ଯୁକ୍ତରାଷ୍ଟ୍ର ଆମେରିକା ଭଳି ଏକ ଶକ୍ତିଶାଳୀ ରାଷ୍ଟ୍ର କାହିଁକି କରୋନାକୁ ମୁକାବିଲା କରିବାରେ ବ୍ୟର୍ଥ ହେଲା ଏବଂ ହଜାରହଜାର ଲୋକ ପ୍ରାଣ ହରାଇଲେ , ତାହାକୁ ନେଇ ସାରା ବିଶ୍ବବାସୀଙ୍କ ମନରେ ପ୍ରଶ୍ନ ରହିଛି। କିନ୍ତୁ,ସେଠାକାର ଗଣମାଧ୍ୟମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଖାମ୍ଖିଆଲ ମନୋଭାବକୁ ପଦାକୁ ଆଣିଛି। ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରପତି କହିଛନ୍ତି ଯେ, ଗଲା ମାସକ ମଧ୍ୟରେ ଚାକିରି ହରାଇବା ଏବଂ ଡ୍ରଗ୍ସସେବନ ଯୋଗୁ ଯେତିକ ଲୋକ ପ୍ରାଣ ହରାଉଛନ୍ତି, ସେଇ ତୁଳନାରେ କରୋନାଜନିତ ମୃତ୍ୟୁ ସଂଖ୍ୟା କମ୍! କରୋନା ପାଇଁ ଏବେ ହଜାର ହଜାର ଲୋକ ବି ଚାକିରି ହରାଇଛନ୍ତି। ଚାକିରି ହରାଇଥିବା ବ୍ୟକ୍ତି ହେଉଛନ୍ତି ଟ୍ରମ୍ପଙ୍କ ଭୋଟବ୍ୟାଙ୍କ ହୋଇଥିବାବେଳେ ଆଗାମୀ ନଭେମ୍ବର ମାସରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନକୁ ଏହା ପ୍ରଭାବିତ କରିବ। ଯୁକ୍ତରାଷ୍ଟ୍ର ଆମେରିକାର ସାମଗ୍ରିକ ସ୍ଥିତି ସମ୍ପର୍କରେ ଏହିଭଳି ଏକ ସଂକ୍ଷିପ୍ତ ମତ ରଖିଛନ୍ତି ଲେଖକ, ଅନୁବାଦକ ସତ୍ୟ ପଟ୍ଟନାୟକ।
ଶ୍ରୀ ପଟ୍ଟନାୟକଙ୍କ ଜନ୍ମସ୍ଥାନ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ କୋରିଆଁ। ସେ ଏବେ ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ ୱାହିଓ ରାଜ୍ୟର ରାଜଧାନୀ କଲମ୍ବସ୍ରେ ରହୁଛନ୍ତି। ସେ ସେଠାରେ ସୂଚନା ଓ ପ୍ରଦ୍ୟୋଗିକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। କୋଭିଡ୍-୧୯ ଜନିତ ପରିସ୍ଥିତି ଯେମିତି ଯୁକ୍ତରାଷ୍ଟ୍ର ଆମେରିକାକୁ କବଳିତ କରିଛି, ଠିକ୍ ସେମିତି ତାଙ୍କ ବ୍ୟକ୍ତିତଗତ ଜୀବନକୁ ପ୍ରଭାବିତ କରିଥିବା 'ସମ୍ବାଦ'କୁ ଇ-ମେଲ୍ ଯୋଗେ ଜଣାଇଛନ୍ତି ଶ୍ରୀ ପଟ୍ଟନାୟକ। ସେ ଉଲ୍ଲେଖ କରିଛନ୍ତି, ' ଝିଅ ଚିକାଗୋରେ ଚାକିରି କରେ। ପୁଅ ଏମ୍ଆଇଟି(ବୋଷ୍ଟନ)ରେ ପିଏଚ୍ଡି ଛାତ୍ର। ଏମିତି ଏକ ପରିସ୍ଥିତିବେଳେ ପିଲାଙ୍କୁ ନେଇ ଚିନ୍ତା ରହିଛି। ଗତ ୪ ସପ୍ତାହ ହେବ ଘରୁଥାଇ ଅଫିସ୍ କାମ କରୁଛି। ଅଫିସ୍ କାମ ବ୍ୟତୀତ ଲେଖାପଢ଼ା , ଶାରୀରିକ ବ୍ୟାୟାମରେ ସମୟ ବିତୁଛି।'' ଏଠାକାର ଓଡ଼ିଆ ମାନେ ଗୋଟିଏ ସମୟରେ ନିଜନିଜ ଘରୁ ୧୧ଥର ଗାୟତ୍ରୀ ମନ୍ତ୍ର ଜପ କରୁଛନ୍ତି,' ବୋଲି କହିଛନ୍ତି। ଏଥିସହିତ,ଫେବ୍ରୁଆରି ମାସରେ ରାଷ୍ଟ୍ରପତି ଟ୍ରମ୍ପ ସଠିକ୍ ପଦକ୍ଷେପ ନେଇଥିଲେ ଆଜି ଏହିଭଳି ପରିସ୍ଥିତି ସୃଷ୍ଟି ହୋଇନଥା’ନ୍ତା ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ।
(ଇମେଲ୍ ଯୋଗେ ନିଜର ଅନୁଭୂତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାରେ ରହୁଥିବା ସତ୍ୟ ପଟ୍ଟନାୟକ)