‘ବର୍ଗର୍‌’ ଅପେକ୍ଷା ‘ସିଙ୍ଗଡ଼ା’ ଦେହ ପାଇଁ ଭଲ : ରିପୋର୍ଟ

ନୂଆଦିଲ୍ଲୀ: ଆଜିକାଲି ଲୋକମାନେ ଆମର ପାରମ୍ପରିକ ଖାଦ୍ୟ ଅପେକ୍ଷା ନୂଆ ପ୍ରକାରର ବିଦେଶୀ ଖାଦ୍ୟ ଯଥା ବର୍ଗର, ପିଜା, ଚାଇନିଜ ଆଦି ଖାଇବାକୁ ବେଶ ପସନ୍ଦ କରୁଛନ୍ତି । ଏହା ନିଜକୁ ଆଧୁନିକ ଦେଖାଇବାର ଏକ ଉପାୟ ବୋଲି କେତେକ ଭାବୁଛନ୍ତି ।

କିନ୍ତୁ ଏସବୁ ତଥାକଥିତ ଆଧୁନିକ ଏବଂ ବିଦେଶୀ ଖାଦ୍ୟ ଖାଇ ଆମେ ବିପଦକୁ ବରଣ କରୁଛୁ କି ? ଆମର ପାରମ୍ପରିକ ଜଳଖିଆ ଯେପରିକି ସିଙ୍ଗଡ଼ା, ଇଡଲି, ଉପମା ଆଦି ତୁଳନାରେ ଏଗୁଡିକ କେତେ ନିରାପଦ ?

ଏସବୁ ପ୍ରଶ୍ନର ଉତ୍ତର ଦେଇଛି ସେଣ୍ଟର ଫର ସାଇନ୍ସ ଏଣ୍ଡ ଏନଭାରମେଣ୍ଟ (ସିଏସଇ) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ । ସିଏସଇ ରିପୋର୍ଟରେ କୁହାଯାଇଛି ଯେ ଭାରତୀୟ ଖାଦ୍ୟ ସିଙ୍ଗଡା ବା ସାମୋସା ଜର୍ମାନ ଖାଦ୍ୟ ବର୍ଗର ତୁଳନାରେ ବେଶ ନିରାପଦ । ଏହାର କାରଣ ହେଉଛି ସିଙ୍ଗଡ଼ା ମୁଖ୍ୟତଃ ମଇଦା, ଆଳୁ, ମଟର, ଲୁଣ, ରିଫାଇନ ତେଲ ବା ଘିଅ ଆଦି ଦ୍ୱାରା ତିଆରି କରାଯାଏ । ଏଗୁଡିକ ଉଚ୍ଚ କ୍ୟାଲୋରୀଯୁକ୍ତ ଖାଦ୍ୟ ହୋଇଥିଲେ ମଧ୍ୟ ବର୍ଗର ତୁଳନାରେ ବେଶ ଭଲ । କାରଣ ବର୍ଗର ପରି ଖାଦ୍ୟ ବିଭିନ୍ନ ପ୍ରକାରର ରିଫାଇନଡ୍‌ ମଇଦା, ତେଲ, ପ୍ରିଜରଭେଟିଭ, ଆଣ୍ଟିଅକ୍ସିଡାଣ୍ଟ, ଏସିଡିଟି ରେଗୁଲେଟର, ସୋୟା, ପନିପରିବା, ଚିନି ଆଦି ଦ୍ୱାରା ପ୍ରସ୍ତୁତ କରାଯାଏ । ଏଗୁଡିକ ପୂର୍ବରୁ ତିଆରି ହୋଇ ରହିଥାଏ ଓ ପରେ ଗରମ କରି ଖିଆଯାଏ ଯାହାକି ଶରୀର ପାଇଁ ବେଶ ଅପକାରୀ ବୋଲି ଏହି ରିପୋର୍ଟ କହିଛି ।

ସେହିପରି ନୁଡୁଲ୍ସ ଓ କେନଡ୍‌ ଜୁସ ତୁଳନାରେ ଆମର ଘରେ ଘରେ ପ୍ରସ୍ତୁତ ହେଉଥିବା ଚୂଡ଼ା ସନ୍ତୁଳା କିମ୍ବା ଉପମା ଖାଇବା ବେଶ ଭଲ। କାରଣ ଏହା ପ୍ରାକୃତିକ ଉପାଦାନ ଯଥା ଚୂଡ଼ା, ସୁଜି, ପନିପରିବା, ତେଲ ଆଦି ବ୍ୟବହାର କରି ପ୍ରସ୍ତୁତ କରାଯାଏ । ଏଥିରେ କୌଣସି ପ୍ରକାରର ରାସାୟନିକ ସଂରକ୍ଷକ ବା ପ୍ରିଜରଭେଟିଭ, ରଂଗ ଆଦି ମିଶାଯାଇ ନଥାଏ ।

ସିଏସଇ ପକ୍ଷରୁ ସେପ୍ଟେମ୍ବର ୨୦୧୬ରୁ ମାର୍ଚ୍ଚ ୨୦୧୭ ମଧ୍ୟରେ ଦେଶର ୧୫ ଟି ରାଜ୍ୟର ପ୍ରାୟ ୧୩ ହଜାର ସ୍କୁଲ ପିଲାଙ୍କୁ ନେଇ ଏହି ‘ନିଜ ଖାଦ୍ୟକୁ ଜାଣନ୍ତୁ’ ସର୍ଭେ କରାଯାଇଥିଲା ।

ସମ୍ବନ୍ଧିତ ଖବର