ସ୍ବାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି ସ୍ବାଧୀନ ଭାରତକୁ ଏକତ୍ରିତ କରିବାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଭୂମିକା ଅବିସ୍ମରଣୀୟ। ‘ଭାରତର ଲୌହ ମାନବ’ ଭାବରେ ସେ ପ୍ରସିଦ୍ଧ। ବଲ୍ଲଭଭାଇ ଝାଭେରଭାଇ ପଟେଲ ନାମରେ ସେ ୧୮୭୫ ଅକ୍‌ଟୋବର ୩୧ରେ ଜନ୍ମଗ୍ରହଣ କରିଥିଲେ। ସେ ପିଲାବେଳୁ ନେତୃତ୍ବ ନେବାରେ ପାରଙ୍ଗମ ଥିଲେ। ପାଠପଢ଼ା ସରିବା ପରେ ଓକିଲାତି କରି ସେ ଲୋକପ୍ରିୟ ହୋଇଥିଲେ। ୧୯୧୦ରେ ବାରିଷ୍ଟର୍ ହେବା ଲାଗି ସେ ଇଂଲଣ୍ଡ୍ ଯାଇଥିଲେ। ଦୁଇ ବର୍ଷର ଅଧ୍ୟୟନ ପରେ ତାଙ୍କୁ ବାର୍‌ରେ ନିଯୁକ୍ତି ମିଳିଥିଲା। ସେ ଭାରତ ଫେରି ଅହମଦାବାଦରେ ଆଇନ ବ୍ୟବସାୟ ପ୍ରତିଷ୍ଠା କରିଥିଲେ। ୧୯୧୭ରେ ସେ ଅହମଦାବାଦ ମହାନଗର ନିଗମ ନିର୍ବାଚନରେ ଜିଣିବା ପରେ ତାଙ୍କର ରାଜନୈତିକ କ୍ୟାରିଅର୍ ଆରମ୍ଭ ହୋଇଥିଲା।

Advertisment

ଗାନ୍ଧୀ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିବା ପରେ ବଲ୍ଲଭଭାଇ ଓକିଲାତି ଛାଡ଼ି ଦେଶ ଲାଗି ନିଜକୁ ଉତ୍ସର୍ଗ କରିଦେଇଥିଲେ। ଗାନ୍ଧୀଙ୍କ ଭଳି ସେ ଅହିଂସା ମାଧ୍ୟମରେ ଅନ୍ୟାୟ ଓ ଅତ୍ୟାଚାର ସହ ଲଢ଼ିବାରେ ବିଶ୍ବାସ କରୁଥିଲେ। ସେ ବାରଦୋଲି ସତ୍ୟାଗ୍ରହର ସଫଳ ନେତୃତ୍ବ ନେଇ ୮୦,୦୦୦ କୃଷକଙ୍କୁ ଅତ୍ୟଧିକ ବ୍ରିଟିସ୍ ଟିକସ ବୋଝରୁ ମୁକ୍ତ କରିଥିଲେ। ଏଥିପାଇଁ ତାଙ୍କୁ ‘ସର୍ଦ୍ଦାର’ ଉପାଧି ମିଳିଥିଲା।

ଲବଣ ସତ୍ୟାଗ୍ରହ, ବ୍ୟକ୍ତିଗତ ସତ୍ୟାଗ୍ରହ ଓ ଭାରତଛାଡ଼ ଆନ୍ଦୋଳନରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରି ସେ ଅନେକ କାଳ ଜେଲ୍‌ରେ କାଟିଥିଲେ। ସେ ସ୍ବାଧୀନ ଭାରତର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ହୋଇଥିଲେ। ଦେଶରୁ ଅଲଗା ହୋଇ ରହିଥିବା ରାଜ୍ୟଗୁଡ଼ିକୁ ଭାରତ ସହ ମିଶାଇବାରେ ତାଙ୍କର ଭୂମିକା ଅବିସ୍ମରଣୀୟ। ସେ ଏକ ବର୍ଷରୁ କମ୍ ସମୟରେ ଦେଶର ୫୬୨ ଗଡ଼ଜାତ ରାଜ୍ୟକୁ ୨୬ଟି ପ୍ରାଶାସନିକ ଅଞ୍ଚଳରେ ସାମିଲ କରିପାରିଥିଲେ। ଏହା ଫଳରେ ପ୍ରାୟ ଆଠ କୋଟି ଲୋକ ଗଣତନ୍ତ୍ରର ପରିସର ଭିତରକୁ ଆସିଥିଲେ। ସେ ବିଭାଜନ ପରବର୍ତ୍ତୀ ହିଂସା ନିୟନ୍ତ୍ରଣ ଏବଂ ଲକ୍ଷ ଲକ୍ଷ ଶରଣାର୍ଥୀଙ୍କ ଥଇଥାନ ଦିଗରେ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲେ। ୧୯୫୦ ଡିସେମ୍ବର ଆଜି ଦିନରେ ତାଙ୍କର ପରଲୋକ ଘଟିଥିଲା। ୧୯୯୧ରେ ତାଙ୍କୁ ମରଣୋତ୍ତର ‘ଭାରତରତ୍ନ’ ପ୍ରଦାନ କରାଯାଇଥିଲା। ଗୁଜରାଟରେ ଦଣ୍ଡାୟମାନ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତି (ଷ୍ଟାଚ୍ୟୁ ଅଫ୍‌ ୟୁନିଟି) ହେଉଛି ପୃଥିବୀର ସର୍ବୋଚ୍ଚ ପ୍ରତିମୂର୍ତ୍ତି।