ସଇଁତିରିଶ ବର୍ଷ ପୂର୍ବେ ସନ୍ତୋଷିନୀ ମିଶ୍ର ପରିବାର ପ୍ରତିପୋଷଣ ପାଇଁ ଏକ କ୍ୟାଟରିଂ ବ୍ୟବସାୟ ଆରମ୍ଭ କରିଥିଲେ। ସେତେବେଳେ ଜଣେ ମହିଳାଙ୍କ ପକ୍ଷେ ଏହି ବ୍ୟବସାୟ କରିବା ଏତେ ସହଜ ନଥିଲା। କାରଣ ଏହା ମୁଖ୍ୟତଃ ଏକ ପୁରୁଷକୈନ୍ଦ୍ରିକ ବ୍ୟବସାୟ। ସେତେବେଳେ ମହିଳାମାନଙ୍କୁ ଘର ବାହାରେ କାମ କରିବାର ଅନୁମତି ମିଳୁନଥିଲା। କିନ୍ତୁ ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ଏହି ବ୍ୟବସାୟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ସମ୍ବଲପୁର ସହର ଝାଡ଼ୁଆପଡ଼ାର ସନ୍ତୋଷିନୀ ମିଶ୍ର। ୭୫ ବର୍ଷରେ ସନ୍ତୋଷିନୀ ଆଜି ବି ବେଶ୍ କର୍ମଚଞ୍ଚଳ। ଏବେ ସେ ସମ୍ବଲପୁର ସହରରେ ସବୁଠୁ ବେଶୀ ଖୋଜାଯାଉଥିବା ରାନ୍ଧୁଣିଆ। ବିବାହ, ଜନ୍ମଦିନ ହେଉକି ଗଙ୍ଗାଭୋଜି ସମସ୍ତେ ତାଙ୍କୁ ହିଁ ଖୋଜନ୍ତି। ସ୍ଥାନୀୟ ଅଞ୍ଚଳରେ ‘ମାମା’ ଭାବେ ପରିଚିତା ସନ୍ତୋଷିନୀଙ୍କ ଦଳରେ ୧୦୦ରୁ ଅଧିକ ସଦସ୍ୟ ଅଛନ୍ତି। ତନ୍ମଧ୍ୟରୁ ଅଧିକାଂଶ ମହିଳା। ବିବାହ ଋତୁରେ ସେ ଗୋଟିଏ ଦିନରେ ଅତିକମ୍ରେ ୪ଟି ଭୋଜି ଅର୍ଡର ଗ୍ରହଣ କରନ୍ତି। ସନ୍ତୋଷିନୀ ଖାଦ୍ୟ ପ୍ରସ୍ତୁତି ଓ ବ୍ୟବସ୍ଥାର ତଦାରଖ କରୁଥିବା ବେଳେ ତାଙ୍କ ଦୁଇପୁଅ ଏଥିରେ ତାଙ୍କୁ ସହଯୋଗ କରିଥାନ୍ତି।
ସନ୍ତୋଷିନୀ କୁହନ୍ତି, ସେ ରୋଷେଇ କରିବାକୁ ଭଲ ପାଉଥିବାରୁ ଏହି ବ୍ୟବସାୟକୁ ବାଛିଥିଲେ। ସେ ତାଙ୍କ ମାଆଙ୍କଠାରୁ ରୋଷେଇ କଳା ଶିଖିଥିଲେ। ବାହାହେଲା ବେଳକୁ ସେ ଜଣେ ଦକ୍ଷ ରାନ୍ଧୁଣୀ ହୋଇସାରିଥିଲେ। ପରିବାରର ବିଭିନ୍ନ ସମାବେଶରେ ୩୦ରୁ ୪୦ଜଣଙ୍କ ପାଇଁ ରୋଷେଇ କରିପାରୁଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ସ୍ବାମୀ ଯେତେବେଳେ ହୃଦ୍ରୋଗରେ ଆକ୍ରାନ୍ତ ହେଲେ ପରିବାର ପ୍ରତିପୋଷଣ ପାଇଁ ସନ୍ତୋଷିନୀଙ୍କୁ ରୋଷେଇକୁ ଏକ ବୃତ୍ତି ଭାବେ ଗ୍ରହଣ କରିବାକୁ ପଡ଼ିଲା। ୩୮ ବର୍ଷ ବୟସରେ ସେ ଏକ ଛୋଟ କ୍ୟାଟରିଂ ଦଳ ଗଠନ କରି ବିବାହ ଭୋଜି ସହିତ ଅର୍ଡର ନେବା ଆରମ୍ଭ କଲେ। ତା’ ପରେ ସେ ଆଉ ପଛକୁ ଚାହିଁ ନାହାନ୍ତି।
ଗତ ୩୭ ବର୍ଷ ମଧ୍ୟରେ, ସେ ଏକକ ଭାବରେ ଏହି ବ୍ୟବସାୟ ଚଳାଇବା ସହ ଏଥିରୁ ଉପାର୍ଜିତ ଅର୍ଥରେ ପରିବାର ପ୍ରତିପୋଷଣ, ଦୁଇ ପୁଅଙ୍କ ଶିକ୍ଷା ଓ ସ୍ବାମୀଙ୍କ ଚିକିତ୍ସା କରିବାକୁ ସକ୍ଷମ ହୋଇଥିଲେ। ୨୦୧୨ ମସିହାରେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ବି ଏହା ଜାରି ରହିଛି।
ସନ୍ତୋଷିନୀ କହନ୍ତି, ମୁଁ ବିଭିନ୍ନ ସ୍ଥାନକୁ ଯାଇ ଭୋଜି ରୋଷେଇ କରୁଥିବାରୁ ମୁଁ ଓ ମୋ ପରିବାର ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲୁ। ଗୋଟିଏ ସମୟରେ ମୋ ପୁଅମାନଙ୍କ ପାଇଁ ଉପଯୁକ୍ତ କନ୍ୟା ଖୋଜିବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼ିଥିଲା। ଲୋକେ ଝିଅ ଦେବାକୁ ରାଜି ହେଉନଥିଲେ। କିନ୍ତୁ ମୁଁ ସେକଥାକୁ ଖାତିର କରିନଥିଲି। କାରଣ ଏହି ବ୍ୟବସାୟ ବଳରେ ହିଁ ମୋ ପିଲାମାନେ ପାଠପଢ଼ି ପାରିଛନ୍ତି। ଆମେ ଅଭାବ ଅନାଟନକୁ ମୁକାବିଲା କରିପାରିଛୁ। ଆଜି ପୁଅମାନେ ଏହି କାମଛାଡ଼ି ବିଶ୍ରାମ ନେବାକୁ ମୋତେ କହୁଛନ୍ତି। ମାତ୍ର ମୋ ଶରୀର ଅନୁମତି ଦେବା ପର୍ଯ୍ୟନ୍ତ ଏହି କାମ ଛାଡ଼ିବି ନାହିଁ।
ମୁରଲୀଧର ସେଠୀ