ସନ୍ତୁର ବାଦ୍ୟ ସାଧନାର ବିଶେଷତ୍ୱ ହେଉଛି ଏଥିରେ କେବଳ ଗୋଟିଏ ମାତ୍ର ଘରାନା ରହିଛି। ଯାହାକି କଶ୍ମୀର ସୁଫିୟାନା ଘରାନା ଭାବରେ ବିଶ୍ୱବିଖ୍ୟାତ। ସନ୍ତୁର ବାଦ୍ୟର ସୁଫିୟାନା ସାଧନା ପରିବେଷଣ ମାଧ୍ୟମରେ ଈଶ୍ୱରଙ୍କ ସହିତ ତାଳ ଓ ଲୟରେ ଏକ ସୁମଧୁର ସମ୍ପର୍କ ଓ ସଂଯୋଗ ସ୍ଥାପନ କରାଯାଏ। କଶ୍ମୀର ଘରାନା ହେଉଛି ‘ମୋହର୍‌ ବନ୍ଦ୍‌ ଘରାନା’ ଯାହା ଅନ୍ୟ କୌଣସି ଘରାନା ସଂଗୀତରେ ଦେଖାଯାଏନି। ସନ୍ତୁରରୁ ସୃଷ୍ଟି ହେଉଥିବା ଶବ୍ଦ ଓ ସ୍ୱର ଦୂର ଦିଗନ୍ତ ବିସ୍ତାରୀ ଅସୀମ ଦିଗ୍‌ବଳୟରେ ବିଚରଣ କରି ପ୍ରତିଧ୍ୱନିତ ହୋଇ ବିଭୁ ପଦାରବିନ୍ଦରେ ଲୀନ ହୋଇଯାଏ। ସନ୍ତୁର ସାଧକ ସବୁବେଳେ ଉଜ୍ଜ୍ବଳ ସଫେଦ୍‌ ମୁଲାୟମ୍‌ ବସ୍ତ୍ର ପରିଧାନ କରିବା ସହିତ ମଖ୍‌ମଲ୍‌ ଭେଲ୍‌ଭେଟ୍‌ ଚାଦର ଉପରେ ବସି ସନ୍ତୁର ବାଦ୍ୟ ପରିବେଷଣ କରନ୍ତି। ଏହି ପରମ୍ପରା ଅନ୍ୟକୌଣସି ସଂଗୀତ ଓ ବାଦ୍ୟଯନ୍ତ୍ର ସାଧନାରେ ଦେଖିବାକୁ ମିଳିନଥାଏ। ବର୍ତ୍ତମାନ ଏହି ପରମ୍ପରା ଓ ସାଧନା ହୁଏତ ମାତ୍ର କିଛିବର୍ଷ ମଧ୍ୟରେ ଲୋପ ପାଇଯିବାର ପରିସ୍ଥିତି ସୃଷ୍ଟି ହୋଇଯାଇଛି। ଏନେଇ ଏଥର ସୁଶ୍ରୀ ପୃଷ୍ଠାର ସ୍ବତନ୍ତ୍ର ପ୍ରତିବେଦନ... 

Advertisment

ସନ୍ତୁର ସାଧିକା ବର୍ଷା
ଭାରତର ପ୍ରସିଦ୍ଧ ସନ୍ତୁର ସାଧିକା ଡକ୍ଟର ବର୍ଷା ଅଗ୍ରୱାଲ ଭାରତର ପ୍ରଥମ ମହିଳା ସନ୍ତୁର ବାଦିକା ଭାବେ ବିଶ୍ବର ୬୨ଟି ରାଷ୍ଟ୍ରରେ ସନ୍ତୁର ବାଦ୍ୟ ପରିବେଷଣ କରି ଅନେକ ଯଶଖ୍ୟାତି ସାଉଣ୍ଟିଛନ୍ତି। ତାଙ୍କଦ୍ୱାରା ସନ୍ତୁର ବାଦ୍ୟରେ ‘କଲ୍‌ ଅଫ୍‌ ଦି ହିଲ୍‌ସ’ ନାମରେ ବିଭିନ୍ନ ରାଜ୍ୟକୁ ନେଇ ପରିବେଷଣ ଓ ପ୍ରସ୍ତୁତ ହୋଇଥିବା ‘ଆଲ୍‌ବମ୍‌’ ପାଇଁ ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ଇରାନ, ଫ୍ରାନ୍ସ ଓ ଇଉରୋପୀୟ ଦେଶ ସମୂହରେ ଅନେକ ମାନସମ୍ମାନ ତଥା ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି। ୨୦୧୮ ମସିହାରେ କେନ୍ଦ୍ର ସରକାରଙ୍କ ମହିଳା ସଶକ୍ତୀକରଣ ଓ ଶିଶୁ ବିକାଶ ତଥା ସଂସ୍କୃତି ମନ୍ତ୍ରଣାଳୟ ସହିତ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି।  

ସନ୍ତୁର ଶିକ୍ଷା ତଥା ସନ୍ତୁର ଓ ସୁଫିୟାନା ସଂଗୀତକୁ ନେଇ ବର୍ଷା ଅଗ୍ରୱାଲ କହନ୍ତି, “ମୋର ସଂଗୀତ ପ୍ରତି ପିଲାବେଳରୁ ଆଗ୍ରହ ଥିଲା। ଆମ ପରିବାର ନିକଟତର ଥିଲେ ପଣ୍ଡିତ ଲଳିତ ମୋହନ। ସେ ସନ୍ତୁର ସାଧନା କରୁଥିଲେ। ସନ୍ତୁର ପ୍ରତି ମୋର ଦୁର୍ବଳତା ବଢ଼ିଲା ଏବଂ ମୁଁ ସନ୍ତୁର ଶିକ୍ଷା ପାଇଁ ତାଙ୍କୁ କହିଲି। ସେ ମୋତେ କହିଲେ, ‘ସନ୍ତୁର ଶିଖିବାକୁ ହେଲେ ପ୍ରଥମେ ଶାସ୍ତ୍ରୀୟ ସଂଗୀତର ଗାଆଁ କଳା ଓ ତବଲା ସାଧନା କରିବାରେ ପାରଙ୍ଗମତା ନିତାନ୍ତ ଆବଶ୍ୟକ। ଏହା ବ୍ୟତୀତ ସନ୍ତୁର ସାଧନା ହୋଇପାରିବ ନାହିଁ। ମୁଁ ତାଙ୍କୁ ଗୁରୁ ଭାବେ ଗ୍ରହଣ କରି ମୋର ସାଧନା ଆରମ୍ଭ କରିଥିଲି। ମୋର ସୌଭାଗ୍ୟରୁ ଦିନେ ଆମର ଜଣେ ପାରିବାରିକ ବନ୍ଧୁଙ୍କ ଘରକୁ ପ୍ରସିଦ୍ଧ ସନ୍ତୁର ସାଧକ ପଣ୍ଡିତ ଭଜନ ସୁପରି ଆସିଥିଲେ। ମୋତେ ତାଙ୍କ ସହିତ ମିଶିବାର ସୌଭାଗ୍ୟ ମିଳିଲା। ମୋ ଗୁରୁ ଲଳିତ ମୋହନଙ୍କୁ ମଧ୍ୟ ସେ ଭେଟିବାର ପ୍ରସ୍ତୁତି ଥିଲା। ତେଣୁ ଆମେ ଉଭୟ ଗୋଟିଏ ସମୟରେ ପଣ୍ଡିତ ସୁପରିଙ୍କୁ ଭେଟିଲୁ। ସେ ମୋତେ ସନ୍ତୁର ବଜାଇବାକୁ କହିଲେ ଏବଂ ମୁଁ ବଜାଇଲି। ସେ ମୋ ପ୍ରତି ଅତ୍ୟନ୍ତ ଆଗ୍ରହ ଦେଖାଇ କହିଲେ, ପଣ୍ଡିତ ମୋହନଜୀ ମୁଁ ବର୍ଷାକୁ ସନ୍ତୁର ସାଧନା ଶିକ୍ଷା ଦେବି। ମୋ ଗୁରୁ ମୋହନଜୀ କହିଲେ ଏହା ବହୁତ ଗର୍ବର କଥା। ସେହିଦିନ ମୋ ଜୀବନର ଗୋଟିଏ ମୋଡ଼ ଆସିଥିଲା ଯାହା ମୋ ସନ୍ତୁର ସାଧନା ଜୀବନର ଗତିପଥକୁ ସମ୍ପୂର୍ଣ୍ଣ ବଦଳାଇଦେଇଥିଲା ଏବଂ ମୁଁ ଆଉ ପଛକୁ ଫେରି ଦେଖିବାର ସୁଯୋଗ ପାଇନଥିଲି। ମୁଁ ସନ୍ତୁର ସାଧନାରେ ସଂପୂର୍ଣ୍ଣ ନିମଗ୍ନ ହୋଇଗଲି।

 ସନ୍ତାପିତ ସନ୍ତୁରର ସୁରକ୍ଷା
ସମଗ୍ର ବିଶ୍ୱରେ କଶ୍ମୀର ଏହାର ଆକର୍ଷଣୀୟ ପ୍ରାକୃତିକ ଦୃଶ୍ୟ, ଚିତ୍ତାକର୍ଷକ କଳା ସଂସ୍କୃତି ଏବଂ ଐତିହ୍ୟ ତଥା ସମୃଦ୍ଧ ସଙ୍ଗୀତ ପାଇଁ ଯେତିକି ପ୍ରସିଦ୍ଧ, ସନ୍ତୁର ବାଦ୍ୟଯନ୍ତ୍ରକୁ ନେଇ ତା’ଠାରୁ ଯଥେଷ୍ଟ ଅଧିକ ସ୍ୱତନ୍ତ୍ର ସୁଖ୍ୟାତି ରହିଛି। ଅଳ୍ପଲୋକ ଏହା ଜାଣନ୍ତି। ସମଗ୍ର ଭାରତରେ ସନ୍ତୁର ବାଦ୍ୟଯନ୍ତ୍ର ନିର୍ମାଣ ଓ ପ୍ରସ୍ତୁତ କେବଳ ଶ୍ରୀନଗରରେ (କଶ୍ମୀର) ହିଁ ହୋଇଥାଏ।  ସନ୍ତୁର ବାଦ୍ୟଯନ୍ତ୍ର ଯାହା ପାରମ୍ପରିକ ସଙ୍ଗୀତର ଏକ ଚିରସ୍ଥାୟୀ ପ୍ରତୀକ। ଯଦିଓ ଇରାନ ଓ ଫ୍ରାନ୍ସରେ ସନ୍ତୁର ବାଦ୍ୟଯନ୍ତ୍ର ନିର୍ମାଣ ହୁଏ କିନ୍ତୁ କଶ୍ମୀରରେ ପ୍ରସ୍ତୁତ ହେଉଥିବା ସନ୍ତୁର ବାଦ୍ୟର ସ୍ୱର ସମ୍ପୂର୍ଣ୍ଣ ନିଆରା। ଭାରତୀୟ ସନ୍ତୁର ବାଦ୍ୟରୁ ସୃଷ୍ଟି ହେଉଥିବା ସ୍ୱତନ୍ତ୍ର ଓ ବିରଳ ସୁମଧୁର ସ୍ୱରକୁ ଇରାନ ଓ ଫ୍ରାନ୍ସ ସନ୍ତୁର ଆଜିବି ଧରିରଖି ପାରିନାହିଁ। ସେଥିପାଇଁ ଭାରତୀୟ ସନ୍ତୁର ବାଦ୍ୟର ଆଦର ଓ ଚାହିଦା ବିଶ୍ବବ୍ୟାପୀ ସର୍ବତ୍ର ରହିଛି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହି ସନ୍ତୁର ବାଦ୍ୟଯନ୍ତ୍ର ପ୍ରସ୍ତୁତି ଓ ନିର୍ମାଣ ବର୍ତ୍ତମାନ ଲୋପ ପାଇବାକୁ ବସିଲାଣି। ସମଗ୍ର କଶ୍ମୀର ଉପତ୍ୟକାରେ ଆଜି କେବଳ ଜଣେ କାରିଗରଙ୍କୁ ଛାଡ଼ିଦେଲେ ଅନ୍ୟକେହି ଭାରତୀୟ ସନ୍ତୁର ନିର୍ମାଣ କରୁନାହାନ୍ତି। ଜଣେ ବ୍ୟକ୍ତି ଏହି କାରିଗରୀରେ ପାରଙ୍ଗମ, ସେ ହେଉଛନ୍ତି ୮୦ ବର୍ଷ ବୟସ୍କ ଗୁଲାମ ମହମ୍ମଦ ଜାଜ୍‌। ଏହି ଅନନ୍ୟ କାର୍ଯ୍ୟ ପାଇଁ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯାଇଛି।
“ଶାସ୍ତ୍ରୀୟ କଶ୍ମୀରୀ ସଙ୍ଗୀତର ଏକ ଧାରା ‘ସୁଫିୟାନା କାଲାମ୍‌ ଓ ଘରାନା’ରେ ପାରମ୍ପରିକ ଭାବରେ ସନ୍ତୁର ବାଦ୍ୟ ବିନା ଏହାର ପରିବେଷଣ ହୋଇପାରିବ ନାହିଁ। ସନ୍ତୁର ଶାସ୍ତ୍ରୀୟ ସଙ୍ଗୀତର ଏକ ସ୍ୱତନ୍ତ୍ର ବାଦ୍ୟର ପ୍ରତୀକ ଅଟେ। ଭାରତୀୟ ସନ୍ତୁର କଶ୍ମୀର ମଲ୍‌ବେରି(ତୁତ୍‌ ଗଛ) କାଠରେ ନିର୍ମିତ। ବିଶ୍ୱାସ କରାଯାଏ ଏହି କାଠ ହିଁ ଏହାକୁ ଅଦ୍ୱିତୀୟ କରି ଗଢ଼ି ତୋଳିଛି। ଯାହାକି ଇରାନ ଓ ଫ୍ରାନ୍ସ ସନ୍ତୁର ବାଦ୍ୟରେ ଦେଖିବାକୁ ମିଳେନି। କଶ୍ମୀର ସନ୍ତୁର ବିଶ୍ୱ ବାଦ୍ୟଯନ୍ତ୍ରକୁ ଏକ ବିରଳ ଦାନ। ଏହାକୁ ଅଧିକ ଆକର୍ଷଣୀୟ କରି ପ୍ରସ୍ତୁତ କରିବାରେ ଶିବ କୁମାର ଶର୍ମା ଓ ଭଜନ ସୋପାରିଙ୍କ ମଧ୍ୟ ଯଥେଷ୍ଟ ଅବଦାନ ରହିଛି। ଉଭୟ କଶ୍ମୀର ସନ୍ତୁରରେ ନୂତନତା ଭରିଦେଇ ଏହାକୁ ଅଧିକ ଆଧୁନିକ ଶୈଳୀରେ ପରିବେଷଣ କରି ପୃଥିବୀର କୋଣ ଅନୁକୋଣରେ ଆଦୃତ କରାଇଥିଲେ” ବୋଲି ଗୁଲାମ ଜାଜ୍‌ କହିଛନ୍ତି।

ଶ୍ରୀନଗରର ଐତିହାସିକ ଯାଇନା କାଦଲ ଅଞ୍ଚଳର ବାସିନ୍ଦା ଗୁଲାମ ମହମ୍ମଦ ଜାଜ୍‌ ପଦ୍ମଶ୍ରୀ ପାଇବା ପରେ ନିଜର ପ୍ରତିକ୍ରିୟାରେ କହିଛନ୍ତି “ବିଗତ ବର୍ଷର ସରକାରମାନେ ଯଦି ଏଥିପ୍ରତି ଧ୍ୟାନ ଦେଇଥା’ନ୍ତେ ତେବେ ହୁଏତ ଭାରତୀୟ ସନ୍ତୁର ନିର୍ମାଣ ଓ ପ୍ରସ୍ତୁତି ଆଜି ଲୋପ ପାଇବାକୁ ବସିନଥା’ନ୍ତା। ମୁଁ ଖୁସି ବର୍ତ୍ତମାନ ସରକାର ଏହାକୁ ବୁଝିପାରି ମୋତେ ସମ୍ମାନିତ କରିଛନ୍ତି। ଯେଉଁ ସମୟରେ ମୋ ବାପା ଓ ତାଙ୍କ ଜେଜେବାପାଙ୍କ ଭଳି ଆଠ ପିଢ଼ି ପରେ ପିଢ଼ି ଏହି ବାଦ୍ୟକୁ ନିର୍ମାଣ କରୁଥିଲେ ସେମାନେ ଆଜି ନିଶ୍ଚିତ ଖୁସି ହେଉଥିବେ”। ୧୯୫୩  ମସିହାରେ ବାର ବର୍ଷର ବାଳକ ଭାବରେ ନିଜ ପରିବାରର ଗୁରୁମାନଙ୍କ ଅଧୀନରେ ଶିକ୍ଷାଦାନ ଆରମ୍ଭ କରିଥିଲି। ସନ୍ତୁର ପ୍ରସ୍ତୁତି ଓ ପରିବେଷଣ କରିବାରେ ବିଶ୍ୱ ଗୁରୁ ରୂପେ ପରିଚିତ ଶିବ କୁମାର ଶର୍ମା ଓ ଭଜନ ଲାଲ୍‌ ସୋପୋରିଙ୍କ ପରି ବ୍ୟକ୍ତିଙ୍କ ଅଧୀନରେ ଏହି ବାଦ୍ୟର କଳାକୌଶଳର ତାଲିମ ନେଇଥିଲି। କିନ୍ତୁ ବିଶ୍ୱବିଖ୍ୟାତ ସନ୍ତୁର ବାଦ୍ୟ ଏନ୍ତୁଡ଼ିଶାଳରେ ମୁଁ ଆଜି ଆମ ପାରିବାରିକ ପରମ୍ପରାର ଶେଷ ପିଢ଼ିର ସାକ୍ଷୀ ଭାବେ କଶ୍ମୀର ଉପତ୍ୟକାରେ ଛିଡ଼ା ହୋଇଛି। ମୋର ତିନି ଝିଅ ସେମାନେ ସମସ୍ତେ ଅନ୍ୟ ବୃତ୍ତି ଓ ପେଶାରେ ମନୋନିବେଶ କରିସାରିଛନ୍ତି। ମୋର ସମସ୍ତ ସମ୍ପର୍କୀୟ ସନ୍ତୁର ପ୍ରସ୍ତୁତିର କଠିନ କଳାକୁ ଅନୁସରଣ କରିବାକୁ ପ୍ରସ୍ତୁତ ନୁହନ୍ତି। ତଥାପି ମୁଁ ଆଶାବାଦୀ କଶ୍ମୀର ଉପତ୍ୟକାରେ ଭାରତୀୟ ସନ୍ତୁର ନିର୍ମାଣ ଓ ପ୍ରସ୍ତୁତ କଳାର ଲୋପ ହେବନାହିଁ। ମୋ ଜିବଦ୍ଦଶାରେ ଦିନେ କେହି ଜଣେ ଆଗକୁ ଆସି ଭାରତୀୟ ସନ୍ତୁରକୁ ସଂରକ୍ଷଣ କରିବେ ଏବଂ ଭବିଷ୍ୟତ ପିଢ଼ି ପାଇଁ ଏହାକୁ ଜୀବନ୍ତ ରଖିବେ। ଭାରତୀୟ ସନ୍ତୁର କଶ୍ମୀର ଉପତ୍ୟକାକୁ ଛାଡ଼ିଦେଲେ ଭାରତର ଅନ୍ୟ କେଉଁଠାରେ ପ୍ରସ୍ତୁତ ଓ ନିର୍ମାଣ ହୁଏନାହିଁ କିମ୍ବା ବିଦେଶରେ ତିଆରି ବାଦ୍ୟଯନ୍ତ୍ରରୁ ଭାରତୀୟ ସନ୍ତୁରର ସୁମଧୁର ରାଗିଣୀ ସ୍ଫୁରିବ ନାହିଁ। ଏହି ଅବସରରେ ଡ. ବର୍ଷା ଅଗ୍ରୱାଲ୍‌ ଓ ଅନ୍ୟମାନେ ଏହାର ନିର୍ମାଣ କଳାକୁ ବଞ୍ଚେଇ ରଖିବା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ଏକ ଆବେଗଭରା ଅନୁରୋଧ କରିଛନ୍ତି। ଆଶା କରିବା ଶତତନ୍ତ୍ରୀ ବୀଣାର ରାଗିଣୀ କଦାଚ ନିରବି ଯିବନାହିଁ।
ସ୍ବତନ୍ତ୍ର ଉପସ୍ଥାପନ‌ା: ବିଭୂତି ପତି