କୁରୁକ୍ଷେତ୍ରର ୪୮ କ୍ରୋଶ ପରିମିତ ପରିକ୍ରମା ମାର୍ଗ ମଧ୍ୟରେ ଯେଉଁ ତିନିଟି ପବିତ୍ର ସରୋବର ଅବସ୍ଥିତ, ସେମାନଙ୍କ ମଧ୍ୟରୁ ସନ୍ନିହିତ ସରୋବର ଅନ୍ୟତମ। ଏହି ସରୋବରର ଉଲ୍ଲେଖ ‘ମହାଭାରତ’ର ‘ବନପର୍ବ’‌େର ଦେଖାଯାଏ। 
“ମାସି ମାସି ନରବ୍ୟାଘ୍ର ସଂନିହତ୍ୟାଂ
ନ ସଂଶୟଃ ତୀର୍ଥ ସଂନିହନା ଦେବ
ସଂନିହତ୍ୟୋତି ବିଶ୍ରୁତା- (୮୩/୧୯୫)
ଅର୍ଥାତ୍‌, ପ୍ରତ୍ୟେକ ମାସର ଅମାବାସ୍ୟାରେ ପୃଥିବୀର ସମସ୍ତ ତୀର୍ଥ ସନ୍ନିହିତରେ ଏକତ୍ର ହୋଇଥାନ୍ତି। ସେହି ହେତୁ ଏହି ସ୍ଥାନକୁ ସନ୍ନିହତୀ କୁହାଯାଏ। ମାନ୍ୟତା ଅନୁସାରେ ଏହି ସରୋବର ସପ୍ତ ସରସ୍ୱତୀର ମିଳିତ ବିନ୍ଦୁ ହୋଇଥିବାରୁ ଏହାକୁ ସନ୍ନିହିତ କୁହାଯାଏ। 
ଏହି ସରୋବର କୁରୁକ୍ଷେତ୍ରଠାରୁ ପ୍ରାୟ ତିନି କି.ମି. ଦୂର ପେହେୱା ରୋଡ୍‌଼ରେ ଅବସ୍ଥିତ। କୁହାଯାଏ, ମହାଭାରତ ଯୁଦ୍ଧ ଶେଷରେ ପାଣ୍ଡବମାନେ ଯୁଦ୍ଧରେ ପ୍ରାଣବଳି ଦେଇଥିବା ନିଜର ଆତ୍ମୀୟସ୍ୱଜନଙ୍କର ପିଣ୍ଡଦାନ ଓ ଅନ୍ତ୍ୟେଷ୍ଟିକ୍ରିୟା ଏହିଠାରେ ସମାପନ କରିଥିଲେ। 
ଅମାବାସ୍ୟା ତିଥି ଏହି ସରୋବର ନିମିତ୍ତ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଏଠାରେ ଅମାବାସ୍ୟା ଓ ସୂର୍ଯ୍ୟୋପରାଗ ଆଦିରେ ସ୍ନାନ କଲେ ସହସ୍ର ଅଶ୍ୱମେଧ ଯଜ୍ଞର ଫଳ ମିଳେ ବୋଲି କୁହାଯାଏ। ଏପରିକି ଅତୃପ୍ତ ଆତ୍ମାମାନେ ଏହି ତିଥିରେ ଏଠାରେ ସ୍ନାନ କରି ମୋକ୍ଷ ଲାଭ କରିଥାନ୍ତି। କୁହାଯାଏ ଏହି ସରୋବର ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କର ନିତ୍ୟ ନିବାସ ଅଟେ। ଏହାର ଚତୁଃପାର୍ଶ୍ବ ଭଗବାନ ବିଷ୍ଣୁ, ଧ୍ରୁବନାରାୟଣ, ଲକ୍ଷ୍ମୀନାରାୟଣ, ଧୃବ ଭଗତ, ଶ୍ରୀହନୁମାନ, ଦେବୀ ଦୁର୍ଗା ଆଦିଙ୍କର କ୍ଷୁଦ୍ର ମନ୍ଦିର ରହିଛି। ଏଠାରେ ଅମାବାସ୍ୟାରେ ପିଣ୍ଡଦାନ କାର୍ଯ୍ୟ ହେଉଥିବାରୁ ଏହାର ଚତୁଃପାର୍ଶ୍ବ ଆଲୋକୀକରଣ କରାଯାଇଛି। ସବୁଠାରୁ ବଡ଼ କଥା ହେଉଛି, ଏହି ସରୋବର ନିକଟରେ ପ୍ରତ୍ୟେକ ଦେଶର କୌଳିକ ପଣ୍ଡାମାନେ ବସବାସ କରନ୍ତି। ବିଭିନ୍ନ ପ୍ରଦେଶରୁ ଆସିଥିବା ଯାତ୍ରୀମାନଙ୍କର ବଂଶାବଳୀର ଉଲ୍ଲେଖ ସେମାନଙ୍କ ପଞ୍ଜିକାରେ ମିଳେ। ଶିଖ ଓ ଜୈନଗୁରୁମାନେ ମଧ୍ୟ ଏହି ସରୋବରକୁ ପବିତ୍ର ରୂପେ ଗ୍ରହଣ କରିଥାନ୍ତି। ମୃତକମାନଙ୍କ ସ୍ମାରକୀର ବ୍ୟବସ୍ଥା ଏଠାରେ ରହିଛି। 
ସନ୍ନିହିତ ସରୋବରର ପବିତ୍ରତା ଉପଲବ୍‌ଧି କରି ଇଂରେଜ ଶାସନ କାଳରେ ଏହାର ସୁରକ୍ଷା ନିମିତ୍ତ ଏକ ଅଧ୍ୟାଦେଶ ଜାରି କରାଯାଇଥିଲା। ବ୍ରହ୍ମ ସରୋବର ଓ ଜ୍ୟୋତିସର ସରୋବର ସହିତ ଗୀତା ଜୟନ୍ତୀ ଉତ୍ସବ ଏଠାରେ ମଧ୍ୟ ପାଳନ କରାଯାଏ। ସେତେବେଳେ ଲକ୍ଷ ଲକ୍ଷ ଦୀପମାଳାରେ ଏହି ସରୋବର ଉଦ୍‌ଭାସିତ ହୁଏ।