ସମ୍ପ୍ରତି ବାର୍ସିଲୋନା ଠାରେ ଚାଲିଥିବା ମୋବାଇଲ୍‌ ବିଶ୍ବ କଂଗ୍ରେସ-୨୦୨୪ ମଞ୍ଚରେ ସାମ୍‌ସଙ୍ଗ କମ୍ପାନି ନିଜର ପ୍ରତିଦ୍ବନ୍ଦ୍ବୀମାନଙ୍କୁ ଚକିତ କରି ଏହାର ଏକ ସଦ୍ୟତମ ଉତ୍ପାଦର ବଜାର ପ୍ରବେଶ କରାଇଛି। ‘ସାମ୍‌ସଙ୍ଗ ଗାଲାକ୍ସି ରିଙ୍ଗ୍‌’ ନାମକ ଏହି ଉପକରଣ ଆଙ୍ଗୁଠିରେ ମୁଦି ପରି ଧାରଣ କରିବାକୁ ଉଦ୍ଦିଷ୍ଟ ଥିବା ବେଳେ ଏହା ହୃତ୍‌ସ୍ପନ୍ଦନ ନିରୀକ୍ଷଣ କରିବା ସହ ଶରୀର ତାପମାତ୍ରା, ରକ୍ତ ଚାପ ଆଦି ଗୁରୁତ୍ବପୂର୍ଣ୍ଣ ସ୍ବାସ୍ଥ୍ୟଭିତ୍ତିକ ଉପାଦାନ ସମ୍ପର୍କରେ ସଠିକ୍‌ ସୂଚନା ଦେଇପାରିବ। ସ୍ବାସ୍ଥ୍ୟ ସଚେତନ ଗ୍ରାହକମାନଙ୍କ ପାଇଁ ଏହା ଏକ ଅପରିହାର୍ଯ୍ୟ ସୌଖୀନ ଉପକରଣ ହେବ ବୋଲି କମ୍ପାନି ଆଶାବାଦୀ ରହିଛି। ତିନିଟି ବିଶେଷ ରଙ୍ଗରେ ଉପଲବ୍‌ଧ ହେବାକୁ ଥିବା ଏହି ମୁଦି ସହ ଜଡ଼ିତ ଜ୍ଞାନକୌଶଳ ବାବଦରେ କମ୍ପାନି ପକ୍ଷରୁ କୌଣସି ସବିଶେଷ ସୂଚନା ଦିଆଯାଇନାହିଁ। ତେବେ ଏଥିରେ ଚବିଶ ଘଣ୍ଟିଆ ହୃତ୍‌ସ୍ପନ୍ଦନ ହାର ମପାଯାଇପାରିବା ସହ ରକ୍ତରେ ଅମ୍ଳଜାନ ସାନ୍ଦ୍ରତା ପରିମାଣ (ଏସ୍‌ପିଓ୨), ନିଦ୍ରା ନିରୀକ୍ଷଣ ଓ ରକ୍ତଚାପ ନିରୀକ୍ଷଣ ଆଦି ସୁବିଧା ଉପଲବ୍‌ଧ ବୋଲି କୁହାଯାଇଛି। ଏତେ ବୈଶିଷ୍ଟ୍ୟ ଥିବା ଏହି ନିଆରା ମୁଦିର ବଜାର ମୂଲ୍ୟ ଘୋଷଣା କରାଯାଇନାହିଁ।