ସେଜଣେ ନଈକୂଳିଆ ମଣିଷ। ଜନ୍ମିଥିଲେ ବ୍ରହ୍ମପୁତ୍ର ପଠାରେ, ପାଠପଢ଼ି ଜୀବନ ଗଢ଼ିଲେ କଲିକତା ଗଙ୍ଗାତଟରେ, କିନ୍ତୁ ଘରକରି ରହିଗଲେ ମହାନଦୀ କୂଳରେ, ମା’ ସମଲେଇଙ୍କ ସହର ସମ୍ବଲପୁରରେ। ସେ କାମାକ୍ଷା ରାଇଜର ସାହିତ୍ୟରଥୀ, ଆଧୁନିକ ଅସମୀୟା ସାହିତ୍ୟର ଜନକ ଲକ୍ଷ୍ମୀନାଥ ବେଜବରୁଆ। ଅସମୀୟା ଭାଷାର ସର୍ବପ୍ରଥମ ଆଧୁନିକ  କ୍ଷୁଦ୍ରଗଳ୍ପଟି ତାଙ୍କର ରଚନା। ତାଙ୍କ ରଚିତ ‘ଓ ମୋର ଆପୋନାର ଦେଶ’ ଗୀତଟି ଆସାମର ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଛି। ପୁଣି ତାଙ୍କ ରଚିତ ନାଟକ ‘ଜୟମତୀ କୁଆଁରୀ’କୁ ଆଧାର କରି ନିର୍ମିତ ହୋଇଛି ଆସାମର ପ୍ରଥମ ଚଳଚ୍ଚିତ୍ର- ‘ଜୟମତୀ’(୧୯୩୫)। ବିଶ୍ବାସ  କରିବା କଷ୍ଟ, ମାତ୍ର ଏଇ ପ୍ରଖ୍ୟାତ ଅସମୀୟା ସାହିତ୍ୟିକଙ୍କର ସାଧନାମୟ ଜୀବନର ଦୀର୍ଘ କୋଡ଼ିଏ ବର୍ଷ (୧୯୧୭ରୁ ୧୯୩୭) କଟିଛି ଓଡ଼ିଶାର ସମ୍ବଲପୁରରେ।

Advertisment

ଓଡ଼ିଶାରେ ସେ କେବଳ ଘର କରି ନଥିଲେ, ଏଠିକାର ଅନୁଭୂତିକୁ ନେଇ ସେ ଅନେକ ଗପ ଲେଖିଛନ୍ତି। ସମ୍ବଲପୁର ମ୍ୟୁନିସିପାଲିଟିରେ ଲଗାତାର ଦଶବର୍ଷ ଧରି ମନୋନୀତ ପ୍ରତିନିଧି ହିସାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ତାଙ୍କ ଗପରେ, ଗୀତରେ, ହୃଦୟରେ ସବୁଠି ସମ୍ବଲପୁରର ଛାପ। କାରଣ ମହାନଦୀରେ ସେ ଦେଖୁଥିଲେ ବ୍ରହ୍ମପୁତ୍ରକୁ, ସମଲେଇଙ୍କ ଭିତରେ ମା’ କାମାକ୍ଷାଙ୍କୁ। ଅନେକେ ଜାଣନ୍ତି ନାହିଁ ଯେ ଲକ୍ଷ୍ମୀନାଥ ବେଜବରୁଆ ବିଶ୍ୱକବି ରବୀନ୍ଦ୍ରନାଥଙ୍କ ପରିବାରରେ ବିବାହ କରିଥିଲେ। ରବୀନ୍ଦ୍ରନାଥଙ୍କ ଝିଆରି, ଅର୍ଥାତ୍‌ ତାଙ୍କ ଭାଇ ହେମେନ୍ଦ୍ରନାଥଙ୍କ ଝିଅ ପ୍ରଜ୍ଞାସୁନ୍ଦରୀଙ୍କୁ ସେ ବିବାହ କରି ସପରିବାର ରହୁଥିଲେ ସମ୍ବଲପୁରରେ। 

ବଡ଼ ବୈଚିତ୍ର୍ୟମୟ ଲକ୍ଷ୍ମୀନାଥଙ୍କ ଜୀବନ। ପିତା ଦୀନାନାଥ ବେଜବରୁଆ ଓ ମାତା ଥାନେଶ୍ୱରୀ ଦେବୀଙ୍କ କୋଳରେ ଜନ୍ମ ନେଇଥିଲେ ସେ। ପିତାମାତା ବ୍ରହ୍ମପୁତ୍ର ନଦୀରେ ଡଙ୍ଗାରେ ଯାଉଥିବା ସମୟରେ କୁମାର ପୂର୍ଣ୍ଣିମା ରାତିରେ ବ୍ରହ୍ମପୁତ୍ର କୂଳରେ ଆହତବାଡ଼ି ଗାଁ ନିକଟରେ ତାଙ୍କର ଜନ୍ମ। ଲକ୍ଷ୍ମୀପୂଜା ଦିନ ଜନ୍ମ ନେଇଥିବାରୁ ନାଁ ଲକ୍ଷ୍ମୀନାଥ। ଆସାମରେ ହାଇସ୍କୁଲ ଶିକ୍ଷା ଶେଷ କରି କଲେଜ ପଢ଼ା ପାଇଁ ସେ ଆସିଥିଲେ କଲିକତା। ସେତେବେଳେ ହେମେନ୍ଦ୍ରନାଥ ଟାଗୋରଙ୍କ ପୁଅ କ୍ଷିତୀନ୍ଦ୍ରନାଥ ଥିଲେ ତାଙ୍କର ସହପାଠୀ। ଲକ୍ଷ୍ମୀନାଥଙ୍କ ପ୍ରତିଭା ଓ ବ୍ୟକ୍ତିତ୍ବରେ ପ୍ରଭାବିତ ହୋଇ ସେ ହିଁ ପ୍ରସ୍ତାବ ପକାଇ ସାନଭଉଣୀ ପ୍ରଜ୍ଞାସୁନ୍ଦରୀଙ୍କ ସହ ତାଙ୍କର ବାହାଘର କରାଇଥିଲେ ୧୮୯୧ରେ।
ଲକ୍ଷ୍ମୀନାଥ କିନ୍ତୁ ଥିଲେ ପ୍ରଚଣ୍ଡ ସ୍ବାଭିମାନୀ। ଟାଗୋର ପରିବାର ଭଳି ବିତ୍ତଶାଳୀ ଜମିଦାର ପରିବାରରେ ବିବାହ କରିଥିଲେ ମଧ୍ୟ କୌଣସି ପ୍ରକାରର ଯୌତୁକ ନେବାକୁ ସ୍ପଷ୍ଟ ମନା କରି ଦେଇଥିଲେ। ତାଙ୍କ ସାହିତ୍ୟିକ ପ୍ରତିଭାକୁ ସମ୍ମାନ ଜଣାଇ ଶ୍ବଶୁରଘର ତରଫରୁ ତାଙ୍କୁ କେବଳ ଏକ ସୁନାର କଲମ ଉପହାର ଦିଆଯାଇଥିଲା।

ବିବାହର ଦୁଇବର୍ଷ ପରେ ୧୮୯୩ରେ ସେ ଯୋଗ ଦେଇଥିଲେ ପ୍ରତିଷ୍ଠିତ ଅସମୀୟା ବ୍ୟବସାୟୀ ଭୋଳାନାଥ ବରୁଆଙ୍କ ‘ମେସର୍ସ ବରୁଆ ଆଣ୍ଡ୍ କମ୍ପାନି’ରେ। ଏହି କମ୍ପାନି ଆସାମ, ବଙ୍ଗ, ଓଡ଼ିଶା ଓ ମଧ୍ୟପ୍ରଦେଶରେ ଜଙ୍ଗଲ ଲିଜ୍ ନେଇ କାଠ କାରବାର କରୁଥିବାରୁ ଲକ୍ଷ୍ମୀନାଥଙ୍କୁ କମ୍ପାନି କାମରେ ବହୁବାର ଓଡ଼ିଶା ଆସିବାକୁ ପଡୁଥିଲା। ତେବେ ୧୯୧୧ ମସିହାରେ ସେ ଏହି ଚାକିରି ଛାଡ଼ି କିଛିଦିନ ଅନ୍ୟ ବ୍ୟବସାୟ କଲାପରେ ‘ବାର୍ଡ ଆଣ୍ଡ୍ କମ୍ପାନି’ରେ ଯୋଗଦେଲେ। ଓଡ଼ିଶାରେ ତାଙ୍କର ଅଭିଜ୍ଞତାକୁ ଦୃଷ୍ଟିରେ ରଖି ସେମାନେ ଲକ୍ଷ୍ମୀନାଥଙ୍କୁ ୧୯୧୭ରେ ସମ୍ବଲପୁରକୁ ବଦଳି କଲେ। ପତ୍ନୀ ପ୍ରଜ୍ଞାସୁନ୍ଦରୀଙ୍କୁ ସାଙ୍ଗରେ ଧରି ସେ ସମ୍ବଲପୁର ଆସିଲେ ଏବଂ ଉଭୟଙ୍କୁ ଏ ସ୍ଥାନ ଏତେ ଭଲ ଲାଗିଲା ଯେ ସେମାନେ ଏଠାରେ ନିଜଘର ଗଢ଼ି ରହିଗଲେ।

ପ୍ରଜ୍ଞାସୁନ୍ଦରୀ ଥିଲେ ଅତ୍ୟନ୍ତ ସଂସ୍କୃତିସମ୍ପନ୍ନା। ରୋଷେଇରେ ତାଙ୍କର ପ୍ରଗାଢ଼ ରୁଚି। କୌତୂହଳର କଥା ହେଲା, ସେ ବଙ୍ଗଳା ଭାଷାରେ ରଚିତ ସର୍ବପ୍ରଥମ ରୋଷେଇ ପୁସ୍ତକ ରଚନା କରିଥିଲେ ୧୯୦୨ ମସିହାରେ। ବହିଟିର ନାଁ- ‘ଆମିଷ ଓ ନିରାମିଷ ଆହାର’। ସାହିତ୍ୟିକ ଦମ୍ପତିଙ୍କ ଚାରୋଟି ଝିଅଙ୍କ ଭିତରୁ ପ୍ରଥମଟି ମାତ୍ର ୫ବର୍ଷ ବୟସରେ ମୃତ୍ୟୁବରଣ କରିଥିଲା। ଦ୍ବିତୀୟ ଝିଅ ଅରୁଣା କଲିକତାରେ ଓ ତୃତୀୟ ଝିଅ ରତ୍ନା ଆସାମର ଦିବ୍ରୁଗଡ଼ରେ ବିବାହ କରିଥିଲେ। ସାନଝିଅ ଦୀପିକା ଖ୍ରୀଷ୍ଟଧର୍ମ ଗ୍ରହଣ କରି ସନ୍ୟାସିନୀ ହୋଇଯାଇଥିଲେ। ଝିଅମାନେ ବିଭିନ୍ନ ସମୟରେ ସମ୍ବଲପୁର ରହଣି ସମ୍ପର୍କରେ ସେମାନଙ୍କର ଅନୁଭୂତି ବର୍ଣ୍ଣନା କରିଛନ୍ତି। ସେଥିରୁ ଜଣାଯାଏ, ବେଜବରୁଆଙ୍କ ସମ୍ବଲପୁର ବସାଘର ସାମନାପଟେ ଥିଲା ଏକ ସୁନ୍ଦର ଫୁଲବଗିଚା। ପଛପାଖରେ ଥିଲା କରମଙ୍ଗା ଓ ଲିଚୁ ଭଳି ଅନେକ ଫଳଗଛ। ତା’ଛଡା ବାଡିରେ ସେମାନେ ପନିପରିବା ଚାଷ ମଧ୍ୟ କରୁଥିଲେ। ବେଜବରୁଆଙ୍କ ନାତୁଣୀ ରୀତା (ଅରୁଣାଙ୍କ ଝିଅ) ସ୍ମୃତିଚାରଣ କରି ଲେଖିଛନ୍ତି- ‘ପ୍ରତିବର୍ଷ ସ୍କୁଲଛୁଟି ହେଲେ ଆମେ ଅଜାଆଈଙ୍କ ପାଖକୁ ସମ୍ବଲପୁର ଯାଉଥିଲୁ। ମୋ ହାତ ଧରି ଅଜା ମହାନଦୀ କୂଳକୁ ବୁଲାଇ ନେଉଥିଲେ ଏବଂ ତାଙ୍କ ଅନୁଭୂତିରୁ କେତେ କଥା କହୁଥିଲେ।’

ବେଜବରୁଆଙ୍କ ପରିବାର ସମ୍ବଲପୁରର ସାଂସ୍କୃତିକ ପରିବେଶ ସହ ଓତପ୍ରୋତ ଭାବେ ଜଡ଼ିତ ଥିଲେ। ଲକ୍ଷ୍ମୀନାଥ ସ୍ଥାନୀୟ ଭିକ୍ଟୋରିଆ ହଲ୍ (ଏବେ ବୀର ସୁରେନ୍ଦ୍ରସାଏ ଟାଉନହଲ)ରେ କବିଗୁରୁ ରବୀନ୍ଦ୍ରନାଥଙ୍କ ନାଟକ ‘ବାଲ୍ମିକୀ ପ୍ରତିଭା’ର ମଞ୍ଚାୟନ କରାଇ ସେଥିରେ ନିଜେ ଅଭିନୟ କରିଥିଲେ। ଏଥିରେ ତାଙ୍କ ପତ୍ନୀ ଓ ଝିଅମାନେ ପ୍ରଚ୍ଛଦ ସଙ୍ଗୀତ ପାଇଁ କଣ୍ଠଦାନ କରିଥିଲେ। ସମ୍ବଲପୁର ସହରକୁ ଲକ୍ଷ୍ମୀନାଥ ଏତେ ଭଲ ପାଉଥିଲେ ଯେ ୧୯୨୭ରେ ‘ବାର୍ଡ ଆଣ୍ଡ୍ କମ୍ପାନି’ ତାଙ୍କୁ ନିଜ ଜନ୍ମମାଟି ଆସାମକୁ ବଦଳି କରିଥିଲେ ହେଁ ସେ ଇସ୍ତଫା ଦେଇ ବର୍ଷକ ପରେ ସମ୍ବଲପୁର ଫେରି ଆସିଥିଲେ। 

ସେ ଖୁବ୍ ଭଲପାଇ ବସିଥିଲେ ସମ୍ବଲପୁରକୁ ଓ ଏଇ ମହାନଦୀକୂଳିଆ ଘରକୁ। ଏହିଠାରେ ହିଁ ଶେଷଜୀବନ କଟାଇବାକୁ ଚାହୁଁଥିଲେ ସେ। ମୃତ୍ୟୁର ଠିକ୍ ୧୪ଦିନ ପୂର୍ବରୁ ୧୨ ମାର୍ଚ୍ଚ ୧୯୩୮ରେ ଝିଅ ଅରୁଣା ପାଖକୁ ଦିବ୍ରୁଗଡ଼ରୁ ଲେଖିଥିବା ଶେଷଚିଠିରେ ସେ ଏଇକଥା ଲେଖିଥିଲେ - ‘ମା ଓ ମୁଁ ୧୮ ତାରିଖରେ ବାହାରିବୁ। ନାଗପୁର ମେଲ ଧରି ୨୧ ସକାଳେ ସମ୍ବଲପୁର ପହଞ୍ଚିଯିବୁ।’ କିନ୍ତୁ ଭାଗ୍ୟର ବିଡମ୍ବନା, ସେ ହଠାତ୍ ଅସୁସ୍ଥ  ହୋଇପଡ଼ି ଆସିପାରିଲେ ନାହିଁ ଏବଂ ଦିବ୍ରୁଗଡ଼ଠାରେ ମାର୍ଚ୍ଚ ୨୬ ତାରିଖରେ ଦେହତ୍ୟାଗ କଲେ। ଏହି ଦିନଟିକୁ ଏବେ ସାରା ଆସାମରେ ‘ସାହିତ୍ୟ ଦିବସ’ ଭାବେ ପାଳନ କରାଯାଉଛି।

ଏବେ ମହାନଦୀ କୂଳରେ ଥିବା ବେଜବରୁଆଙ୍କ ସାଧନାଗୃହର ପୁନରୁଦ୍ଧାର କରାଯାଇଛି। ‘ସାହିତ୍ୟରଥୀ ଲକ୍ଷ୍ମୀନାଥ ବେଜବରୁଆ ସ୍ମୃତିରକ୍ଷା ସମିତି’ର ମୁଖ୍ୟ ଉପଦେଷ୍ଟା ଗବେଷକ ଦୀପକ ପଣ୍ଡା କହନ୍ତି,   ସ୍ମୃତିରକ୍ଷା ସମିତି ଦ୍ବାରା ଦୀର୍ଘବର୍ଷ ଧରି ଚାଲିଥିବା ଏହି ପୁନରୁଦ୍ଧାର କାର୍ଯ୍ୟକ୍ରମ ଏବେ ଆସାମ ଓ ଓଡ଼ିଶା ସରକାରଙ୍କ ସହଯୋଗ ଫଳରେ ବେଶ୍ ଆଗେଇଛି। ଏଠାରେ ପାଠାଗାର ଓ ମିନି ସଂଗ୍ରହାଳୟ ପ୍ରତିଷ୍ଠା କରି ତାହାକୁ ଯଥାଶୀଘ୍ର ଜନସାଧାରଣଙ୍କ ପାଇଁ ଉନ୍ମୁକ୍ତ କରିବା ଏବେ ସବୁଠାରୁ ବଡ଼ ଆବଶ୍ୟକତା।