ଶ୍ରୀଗୁଣ୍ଡିଚା ଯାତ୍ରା ଶ୍ରୀଜଗନ୍ନାଥଙ୍କର ସାମ୍ବତ୍ସରିକ ରଥୋତ୍ସବ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ରଥରେ ଆସି, ଶ୍ରୀଜଗନ୍ନାଥାଦି ତୃତୀୟା ଦିନ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରନ୍ତି। ଶୁକ୍ଳ ଦଶମୀ ଦିନ ଅନୁଷ୍ଠିତ ହୁଏ ତାଙ୍କର ବାହୁଡ଼ା ଯାତ୍ରା। ଏଣୁ ସାଧାରଣତଃ ଶ୍ରୀଗୁଣ୍ଡିଚା ମନ୍ଦିରରେ ତାଙ୍କର ଅବସ୍ଥାନ କାଳ ତୃତୀୟାଠାରୁ ନବମୀ ପର୍ଯ୍ୟନ୍ତ, ସାତ ଦିନ।

Advertisment

‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମକ୍ଷେତ୍ରମାହାତ୍ମ୍ୟ’ରେ ଏହାକୁ କୁହାଯାଇଛି ‘ମହାବେଦୀ ମହୋତ୍ସବ’। ସେ ସଂପର୍କରେ ବର୍ଣ୍ଣନା ଅଛି- ଏହି ମହାବେଦୀ ମହୋତ୍ସବ ସମୟରେ ରଥାରୂଢ଼ ହୋଇ ଯାଉଥିବା ଜଗନ୍ନାଥଙ୍କୁ ଯେଉଁମାନେ ଆନନ୍ଦପୂର୍ବକ ଭକ୍ତିଭାବରେ ଦର୍ଶନ କରନ୍ତି, ସେମାନେ ହରିଙ୍କ ପଦାରବିନ୍ଦରେ ବାସ କରନ୍ତି। ମହାବେଦୀକୁ ଗମନ କାଳରେ ରଥାରୂଢ଼ ପୁରୁଷୋତ୍ତମ, ବଳଦେବ ଓ ସୁଭଦ୍ରାଙ୍କୁ ଦର୍ଶନ କରି ମାନବ ଯେ କୋଟିଜନ୍ମାର୍ଜିତ ପାପରାଶିକୁ ବିନଷ୍ଟ କରିଥାଏ, ଏଥିରେ ବିନ୍ଦୁମାତ୍ର ବିଚାର କରିବାର ନାହିଁ। ଯେଉଁ ସମସ୍ତ ବ୍ୟକ୍ତି ଦାରୁମୟ ସନାତନ ବ୍ରହ୍ମଙ୍କୁ ରଥରେ ଯାତ୍ରା କଲାବେଳେ ଦର୍ଶନ କରନ୍ତି, ସେମାନଙ୍କୁ ଅଶ୍ୱମେଧ ଯଜ୍ଞର ଫଳ ପ୍ରାପ୍ତି ହୋଇଥାଏ।

ବିନ୍ଦୁସାଗରର ଏହି ତଟଦେଶ ହେଉଛି ଶ୍ରୀଗୁଣ୍ଡିଚା ମନ୍ଦିର ବା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସମୟର ଯଜ୍ଞବେଦୀ। ଶାସ୍ତ୍ରୋକ୍ତି ରହିଛି ଯେ ତାଙ୍କର ସହସ୍ର ଅଶ୍ୱମେଧ ଯଜ୍ଞର ଅଶ୍ୱମାନଙ୍କର କ୍ଷୁରାଘାତରୁ ସେହି ସରୋବରର ସୃଷ୍ଟି। ଏଣୁ ‘ସ୍କନ୍ଦପୁରାଣ’ର ଚତୁଃତ୍ରିଂଶ ଅଧ୍ୟାୟରେ ଉଲ୍ଲେଖ ଅଛି- ଏହି ବିନ୍ଦୁତୀର୍ଥ ତଟକୁ ଗମନ କରି ଭଗବାନ ଜନାର୍ଦ୍ଦନ ସେଠାରେ ସପ୍ତଦିବସ ଅବସ୍ଥାନ କରନ୍ତି। ପୂର୍ବକାଳରେ ସେ (ଶ୍ରୀଜଗନ୍ନାଥ) ସ୍ୱୟଂ, ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ବର ଦେଇ କହିଥିଲେ- ହେ ରାଜେନ୍ଦ୍ର! ମୁଁ ପ୍ରତିବର୍ଷ ସେହି ବିନ୍ଦୁତୀର୍ଥର ତୀରଭାଗରେ ସପ୍ତଦିନ ବ୍ୟାପୀ ଅବସ୍ଥାନ କରିବି। ମୋର ଅବସ୍ଥାନ ଯୋଗୁଁ ସମସ୍ତ ତୀର୍ଥ ସେଠାରେ ଅବସ୍ଥାନ କରିବେ। ଏହି ଶାସ୍ତ୍ରୋକ୍ତି ସୂଚାଏ, ଯେଉଁ ସାତଦିନ ଶ୍ରୀଜଗନ୍ନାଥାଦି ଦେବତା ସେଠାରେ ଅବସ୍ଥାନ କରନ୍ତି, ସେହି ସାତଦିନ ସମସ୍ତ ତୀର୍ଥ ସେଠାରେ ଅବସ୍ଥାନ କରିଥାନ୍ତି। ଏଣୁ ଏହି ମହାବେଦୀ ମହୋତ୍ସବ ପରମ ପବିତ୍ର।