ଦୁଇ ଦଶନ୍ଧି ତଳେ ରାଜସ୍ଥାନର ସରିସ୍କା ବ୍ୟାଘ୍ର ଅଭୟାରଣ୍ୟରେ ବାଘ ବଂଶ ନିପାତ ହୋଇଯାଇଥିଲା। ୨୦୦୫ ମସିହାରେ ସେଠାରେ ଥିବା ଶେଷ ବାଘଟିର ମୃତ୍ୟୁ ପରେ ସରିସ୍କା ଭାରତର ବୃହତ୍ତର ବାଘ ସଂରକ୍ଷଣ ପ୍ରୟାସରେ ବିଫଳତାର ଅପବାଦ ମୁଣ୍ଡାଇଥିଲା। ଶିକାର ଓ ଦୁର୍ବଳ ପରିଚାଳନା ଉକ୍ତ ଅଭୟାରଣ୍ୟକୁ ବାଘଶୂନ୍ୟ କରି ଦେଇଥିଲା। ସେଠାରେ ବାଘସଂଖ୍ୟା ଶୂନ ହେବାର ପ୍ରାୟ ସାଢ଼େ ୩ ବର୍ଷ ପରେ ୨୦୦୮ରେ ରଣଥମ୍ବୋରରୁ ସରିସ୍କାକୁ ପ୍ରଥମ ବାଘ ‘ଏସ୍ଟି-୧’ ଅଣାଯିବା ପରେ ଆଶା ସଂଚାର ହୋଇଥିଲା। ଅଭୟାରଣ୍ୟକୁ ପୁନଃ ବାଘ ଅଣାଯିବାର ୧୭ ବର୍ଷ ପରେ ଏବେ ସେମାନଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି।
ସୂଚନାଯୋଗ୍ୟ, ସରିସ୍କାରେ ବାଘ ବିଲୁପ୍ତ ହେବା ପରେ ‘ଜଏନିଂ ଦି ଡଟ୍ସ’ ଓ ‘ରାଜ୍ୟ କ୍ଷମତାପ୍ରାପ୍ତ କମିଟି ରିପୋର୍ଟ ୨୦୦୫’ ଶୀର୍ଷକ ଦୁଇଟି ଟାସ୍କଫୋର୍ସ ରିପୋର୍ଟ ପ୍ରକାଶ ପାଇଥିଲା, ଯାହା ଅଭୟାରଣ୍ୟରେ ବ୍ୟାଘ୍ର ପୁନଃପ୍ରବର୍ତ୍ତନର ବ୍ଲୁପ୍ରିଣ୍ଟ ପାଲଟିଲା। ସରିସ୍କା ହେଉଛି ଭାରତର ପ୍ରଥମ ଅଭୟାରଣ୍ୟ ଯେଉଁଠାକୁ ବାଘ ସ୍ଥାନାନ୍ତର କରାଯାଇଥିଲା। ଏହା ପରଠାରୁ ରାଜ୍ୟ ଓ କେନ୍ଦ୍ର ସରକାର ବ୍ୟାଘ୍ର ସୁରକ୍ଷା ପାଇଁ ଏକାଧିକ ଆଇନ ପ୍ରଣୟନ କରିଥିଲେ। ପୁରୁଷ ବାଘ ‘ଏସ୍ଟି-୧’ ଓ ତାହାର କିଛି ଦିନ ପରେ ରଣଥମ୍ବୋରରୁ ଅଣାଯାଇଥିବା ମହିଳା ବାଘ ‘ଏସ୍ଟି-୨’ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା ନିକଟସ୍ଥ ଗ୍ରାମର ଲୋକଙ୍କ ଆକ୍ରମଣରୁ ବର୍ତ୍ତିବା। ଏଥି ସହିତ ସରିସ୍କାରେ ଶିକାରୀମାନେ ବନ୍ୟପ୍ରାଣୀଙ୍କୁ ବିଷ ମିଶ୍ରିତ ମାଂସ ଖୁଆଇ ଶିକାର କରିଥାଆନ୍ତି। ପ୍ରକୃତରେ, ୨୦୧୦ରେ ଅଭୟାରଣ୍ୟରେ ପୁନଃପ୍ରବର୍ତ୍ତିତ ପ୍ରଥମ ବାଘ ‘ଏସ୍ଟି-୧’ ବିଷକ୍ରିୟା ଯୋଗୁଁ ମୃତ୍ୟୁବରଣ କରିଥିଲା। ସେତେବେଳକୁ ବାଘ ସଂଖ୍ୟା ମାତ୍ର ୫ ହୋଇଥିବା ବେଳେ ଏବେ କଳ୍ପନାତୀତ ଭାବେ ୫୦ରେ ପହଞ୍ଚିଛି। ଅଭୟାରଣ୍ୟର ଏହି ସଫଳତାର ସ୍ୱତନ୍ତ୍ର ଅଧିକାରିଣୀ ହେଉଛି ବାଘୁଣୀ ‘ଏସ୍ଟି-୨୩୦୨’, ଯାହାର ସଦ୍ୟତମ ଶାବକ ଅଭୟାରଣ୍ୟର ବାଘସଂଖ୍ୟାକୁ ୫୦ରେ ପହଞ୍ଚାଇଛି। ବାଘ ସମ୍ପୂର୍ଣ୍ଣ ବିଲୁପ୍ତ ହେବା ଠାରୁ ଏକ ସମୃଦ୍ଧ ସଂଖ୍ୟାରେ ପହଞ୍ଚିବା ଏକ ଆକସ୍ମିକ ସଫଳତା ନୁହେଁ, ବରଂ ଦୀର୍ଘକାଳୀନ ସତର୍କତାପୂର୍ଣ୍ଣ ଉଦ୍ୟମର ଫଳ ବୋଲି ଅଧିକାରୀମାନେ କହିଛନ୍ତି।