୧୯୯୫ରେ ମୁକ୍ତିଲାଭ କରିଥିବା ସୁବାସ ରାଉତଙ୍କ ପ୍ରଯୋଜିତ ତଥା ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ ‘ସୁନା ପଞ୍ଜୁରି’ ଛବିର ଲୋକପ୍ରିୟ ଗୀତ ‘ମୋର ମନ ଉଡ଼ିଯାଏରେ, ମନ ଉଡ଼ିଉଡ଼ି ଯାଏରେ..’ର ଦୃଶ୍ୟକୁ ଟିକେ ମନେପକାନ୍ତୁ। ସେହି ଗୀତଦୃଶ୍ୟରେ ନାୟକ ସିଦ୍ଧାନ୍ତଙ୍କ ସହ ଯେଉଁ ନାୟିକାଙ୍କୁ ଦେଖିବାକୁ ମିଳିଥିଲା ସେ ଥିଲେ ସସ୍ମିତା ପ୍ରଧାନ। ଏବେ ସସ୍ମିତା ପୁଣି ବଡ଼ପରଦାରେ ନଜର ଆସିବେ। ତେବେ ଏଥର ତାଙ୍କୁ ନାୟିକା ନୁହେଁ, ବରଂ ମାଆ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ସମ୍ବିତ ବାରିକଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା ‘ସ୍କୁଲ୍ ଡାଏରି’ରେ ନାୟକର ମାଆ ଭୂମିକାରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି ସେ। ବରିଷ୍ଠ ଅଭିନେତା ଚୌଧୁରୀ ଜୟପ୍ରକାଶ ଦାସଙ୍କ ପତ୍ନୀ ଚରିତ୍ରରେ ସେ ଉଭା ହୋଇଛନ୍ତି।
‘ସ୍କୁଲ୍ ଡାଏରି’ରେ ନିଜର ଚରିତ୍ରକୁ ନେଇ ବେଶ୍ ଆଶାବାଦୀ ଅଛନ୍ତି ସସ୍ମିତା। ଲଗ୍ନା ସ୍ବାଇଁ ଓ ସମ୍ବିତ ବାରିକ ଫିଲ୍ମର ପ୍ରଯୋଜନା କରୁଥିବା ବେଳେ ଡକ୍ଟର ରଜନୀରଞ୍ଜନ ଏହାର ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି। ଡକ୍ଟର ନିର୍ମଳ ନାୟକ ଓ ଅରୁଣ ମନ୍ତ୍ରୀଙ୍କ ଗୀତକୁ ସ୍ବରରେ ସଜାଇଛନ୍ତି ପ୍ରଶାନ୍ତ ପାଢ଼ୀ।
ସୂଚନାଯୋଗ୍ୟ, ଅରବିନ୍ଦ ପାଣ୍ଡେଙ୍କ ନିର୍ଦ୍ଦେଶିତ ‘ଏଇ ଆଖି ଆମ ସାକ୍ଷୀ’ରେ ଶ୍ରୀକାନ୍ତ ଗୌତମଙ୍କ ବିପକ୍ଷରେ ନାୟିକା ସାଜି ଓଲିଉଡ୍ରେ ପ୍ରବେଶ କରିଥିଲେ ସସ୍ମିତା। ଏହାପରେ ଡି ବିଜୟ ଭାସ୍କରଙ୍କ ନିର୍ଦ୍ଦେଶିତ ‘ପାଚେରି ଉଠିଲା ମଝି ଦୁଆରୁ’ ଓ ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ‘ଲକ୍ଷ୍ମୀପ୍ରତିମା’ ସମେତ କେତେକ ଓଡ଼ିଆ ଚଳଚ୍ଚିତ୍ରରେ ତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା।