୧୮୯୨ ମସିହାରେ ସର୍ବିଆର କୋପ୍ରିଭନିଚା ଗାଁରେ ମିଲୁଙ୍କା ସାଭିଚଙ୍କର ଜନ୍ମ। ଗୋଟିଏ ସାଧାରଣ କୃଷକ ପରିବାରରେ ଜନ୍ମ ହୋଇଥିବା ଝିଅଟି ଇତିହାସ ପୃଷ୍ଠାରେ ଅସାଧାରଣ ବୀରତ୍ବର ପ୍ରତୀକ ଭାବରେ ଯେ ଅମର ହୋଇ ରହିବେ ତାହା କେହି କେବେ କଳ୍ପନା ମଧ୍ୟ କରିନଥିଲେ। ୧୯୧୨ ମସିହାରେ ବାଲକାନ ଯୁଦ୍ଧ ଆରମ୍ଭ ହେବା ପରେ ମିଲୁଙ୍କାଙ୍କର ଭାଇଙ୍କୁ ସେନାବାହିନୀରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଆସେ। ମିଲୁଙ୍କାଙ୍କର ଭାଇ ସେତେବେଳେ ଭୀଷଣ ଅସୁସ୍ଥ। ତେଣୁ ଭାଇଙ୍କ ବଦଳରେ ଯୁଦ୍ଧକ୍ଷେତ୍ରକୁ ଯିବାପାଇଁ ନିଷ୍ପତ୍ତି ନେଇଥିଲେ ମିଲୁଙ୍କା। କେଶ କାଟି, ପୁରୁଷ ପୋଷାକ ପିନ୍ଧି, ଛଦ୍ମନାମରେ ମାତ୍ର ୨୦ ବର୍ଷ ବୟସରେ ସେନାବାହିନୀରେ ଯୋଗ ଦେଇଥିଲେ ମିଲୁଙ୍କା।
ପ୍ରଥମ ଯୁଦ୍ଧରେ ହିଁ ତାଙ୍କର ସାହସିକତାର ପରିଚୟ ସେନାବାହିନୀରେ ସର୍ବତ୍ର ଆଲୋଚିତ ହୁଏ। ୧୯୧୩ ମସିହାରେ ବ୍ରେଗାଲନିତ୍ସା ଯୁଦ୍ଧରେ ଗୁରୁତର ଆହତ ହେବା ଫଳରେ ଚିକିତ୍ସିତ ହେବାବେଳେ ତାଙ୍କର ମହିଳା ପରିଚୟ ପ୍ରକାଶିତ ହୁଏ। ଫଳରେ ତାଙ୍କୁ କର୍ତୃପକ୍ଷଙ୍କ ଆଦେଶରେ ସେନାବାହିନୀର ନର୍ସିଂ କାମରେ ନିଯୁକ୍ତି ଦିଆଯାଏ। କିନ୍ତୁ ମିଲୁଙ୍କା କର୍ତୃପକ୍ଷଙ୍କୁ ଜଣାଇ ଦିଅନ୍ତି ଯେ ସେ ହାତରେ ଅସ୍ତ୍ର ଧରି ଯୁଦ୍ଧରେ ସାମିଲ ହୋଇ ଦେଶର ସେବା କରିବାକୁ ଚାହାନ୍ତି। ତାଙ୍କର ସେହି ଅଟଳ ମନୋଭାବ ହେତୁ ପୁଣି ତାଙ୍କୁ ପୁଣି ଫେରାଇ ନିଆଯାଏ ଫ୍ରଣ୍ଟଲାଇନ୍କୁ।
ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ସେ ହୋଇ ଉଠନ୍ତି ଜଣେ ଜୀବନ୍ତ କିଂବଦନ୍ତି। ଗୋଟିଏ ଯୁଦ୍ଧରେ ସେ ଏକାକୀ ବନ୍ଦୀ କରନ୍ତି ୨୬ ଜଣ ବୁଲଗାରିଆନ୍ ସୈନ୍ୟମାନଙ୍କୁ। ତାଙ୍କର ସାହସିକତା ପାଇଁ ସର୍ବିଆ ତାଙ୍କୁ ଦୁଇଥର ସମ୍ମାନିତ କରନ୍ତି ‘Order of the Star of ପଦକ ପ୍ରଦାନ କରି। ଏହାସହିତ ସେ ପାଆନ୍ତି ଫ୍ରାନ୍ସର ‘Légion d’Honneur’ (ଦୁଇଥର), ‘Croix de Guerre’; ରୁଷିଆର ‘Cross of St. George’ ଏବଂ ବ୍ରିଟେନ୍ର ‘Order of Saint Michael’। ମିଲୁଙ୍କା ହେଉଛନ୍ତି ବିଶ୍ବର ଇତିହାସରେ ସର୍ବାଧିକ ସମ୍ମାନପ୍ରାପ୍ତା ମହିଳା ସୈନିକ। ଯୁଦ୍ଧରେ ଅଂଶଗ୍ରହଣ କରି ସେ ମୋଟ୍ ୯ଥର ଆହତ ହୋଇଛନ୍ତି ଏବଂ ଶେଷ ପର୍ଯ୍ୟନ୍ତ ମୋଟ ୧୨ଟି ସେନା ପଦକ ଦ୍ବାରା ସମ୍ମାନିତ ହୋଇଛନ୍ତି।
ଯୁଦ୍ଧ ପରେ ଫ୍ରାନ୍ସ ତାଙ୍କୁ ପେନ୍ସନ୍ ଏବଂ ଫ୍ରାନ୍ସରେ ରହିବା ପାଇଁ ପ୍ରସ୍ତାବ ଦେଇଥିଲେ ମଧ୍ୟ, ସେ ତାହା ଗ୍ରହଣ ନକରି ନିଜ ଦେଶ ସର୍ବିଆକୁ ଫେରିଆସନ୍ତି। ଏଭଳି ଜଣେ ବୀରାଙ୍ଗନାଙ୍କୁ ନିଜର ଭରଣପୋଷଣ ପାଇଁ ବେଲ୍ଗ୍ରଡ୍ରେ ପୋଷ୍ଟ ଅଫିସରେ କାମ କରିବାଠାରୁ ଆରମ୍ଭ କରି ଲୋକଙ୍କ ଘରେ ପରିଚାରିକା ଭାବରେ କାମ କରିବାକୁ ପଡ଼ିଛି। ଜୀବନର ଶେଷ ଅଧ୍ୟାୟ ଏକାକୀତ୍ବ ଓ ଉପେକ୍ଷା ମଧ୍ୟ ଦେଇ କଟାଇଥିଲେ ବି ସ୍ବାଭିମାନୀ ମିଲୁଙ୍କା ସାହାଯ୍ୟ ତଥା ସହଯୋଗ ପାଇଁ କାହାରି ପାଖରେ ହାତପତାଇ ନାହାନ୍ତି।
୧୯୭୩ ମସିହାରେ ନିଃଶବ୍ଦରେ ପୃଥିବୀରୁ ବିଦାୟ ନିଅନ୍ତି ଅଭିମାନୀ ମିଲୁଙ୍କା ସାଭିଚ। ତାଙ୍କ ବିଦାୟରେ ନଥିଲା କୌଣସି ସମ୍ବାଦ ଶିରୋନାମା, ନା ଥିଲା ରାଷ୍ଟ୍ରୀୟ ଶ୍ରଦ୍ଧାଞ୍ଜଳି। କେବଳ ସେ ରହିଯାଇଛନ୍ତି ଇତିହାସର ପୃଷ୍ଠାରେ। ମିଲୁଙ୍କା ପ୍ରମାଣିତ କରିଦେଇ ଯାଇଛନ୍ତି, ମହିଳା ହୋଇ ମଧ୍ୟ ଅସ୍ତ୍ର ହାତରେ ଧରି ଶତ୍ରୁ ସମ୍ମୁଖରେ ଦର୍ପର ସହିତ ଛିଡ଼ା ହୋଇ ହୁଏ, ଯଦି ମନରେ ଦେଶପ୍ରତି ଶ୍ରଦ୍ଧା ଥାଏ। ମିଲୁଙ୍କା ପ୍ରମାଣିତ କରିଦେଇ ଯାଇଛନ୍ତି ଯେ ବୀରତ୍ବର କୌଣସି ଲିଙ୍ଗ ନଥାଏ- ଥାଏ କେବଳ ସାହସ, ଆତ୍ମସମ୍ମାନ ଓ ଦେଶପ୍ରେମ।
ଉପସ୍ଥାପନା: ପ୍ରଦୀପ କୁମାର ରାୟ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/17/milunka-savic-2025-11-17-00-22-32.jpg)