତଥା ରାଜ୍ୟସଭା ସଦସ୍ୟ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ରତ୍ନବିଦ୍ୟାର ଜଣେ ବିଦୁଷୀଙ୍କୁ ଓଡ଼ିଶା ମାଟିରେ ପାଇ ଆମେ ଗର୍ବିତ। ସେ ଆହୁରି କହିଲେ, ମଣିଷମାନଙ୍କର ଏକ ସହଜାତ ପ୍ରବୃତ୍ତି ହେଉଛି ଗହଣା ପ୍ରତି ଲୋଭ। ଏହି ଲୋଭ ମହିଳାମାନଙ୍କଠାରେ ଟିକିଏ ଅଧିକ ମାତ୍ରାରେ ରହିଛି। ଗହଣାଟିଏ ଉପହାର ସୂତ୍ରରେ ପାଇଲେ ସେମାନେ ଖୁସିରେ ଆତ୍ମହରା ହୋଇଯାଆନ୍ତି ବୋଲି ସେ କହିଛନ୍ତି। ଅତୀତରେ ରାଜ୍ୟରେ ପ୍ରତିଷ୍ଠିତ ସୁନା ଗହଣା ଦୋକାନ ସଂଖ୍ୟା ସୀମିତ ଥିଲା। ଆଜିର ଦିନରେ ପାନ ଦୋକାନଠାରୁ ଗହଣା ଦୋକାନ ସଂଖ୍ୟା ଅଧିକ ହୋଇଗଲାଣି। ଏହି ବ୍ୟବସାୟରେ କେତେ ସମ୍ଭାବନା ରହିଛି ତାହା ଏଥିରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି ବୋଲି ସେ କହିଛନ୍ତି। କିଛି ଦିନ ହେଲାଣି ଡଲାର ତୁଳନାରେ ଟଙ୍କା ଯେଉଁଭଳି ଭାବେ ଦୁର୍ବଳ ହେଉଛି ତାହାକୁ ନେଇ ଲୋକମାନେ ବେଶ ଚିନ୍ତାରେ ପଡ଼ିଯାଇଛନ୍ତି। ସୁନା ଦରକୁ ତାହା ପ୍ରଭାବିତ କରିବ ବୋଲି ସେମାନେ ଭାବୁଛନ୍ତି। ସାରା ବିଶ୍ୱରେ ଯେତେ ପ୍ରକାର ସାମଗ୍ରୀ ରହିଛି ବିନିମୟ ବଜାରରେ ସବୁଠୁ ଅଧିକ ଦାମୀ ସାମଗ୍ରୀ ହେଉଛି ସୁନା। ସେଥିପାଇଁ ଲୋକମାନଙ୍କର ଲୋଭ ସୁନା ପ୍ରତି ଅଧିକ ରହିଥାଏ ବୋଲି ସେ କହିଛନ୍ତି।

ଏହି ଅବସରରେ ସ୍ୱାଗତ ଭାଷଣ ପ୍ରଦାନ କରି ସମ୍ବାଦ ଗ୍ରୁପ୍‌ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ କହିଛନ୍ତି ଯେ, ପ୍ରଥମ ଥର ପାଇଁ ରାଜ୍ୟରେ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଉଦ୍ୟମ କରାଯାଇଛି। ଆମେ ଯେତେବେଳେ ଏହି କାର୍ଯ୍ୟକ୍ରମର ଯୋଜନା ପ୍ରସ୍ତୁତ କରୁଥିଲୁ ସେତେବେଳେ ଫରାହ୍‌ ହିଁ ଏଥିପାଇଁ ଶ୍ରେଷ୍ଠ ବୋଲି ଜଣାପଡ଼ିଥିଲା। ତାଙ୍କୁ ଆମ ଗହଣରେ ପାଇ ଆମେ ଅତ୍ୟନ୍ତ ଉଲ୍ଲସିତ। ଫରାହ୍‌ କିଭଳି ଗହଣା ଡିଜାଇନ୍‌ କ୍ଷେତ୍ରରେ ପ୍ରବେଶ କରିଥିଲେ ସେହି କାହାଣୀଙ୍କୁ ସେ ବିସ୍ତତ ଭାବେ ବର୍ଣ୍ଣନା କରିଥିଲେ। ଏଥି ସହିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ରାଜ୍ୟର ସମସ୍ତ ଗହଣା ବ୍ୟବସାୟୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

ଏହି ଅବସରରେ ମୁଖ୍ୟବକ୍ତା ଫରାହ୍‌ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଅଗ୍ରଣୀ ଗହଣା ଡିଜାଇନର୍‌ ସ୍ୱସ୍ତି ମିଶ୍ର, ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିର୍ଦେଶକ ବ୍ରହ୍ମାନନ୍ଦ ମେହେର, ଲାବଣ୍ୟ ଜୁଏଲର୍ସର ପରିଚାଳନା ନିର୍ଦେଶକ ସତ୍ୟେନ୍ଦ୍ର ମିଶ୍ର, ଶ୍ରୀ ଅର୍ଣ୍ଣାମେଣ୍ଟସ୍‌ ଜୁଏଲର୍ସର ପରିଚାଳନା ନିର୍ଦେଶକ ଭେଙ୍କଟେସ୍‌ ଶୀଲା ଓ ଶୁଭ ଜୁଏଲର୍ସର ପରିଚାଳନା ନିର୍ଦେଶକ ସଞ୍ଜୀବ ହଂସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର