ଆମ କ୍ୟାରିୟରରେ ଯେତେ ମ୍ୟାଚ୍ ଜିତିଥାଉ ତା’ଠୁ ଆମକୁ ଅଧିକ ହାରିବାକୁ ପଡ଼ିଥାଏ। ହେଲେ ପ୍ରତିଥରର ପରାଜୟ ପରେ ପୁଣି ଜିତିହେବ ବୋଲି ସଂକଳ୍ପ ନେବାକୁ ହୁଏ। ୨୦ ବର୍ଷ ଧରି ଏପରି ଉଠାପକା ଖେଳରେ ରହିବା ଏତେ ସହଜ ନୁହେଁ। ୧୬ ବର୍ଷ ହେବା ବେଳକୁ ମୋତେ ପ୍ରସିଦ୍ଧି ମିଳିସାରିଥିଲା। ଗଣମାଧ୍ୟମ ଆଗରେ ଆମେ ବଡ଼ ହୋଇଛୁ। ସବୁବେଳେ ଲୋକଙ୍କ ଦୃଷ୍ଟିରେ ରହିଛୁ। ଯବକାଚରେ ପରୀକ୍ଷିତ ହୋଇଛୁ। ଭାଗ୍ୟ ଭଲ, ସେତେବେଳେ ସୋସିଆଲ ମିଡିଆ ନ ଥିଲା। ନହେଲେ କ’ଣ ଯେ ହୋଇଥା’ନ୍ତା ଭାବିହେଉନି। ଲୋକେ କହନ୍ତି, ସେଲିବ୍ରିଟି ହେଇଗଲା, ଆଉ କ’ଣ ମିଳନ୍ତା ତାକୁ! ତେବେ ଏଥିପାଇଁ ଯୋଉ ମୂଲ୍ୟ ଦେବାକୁ ପଡ଼େ ତାହା କେହି ବୁଝନ୍ତିନି। ଟିକେ କ’ଣ ହେଇଗଲେ ମତମନ୍ତବ୍ୟ ଆସିଯାଏ କି ୟାର କ୍ୟାରିୟର ସରିଗଲା। ଗୋଟେ ଦୁଇଟା ମ୍ୟାଚ୍ ହାରିଗଲେ ସେଇ ସମାନ କଥା। ମେଦବୃଦ୍ଧି ହେଲେ ସେଇ କଥା, ପୁଣି ଆଘାତପ୍ରାପ୍ତ ହେଲେ ସେଇ ଏକା କଥା।
ଯୋଉ ବୟସରେ ସାଙ୍ଗସାଥୀଙ୍କ ମେଳରେ କାଫେରେ ବସି ମଜା କରିବା କଥା, ଆମେ ମିଡିଆର ପ୍ରଶ୍ନର ଉତ୍ତର ଦେବାରେ ବ୍ୟସ୍ତ ଥାଉ। ଖାଲି ସେତିକି ନୁହେଁ, ନିଜ ସହରକୁ କିଛିଦିନ ପାଇଁ ଆସିଲେ ସାଙ୍ଗସାଥୀଙ୍କର ମଧ୍ୟ ବଡ଼ ଆଶା, ପାର୍ଟି ହେବ, ସାନିଆ ଆସିବ, ମଜା କରିବା। କିନ୍ତୁ ଅସଲ କଥାଟି ହେଲା, ତମେ ପ୍ରତିଟି ଦାୟିତ୍ବକୁ ୧୦୦ ପ୍ରତିଶତ ଠିକ୍ ଭାବେ କରିବା ସମ୍ଭବ ନୁହେଁ। ଆଉ ମହିଳାମାନଙ୍କୁ ତ ପ୍ରତି କଥାରେ କୈଫିୟତ୍ ଦେବାକୁ ପଡ଼ୁଥାଏ। ଯଦି ରେସ୍ତୋରଁାକୁ ଗଲ ୟେ କାହିଁକି ରାନ୍ଧୁନି, ଯଦି ଛୁଆ ଜନ୍ମ ନ କଲ କାହିଁକି କଲନି, ଯଦି ଗୋଟିଏ ଛୁଆ ଜନ୍ମ କଲ ଗୋଟିଏ କାହିଁକି.. ଏମିତି କେତେ ପ୍ରଶ୍ନ। ତେଣୁ ଜଣେ ସବୁକିଛି ହୋଇପାରିବନି। ଯଦି ମୁଁ ଜଣେ ଭଲ ମାଆ ହେବି, ମୁଁ ଜଣେ ଭଲ ବ୍ୟବସାୟୀ ବି ହେବି ବୋଲି କିଛି ମାନେ ନାହିଁ। ମୁଁ ୧୦ଟା ବିଭିନ୍ନ ବିଷୟରେ ଭଲ କରିପାରିବା ସମ୍ଭବ ନୁହେଁ। ତେଣୁ ମୋତେ ମୋ ପସନ୍ଦର କ୍ଷେତ୍ର ବାଛିକି ତାକୁ ଅଗ୍ରାଧିକାର ଦେବାକୁ ହେବ। ମୁଁ ଟେନିସ୍କୁ ବାଛିଲି, ନମ୍ବର ୱାନ୍ ହେଲି, ତେଣୁ ଖୁସି ଅଛି।