‘ଲକ୍ଡାଉନ୍ ବୃତ୍ତିଗତ ଜୀବନକୁ ପ୍ରଭାବିତ କରିଛି। ଆଗକୁ ନ୍ୟୂୟର୍କରେ ‘ଚମ୍ପୁ ଏବଂ ଜଗନ୍ନାଥ' ବିଷୟବସ୍ତୁ ନେଇ ବିରାଟ କାର୍ଯ୍ୟକ୍ରମ ରହିଛି। ବର୍ଷେ ହେଲା ଏଥିପାଇଁ ପ୍ରସ୍ତୁତି ଚାଲିଛି,' ବୋଲି କହିଛନ୍ତି ସୁନାମଧନ୍ୟ ନୃତ୍ୟଶିଳ୍ପୀ ଶାଶ୍ବତ ଯୋଶୀ।
ଶାଶ୍ବତ କହିଛନ୍ତି ଯେ, ‘ବିଦେଶୀ ଜ୍ଞାନକୌଶଳର ଡିଜିଟାଲ୍ ସ୍କ୍ରିନ୍ ଓ ପ୍ରଚ୍ଛଦପଟ୍ଟରେ ଏହି କାର୍ଯ୍ୟକ୍ରମ ହେବ। ତେଣୁ ବିଦେଶୀ ଟେକ୍ନିସିଆନ୍ଙ୍କ ସହ ସମନ୍ବୟ ଜରୁରି। ବିକଳ୍ପ ନଥିବାରୁ ଅନ୍ଲାଇନ୍ରେ ସବୁ ପ୍ରସ୍ତୁତି ଚାଲିଛି। ୩ଶହ କଳାକାରଙ୍କୁ ଅନ୍ଲାଇନ୍ ତାଲିମ୍ ଦେଉଛି। ଲକ୍ଡାଉନ୍ ବେଳେ ଯେଉଁ କଠିନ ପରିଶ୍ରମ କରୁଛି, ତାର ମଧୁର ଫଳ ମିଳିବ ବୋଲି ଆଶା। ବ୍ୟକ୍ତିଗତ ଭାବେ ଲକ୍ଡାଉନ୍ର ସୁବିନିଯୋଗ କରୁଛି।' 'ପାଖାପାଖି ଗୋଟିଏ ବସ୍ତା ଚାଉଳ ସଫା କରି ଦେଲିଣି। ମୁଗ ଦଳି ଟିଣ ଭର୍ତି କରିଛି। ଗୋଟିଏ ବର୍ଷ ପାଇଁ ନିଶ୍ଚିନ୍ତ..ହା..ହା..ହା..। ସ୍ତ୍ରୀ ଓ ମୁଁ ପାଳି କରି ରୋଷେଇ କରୁଛୁ। ସ୍ତ୍ରୀ ଦିନବେଳା ଖାଣ୍ଟି ଓଡ଼ିଆ ଖାଦ୍ୟ ରାନ୍ଧୁଛି। ରାତିରେ ମୁଁ ବିଦେଶରୁ ଶିଖିଥିବା ଖାଦ୍ୟ ରାନ୍ଧୁଛି। ଲକ୍ଡାଉନ୍ ଉଭୟ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନକୁ ଶାଣିତ କରିଛି,' ବୋଲି କହିଛନ୍ତି ଶାଶ୍ବତ।