ନୂଆଦିଲ୍ଲୀ: ଭାରତୀୟ ମହିଳା ‘ଖୋ ଖୋ’ ଟିମ୍‌ର ପୂର୍ବତନ କ୍ୟାପ୍ଟେନ୍ ଓସମାନାବାଦର ୨୭ ବର୍ଷୀୟ ସାରି‌କା କାଲେ ଚଳିତ ବର୍ଷ ଲାଗି ‘ଖୋ ଖୋ’ ଖେଳ ପାଇଁ ଅର୍ଜୁନ ପୁରସ୍କାର ପାଇବା ଐତିହାସିକ ଘଟଣା। କାରଣ, ଦୀର୍ଘ ୨୨ ବର୍ଷ ପରେ ପ୍ରଥମ ଥର ପାଇଁ ଜଣେ ‘ଖୋ ଖୋ’ କ୍ରୀଡ଼ାଙ୍ଗନାଙ୍କୁ ଅର୍ଜୁନ ପୁରସ୍କାର ମିଳିଛି।

Advertisment

ସାରିକା ୨୨ଟି ଜାତୀୟ କ୍ରୀଡ଼ା ସମତେ ଶତାଧିକ ମ୍ୟାଚ୍ ଖେଳିଛନ୍ତି। ୨୦୧୬ରେ ଗୌହାଟିରେ ଅନୁଷ୍ଠିତ ୧୨ଶ ଦକ୍ଷିଣ ଏସୀୟ କ୍ରୀଡ଼ାରେ ତାଙ୍କରି ନେତୃତ୍ବରେ ଜାତୀୟ ଦଳ ସ୍ବର୍ଣ୍ଣ ବିଜୟୀ ହୋଇଥିଲା। ଏହି ସିରିଜ୍‌ରେ ଭାରତ ‌ଗୋଟିଏ ବି ମ୍ୟାଚ୍‌ ହାରି ନ ଥିଲା ଓ ଫାଇନାଲ୍‌ରେ ବାଂଲାଦେଶକୁ ପରାସ୍ତ କରି କପ୍ ଜିଣିଥିଲା। ଏଥିପାଇଁ ଶ୍ରେଷ୍ଠ କ୍ରୀଡ଼ାଙ୍ଗନା ଭାବେ ସାରିକାଙ୍କୁ ୫୧, ୦୦୦ ଟଙ୍କା ପୁରସ୍କାର ମିଳିଥିଲା।

ପୁରସ୍କାର ଯେ, ସାରିକାଙ୍କ କ୍ୟାରିୟର୍‌ର ମାଇଲ୍‌ସ୍ତମ୍ଭ ତାହା ଅନସ୍ବୀକାର୍ଯ୍ୟ। କିନ୍ତୁ, ଓସମାନାବାଦର କ୍ଷୁଦ୍ର ଗାଁ ରୁଇଭରରୁ ସାରିକା ଆରମ୍ଭ କରିଥିବା ଯାତ୍ରା ବାସ୍ତବିକ ପ୍ରଣିଧାନଯୋଗ୍ୟ। ଏକଦା ଦିନକୁ ଓଳିଏ ମାତ୍ର ଖାଇବାକୁ ପଇସା ଥିବା  ସାରିକା ମହାରାଷ୍ଟ୍ର ସରକାରଙ୍କ କ୍ରୀଡ଼ା ଅଧିକାରୀ କାମ କରିବା ସହ ୨୦୧୭ରେ ଇଂଲଣ୍ଡ୍‌ରେ ‘ବେଷ୍ଟ୍‌ ପ୍ଲେୟାର୍‌ ଆୱାର୍ଡ’ ବିଜୟିନୀ ହୋଇଥିଲେ। ‘ଖୋ ଖୋ’ ପାଇଁ ସ୍ପୃହା ଯୋଗୁଁ ସେ ଜୀବନର ସବୁ ଝଡ଼ଝଞ୍ଜାର ସମ୍ମୁଖୀନ ହେବା ସହ ସବୁକୁ ପରାସ୍ତ କରିଥିଲେ।

‘ଖୋ ଖୋ’ର ଉତ୍ପତ୍ତିସ୍ଥଳ ହେଉଛି ମହାରାଷ୍ଟ୍ର। ଏଥିରେ ପ୍ରତି ଦଳରେ ଥାଆନ୍ତି ୧୨ଜଣ ଲେଖାଏଁ ଖେଳାଳି। ‘ଖୋ ଖୋ’ ସାରିକାଙ୍କ ପିଲାଦିନର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ସାରିଥିଲେ ବି ଏଥିରେ କ୍ୟାରିୟର୍ କରି ହେବ ବୋଲି କୋଚ୍ ଚନ୍ଦ୍ରଜିତଙ୍କୁ ନ ଭେଟିଲାଯାଏଁ ସେ ଅନୁଭବ କରି ନ ଥିଲେ।

publive-image Image Courtesy of The Better India

୨୦୦୩-୪ରେ ରାଜ୍ୟ ମହିଳା ଟିମ୍‌ର କୋଚ୍ ଥିବା ସମୟରେ ସୁଦୂର ଅଞ୍ଚଳରେ ଥିବା ଲୁକ୍କାୟିତ ପ୍ରତିଭାମାନଙ୍କୁ ଖୋଜି ବାହାର କରିବା ନିମନ୍ତେ ଚନ୍ଦ୍ରଜିତ୍ ଗସ୍ତରେ ଥିଲେ। ଅଳ୍ପ କିଛି ଦିନ ତାଲିମ ଦେବା ପରେ ସେ ଦୌଡ଼ ବେଗ ଓ ଶାରୀରିକ ଦକ୍ଷତା ଆଧାରରେ ୨୦୦ ଜଣଙ୍କୁ ଚିହ୍ନଟ କରି ସେମାନଙ୍କ ମଧ୍ୟରୁ ୫୦ଜଣ ସ୍କୁଲ୍ ବାଳିକାଙ୍କୁ ମନୋନୀତ କରିଥିଲେ। ସେମାନଙ୍କ ମଧ୍ୟରୁ ସାରିକା ଅନ୍ୟତମା।

‘ଖୋ ଖୋ’ ପ୍ରତି ସାରିକାଙ୍କ ଏତେ ଶ୍ରଦ୍ଧା ଥିଲା ଯେ, ସେ ଗୋଟିଏ ହେଲେ ପ୍ରାକ୍ଟିସ୍ ଛାଡ଼ି ନ ଥିଲେ। ବର୍ଷା ସମୟରେ ବି ଚନ୍ଦ୍ରଜିତଙ୍କୁ ସେ ଅଭ୍ୟାସ ପାଇଁ ବାହାରିବାକୁ ବାଧ୍ୟ କରି ପକାଉଥିଲେ। ପର୍ବପର୍ବାଣି, ଉତ୍ସବପାଳନ, ଅସୁସ୍ଥତା- କିଛି ହେଲେ ସାରିକାଙ୍କ ଅଭ୍ୟାସରେ ଅନ୍ତରାୟ ହୋଇପାରି ନ ଥିଲା।

ସାରିକା କହନ୍ତି, ମୁଁ ୧୦ଜଣିଆ ଯୌଥ ପରିବାରେ ଲାଳିତପାଳିତ। ସେଥିରେ ମୋ ମାଆ ଓ ଦାଦି ହିଁ ଅର୍ଥ ଉପାର୍ଜନ କରୁଥିଲେ। ଜେଜି ମା ମାସକୁ ୯୦୦୦ ଟଙ୍କା ପେନ୍‌ସନ୍। ମୋ ବାପା କିଛି କାମ କରୁ ନ ଥିଲେ ଓ ସବୁବେଳେ ମଦ୍ୟପାନ କରୁଥିଲେ। ପ୍ରାୟ ୧୦ ବର୍ଷ ଧରି ଆମେ ଦୈନିକ ଓଳିଏ ଖାଇ ବଞ୍ଚିଥିଲୁ। ଏହି ସବୁ କାରଣୁ ମୁଁ ‘ଖୋ ଖୋ’ରୁ ହିଁ ଶାନ୍ତ୍ବନା ପାଉଥିଲି। ଏଥିରୁ ମୁଁ ଏକାଗ୍ରତା, ସତର୍କତା, ଦଳଭିତ୍ତିକ କାର୍ଯ୍ୟ ଶିକ୍ଷା କରିଥିଲି ଯାହା ମୋତେ ମୋର ସମସ୍ୟା ପରିଚାଳନା କରିବାରେ ସହାୟକ ହୋଇଥିଲା।