ନୂଆଦିଲ୍ଳୀ: ଆଜିଠାରୁ (ଜୁଲାଇ ୪) ଦେଶରେ ଶ୍ରାବଣ ମାସ ଆରମ୍ଭ ହୋଇଛି। ଦେବଦେବ ମହାଦେବ ଏବଂ ଦେବୀ ପାର୍ବତୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭକ୍ତମାନେ ଶ୍ରାବଣ ମାସରେ ଜଳଲାଗି କରିବା ସହ ଉପବାସ ପାଳନ କରନ୍ତି। ଶିବଙ୍କ ପ୍ରିୟ ବାର ସୋମବାର ତେଣୁ ଶ୍ରାବଣ ମାସରେ ପଡୁଥିବା ସମସ୍ତ ଉପବାସ ନିଷ୍ଠାର ସହ ପାଳି ଥାଆନ୍ତି ଶ୍ରଦ୍ଧାଳୁ । ଶ୍ରାବଣ ସୋମବାରରେ କାଉଡିଆମାନେ ଶୈବପୀଠରେ ଜଳଲାଗି କରିଥାଆନ୍ତି। ଶିବଙ୍କ ବ୍ରତ କରିବାକୁ ଭକ୍ତମାନେ ପୂରା ମାସ ଯାକ ବି ଆମିଷ ପରିତ୍ୟାଗ କରିଥାନ୍ତି।

Advertisment

ଶ୍ରାବଣ ସୋମବାର ଶିବଙ୍କୁ ଉତ୍ସର୍ଗ କରାଯାଉଥିବା ବେଳେ ଏହି ମାସର ମଙ୍ଗଳବାରମାନଙ୍କରେ ଭଗବାନ ଶିବଙ୍କ ଧର୍ମପତ୍ନୀ ଦେବୀ ପାର୍ବତୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରଯାଇଥାଏ। ଶ୍ରାବଣ ମାସରେ ଶିବଙ୍କୁ ପୂଜା କରିବା ନୀତି ସମୁଦ୍ର ମନ୍ଥନ ସମୟରୁ ପାଳନ ହୋଇ ଆସୁଛି ବୋଲି ପୁରାଣରେ ଉଲ୍ଲିଖିତ ହୋଇଛି।

ବିଶ୍ବାସ ରହିଛି ଯେ ସମୁଦ୍ର ମନ୍ଥନରୁ ମିଳିଥିବା ବିଷକୁ ପାନ କରିବା ପରେ ଶିବଙ୍କ କଣ୍ଠ ନୀଳ ପଡ଼ି ଯାଇଥିଲା। ସେଥିପାଇଁ ତାଙ୍କୁ ନୀଳକଣ୍ଠ ବୋଲି ମଧ୍ୟ କୁହାଯାଏ। ମାତ୍ର ବିଷ ତାଙ୍କ ଶରୀରରେ ବ୍ୟାପିବା ପୂର୍ବରୁ ପାର୍ବତୀ ଯାଇ ତାଙ୍କ ଗଳ‌ାରେ ବସି ଯାଇଥିଲେ। ଫଳରେ ଶିବଙ୍କ ଶରୀର ଭିତରକୁ ବିଷ ଯାଇ ପାରିନଥିଲା।

ସେହି କାରଣରୁ ଭକ୍ତମାନେ ପ୍ରତିବର୍ଷ ଶ୍ରାବଣ ସୋମବାରରୁ ଗଙ୍ଗାରୁ ପାଣି ନେଇ ଶିବଙ୍କ କ୍ଷତ ଭଲ କରିବା ଉଦ୍ଦେଶ୍ୟରେ  ଶିବଲିଙ୍ଗରେ ଢାଳନ୍ତି। ସମଗ୍ର ଜଗତ ପାଇଁ ହରପାର୍ବତୀଙ୍କ ତ୍ୟାଗକୁ ଦୃଷ୍ଟିରେ ରଖି ସୋମବାର ଶିଙ୍କ ଉଦ୍ଦେଶ୍ୟରେ ଓ ମଙ୍ଗଳବାର ପାର୍ବତୀଙ୍କ ଉଦ୍ଦେଶ୍ୟରେ ଆରାଧନା କରନ୍ତି।

ଏହି ବର୍ଷ ଯୋଡ଼ା ଶ୍ରାବଣ ପଡ଼ିଛି। ଏଣୁ ଶ୍ରାବଣ ମାସ ଜୁଲାଇ ୪ (ମଙ୍ଗଳବାର) ରେ ଆରମ୍ଭ ହୋଇଛି। ଏହା ଅଗଷ୍ଟ ୩୧ (ଗୁରୁବାର)ରେ ଶେଷ ହେବ। ଏଥରର ବିଶେଷତ୍ୱ ​​ହେଉଛି ଯେ ୧୯ ବର୍ଷର ଦୀର୍ଘ ବ୍ୟବଧାନ ପରେ ଶ୍ରାବଣ ଦୁଇ ମାସ ଧରି ରହିବ। ତେଣୁ ଏବର୍ଷ (୨୦୨୩)ରେ ଶ୍ରାବଣ ୫୯ ଦିନ ଲମ୍ବା ହେବ। ଚାରିଟି ବଦଳରେ ଏଥର ଆଠଟି ସୋମବାର ପଡ଼ିବ।