ଭୁବନେଶ୍ବର: ବହୁ ଲୋକ ବିଭିନ୍ନ ପ୍ରକାର କୁପ୍ରବୃତ୍ତିର ବଶୀଭୂତ ହୋଇଥାନ୍ତି । କାହାର ଝିଅପିଲା ପ୍ରତି ଆସକ୍ତି (ୱିମ୍ୟାନ୍ କମ୍ପ୍ଲେକ୍ସ) ଥାଏ ତ କାହାର ମଦ ଆଦି ନିଶାଦ୍ରବ୍ୟ ପ୍ରତି। କାହାର ଆଉ କେତେ ପ୍ରକାର ପ୍ରବୃତ୍ତି ଥାଏ ଯାହା ଛାଡ଼ିବା ସହଜ ନୁହେଁ। କିନ୍ତୁ କଠିନ ହେଲେ ବି ଏହା ଅସମ୍ଭବ ନୁହେଁ। ଗୋଟିଏ ଗପ କହୁଛି-

Advertisment

ଜଣେ ବାବା ଆସିଲେ ଶିଷ୍ୟ ଘରକୁ। ବାବା ସୁନା ତିଆରି କରିବାର ମନ୍ତ୍ର ଜାଣିଛନ୍ତି। ଏହା ଜାଣି ଶିଷ୍ୟ ଗୁରୁଙ୍କର ଖୁବ୍ ସେବା କଲା ଏବଂ ନିବେଦନ କଲା ତାକୁ ମନ୍ତ୍ର ଶିଖାଇ ଦେବା ପାଇଁ। କହିଲା, ଗୁରୁଦେବ! ଆପଣ ଜାଣନ୍ତି ମୁଁ ଭାରି ଗରିବ। ମନ୍ତ୍ର ଯେତେବେଳେ ଆପଣ ଜାଣିଛନ୍ତି, ମୋତେ ଶିଖାଇ ଦେଲେ ମୋର ଦୀର୍ଘଦିନର ଦାରିଦ୍ର୍ୟ ଦୂର ହୋଇଯିବ। ଯେକୌଣସି ଲୁହାଖଣ୍ଡକୁ ମୁଁ ମନ୍ତ୍ରବଳରେ ସୁନା କରି ଧନୀ ହୋଇପାରିବି। 

ଗୁରୁ କହିଲେ, ଏତେ ସେବା କଲୁଣି ଯେତେବେଳେ ତୋତେ ନିଶ୍ଚୟ ମନ୍ତ୍ର ଶିଖାଇଦେବି। ମନ୍ତ୍ର ବି ଶିଖାଇଦେଲେ, ତା’ ସହ ତା’ର ପ୍ରୟୋଗ ପଦ୍ଧତି ବି ଶିଖାଇଦେଲେ। ଶିଷ୍ୟ ମହାଖୁସ୍। ଶେଷରେ ବିଦାୟ ନେଇ ଯିବାବେଳେ ଏରୁଣ୍ଡିବନ୍ଧରୁ ଲେଉଟି ବାବା କହିଲେ- ହଁ, ତୋତେ ଗୋଟିଏ କଥା କହିବାକୁ ଭୁଲିଯାଇଥିଲି। ତୁ ଯେତେବେଳେ ମନ୍ତ୍ର ପଢ଼ି ସୁନା ତିଆରି କରିବୁ, ସେତେବେଳେ ସେ କଳାମାଙ୍କଡ଼ କଥା ଭାବିବୁ ନାହିଁ। ଆଉ ଯଦି ଭାବିବୁ, ତେବେ ଆଉ ସୁନା ତିଆରି ହେବ ନାହିଁ।

ଶିଷ୍ୟ କହିଲା, ଯାହା ହେଉ, ଭଲକଥାଟି କହିଲେ, ନ ହେଲେ ମୋର ସବୁ ଚେଷ୍ଟା ପଣ୍ଡ ହୋଇଯାଇଥାନ୍ତା। 

ଗୁରୁ ବିଦାୟ ନେବା ପରେ ଶିଷ୍ୟ ବସିଗଲା ସୁନା ତିଆରି କରିବାରେ। ଗୁରୁ ବତାଇଥିବା ସବୁ ପଦ୍ଧତି ଅନୁସରଣ କଲା। ଶେଷରେ ଗୁରୁ କହିଥିଲେ, କଳାମାଙ୍କଡ଼ କଥା ଭାବିବୁ ନାହିଁ। କିନ୍ତୁ ଯେତେ ଭାବିବି ନାହିଁ ବୋଲି ମନଃସ୍ଥ କଲେ ମଧ୍ୟ କଳାମାଙ୍କଡ଼ର ଚେହେରା ତା’ ଆଖି ଆଗରେ ଭାସିଉଠିଲା। ଆଉ ସୁନା ତିଆରି ହେଲା ନାହିଁ।

ଠିକ୍ ସେହିପରି ଯେଉଁକଥା ଭାବିବି ନାହିଁ ବୋଲି ମଣିଷ ନିଶ୍ଚୟ କରେ ସେଇକଥା ହିଁ ତା’ର ମାନସପଟରେ ଭାସିଉଠେ। ଝିଅପିଲା କଥା ଭାବିବି ନାହିଁ ବୋଲି କହିଲେ, ସେ ଭାବନାକୁ ସେ ରୋକିପାରେ ନାହିଁ। ମଦ ପିଇବି ନାହିଁ ବୋଲି ସଂକଳ୍ପ ନେଲେ ବି ଠିକ୍ ସମୟରେ ତଲବ ଆସେ। ଯେକୌଣସି ନିଶାଦ୍ରବ୍ୟ ପାଇଁ ବି ସମାନକଥା ପ୍ରଯୁଜ୍ୟ। 

ବିଭିନ୍ନ ଓଷାବ୍ରତରେ ଆମେ ଉପବାସ କରିଥାଉ। ଓଷାଦିନ ଖାଇବି ନାହିଁ ବୋଲି ସଂକଳ୍ପ କରିଥାଉ। କିନ୍ତୁ ସେଦିନ ଆମକୁ ଜଲଦି ଭୋକ ଲାଗେ। ଅବଶ୍ୟ ସଂକଳ୍ପ ଦୃଢ଼ ଥିବାରୁ ଭୋକକୁ ଆମେ ଚାପିଦେଇଥାଉ। ସେଥିପାଇଁ ଓଷାବ୍ରତ ପୂର୍ବରୁ ସଂକଳ୍ପ କରିବାର ବିଧି ଅଛି। 

ନିଶାକର ଖରାଦିନ ଛୁଟିରେ ସବୁଦିନ ଖାଇସାରି ସାଙ୍ଗମାନଙ୍କ ସହ ତାସ ଖେଳେ। ସେଦିନ ରୋଷେଇ କରିବାରେ ମାଆ ଟିକେ ଡେରି କରିଦେଇଛନ୍ତି। ନିଶାକରକୁ ଭୋକ ଲାଗିଲାଣି। ମଆକୁ କହିଲା, ଯାହା ଅଛି ଖାଇବାକୁ ଦେ, ପ୍ରବଳ ଭୋକ ଲାଗିଲାଣି। ମାଆ କହିଲେ, ଆଉ ଅଳ୍ପ ସମୟରେ ରୋଷେଇ ସରିଯିବ, ଟିକେ ଅପେକ୍ଷା କର। ଇତିମଧ୍ୟରେ ସାଙ୍ଗମାନେ ଆସି ପହଞ୍ଚିଗଲେ। କହିଲେ, ରେଷେଇ ତ ସରିନି, ତା’ ଭିତରେ ଆସ ଆମେ ଗୋଟିଏ ବାଜି ତାସ ଖେଳିଦେବା। ଖେଳ ଚାଲିଲା। ତା’ ଭିତରେ ମାଆ ଆସି କେତେଥର ଡାକିଲେଣି- ଆରେ, ତୋତେ ଭୋକ ହେଉଥିଲା ପରା! ରୋଷେଇ କେତେବେଳୁ ସରିଲାଣି, ଆସୁନୁ ଖାଇବୁ। ନିଶାକର କହୁଛି, ରହ ମାଆ, ଏଇ ବାଜିଟା ସରୁ। ତାସଖେଳର ନିଶା ଭିତରେ ନିଶାକର ଭୋକ ଭୁଲିଯାଇଛି। 

ନିଶାକର ଭୋକ ଭୁଲିଯିବା ପରି କୌଣସି ଆଗ୍ରହଜନକ କାର୍ଯ୍ୟରେ ନିଶା ପରି ଲାଗିରହିଲେ ମଦ, ଗଞ୍ଜେଇ ନିଶା ବି ମଣିଷ ଭୁଲିଯାଇପାରେ। ମଦ, ଗଞ୍ଜେଇ ଖାଇବାର ନିର୍ଦ୍ଦିଷ୍ଟ ସମୟ ଥାଏ। ସେଇ ସମୟ ଆସିଲେ ନିଶାର ତଲବ ଆସେ। କିନ୍ତୁ କୌଣସି ପ୍ରକାର ଆଗ୍ରହଜନକ କାର୍ଯ୍ୟରେ ବୁଡ଼ିରହିବା ଭିତରେ ସେହି ସମୟ ଗଡ଼ିଗଲେ, ସେଦିନ ମଦ ଆଦି ନ ଖାଇ ମଣିଷ ରହିପାରେ। ଯେକୌଣସି କୁପ୍ରବୃତ୍ତି ଛାଡ଼ିବାର ଏହା ଏକ ସହଜ ଉପାୟ।

ଅର୍ଥାତ୍ ଯାହା ଭୁଲିବା ବା ଛାଡ଼ିବା ପାଇଁ ମଣିଷ ସଂକଳ୍ପ କରେ, ତାହା ଭୁଲିପାରେ ନାହିଁ କିନ୍ତୁ ତାସଖେଳ ପରି ଆଗ୍ରହଜନକ କାର୍ଯ୍ୟରେ ଲାଗିରହିଲେ ତାହା ଭୁଲି ହୋଇଯାଏ। 

ଆପଣ ଯଦି କାହା ଉପରେ ରାଗିଛନ୍ତି, ତା’ ଉପରେ ପ୍ରତିଶୋଧ ନେବାକୁ ବା ତାକୁ ମାରିବାକୁ ସଂକଳ୍ପ ନେଇଛନ୍ତି, ତେବେ ସେଇ ସଂକଳ୍ପ କାର୍ଯ୍ୟକାରୀ କରିବାରେ ବିଳମ୍ବ କରନ୍ତୁ। ଆପଣଙ୍କ ରାଗ କମିଗଲା ପରେ ପ୍ରତିଶୋଧ ନେବାର ବା ମାରିବାର ସଂକଳ୍ପ ବି ଅପସାରିତ ହୋଇପାରେ। ଏହାଦ୍ବାରା ଏକ ବଡ଼ ଅଘଟଣ ଟଳିଯାଇପାରେ। ଯେକୌଣସି କୁକାର୍ଯ୍ୟ ବା ମନ୍ଦ କାର୍ଯ୍ୟ କରିବାକୁ କାମ-କ୍ରୋଧ ଆଦି ପ୍ରବୃତ୍ତିବଶତଃ ଆପଣ ସଂକଳ୍ପ ନେଇଛନ୍ତି, ତାହା କାର୍ଯ୍ୟକାରୀ କରିବାରେ ବିଳମ୍ବ କରିବା ହେଉଛି ଏହାର ବଡ଼ ପ୍ରତିକାର। କାରଣ ସମୟ ଗଡ଼ିଗଲା ପରେ ଆପଣଙ୍କ ଭିତରେ ଅସତ୍‌-ସଂକଳ୍ପ ବଦଳରେ ସତ୍-ସଂକଳ୍ପ ଜାତ ହୋଇପାରେ। ପ୍ରତ୍ୟେକ ସଂକଳ୍ପ ବା ପ୍ରତିଜ୍ଞା ପାଳନ କରିବା ହେଉଛି ମଣିଷର ଧର୍ମ। ମାତ୍ର ତାହା ସତ୍-ସଂକଳ୍ପ ହେବା ଦରକାର। କୌଣସି ପ୍ରକାର ଅସତ୍-ସଂକଳ୍ପ ପାଳନ ନ କଲେ ସେଥିରେ‌ ଦୋଷ ହୁଏ ନାହିଁ। ବରଂ ଅସତ୍-ସଂକଳ୍ପ ପାଳନ ନ କରିବା ହେଉଛି ଧର୍ମ। ଭୀଷ୍ମଙ୍କ ଭୁଲ ସଂକଳ୍ପ ପାଳନ କରିବାର ଜିଦ୍ ହିଁ ମହାଭାରତ ଯୁଦ୍ଧର କାରଣ ହୋଇଥିଲା। 

ମଦ ପ୍ରଭୃତି ଛାଡ଼ିବାର ଦୃଢ଼ ସଂକଳ୍ପ ବି ଫଳପ୍ରଦ ହୋଇପାରେ, କିନ୍ତୁ ଆପଣ ଦେଶବନ୍ଧୁ ଚିତ୍ତରଞ୍ଜନଙ୍କ ପରି ସଂକଳ୍ପବାନ୍ ମଣିଷ ହେବା ଆବଶ୍ୟକ। ଦେଶବନ୍ଧୁ ପ୍ରବଳ ମଦ୍ୟପାନ କରୁଥିଲେ। ପୁଅ ସହ ଗୋଟିଏ ଟେବୁଲରେ ବସି ମଦ୍ୟପାନ କରୁଥିଲେ। ଦୀକ୍ଷା ଗ୍ରହଣ କରିବା ପରେ ମଦ ଛାଡ଼ିବାକୁ ନିଷ୍ପତ୍ତି ନେଲେ। ଯେଉଁଦିନ ସେ ଏପରି ସଂକଳ୍ପ ନେଲେ କବାଟ ବନ୍ଦ କରି ଗୋଟିଏ କୋଠରିରେ ରହିଲେ। ସେତେବେଳେ ମଦ ବିନା ତାଙ୍କର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଥିଲା। କିନ୍ତୁ ସେ କବାଟ ଖୋଲିଲେ ନାହିଁ, ବାହାରକୁ ଗଲେ ନାହିଁ କି ମଦ ପିଇଲେ ନାହିଁ। ବେଶ୍ କିଛି ଦିନ ସେ ଏହିପରି ଏକାନ୍ତବାସରେ ରହିଲେ। ତା’ପରଠାରୁ ସେ କେବେ ମଦ ଛୁଇଁନାହାନ୍ତି। ଏହିପରି ଦୃଢ଼ ସଂକଳ୍ପ ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। 

ମଦ ଛାଡ଼ିବା ପାଇଁ ଅନେକ ପ୍ରକାର ଆୟୁର୍ବେଦୀୟ ଓ ହୋମିଓପାଥିକ୍ ଔଷଧ ଅଛି। ଯେପରି ସଲଫର-୨୦୦। ସବୁଦିନ ସଲଫର-୨୦୦ ଦୁଇବୁନ୍ଦା ସକାଳେ ଖାଲିପେଟରେ ନିଅନ୍ତୁ। କିଛିଦିନ ପରେ ଆଉ ମଦ ପିଇବାକୁ ଇଚ୍ଛା ହେବ ନାହିଁ। ଅଦାରେ ବି ସଲଫର ଅଛି। ଅଦାକୁ ଚୋପା ଛଡ଼ାଇ ଛୋଟଛୋଟ କରି କାଟି ସୈନ୍ଧବ ଲୁଣ ଦେଇ ଖରାରେ ଶୁଖାଇ ଗୋଟିଏ ଡବାରେ ପକେଟ୍‌ରେ ରଖନ୍ତୁ। ଯେତେବେଳେ ଇଚ୍ଛା ଖାଆନ୍ତୁ। ପାନ-ଗୁଟଖା ଠାରୁ ଆରମ୍ଭ କରି ମଦ ପର୍ଯ୍ୟନ୍ତ ଖାଇବାର ଇଚ୍ଛା ଧୀରେ ଧୀରେ କମିଯିବ। ହରିଡ଼ା, ବାହାଡ଼ା, ଅଁଳା, ପିପ୍ପଳୀ, ଲବଙ୍ଗ, ଅଳେଇଚ, ପାନମଧୁରୀ, ଜାଇଫଳ, ଜୁଆଣି, କଳାଜିରା, ଧନିଆ, ଡାଲଚିନି, ଗୋଲମରିଚ, ତୁଳସୀ, ପୋଦିନା ପ୍ରଭୃତି ଶୁଖାଇ ଗୁଣ୍ଡକରି ଗୋଟିଏ ଛୋଟ ଡବାରେ ରଖି ଯେତେବେଳେ ଇଚ୍ଛା ଅଳ୍ପଅଳ୍ପ ମୁଖଶୁଦ୍ଧିଭାବେ ଖାଇପାରିବେ। ଏହାଦ୍ବାରା ମଧ୍ୟ ପାନ-ଗୁଟଖା ଆଦି ଅଭ୍ୟାସ ଛାଡ଼ିଯିବ। କିନ୍ତୁ ମନରେ ଛାଡ଼ିବାର ଇଚ୍ଛା ଦୃଢ଼ ଥିବା ଦରକାର। ଦୃଢ଼ ଇଚ୍ଛା ଓ ସଂକଳ୍ପ ବିନା ଏହା ସମ୍ଭବ ନୁହେଁ। 

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା, ମୋ-୭୦୦୮୯୬୦୫୦୨