ଜଙ୍ଗଲ ସୁରକ୍ଷା ପାଇଁ ନୂଆ ଉପାୟ ଅବଲମ୍ବନ କରିଛନ୍ତି ଶିକ୍ଷକ ସୁବାଷ କୁମାର ଶ୍ରୀବାସ୍ତବ!

ଆମ ଦେଶରେ ଦିନକୁ ଦିନ ବହୁଳ ଭାବେ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି। ଏନେଇ ସରକାରଙ୍କ ପକ୍ଷରୁ ଅନେକ ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ଏହାର ସଫଳ ମିଳିପାରି ନାହିଁ। ଜଙ୍ଗଲ କ୍ଷୟକ୍ଷତି ଯୋଗୁଁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱ ତାପାୟନ ଯୋଗୁଁ ପାଣିପାଗରେ ପରିବର୍ତ୍ତନ ଦେଖାଦେଉଛି। କେବଳ ସେତିକି ନୁହେଁ ବନ୍ୟା ଓ ବାତ୍ୟାର ମୂଳ କାରଣ ହେଉଛି ବିଶ୍ୱ ତାପାୟନ। ଜଙ୍ଗଲ କ୍ଷୟ ଯୋଗୁଁ ବର୍ଷାର ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାଦ୍ୱାରା ପ୍ରତିବର୍ଷ ବିଭିନ୍ନ ଅଞ୍ଚଳରେ ମରୁଡି ଦେଖାଦେବା ସହ ଗ୍ରୀଷ୍ମ ଋତୁ ଆସିଲେ ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି।

ତେବେ ଆଜି କି କିଛି ଲୋକ ଅଛନ୍ତି ଯେଉଁମାନେ ପ୍ରକୃତିକୁ ରକ୍ଷା କରିବା ପାଇଁ ଲଗାତାର ଚେଷ୍ଟା ଚଳାଇଛନ୍ତି। ଏପରି ଜଣେ ମଣିଷ ହେଲେ ଶିକ୍ଷକ ସୁବାଷ କୁମାର ଶ୍ରୀବାସ୍ତବ। ସୁବାଷ ଗଛଲତାକୁ ବଞ୍ଚାଇବା ପାଇଁ ନୂଆ ଉପାୟ ଅବଲମ୍ବନ କରିଛନ୍ତି। ଦେବାଦେବୀଙ୍କୁ ଗଛର ରକ୍ଷକ ସଜାଇ ଦେଉଛନ୍ତି। ସୁବାଷ ଦେବୀ-ଦେବତାଙ୍କ ପ୍ରତିକୃତି ତିଆରି କରି ସିନ୍ଦୁର ଲଗାଇ ଗଛ ମୂଳେ ରଖିଦେଇଛନ୍ତି। ଯଦ୍ୱାରା ଗାଁରେ ଲୋକମାନେ ଗଛକୁ ନକାଟି ପୂଜା କରିବାରେ ଲାଗୁଛନ୍ତି। ସୁବାଷ କହିଛନ୍ତି ଏପରି କରି ସେ ଜଗଦଲପୁରର ବସ୍ତର ବ୍ଲକ ଅନ୍ତର୍ଗତ ଜଙ୍ଗଲକୁ ବଞ୍ଚାଇ ପାରିଛନ୍ତି। ଯାହା ନଷ୍ଟ ହେବାକୁ ବସିଥିଲା। ଏବେ ଗଛଲତା ଓ ଭରା ଜଙ୍ଗଲରେ ଉକ୍ତ ଅଞ୍ଚଳ ହସିଉଠୁଛି।

ସୁବାଷଙ୍କ ଏହି ପ୍ରୟସାରେ ଉକ୍ତ ଅଞ୍ଚଳରେ ଏବେ ଘନ ଜଙ୍ଗଲ ହୋଇଯାଇଛି। ସୁବାଷ ସବୁବେଳେ ନିଜ ପାଖରେ କିଛି ମଞ୍ଜି ଓ କୋଦାଳ ଧରି ଚାଲନ୍ତି। ନଦୀ କୂଳ, ସରକାରୀ ଜମି, ଯେଉଁଠି ବି ଖାଲି ସ୍ଥାନ ଦେଖିଲେ ସେଇଠି ମଞ୍ଜିି ଲଗାଇ ଦିଅନ୍ତି। ଏହା ବ୍ୟତୀତ ଲୋକଙ୍କୁ ସଚେତନ କରିବା ପାଇଁ ସୁବାଷ ଛାତ୍ର, ଶିକ୍ଷକ ଓ ଗାଁ ଲୋକଙ୍କ ମଧ୍ୟରେ ବସି ପରିବେଶ ବିଷୟରେ ଆଲୋଚନା କରନ୍ତି ।

ସମ୍ବନ୍ଧିତ ଖବର