ପଞ୍ଚନଦୀର ପୁଣ୍ୟ ପ୍ରଦେଶ ପଞ୍ଜାବ। ଏହି ପ୍ରଦେଶକୁ ବ୍ୟାସ (ବିପାଶା) ବିତସ୍ତା (ଝେଲମ) ଚନ୍ଦ୍ରଭାଗା (ଚେନାବ) ଇରାବତୀ (ରାବୀ) ଶତଦ୍ରୁ (ଶତଲେଜ) ଜଳ ସେଚିତ କରିଥାନ୍ତି। ଏଗୁଡ଼ିକ ପ୍ରାୟ ପୁରାଣପ୍ରସିଦ୍ଧ ନଦୀ। ସେ ମଧ୍ୟରୁ ଶତଦ୍ରୁ ନଦୀ ସଂପର୍କରେ ଋଗ୍ବେଦରୁ ଆରମ୍ଭ କରି ବରାହ ପୁରାଣ, ମହାଭାରତ ଓ ରାମାୟଣରେ ବିଶଦ ବର୍ଣ୍ଣନା ଦେଖାଯାଏ।
ବରାହ ପୁରାଣର ବର୍ଣ୍ଣନା ଅନୁସାରେ, ହେମବତ ପର୍ବତରୁ ନିସୃତ ସର୍ପ ଓ କୁମ୍ଭୀର ସଂକୁଳା ଏକ ଚର୍ମଣ୍ୱତୀ ନଦୀ ରହିଥିଲା ଯାହାର ତୀରଦେଶରେ ମ୍ଳେଚ୍ଛମାନେ ବସବାସ କରି ରହୁଥିଲେ। ମହାଭାରତର ବର୍ଣ୍ଣନା ଅନୁସାରେ ମହର୍ଷି ବଶିଷ୍ଠ ଯେତେବେଳେ ତାଙ୍କର ସମସ୍ତ ପୁତ୍ରଙ୍କୁ ମୃତାହତ ହେବାର ଦେଖିଲେ, ସେ ଅତ୍ୟନ୍ତ ଶୋକାକୁଳ ହୋଇ ଆତ୍ମହତ୍ୟା କରିବାକୁ ନିଶ୍ଚୟ କରି ନଦୀକୁ ଲମ୍ଫ ଦେଲେ। ସେ ପର୍ବତ ଶିଖରରୁ ଡେଇଁଲେ, ଅଗ୍ନିରେ ପ୍ରବେଶ କଲେ; ଅଥଚ କେହି ତାଙ୍କୁ ଗ୍ରହଣ କଲେ ନାହିଁ ବା ତାଙ୍କର ମୃତ୍ୟୁ ହେଲା ନାହିଁ। ତାହା ଜାଣି ସେ ଅନ୍ୟମନସ୍କ ହୋଇ କୈଳାସ ପର୍ବତର ଗରୁଡ଼ ଉପତ୍ୟକାରେ ପରିଭ୍ରମଣ କଲାବେଳେ, ସେହି ଉପତ୍ୟକାରେ ରାକ୍ଷସ ନାମକ ଏକ ହ୍ରଦରୁ ସର୍ପ ଓ କୁମ୍ଭୀର ସଂକୁଳା ଏକ ଭୟଙ୍କରୀ ନଦୀ ବାହାରି ଥିବା ଦେଖିବାକୁ ପାଇଲେ। କଥିତ ଅଛି, ଏହି ରାକ୍ଷସ ହ୍ରଦଟି ରାକ୍ଷସ ରାବଣର ମହାନ ତପସ୍ୟାରୁ ସୃଷ୍ଟ। ତେଣୁ ପବିତ୍ର କିନ୍ତୁ ତମୋଗୁଣ ସଂପନ୍ନ ରାକ୍ଷସର ତପସ୍ୟାରୁ ଜାତ ବୋଲି ଏହା ସର୍ପ ଓ କୁମ୍ଭୀର ପରିପୂର୍ଣ୍ଣ।
ବଶିଷ୍ଠ ଚିନ୍ତାକଲେ, ଏହି ନଦୀରେ ପ୍ରବେଶ କଲେ ମୃତ୍ୟୁ ସୁନିଶ୍ଚିତ। ସେ ଯେତେବେଳେ ନଦୀରେ ବୁଡ଼ି ଆତ୍ମହତ୍ୟା ପାଇଁ ଉଦ୍ୟତ ହେଲେ, ସେ ନଦୀ ବ୍ରହ୍ମର୍ଷି ବଶିଷ୍ଠଙ୍କୁ ଅଗ୍ନି ସମାନ ତେଜସ୍ୱୀ ଜାଣି ସହସ୍ରଧାରାରେ ପାହାଡ଼ କନ୍ଦର ଫୁଟାଇ ବହି ଚାଲିଲା। ତେଣୁ ତାର ନାମ ଶତଦ୍ରୁ ହେଲା। ସଂପ୍ରତି ଏହି ନଦୀର ନାମ ‘ସତଲେଜ’। ଏହାକୁ ଲୋହିତ ନଦୀ, ହାତୀନଦୀ ମଧ୍ୟ କୁହାଯାଏ। ପଞ୍ଜାବରେ ପ୍ରବାହିତ ପଞ୍ଚନଦୀ ମଧ୍ୟରୁ ଏହା ଏକମାତ୍ର ନଦୀ, ଯାହାର ଉଦ୍ଗମ ସ୍ଥଳ ଭିନ୍ନ ଭୂଖଣ୍ଡ ତିବ୍ବତ। ଏହି ଚିରସ୍ରୋତା ନଦୀ ହିମାଚଳ ପ୍ରଦେଶ, ପଞ୍ଜାବ ଓ ପାକିସ୍ତାନର ଅନେକ ଅଞ୍ଚଳକୁ ଜଳଦାନ କରେ। ଏସିଆ ମହାଦେଶର ବୃହତ୍ତମ ନଦୀବନ୍ଧ (ଭାକ୍ରା ନଙ୍ଗଲ) ଏହି ନଦୀ ଉପରେ ନିର୍ମିତ। ଏହି ପୁରାଣପ୍ରସିଦ୍ଧ ନଦୀ ମଧ୍ୟ ଇତିହାସପ୍ରସିଦ୍ଧ। ଝିଲ୍ ବା ହ୍ରଦରୁ ବାହାରିଥିବାରୁ, ଇତିହାସରେ ଏହା ଝେଲମ ଭାବରେ ନାମିତ। ଏହି ନଦୀ ତୀରରେ ବିଶ୍ୱବିଖ୍ୟାତ ବୀର ଆଲେକ୍ଜାଣ୍ଡାର ଓ ପୁରୁଙ୍କ ମଧ୍ୟରେ ଐତିହାସିକ ଯୁଦ୍ଧ ଅନୁଷ୍ଠିତ ହୋଇଥିଲା। ଏହିପରି, ଶତଦ୍ରୁ ପୁରାଣ ଓ ଇତିହାସର ଏକ ପ୍ରସିଦ୍ଧ ନଦୀ।
-ଡକ୍ଟର ତୁଳସୀ ଓଝା
Follow Us