‘ବୃଦ୍ଧ ବାପାମା’ଙ୍କୁ ଦେଖିବାକୁ ଘରକୁ ଫେରିପାରୁନି’

କେମିତି ଅଛନ୍ତି ପ୍ରବାସୀ ଓଡ଼ିଆ

ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଉପାନ୍ତ ବଣାଇଁ ବ୍ଲକ ଉପୁର୍ଡା ଗାଁର ଆଇଟି ଇଞ୍ଜିନିୟର ସଙ୍କେତ ମହାପାତ୍ର ସିଙ୍ଗାପୁର ଇଷ୍ଟକୋ‌ଷ୍ଟ ପାର୍କର ଆମେରିକୀୟ କମ୍ପାନୀ ‘ସେଲ୍‌ସ ଫୋର୍ସ’ରେ ସିନିୟର ଇଞ୍ଜିନିୟରଂ ଭାବେ କାମ କରନ୍ତି। ପତ୍ନୀ ଓ ପିଲାଙ୍କ ସହ ଗତ ୬ ବର୍ଷ ଧରି ସେଠାରେ ରହୁଛନ୍ତି। ମହାମାରୀ କରୋନା ପାଇଁ ସମଗ୍ର ବିଶ୍ବ ଲଢ଼ୁଥିବାବେଳେ ‘ସମ୍ବାଦ’କୁ ସେଠାକାର ସ୍ଥିତି ସମ୍ପର୍କରେ ନିଜର ଅନୁଭୂତି ବଖାଣିଛନ୍ତି।

ସଙ୍କେତ କହିଛନ୍ତି, ‘ କେବଳ ସେ ନୁହେଁ ଅନେକ ପ୍ରବାସୀ ଓଡ଼ିଆ ବିଭିନ୍ନ କମ୍ପାନୀରେ କାମ କରୁଛନ୍ତି। ଲକ୍‌ଡାଉନ୍‌ ପରେ ଘରକୁ ଯିବା ଚାହିଁଥିଲେ ହେଁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ଥିବାରୁ ଫେରିପାରି ନାହାନ୍ତି। କରୋନା ପରେ ଗତ ଫେବ୍ରୁଆରି ପ୍ରଥମ ସପ୍ତାହରୁ ସିଙ୍ଗାପୁରର ସମସ୍ତ କମ୍ପାନୀକୁ ବନ୍ଦ କରି ଦିଆଯାଇଛି। କର୍ମଚାରୀଙ୍କୁ ଘରେ ବସି କାମ କରିବାକୁ କୁହାଯାଇଛି। ତାଙ୍କ କମ୍ପାନୀରେ ଦୁଇ ଜଣ ଓଡ଼ିଆଙ୍କ ସମେତ ହଜାରରୁ ଅଧିକ କର୍ମଚାରୀ ଗୃହାବଦ୍ଧ ହୋଇ କାମ କରୁଛନ୍ତି। କମ୍ପାନୀର ସମସ୍ତ କର୍ମଚାରୀଙ୍କ ସୁବିଧା ଅସୁବିଧାକୁ ପ୍ରାଥମିକତା ଦେଉଛନ୍ତି। କମ୍ପାନୀର ଅଧିକାରୀମାନେ ସୁରକ୍ଷିତ ରହିବାକୁ ସମସ୍ତଙ୍କୁ ପରାମର୍ଶ ଦେଉଛନ୍ତି। ଚୀନ, ବାଙ୍ଗଲାଦେଶ ଆଦି ଦେଶରେ କାମ କରୁଥିବା ଶହ ଶହ ସିଙ୍ଗାପୁର ଲୋକ ନିଜ ସହରକୁ ଫେରି ଆସିବା ପରେ ସଂକ୍ରମଣ ସଂଖ୍ୟା ବଢ଼ି ଯାଇଛି। ଆଶ୍ରୟସ୍ଥଳୀରେ ଏକାଧିକ ଶ୍ରମିକଙ୍କୁ ରଖାଯିବା ପରେ ସ୍ଥିତି ଆହୁରି ସଙ୍ଗିନ୍‌ ହୋଇଛି। ଦିନକୁ ପ୍ରାୟ ୯୦୦ରୁ ଅଧିକ କରୋନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ସଂକ୍ରମଣ ରୋକିବାକୁ ଆସନ୍ତା ‌ମେ ୪ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସିଙ୍ଗାପୁର ସହରକୁ ଲକ୍‌ଡାଉନ୍‌ ଘୋଷଣା କରି ଦିଆଯାଇଛି। ଆଜି ଠାରୁ ସମସ୍ତ ନିର୍ମାଣକାରୀ ସଂସ୍ଥାକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି’

ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଘରେ ଥିବା ବୃଦ୍ଧା ମା ବାପାଙ୍କୁ ଦେଖିବାକୁ ଘରକୁ ଆସିବାକୁ ଚାହୁଁଥିଲେ ହେଁ ସମ୍ଭବ ହୋଇ ପାରୁନାହିଁ। କେବଳ ଭିଡିଓ କଲ୍‌ ଜରିଆରେ ବାପା ମାଙ୍କ କଥା ହେଉଛନ୍ତି ବୋଲି କହିଛନ୍ତି ସଙ୍କେତ।

(ସିଙ୍ଗାପୁରରେ ରହୁଥିବା ଆଇଟି ଇଞ୍ଜିନିୟର ସଙ୍କେତ ମହାପାତ୍ରଙ୍କ ସହ କଥା ହୋଇଥିଲେ ‘ସମ୍ବାଦ’ ରାଉରକେଲା ଜିଲ୍ଲା ପ୍ରତିନିଧି ମଳୟ ରଞ୍ଜନ ସାହୁ)

ସମ୍ବନ୍ଧିତ ଖବର