ଦେଶର ସର୍ବବୃହତ୍ ବ୍ୟାଙ୍କିଂ ପ୍ରତିଷ୍ଠାନ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସ୍ବିଆଇ) ଲିଙ୍ଗ ବୈଷମ୍ୟ ହ୍ରାସ କରିବା ଲାଗି ଆସନ୍ତା ୫ ବର୍ଷରେ ମହିଳା କର୍ମଚାରୀଙ୍କ ଭାଗ ୩୦%କୁ ବଢ଼ାଇବାର ଲକ୍ଷ୍ୟ ରଖିଛି। ଏସ୍ବିଆଇର କର୍ମଚାରୀ ସଂଖ୍ୟା ୨.୪ ଲକ୍ଷରୁ ଅଧିକ, ଯାହା ଦେଶର ବ୍ୟାଙ୍କିଂ ଶିଳ୍ପରେ ସର୍ବାଧିକ। ଏବେ ଏସ୍ବିଆଇର କର୍ମଚାରୀଙ୍କ ଭିତରେ ମହିଳାଙ୍କ ହାର ୨୭% ରହିଛି। ଏହାକୁ ୩୦%କୁ ବଢ଼ାଇବା ଲାଗି ନାନା ପଦକ୍ଷେପ ନିଆଯାଉଛି। ସେଥି ମଧ୍ୟରେ ମାତୃତ୍ବଲାଭ ବା ଅସୁସ୍ଥତାଜନିତ ଦୀର୍ଘକାଳୀନ ଛୁଟିରୁ କାର୍ଯ୍ୟକୁ ଫେରିବା ସମୟରେ ସହାୟକ ଟ୍ରେନିଂ, ମାତୃତ୍ବ ହାସଲ କରିଥିବା କର୍ମଚାରୀଙ୍କ ପାଇଁ ଶିଶୁଗୃହ ଦେୟ, ପରିବାର ସଂଯୋଗ ଆଦି ମହିଳାକୈନ୍ଦ୍ରିକ ସୁବିଧା ପ୍ରଦାନ ଅନ୍ତର୍ଭୁକ୍ତ।
ସ୍ତନ ଓ ସର୍ଭାଇକାଲ୍ କ୍ୟାନ୍ସର୍ ପରୀକ୍ଷା, ଗର୍ଭବତୀଙ୍କ ପାଇଁ ଖାଦ୍ୟଦ୍ରବ୍ୟ ଓ ସର୍ଭାଇକାଲ୍ କ୍ୟାନ୍ସର୍ ଟିକାକରଣ ପରି ସ୍ବାସ୍ଥ୍ୟ ସୁବିଧା ମଧ୍ୟ ଏହି ବ୍ୟାଙ୍କ ଯୋଗାଇଦେଉଛି। ସେହିପରି ସ୍ବତନ୍ତ୍ର ଭାବେ ‘ଏମ୍ପାଵର ହର୍’ କାର୍ଯ୍ୟକ୍ରମରେ ମହିଳା କର୍ମଚାରୀଙ୍କୁ ତତ୍ତ୍ବାବଧାନ ଓ ପ୍ରଶିକ୍ଷଣ ଦେଇ ନେତୃତ୍ବ ନେବା ଲାଗି ପ୍ରୋତ୍ସାହିତ କରାଯାଉଛି, ଯାହା ଫଳରେ ଉଚ୍ଚ ପଦରେ ମହିଳାଙ୍କ ପ୍ରତିନିଧିତ୍ବ ବୃଦ୍ଧି ପାଇବ। ଉଲ୍ଲେଖନୀୟ ଯେ ଦେଶରେ ଏସ୍ବିଆଇର ୩୪୦ରୁ ଅଧିକ ଏପରି ଶାଖା ଅଛି ଯେଉଁଠି କେବଳ ମହିଳା କର୍ମଚାରୀମାନେ କାର୍ଯ୍ୟ ପରିଚାଳନା କରୁଛନ୍ତି। ଉପରୋକ୍ତ ପଦକ୍ଷେପମାନ ଏପରି ବ୍ୟାଙ୍କ ସଂଖ୍ୟା ଆହୁରି ବଢ଼ାଇବ ଏବଂ ଅନ୍ୟ ପ୍ରତିଷ୍ଠାନମାନଙ୍କ ପାଇଁ ଉଦାହରଣୀୟ ହେବ ବୋଲି ଆଶା କରାଯାଉଛି।