ନିକଟରେ ପ୍ରକାଶ ପାଇଛି ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ। କନ୍ଧମାଳ ଭଳି ଏକ ଦୁର୍ଗମ ତଥା ପଛୁଆ ଜିଲ୍ଲାର ଝିଅ ସୁଚିସ୍ମିତା ପାଣିଗ୍ରାହୀ ସମଗ୍ର ଓଡ଼ିଶାରେ ଦ୍ବିତୀୟ ସ୍ଥାନ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି। ତାଙ୍କ ସଂଘର୍ଷର ଯାତ୍ରା ଓ ସଫଳତାର କାହାଣୀ କିଭଳି ଥିଲା, ସେ ସମ୍ପର୍କରେ ଅଧିକ ଜାଣିବା ପାଇଁ ତାଙ୍କୁ ଭେଟିଥିଲେ ‘ସମ୍ବାଦ’ର କନ୍ଧମାଳ ଜିଲ୍ଲା ପ୍ରତିନିଧି ରଞ୍ଜନ ପ୍ରଧାନ
l ଓଡ଼ିଶା ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତ ହେବା ଏବଂ ସଫଳତା ହାସଲ କରିବାର ପ୍ରେରଣା କେଉଁଠୁ ପାଇଲେ?
ସ୍କୁଲ୍ ସମୟରେ ମୁଁ ଭାରତର ପ୍ରଥମ ମହିଳା ଆଇପିଏସ୍ ଅଫିସର କିରଣ ବେଦୀଙ୍କ ସମ୍ପର୍କରେ ପଢ଼ିଥିଲି। ତାଙ୍କର ସଂଘର୍ଷ ଓ ସଫଳତା ପରୋକ୍ଷରେ ଏହିଭଳି ପରୀକ୍ଷାରେ ଅବତୀର୍ଣ୍ଣ ହେବା ପାଇଁ ତଥା ପ୍ରସ୍ତୁତି କରିବା ପାଇଁ ମୋତେ ପ୍ରେରଣା ଯୋଗାଇଥିଲା। ପ୍ରତିକୂଳ ପରିସ୍ଥିତିରେ ଥାଇ କିରଣ ବେଦୀ ସଫଳତା ହାସଲ କରିଥିଲେ। ଏହା ମଧ୍ୟ ମୋ ମନରେ ଗଭୀର ପ୍ରଭାବ ପକାଇଥିଲା। ପରୋକ୍ଷରେ ତାଙ୍କ ନିକଟରୁ ହିଁ ପ୍ରେରଣା ଟିକକ ପାଇଥିଲି ଏବଂ ଆଜି ମୁଁ ମୋର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଛି।
l ସିଭିଲ୍ ସର୍ଭିସ୍ ପ୍ରସ୍ତୁତ ପାଇଁ ଭୁବନେଶ୍ବର କି ଦିଲ୍ଲୀ ଭଳି ସହର ଏକାନ୍ତ ଅପରିହାର୍ଯ୍ୟ ବୋଲି ଆପଣ ବିଚାର କରୁଛନ୍ତି କି? ଦୁର୍ଗମ କନ୍ଧମାଳ ଆପଣଙ୍କ ପ୍ରସ୍ତୁତିରେ ପ୍ରତିବନ୍ଧକ ସାଜିନି?
ଆଜିକା ଦିନରେ ଏହି ପ୍ରଶ୍ନର ପ୍ରାସଙ୍ଗିକତା ନାହିଁ କହିଲେ ଚଳେ। କାରଣ, ସବୁଠି ଏବେ ଇଣ୍ଟରନେଟ୍ ସୁବିଧା ରହିଛି। ଯେଉଁଠି ଥିଲେ ବି ଏହା ପ୍ରସ୍ତୁତିରେ ନିଶ୍ଚିତ ଭାବେ ସାହାଯ୍ୟ କରିବ। ମୋ କ୍ଷେତ୍ରରେ ମଧ୍ୟ ଠିକ୍ ସେଇଆ ଘଟିଛି। ମୁଁ ଫୁଲବାଣୀ ଓ ଟିକାବାଲିରେ ରହି ନିଜକୁ ପ୍ରସ୍ତୁତ କରୁଛି। କନ୍ଧମାଳ ଭଳି ଏକ ଆଦିବାସୀ କିମ୍ବା ତୁଳନାତ୍ମକ ଭାବେ ଅନଗ୍ରସର ଜିଲ୍ଲାରେ ରହି ପ୍ରସ୍ତୁତ ହେଲାବେେଳ କୌଣସି ପ୍ରତିବନ୍ଧକର ସମ୍ମୁଖୀନ ହୋଇନାହିଁ। ତେଣୁ ସିଭିଲ୍ ସର୍ଭିସ୍ ପାଇଁ ସହର କି ସ୍ଥାନ ଆଦୌ ଗୁରୁତ୍ବପୂର୍ଣ୍ଣ ନୁହେଁ। ଗୁରୁତ୍ବପୂର୍ଣ୍ଣ ହେଉଛି, ନିଜର ପରିଶ୍ରମ, ସାଧନା ଓ ଆଗ୍ରହ। ଯାହାକି, ସଫଳତା ଆଡ଼କୁ ବାଟ କଢ଼ାଇଥାଏ।
l ଆପଣ ପ୍ରଥମ ଉଦ୍ୟମରେ ଏହି ସଫଳତା ହାସଲ କରିଛନ୍ତି? ସିଭିଲ୍ ସର୍ଭିସ୍ ପ୍ରସ୍ତୁତିରେ ନିର୍ଦ୍ଦିଷ୍ଟ ଭାବେ କୋଚିଂ ଅନୁଷ୍ଠାନର କେତେ ସହାୟକ ହୋଇଥାଏ। ଆପଣ କୋଚିଂ ନେଉଥିଲେ ନା ନାହିଁ?
ହଁ, ମୁଁ ପ୍ରଥମ ଉଦ୍ୟମରେ ଏ ସଫଳତା ହାସଲ କରିଛି। ତେବେ, ବିଧିବଦ୍ଧ ଭାବେ ମୁଁ କୌଣସି ଅନୁଷ୍ଠାନରେ କୋଚିଂ ନେଇନାହିଁ। ମୁଁ ଏଇଠି କନ୍ଧମାଳ ଜିଲ୍ଲାର ଟିକାବାଲିରେ ବସି ଇଣ୍ଟରନେଟ୍, ଅନ୍ଲାଇନ୍, ଗୁଗୁଲ୍ ସହାୟତାରେ ପଢ଼ାପଢ଼ି କରୁଥିଲି। ପରୀକ୍ଷା ପାଇଁ ଆବଶ୍ୟକୀୟ ସାମଗ୍ରୀ ପାଇଯାଉଥିଲି। ଏଥିସହିତ, ୟୁଟ୍ୟୁବ୍ ମାଧ୍ୟମରେ ସିଭିଲ୍ ସର୍ଭିସ୍ ଟପରମାନଙ୍କର ସାକ୍ଷାତକାର ଦେଖୁଥିଲି। ଯାହାକି, ପ୍ରସ୍ତୁତିପଥରେ ମୋତେ ଅନୁପ୍ରେରଣା େଯାଗାଉଥିଲା।
l ଆପଣଙ୍କ ପଢ଼ାପଢ଼ି, କ୍ୟାରିୟର ଓ ପରିବାର?
ଟିକାବାଲି ସହରର ଆଖଣ୍ଡଳମଣି ସାହିରେ ମୋ ଘର। ମୁଁ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରଥମରୁ ପଞ୍ଚମ ଯାଏ ପଢ଼ିଥିଲି। ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ଯାଏ ଫୁଲବାଣୀସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ପଢ଼ିଲି। ଏହାପେର ଭୁବନେଶ୍ବରସ୍ଥିତ ରିଜିଓନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେଶନରେ ଗ୍ରାଜୁଏସନ୍ ଏବଂ କର୍ଣ୍ଣାଟକସ୍ଥିତ ସେଣ୍ଟ୍ରାଲ୍ ୟୁନିଭର୍ସିଟିରେ ପୋଷ୍ଟ ଗ୍ରାଜୁଏସନ୍ (ରସାୟନ ବିଜ୍ଞାନରେ ଏମ୍ଏସ୍ସି) କଲି। ଏମ୍ଏସ୍ସିରେ ମୁଁ ସ୍ବର୍ଣ୍ଣପଦକ ପାଇବା ସହିତ ବିଶ୍ବବିଦ୍ୟାଳୟରେ ଟପର୍ ହୋଇଥିଲି। ଏହାପରେ ମୁଁ ଓଡ଼ିଶା ଏଜୁକେସନ୍ ସର୍ଭିସ୍ (ଓଇଏସ୍)ରେ ସମଗ୍ର ଓଡ଼ିଶାରେ ଦ୍ବିତୀୟ ସ୍ଥାନ ହାସଲ କରିବା ସହ ଭୁବନେଶ୍ବର ୟୁନିଟ୍-୨ସ୍ଥିତ କ୍ୟାପିଟାଲ୍ ଗାର୍ଲସ୍ ହାଇସ୍କୁଲ୍ର ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲି। ମୋ ବାପା ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହୀ ଫିରିଙ୍ଗିଆ ବ୍ଲକରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରନ୍ତି ଏବଂ ମା’ ସୁପ୍ରଭା ପାତ୍ର ଜଣେ ପ୍ରାଥମିକ ସ୍କୁଲ୍ ଶିକ୍ଷୟିତ୍ରୀ।
l ଆପଣ ବି ମହିଳାଙ୍କ ମଧ୍ୟରେ ଟପର। ଆପଣଙ୍କ ଏହି ସଫଳା ସାମଗ୍ରିକ ଭାବେ ମହିଳାମାନଙ୍କୁ କିଭଳି ଉଦ୍ବୁଦ୍ଧ କରିବ? ମହିଳା ସଶକ୍ତୀକରଣ ସମ୍ପର୍କରେ କ’ଣ କହିବେ?
ଆଜିର ଦିନରେ ବି ସମାଜରେ ଜଣେ ପୁରୁଷ ଯେତିକି ସୁବିଧା ସୁଯୋଗ ପାଉଛି, ଜଣେ ମହିଳା ତାହା ପାଉନାହିଁ। ଆଜିର ଦିନରେ ବି ସମାଜରେ ମହିଳା-ପୁରୁଷ ତାରତମ୍ୟ ରହିଛି। ମହିଳାଙ୍କୁ ଆଗକୁ ଆଣିବାକୁ ହେଲେ ସେମାନଙ୍କୁ ସଶକ୍ତ କରିବା ଜରୁରୀ ଅଟେ। ସରକାର ବି ମହିଳା ସଶକ୍ତୀକରଣ ନେଇ ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି। ‘ମିସନ୍ ଶକ୍ତି’ ମାଧ୍ୟମରେ ମହିଳାମାନଙ୍କର ଯଥେଷ୍ଟ ବିକାଶ ଘଟୁଛି। ଆଜି ମହିଳାମାନେ ଆର୍ଥିକ ସ୍ବାବଲମ୍ବୀ ହେଲେଣି। ସାକ୍ଷାତକାର ସମୟରେ ମହିଳା ସଶକ୍ତୀକରଣ ନେଇ ଏମିତି ଏକ ପ୍ରଶ୍ନ ପଚରାଯାଇଥିଲା। ଉତ୍ତରରେ ମୁଁ ଏଇଆ ହିଁ କହିଥିଲି।
l ସିଭିଲ୍ ସର୍ଭିସ୍ ପ୍ରସ୍ତୁତି ବେଳେ ସମସ୍ତେ ଯେଉଁ ମହତ ସ୍ବପ୍ନ ଦେଖିଥାନ୍ତି। ମାତ୍ର, ଚାକିରି କଲାପରେ ସେ ସ୍ବପ୍ନ ଭଙ୍ଗ ହୋଇଯାଏ। ସେମାନେ ଦୁର୍ନୀତିଗ୍ରସ୍ତ ହୋଇପଡ଼ନ୍ତି। ଭିଜିଲାନ୍ସ/ସିବିଆଇ/ଇଡି ହାତରେ ଧରାପଡ଼ନ୍ତି? ଏ ସମ୍ପର୍କରେ ଆପଣଙ୍କ ମତ କ’ଣ?
ହଁ, ଏହା ଅପ୍ରିୟ ସତ୍ୟ। ଦୁର୍ନୀତି କରିବା କେବେ ବି ପ୍ରଶଂସନୀୟ କାର୍ଯ୍ୟ ନୁହେଁ। ମୁଁ ବ୍ୟକ୍ତିଗତ ଭାବେ ଏହାକୁ ଘୃଣା କରେ। ମୁଁ ଭାବେ, ଜଣେ ଦୁର୍ନୀତିମୂଳକ କାମ କଲାବେଳେ ସମାଜର ସବୁଠୁ ତଳ ବର୍ଗର ବ୍ୟକ୍ତିଟିଏର କଥା ମନକୁ ଆଣିବା ଉଚିତ। ଗରିବ ଲୋକଟିଏ କିଭଳି ବଞ୍ଚୁଛି, ସେକଥା ଭାବିବା ଉଚିତ। ସବୁବେଳେ ନିଜେ ବିବେକ ଓ ଅନ୍ତରାତ୍ମାକୁ ପଚାରି କାମ କରିବା ଉଚିତ। ଜଣେ ଅଧିକାରୀ ଏମିତି କାମ କରୁ, ଯାହାକି ସମାଜର ହିତ ସାଧନ କରୁଥିବ।
l କେଉଁ ବିଭାଗରେ କାମକଲେ ଆପଣ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିପାରିବେ? ପ୍ରଶାସନିକ କ୍ଷେତ୍ରରେ ସଂସ୍କାର ଆସିବା ଜରୁରୀ ବୋଲି ଭାବନ୍ତି ନା ନାହିଁ?
ମୋତେ ଯେଉଁ ବିଭାଗରେ ବି ଦାୟିତ୍ବ ମିଳୁ; ମୋର ଶ୍ରେଷ୍ଠତ୍ବ ପ୍ରତିପାଦନ କରିବାକୁ ଚେଷ୍ଟା କରିବି। ମୁଁ ମୋର ‘ଶତପ୍ରତିଶତ’ ଦେବାକୁ ଚେଷ୍ଟା କରିବି। ଗରିବ ଲୋକଙ୍କ ସେବା କରିବି। ଶିକ୍ଷା, ସ୍ବାସ୍ଥ୍ୟ ଓ ମହିଳା ସଶକ୍ତୀକରଣ ଉପରେ ଅଧିକ ଦୃଷ୍ଟିକେନ୍ଦ୍ରୀତ କରିବି। ପ୍ରଶାସନିକ କ୍ଷେତ୍ରରେ କ’ଣ ସଂସ୍କାର ଆସିବା ନ ଆସିବା ଭିନ୍ନ ପ୍ରସଙ୍ଗ। ମାତ୍ର, ମୁଁ ଏତିକି କହିବି; ‘ନୈତିକ ଶିକ୍ଷା’ (ଭାଲ୍ୟୁ ଏଜୁକେସନ୍) ଉପରେ ଗୁରୁତ୍ବ ଦିଆଯିବା ଜରୁରୀ। ସଚ୍ଚୋଟତା (ଅନେଷ୍ଟି), ସଂହତି (ଇଣ୍ଟିଗ୍ରିଟି) ଏବଂ କର୍ମତତ୍ପରତା ଉପରେ ଅଧିକ ଗୁରୁତ୍ବ ଦିଆଯିବା ଜରୁରୀ।
l ଉଚ୍ଚତର ଶିକ୍ଷା ଓ ଗବେଷଣା ପାଇଁ ଇଂରାଜୀ ଭାଷା ଜରୁରୀ କି?
ହଁ, ଇଂରାଜୀ ଭାଷା ଏକ ଯୋଗାଯୋଗର ମାଧ୍ୟମ ହୋଇପାରେ। ଜଣେ ଯେତେ ଅଧିକ ଭାଷା ଶିକ୍ଷାଲାଭ କରିବ, ତା’ ପାଇଁ ସେତେ ଭଲ। କିନ୍ତୁ ନିଜ ମାତୃଭାଷାକୁ ଭୁଲି ଅନ୍ୟ ଭାଷାର ପ୍ରେମରେ ପଡ଼ିବା ମାରାତ୍ମକ ମାନସିକତା। ଆଜିକାଲି ଓଡ଼ିଆ ମାଧ୍ୟମରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାର ବ୍ୟବସ୍ଥା ହେଲାଣି। ସିଭିଲ୍ ସର୍ଭିସ୍ ପରୀକ୍ଷା ମଧ୍ୟ ନିଜ ମାତୃଭାଷାରେ ଦେଇହେଉଛି। ଏଣୁ ଜଣେ ଓଡ଼ିଆ ମାଧ୍ୟମ ପିଲାର ମନରେ ଇଂରାଜୀ ଭାଷାକୁ ନେଇ କୌଣସି ହୀନମନ୍ୟତା ରହିବା ଉଚିତ ନୁହେଁ। ଓଡ଼ିଆ ଭାଷାରେ ଶିକ୍ଷାଲାଭ କରି ମଧ୍ୟ ବଡ଼ ବଡ଼ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ହାସଲ କରିହେବ ବୋଲି ମୁଁ ଦୃଢ଼ତାର ସହ କହିବି।
lମଣିପୁର ହିଂସା ଓ ମହିଳାଙ୍କ ପ୍ରତି ବର୍ବରୋଚିତ ବ୍ୟବହାର ଘଟଣାକୁ ଆପଣ କିଭଳି ଦେଖନ୍ତି?
ଏହା ସଭ୍ୟ ସମାଜ ପାଇଁ ଲଜ୍ଜା। ଏଭଳି ଲଜ୍ଜାକର ଘଟଣା ଭବିଷ୍ୟତରେ ନ ଘଟୁ ବୋଲି ଈଶ୍ବରଙ୍କୁ ପ୍ରାର୍ଥନା କରିବି। ଆଜିର ଏକବିଂଶ ଶତାବ୍ଦୀରେ ଏଭଳି ଘଟଣା ଘଟୁଛି, ଯାହାକୁ ଭାବିଲେ ମଥା ତଳକୁ ନଇଁଯାଉଛି। ମୁଁ ପ୍ରଶାସନିକ ଅଧିକାରୀ ଭାବେ କ୍ଷମତାରେ ରହିଲେ ଏ ଦିଗ ପ୍ରତି ସବୁଠୁ ବେଶି ଧ୍ୟାନ ଦେବି।
l ଧର୍ମ ଓ ଜାତି ନାମରେ ହେଉଥିବା ରାଜନୀତି ସମ୍ପର୍କରେ ଆପଣଙ୍କ ମତ କ’ଣ?
ଧର୍ମ ଓ ଜାତିକୁ ନେଇ କୁତ୍ସିତ ରାଜନୀତି ବନ୍ଦ ହେବା ଆବଶ୍ୟକ। ଧର୍ମ ନାମରେ ମଣିଷକୁ ଭାଗ ଭାଗ କରା ନ ଯାଉ। ଉଚ୍ଚ, ନୀଚ ଜାତି ନାମରେ ମଣିଷ ମନରେ ବିଭେଦ ଓ ଘୃଣା ସୃଷ୍ଟି କରା ନଯାଉ। ଆମେ ସମସ୍ତେ ସମ୍ବିଧାନକୁ ସମ୍ମାନ ଦେବା ଉଚିତ। କୌଣସି ଧର୍ମ କିମ୍ବା ଜାତି କିମ୍ବା ମଣିଷ କିମ୍ବା ରାଜନେତା ସମ୍ବିଧାନର ଊର୍ଦ୍ଧ୍ବରେ ନୁହନ୍ତି। ଏହା ମନେ ରଖିବା ଉଚିତ।
l ଆପଣ ଏ ସଫଳତାର ଶ୍ରେୟ କାହାକୁ ଦେବେ? ଆପଣଙ୍କର କିଛି ଏମିତି ସ୍ମରଣୀୟ ସ୍ମୃତି ରହିଛି କି?
ମୁଁ ଏ ସଫଳତାର ଶ୍ରେୟ ପ୍ରଥମେ ମୋ’ ବାପା, ମା’ ଏବଂ ସାନ ଭାଇଙ୍କୁ ଦେବି। ଏହା ସହିତ ମୋତେ ପଢ଼ାଇଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେବି। ସ୍ମରଣୀୟ ସ୍ମୃତିକ୍ରମରେ ମୁଁ ଫୁଲବାଣୀ ଜବାହର ନବୋଦୟ ବିଦ୍ୟାଳୟରେ ପଢୁଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ବିଷୟରେ ଏକ ବକ୍ତୃତା ଦେଇଥିଲି। ଏ ବକ୍ତୃତା ଆମ ଶିକ୍ଷକମାନଙ୍କୁ ଏଭଳି ପ୍ରଭାବିତ କରିଥିଲା, ସମସ୍ତେ ସେହି ମଞ୍ଚରୁ ମୋତେ ‘ସାଇନିଂ ଷ୍ଟାର୍ ଅଫ୍ ଆୱାର ସ୍କୁଲ୍’ ବୋଲି ଘୋଷଣା କରିଥିଲେ। ଏହା ସ୍ମରଣୀୟ ହୋଇରହିଛି।