ନୂଆଦିଲ୍ଲୀ: ନିଜର ଚେଷ୍ଟା ଜଣେ ବ୍ୟକ୍ତିର ଭାଗ୍ୟ ବଦଳାଇପାରେ। ଜଣେ ଯୁବତୀ ବସ୍ତିର ଝୁମ୍ପୁଡ଼ି ଘରେ ରହି, ରାସ୍ତା କଡ଼ରେ ଫୁଲ ବିକ୍ରି କରି କିପରି ଭାବେ ଜେଏନ୍ୟୁରେ ପଢ଼ି ଏବେ ଆମେରିକା ଯିବାକୁ ଯୋଗ୍ୟ ହୋଇପାରିଛନ୍ତି ତାହା ନିଶ୍ଚିତ ଭାବେ ଏକ ପ୍ରେରଣାଦାୟକ କାହାଣୀ।
ଯୁବତୀ ଜଣକ ହେଉଛନ୍ତି ସରିତା ମାଲି। ତାଙ୍କୁ ୨୮ ବର୍ଷ ବୟସ। ତାଙ୍କ ପରିବାର ମୂଳରୁ ଉତ୍ତରପ୍ରଦେଶର ଜୋନ୍ପୁର ବାସିନ୍ଦା। ମାତ୍ର ତାଙ୍କ ବାପା ଶିଶୁ ଶ୍ରମିକ ଭାବେ ମୁମ୍ବାଇ ପଳାଇ ଆସିଥିବାରୁ ସେଠାରେ ତାଙ୍କ ପରିବାର ଗଢ଼ି ହୋଇଥିଲା। ସରିତାଙ୍କ ଜନ୍ମ ଓ ଲାଳନପାଳନ ସବୁ କିଛି ମୁମ୍ବାଇର ବସ୍ତିରେ ହୋଇଛି। ଏକ ଛୋଟିଆ ଘରେ ସରିତାଙ୍କ ପରିବାରର ୬ ଜଣ ରହୁଥିଲେ। ଗ୍ରାଜୁଏସନ ପର୍ଯ୍ୟନ୍ତ ସରିତା ସେହି ବସ୍ତିରେ ହିଁ ରହୁଥିଲେ। ତାପରେ ତାଙ୍କର ଜେଏନ୍ୟୁରେ ନାମ ଲେଖା ହୋଇଥିଲା।
ସରିତାଙ୍କ ସୋସିଆଲ୍ ମିଡିଆର ଏକ ପୋଷ୍ଟ୍ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି। ସରିତା ତାଙ୍କ ପୋଷ୍ଟ୍ରେ ଲେଖିଛନ୍ତି, ‘ଆମେରିକାର ଦୁଇଟି ବିଶ୍ବ ବିଦ୍ୟାଳୟରେ ମୋତେ ଚୟନ କରାଯାଇଛି। ୟୁନିଭରସିଟି ଅଫ୍ କାଲିଫର୍ଣ୍ଣିଆ ଓ ୟୁନିଭରସିଟି ଅଫ୍ ୱାଶିଂଟନ୍। ମୁଁ ୟୁନିଭରସିଟି ଅଫ୍ କାଲିଫର୍ଣ୍ଣିଆକୁ ଗୁରୁତ୍ବ ଦେଉଛି। ସେଠାରେ ମୋର ଦକ୍ଷତା ଏବଂ ଶିକ୍ଷାଗତ ଯୋଗ୍ୟତା ଆଧାରରେ ଆମେରିକାର ସବୁଠାରୁ ପ୍ରତିଷ୍ଠିତ ଫେଲୋସିପ୍ ମଧ୍ୟରୁ ଅନ୍ୟତମ ‘ଚାନ୍ସଲର୍ ଫେଲୋସିପ୍’ ମିଳିଛି।
ସରିତାଙ୍କର ଏହି ପୋଷ୍ଟ୍ ପରେ ତାଙ୍କୁ ଅନେକ ଶୁଭେଚ୍ଛା ବାର୍ତ୍ତା ମିଳିଛି। ଝୁମ୍ପୁଡ଼ି ଘରର ଝିଅ ଏବେ ‘ଚାନ୍ସଲର୍ ଫେଲୋସିପ୍’ ପାଇବା ପରେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।