ସମଗ୍ର ବଡ଼ଦାଣ୍ଡ ଏକ ପ୍ରଶସ୍ତ ବାଲିର ଦାଣ୍ଡ। ଏ ଦାଣ୍ଡର ଗୋଟିଏ ମୁଣ୍ଡରେ ଶ୍ରୀମନ୍ଦିର। ଆର ମୁଣ୍ଡରେ ଗୁଣ୍ଡିଚା ମନ୍ଦିର। ରଥଗୁଡ଼ିକର ଦକ୍ଷିଣମୂର୍ତ୍ତି ବା ଦକ୍ଷିଣୀ ମୋଡ଼ ହେବାପାଇଁ ଅଧିକ ଜାଗା ଆବଶ୍ୟକ। ଏଣୁ ଗୁଣ୍ଡିଚା ଘରଠାରେ ବଡ଼ଦାଣ୍ଡର ଏହି ଅଂଶ ସିଂହଦ୍ୱାର ଅଞ୍ଚଳ ଅପେକ୍ଷା ଅଧିକ ପ୍ରଶସ୍ତ। ବଡ଼ଶଙ୍ଖଠାରୁ ଗୁଣ୍ଡିଚାଘର ପର୍ଯ୍ୟନ୍ତ ଅଞ୍ଚଳ ଲୋକମୁଖରେ ଶରଧାବାଲି।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀମନ୍ଦିରର ନିର୍ମାତା ଅନନ୍ତ ବର୍ମନ ଚୋଡ଼ଗଙ୍ଗଦେବଙ୍କ ପାଟରାଣୀ ଗୁଣ୍ଡିଚୋଡ଼ିଙ୍କ ନାମାନୁସାରେ ଗୁଣ୍ଡିଚାମନ୍ଦିର ନାମିତ। ଶରଧାବାଲି ନିର୍ଦ୍ଦିଷ୍ଟ ଭାବରେ କାହା ନାମରେ ନାମିତ, ଅନୁସନ୍ଧାନ ସାପେକ୍ଷ।
ଆମ ଦେଖନ୍ତାରେ ଏ ଅଞ୍ଚଳର ରୂପରେଖ ସଂପୂର୍ଣ୍ଣ ବଦଳି ଯାଇଛି। ଏପଟେ ଏତେ ଲୋକ ରହୁ ନଥିଲେ। ଦୋକାନ ବଜାର ନଥିଲା। ବସ୍ଷ୍ଟାଣ୍ଡ ନଥିଲା। ଦୁଇପଟେ କିଆବାଡ଼। ବିସ୍ତୀର୍ଣ୍ଣ ବାଲି ଶେଯ ଉପରେ ଏକ ପିଚୁରାସ୍ତା। ବର୍ଷା ଆସିଲେ ଦୁଇକଡ଼ରେ ପାଣି ଜମୁଥିଲା। ସେ ପାଣିରେ ଚିରୁଡ଼ି, ପାଣିଶିଉଳି, ନୀଳକଇଁ ହେଉଥିଲା। ମାଛ ଖେଳୁଥିଲେ। ବେଙ୍ଗମାନଙ୍କର ମିଳିତ ଗାନ କେଁକଟର ଶୁଭୁଥିଲା। ବଡ଼ଶଙ୍ଖ ପରେ ଏ ଅଞ୍ଚଳରେ ଟିକିଏ ଅଧିକ ଶୀତ ହେଉଥିଲା। ଆଜି ଯେଉଁଠାରେ ବସ୍ଷ୍ଟାଣ୍ଡ୍ ରହିଛି, ସେପଟ ଅଞ୍ଚଳ ଥିଲା ଆଈତୋଟା। ଗୁଣ୍ଡିଚାମାର୍ଜନ ପରେ ଶ୍ରୀଚୈତନ୍ୟ ଓ ତାଙ୍କର ଅନୁଗାମୀମାନେ ଦିନେ ଏଠାରେ ବଣଭୋଜି କରୁଥିଲେ। ଗୁଣ୍ଡିଚା ନବଦିନ ସେମାନେ ଏଠାରେ ବିଶ୍ରାମ କରୁଥିଲେ।
ଇଏତ ପଛକଥା। ଆମ ଦେଖିବାରେ ଗାଁଗଣ୍ଡାରୁ ବହୁଲୋକ ଶଗଡ଼ରେ ଗୁଣ୍ଡିଚାଯାତ ଦେଖିବାକୁ ଆସୁଥିଲେ। ଗଛ ଛାଇ ଦେଖି, ଶଗଡ଼-ବଳଦ ଖୋଲି ରନ୍ଧାବଢ଼ା କରୁଥିଲେ। ଚୁଡ଼ାଘଷା କରି ମହାପ୍ରଭୁଙ୍କୁ ଭୋଗ ଲଗାଉଥିଲେ।
‘ଆନନ୍ଦବଜାର’ ଭଳି ‘ଶରଧାବାଲି’ ଏକ ଅପୂର୍ବ ଶବ୍ଦ। ମନରେ ଭାବର ସଞ୍ଚାର କରେ। ଭକ୍ତ ସାଂସାରିକ ପ୍ରାପ୍ତିକୁ ମହତ୍ତ୍ୱ ଦିଏ ନାହିଁ। ଯାହା ମିଳିଥାଏ ସେଥିରେ ସନ୍ତୁଷ୍ଟ ରହେ। ସେଥିପାଇଁ ଜଣେ ଭକ୍ତ କହିପାରେ- ତା’ର ଧନ ଜନ କିଛି ଲୋଡ଼ା ନାହିଁ। କେବଳ ମହାପ୍ରଭୁଙ୍କର ଟୋପାଏ କରୁଣା ଯଦି ମିଳେ, ସେତିକି ଯଥେଷ୍ଟ।
“ଜଗନ୍ନାଥ ହୋ
କିଛି ମାଗୁନାହିଁ ତୋତେ
ଧନ ମାଗୁନାହିଁ, ଜନ ମାଗୁନାହିଁ,
ମାଗୁଛି ଶରଧା ବାଲିରୁ ହାତେ।”
ଏବେ ଆସିବା ଏକ ଲୋକଗୀତକୁ। ଏକ ଗ୍ରାମୀଣ ନାରୀ ମୃତ୍ୟୁ ପରେ ତା’ର ଶ୍ରାଦ୍ଧ ପିଣ୍ଡ ବଢ଼ା ହେବାପାଇଁ କିପରି ସ୍ଥାନ ବାଛିଛି ଦେଖନ୍ତୁ-
“ଦିପଟେ ଥିବେ ମୋର ଦିଅର
ମଝିରେ ଯାଉଥିବେ ମୋହର ବର
ଶରଧାବାଲିରେ ମୋ ପିଣ୍ଡ ଦେବେ
ମନୁ ପାସୋରି ଦେଇ ଫେରିଆସିବେ।”
ସମୟର ଗତିରେ, ରାସ୍ତାକାମ ଫଳରେ, ବଡ଼ଦାଣ୍ଡର ଭୂସ୍ତର ଉଚ୍ଚ ହୋଇଛି। ବଡ଼ଶଙ୍ଖର ସ୍ଥିତି ଆଉ ବାରି ହେଉନାହିଁ। ସମଗ୍ର ଦାଣ୍ଡ ମେଟାଲ୍ ଆଚ୍ଛାଦିତ ହେବା ଫଳରେ, ଶରଧାବାଲି ନାମଟି ମାତ୍ର ରହିଛି। ନାକଚଣାଦ୍ୱାର ଆଗରେ ଏକ ଚଉହଦୀରେ କିଛି ବାଲି ରଖାଯାଇ ଶରଧାବାଲିର ସ୍ମୃତିରକ୍ଷାପାଇଁ ଯେମିତି ଏକ ପ୍ରୟାସ କରାଯାଇଛି। ତେବେ, ଯେଉଁ ପର୍ଯ୍ୟନ୍ତ “ମାଗୁଛି ଶରଧାବାଲିରୁ ହାତେ…” ଜଣାଣଟି ଥିବ, ସେ ପର୍ଯ୍ୟନ୍ତ ଶରଧାବାଲି ଓଡ଼ିଆ ଜାତିର ହୃଦୟରେ ଥିବ। ତାକୁ ଲିଭାଇବ କିଏ?
ପୁଣି ଶରଧାବାଲି କ’ଣ ଏକ ସୀମିତ ଅଞ୍ଚଳ? ଐତିହାସିକ ହଣ୍ଟର କହିଥିବା କଥାଟି ଏ ପ୍ରସଙ୍ଗରେ ଅତ୍ୟନ୍ତ ଭାବପୂର୍ଣ୍ଣ। ଶ୍ରୀଗୁଣ୍ଡିଚା ମନ୍ଦିରଠାରୁ ସମୁଦ୍ର ପର୍ଯ୍ୟନ୍ତ, ଢେଉଢେଉକା ବାଲିବନ୍ତ, ମଝିରେ ମଝିରେ ଗାଡ଼ିଆ, ଖାଲ, ଢିପ ଆଦିକୁ ଦେଖି ଏକଦା ଭାବମୟ ଭାଷାରେ ସେ କହିଥିଲେ- “On its fever stricken sand hills a nation’s adoring love has been lavished.” ଅର୍ଥାତ୍, ଗୋଟିଏ ଜାତିର ଭଲପାଇବା ଯେମିତି ଏହାର ତରଙ୍ଗାୟିତ ବାଲିବନ୍ତଗୁଡ଼ିକରେ ଭରି ରହିଛି। ସାରା ଶ୍ରୀକ୍ଷେତ୍ର ସତେ ଯେପରି ଶରଧାବାଲି!
ମୋ: ୯୪୩୯୪ ୫୪୭୬୬