ଇତି ଊଣେଇଶ (ଆଇନ ଅଦାଲତ) : ଜେଲରୁ ବାହାରିଲେ ସାରଥି

ଅର୍ଥତତ୍ତ୍ୱ ମାମଲାରେ ଆଶୀର୍ବାଦ ବେହେରାଙ୍କୁ ଜାମିନ, କୁନ୍ଦୁଲି ମାମଲାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

ବାବା ସାରଥି ଓରଫ ସନ୍ତୋଷ କୁମାର ରାଉଳଙ୍କୁ ୨୦୧୯, ଜୁଲାଇ ୨୨ରେ ହାଇକୋର୍ଟ କେନ୍ଦ୍ରାପଡା ଏସଡିଜେଏମ୍ ଅଦାଲତରେ ବିଚାରାଧୀନ ମାମଲାରେ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିବା ପରେ ସେ ଚୌଦ୍ବାର ‌ଜେଲରୁ ବାହାରିଥିଲେ। କ୍ରାଇମବ୍ରାଞ୍ଚ ପକ୍ଷରୁ ରୁଜୁ ୩ଟି ମାମଲାରୁ ୨ଟିରେ ସାରଥି ପୂର୍ବରୁ ଜାମିନ ପାଇ ସାରିଥିଲେ। ବିବାଦୀୟ ଡାକ୍ତର ଛାତ୍ରୀଙ୍କ ମାମଲାରେ ସାରଥିଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିବା ବେଳେ ମୂଳ କ୍ରାଇମବ୍ରାଞ୍ଚ ମାମଲାରେ ୨୦୧୭, ଅଗଷ୍ଟ ୪ରେ ତାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ୨୦୧୭, ଅଗଷ୍ଟ ୪ରେ ମୂଳ କ୍ରାଇମବ୍ରାଞ୍ଚ ମାମଲାରେ ହାଇକୋର୍ଟ ସାରଥିଙ୍କୁ ଜାମିନ ପ୍ରଦାନ କରିବା ବେଳେ ତାଙ୍କ କେନ୍ଦ୍ରାପଡା ତଥା ବାରିମୂଳ ଆଶ୍ରମ ଗସ୍ତ ଉପରେ ଅଙ୍କୁଶ ଜାରି କରିଥିଲେ। ଯେଉଁଠି ବି ସାରଥି ରୁହନ୍ତୁ ସେ କୌଣସି ପ୍ରକାର ସଭା ସମିତି ଓ ଧାର୍ମିକ ଅନୁଷ୍ଠାନରେ ଉଦବୋଧନ/ପ୍ରବଚନ ଦେଇ ପାରିବେ ନାହିଁ। ଶ୍ରଦ୍ଧାଳୁ କିମ୍ବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଏକାଠି କରି ଉଦବୋଧନ ଦେଇ ପାରିବେ ନାହିଁ। ଯେଉଁ ସ୍ଥାନରେ ରହିବେ ସେ ସ˚ପର୍କରେ ତଦନ୍ତକାରୀ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ଅବଗତ କରିବେ। ଜେଲରୁ ବାହାରିବା ପରେ ସାରଥିଙ୍କ ଜୀବନ ପ୍ରତି ବିପଦ ରହିଥିବା ଦୃଷ୍ଟିରୁ ସେ ଯେତେବେଳେ ଚାହିଁବେ ତାଙ୍କୁ ସ୍ଥାନୀୟ ପୁଲିସ ତୁରନ୍ତ ସୁରକ୍ଷା ଯୋଗାଇ ଦେବ ବୋଲି ହାଇକୋର୍ଟ ୨୦୧୭, ଅଗଷ୍ଟ ୪ରେ ନିର୍ଦ୍ଦେଶ ଦେଇଥିଲେ। ମୂଳ ମାମଲାର ଶୁଣାଣି ଶେଷ ହୋଇ ରାୟ ପ୍ରକାଶ ପର୍ଯ୍ୟନ୍ତ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ କାଏମ ରହିବ। ଏଭଳି ପରିସ୍ଥିତିରେ ସାରଥି ଜାମିନରେ ବାହାରିଥିଲେ ମଧ୍ୟ ପ୍ରବଚନ ଦେଇ ପାରୁ ନାହାଁନ୍ତି।

odishanewsinsight.com

ଅର୍ଥତତ୍ତ୍ୱ ମାମଲାରେ ଆଶୀର୍ବାଦ ବେହେରାଙ୍କୁ ଜାମିନ
ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇଥିବା ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌(ଓସିଏ) ଓ ଓଡ଼ିଶା ଅଲିମ୍ପିକ ଆସୋସିଏସନ୍‌ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ହାଇକୋର୍ଟ ନଭେମ୍ବର ୨୬ରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ଶ୍ରୀ ବେହେରାଙ୍କୁ ଦେଢ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ ପାଇଁ ସ୍ବତନ୍ତ୍ର ସିବିଆଇ ଅଦାଲତଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଜାମିନରେ ଛାଡ ପାଇବା ପାଇଁ ଶ୍ରୀ ବେ‌ହେରା ନିଜ ପାସପୋର୍ଟ ଜମା କରିବେ ବୋଲି ସର୍ତ୍ତାରୋପ କରାଯାଇଥିଲା। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ବେହେରାଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ନଭେମ୍ବର ୨୦ରେ ରାୟ ସଂରକ୍ଷିତ ରଖିଥିଲେ। ୨୬ରେ ରାୟ ପ୍ରକାଶ ପାଇଥିଲା। ୨୦୧୯, ସେପ୍ଟେମ୍ବର ୧୯ରେ ସିବିଆଇ ଶ୍ରୀ ‌ବେହେରାଙ୍କୁ କଟକରୁ ଗିରଫ କରିଥିଲା। ସିବିଆଇ କୋର୍ଟରୁ ଜାରି ଏନ୍‌ବିଡବ୍ଲୁ(ଜାମିନ ବିହୀନ ଗିରଫ ପରଵାନା) ବଳରେ ତାଙ୍କୁ ଗିରଫ କରାଯାଇଥିଲା। ଶ୍ରୀ ବେହେରାଙ୍କ ସହିତ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ବି ସିବିଆଇ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଡିସେମ୍ବର ୧୨ରେ କମଳାକାନ୍ତଙ୍କୁ ସର୍ତ୍ତମୂଳକ ଜାମିନ ହାଇକୋର୍ଟ ମଞ୍ଜୁର କରିଥିଲେ।

updateodisha.com

କୁନ୍ଦୁଲି ମାମଲାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ
କୁନ୍ଦୁଲି ଗଣଦୁଷ୍କର୍ମ ଓ ପୀଡିତାଙ୍କ ଆତ୍ମହତ୍ୟା ଘଟଣା ସଂପର୍କିତ ମାମଲାର ଶୁଣାଣିରେ ଡିସେମ୍ବର ୨୩ରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ୨୦୧୯, ନଭେମ୍ବର ୧୮ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ତିନିଟି ରେଞ୍ଜର ଡିଆଇଜିଙ୍କୁ ନେଇ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଟିମ୍ (ଏସଆଇଟି) ଗଠନ କରିବା ସହିତ କୁନ୍ଦୁଲି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି, ଦକ୍ଷିଣାଞ୍ଚଳ ଡିଆଇଜି ଓ ଓ ଉତ୍ତରାଞ୍ଚଳ ରେଞ୍ଜ ଡିଆଇଜିଙ୍କୁ ନେଇ ଗଠିତ ଏସଆଇଟି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପୀଡିତାଙ୍କ ମା ଓ ଭାଇଙ୍କୁ ଏସଆଇଟି ଟିମ୍ ସାକ୍ଷତା କରି ତଥ୍ୟ ସଂଗ୍ରହ କରିଥିଲା। ଡ‌ିସେମ୍ବର ୨୩ରେ ଏସଆଇଟି ପକ୍ଷରୁ ଚୂଡାନ୍ତ ତଦନ୍ତ ରିପୋର୍ଟ ହାଇକୋର୍ଟରେ ଦାଖଲ କରାଯାଇଥିଲା। ବନ୍ଦ ଲଫାପାରେ ଏହି ରିପୋର୍ଟ ଦାଖଲ କରାଯାଇଥିଲା। ଏ ସଂପର୍କିତ ମାମଲା ବିଚାରାଧୀନ ଥିବା ନିମ୍ନ ଅଦାଲତରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ଏସଆଇଟିକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର