ତିନି ମହଲା କୋଠାରୁ ଖସି ପଡ଼ିଥିବା ସ୍ତ୍ରୀ-ପୁଅଙ୍କୁ ବଞ୍ଚାଇଛନ୍ତି ମହାପ୍ରଭୁ : ରାମଚନ୍ଦ୍ର ଦାସମହାପାତ୍ର (ମା’ ସୁଭଦ୍ରାଙ୍କ ବାଡ଼ଗ୍ରାହୀ)

ଏଇ ବର୍ଷର କୋଭିଡ଼୍‌ କଟକଣା ପରେ, ଚଳିତବର୍ଷ ଭକ୍ତଙ୍କୁ ନେଇ ରଥଯାତ୍ରା କରିବା ପାଇଁ ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ତତ୍ପରତାର ସହ ଲାଗିଛନ୍ତି। ଏହି ସମୟରେ ଛତିଶାନିଯୋଗର ପ୍ରମୁଖ ସହଯୋଗ ରହିଥିଲେ ବି ମୁଖ୍ୟ ସେବା ହେଉଛି ଦଇତାପତିମାନଙ୍କର। କାରଣ ରଥଯାତ୍ରାରେ ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ, ସମସ୍ତ ଶ୍ରୀଅଙ୍ଗ ‌ସେବା ଦାୟିତ୍ବ ଦଇତାପତିମାନେ ନେଇଥାନ୍ତି। ସେଥିପାଇଁ ନବଯୌବନ ଦର୍ଶନଠାରୁ ଆରମ୍ଭ କରି ରଥଟଣା ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି, ପ୍ରସ୍ତୁତି, ସେନାପଟା ଲାଗି, ମଙ୍ଗଳାର୍ପଣ, ଠାକୁରଙ୍କୁ ପହଣ୍ଡି କରି ରଥକୁ ନେବା, ଠାକୁରଙ୍କ ରୁନ୍ଧା କାର୍ଯ୍ୟ, ଚିତା ଲାଗି, ‌ଛେରା ପହଁରା ସମୟରେ ମାଳଚୂଳ ଦେବା, ଏ ସମସ୍ତ ଦାୟିତ୍ବ ବର୍ଷ ବର୍ଷ ଧରି ସେମାନେ ତୁଲାଇ ଆସୁଛନ୍ତି। ସେହିପରି ଠାକୁରଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇବା ଓ ରୁନ୍ଧା କରିବା ଦାୟିତ୍ବ ବି ଦଇତାପତିଙ୍କର। ପରେ ଶ୍ରୀମନ୍ଦର ଭଳି ସେଠାରେ ଦଇତାପତିମାନଙ୍କ ଦ୍ବାରା ଦୈନିକ ନୀତିକାନ୍ତି ହୋଇଥାଏ। ସେଠାରେ ସେନାପଟା ଲାଗି ପରେ ବାହୁଡ଼ା ପହଣ୍ଡି କରିବା କାମ ବି ଆମର। ଅଣସର ଘରେ ଗୁପ୍ତସେବା ବି ଦଇତାପତିମାନେ କରନ୍ତି। ଚଳିତବର୍ଷ ମହାପ୍ରଭୁଙ୍କ କୃପାରୁ ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ହେଉଛି। ଏଥିପାଇଁ ସମସ୍ତ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ତରଫରୁ କରାଯାଇଛି। ମହାପ୍ରଭୁଙ୍କ ଆଶୀର୍ବାଦରୁ ଚଳିତ ରଥଯାତ୍ରା ସୁରୁଖୁରରେ ସଂପନ୍ନ ହେବ, ଏହା ଆଶା।

ରଥଯାତ୍ରା ବ୍ୟତୀତ ଦଇତାପତିମାନଙ୍କର ବର୍ଷସାରା ସେବା ବି ରହିଛି। ରଥଯାତ୍ରା ପରେ ଶ୍ରୀଜିଉଙ୍କଠାରେ ରତ୍ନଚିତା, ରାହୁରେଖା ଲାଗି ହୋଇଥାଏ। ଚିତାଲାଗି ଅମାବାସ୍ୟାରେ ଚିତାଲାଗି ଓ ରେଖା ପଞ୍ଚମୀରେ ସୁବର୍ଣ୍ଣ ରାହୁରେଖା ଦଇତାପତିମାନେ ଗୋଷ୍ଠୀଗତ ଭାବେ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି। ଏହା ସହ ଖସାପଡ଼ା ଲାଗି, ପଇତା ଲାଗି, ସୁଦର୍ଶନ ବିଜେ, ଚକ୍ର ବିଜେ ନୀତି ବି ସଂପନ୍ନ କରିଥାନ୍ତି। ଅକ୍ଷୟ ତୃତୀୟା ପୂର୍ବରୁ ଚନ୍ଦନଲାଗି ଅନୁଷ୍ଠିତ ହୋଇଥାଏ। ସେ ସମୟରେ ଦଇତାପତିମାନେ ପଇତାଲାଗି କରିଥାନ୍ତି। ଶ୍ରୀମନ୍ଦିରରେ ତିନି ସେବକ, ପୂଜାପଣ୍ଡା, ପୁଷ୍ପାଳକ ଓ ଦଇତାପତିମାନେ ହେଉଛନ୍ତି ଶ୍ରୀଅଙ୍ଗ ସେବକ। ତେଣୁ ଶ୍ରୀଅଙ୍ଗରେ ଯେଉଁ ସେବା କାର୍ଯ୍ୟ ଥାଏ, ଶ୍ରୀଅଙ୍ଗ ରକ୍ଷକ ଭାବେ ବର୍ଷସାରା ଦଇତାପତିମାନେ ସେହି ସେବା କରିଥାନ୍ତି।

ମୋର ଅନୁଭବ, ଯାହା ବି ହେଉଛି ସବୁ ମହାପ୍ରଭୁଙ୍କ ଇଚ୍ଛାରେ। ୨୦୨୦ ମସିହାରେ ରଥଯାତ୍ରା ବନ୍ଦ ପାଇଁ ସମସ୍ତ ପ୍ରସ୍ତୁତି ହୋଇ ସାରିଥିଲା, କିନ୍ତୁ ମହାପ୍ରଭୁ ଜଗନ୍ନାଥ ଅନ୍ତିମ ସମୟରେ ତାଙ୍କ ଯାତ୍ରା ନିଜେ କରାଇଲେ। କମ୍‌ ସଂଖ୍ୟକ ସେବାୟତଙ୍କୁ ନେଇ ରଥ ଗୋଟିଏ ଦିନରେ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ଲାଗି ଯାଇଥିଲା। ମହାପ୍ରଭୁଙ୍କ କୃପା ନ ଥିଲେ ପତ୍ର ବି ହଲେନି। ଠାକୁରଙ୍କ ଯାହା ଇଚ୍ଛା, ସେଇଆ ହିଁ ନିର୍ଦ୍ଧାରଣ କରିଥାନ୍ତି। ମହାପ୍ରଭୁଙ୍କ କୃପାରୁ ଚଳିତବର୍ଷ ନୀତିକାନ୍ତି ସୁରୁଖୁରରେ ଚାଲିଛି, ରଥଯାତ୍ରା ବି ସୁରୁଖୁରରେ ଶେଷ ହେବ ବୋଲି ଆଶା।

ଦଇତା ସେବକ ହିସାବରେ ମୋର ଅନୁଭୂତି ଅନେକ। ୧୯୮୫ ମସିହାରେ ଯେତେବେଳେ ମୋର ପତ୍ନୀ ତିନି ମହଲା କୋଠାରୁ ଗଳି ପଡ଼ିଥିଲେ, ସେ ସମୟରେ ମୋ ସାନ ପୁଅ ବର୍ଷକର ହୋଇଥିଲା। ପୁଅ କୋଳରେ ଥିବା ଅବସ୍ଥାରେ ସ୍ତ୍ରୀ ତଳେ ପଡ଼ିଥିଲେ। ଦଇତାପତି ବଂଶରେ ଯେଉଁମାନେ ଜନ୍ମ ନିଅନ୍ତି, ସେମାନେ ମହାପ୍ରଭୁଙ୍କ କୃପାରୁ ଜନ୍ମ ନିଅନ୍ତି। କାରଣ ଜନ୍ମିତ ପୁତ୍ରମାନେ ଏକୋଇଶିଆ ଯିବା ପରେ ଦଇତା ସେବକ ରୂପେ ଗଣା ଯାଇଥାନ୍ତି। ଜଗନ୍ନାଥଙ୍କ ସେବା ଛୋଟ ପିଲାବେଳୁ କରି ଆସିଥାନ୍ତି। ମୋର ଚିନ୍ତାଧାରା ହେଉଛି, ମୋ ସ୍ତ୍ରୀ ଯୋଗୁଁ ପୁଅ ବଞ୍ଚିନି, ଓଲଟା ମୋ ପୁଅ ଯୋଗୁଁ ସ୍ତ୍ରୀ ବଞ୍ଚିଛି। ଜଗନ୍ନାଥଙ୍କ କୃପା ବିନା ଏହା ଅସମ୍ଭବ। ଜଗନ୍ନାଥ ତାଙ୍କୁ ଫୁଲ ପରି ତିନି ତାଲା ତଳେ ପହଞ୍ଚାଇ ଦେଇଥିଲେ। କାହାରି କିଛି କ୍ଷତି ହୋଇନଥିଲା। ଏହା ମୋର ଜୀବନରେ ଜଗନ୍ନାଥଙ୍କର ସବୁଠୁ ବଡ଼ କୃପା ଓ ଆଶୀର୍ବାଦ।

-ରାମଚନ୍ଦ୍ର ଦାସମହାପାତ୍ର (ମା’ ସୁଭଦ୍ରାଙ୍କ ବାଡ଼ଗ୍ରାହୀ)

ସମ୍ବନ୍ଧିତ ଖବର