ଭୁବନେଶ୍ବର: ବର୍ଷ ଆରମ୍ଭରୁ ଚୀନ୍ରେ ବ୍ୟାପିଥିବା ହ୍ୟୁମାନ ମେଟାନିମୋ ଭାଇରସ(ଏଚ୍ଏମ୍ପିଭି) ଡରାଇବାକୁ ଆରମ୍ଭ କରିଛି। ଚୀନ୍ରୁ ଏହି ଭୂତାଣ ଅନ୍ୟ ଦେଶକୁ ବ୍ୟାପୁଛି କି ନାହିଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଦେଶରେ ଏକାଧିକ ରାଜ୍ୟରେ ଶିଶୁମାନେ ଏହି ଭୂତାଣରେ ଚିହ୍ନଟ ହେବା ପରେ ଲୋକମାନଙ୍କ ଭିତରେ ଭୟ ବଢ଼ିଛି। ପୁଣିଥରେ କରୋନା ଭଳି ସ୍ଥିତି ଉପୁଜିବ କି ? ୨୦୨୦ ମସିହାରେ କରୋନାରୁ ସୁରକ୍ଷା ପାଇଁ ଲୋକଙ୍କୁ ମାସ୍କ ପିନ୍ଧିବା, ହାତ ଧୋଇବା କିମ୍ବା ସାନିଟାଇଜର ବ୍ୟବହାର ସହ ଲକ୍ଡାଉନ୍ ଓ ସଟ୍ଡାଉନ୍ର ସାମ୍ନା କରିବାକୁ ପଡ଼ିଥିଲା। ଚଳିତବର୍ଷ ଏଭଳି କିଛି ପୁନରାବୃତ୍ତି ହୋଇପାରେ କି ବୋଲି ଲୋକମାନଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି। ତେବେ ଏଚ୍ଏମ୍ପିଭିକୁ ନେଇ ବିଶେଷଜ୍ଞ ଓ ଡାକ୍ତର ଯେଉଁ ତଥ୍ୟ ରଖୁଛନ୍ତି ତାହା ବହୁମାତ୍ରାରେ ଆଶ୍ବସ୍ତି ଆଣିଛି। ତଥାପି ମନରୁ ଭୟ ଦୂର କରିପାରିନାହିଁ।
ଏଚ୍ଏମ୍ପି ଭୂତାଣୁକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୌଣସି ନିର୍ଦ୍ଦେଶାବଳୀ ଜାରି ହୋଇନାହିଁ। ମାତ୍ର ଯେଉଁ ରାଜ୍ୟରେ ଏହି ଭୂତାଣୁ ଚିହ୍ନଟ ହୋଇଛି, ସ୍ଥାନୀୟ ସରକାର ଲୋକମାନଙ୍କୁ ଗହଳି ଭିତରକୁ ଯାଉଥିଲେ ମାସ୍କ ବ୍ୟବହାର କରିବା ପାଇଁ ନିବେଦନ କରିଛନ୍ତି। ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର(ଏନ୍ସିଡିସି) ପକ୍ଷରୁ ଜାରି ସୂଚନାରେ କୁହାଯାଇଛି ଯେ କର୍ଣ୍ଣାଟକରେ ନିୟମିତ ଯାଞ୍ଚ ସମୟରେ ୨ଜଣ ଶିଶୁ ଏଚ୍ଏମ୍ପିଭିରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଦେଶବ୍ୟାପୀ ଇନ୍ଫ୍ଲୁଏଞ୍ଜା ଲକ୍ଷଣ ଭଳି ରୋଗ(ଆଇଏଲଆଇ) ଓ ଗୁରୁତର ଶ୍ବାସଜନିତ ସମସ୍ୟା(ଏସ୍ଏଆରଆଇ)ରେ ଅସାଧାରଣ ବୃଦ୍ଧି ନଜରକୁ ଆସିନାହିଁ। ଭାରତ ସମେତ ବିଶ୍ବରେ ଏହି ଭୂତାଣୁ ରହିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହା ଉପରେ ନଜର ରଖାଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ନିୟମିତଭାବେ ସୂଚନା ଦିଆଯାଇଛି। ଶ୍ବାସଜନିତ ରୋଗର ମୁକାବିଲା ପାଇଁ ଦେଶ ପ୍ରସ୍ତୁତ ରହିଥିବା ଏନ୍ସିଡିସି ପକ୍ଷରୁ ସୂଚନା ଦିଆଯାଇଛି।
ଅପରପକ୍ଷରେ ଓଡ଼ିଶାରେ ଏଚ୍ଏମ୍ପିଭିକୁ ନେଇ ସରକାରୀ ସ୍ତରରେ କୌଣସି ନିର୍ଦ୍ଦେଶାବଳୀ ଆସିନାହିଁ। ସରକାରୀ ସ୍ତରରେ ଏଥିପାଇଁ ଘନ ଘନ ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ର ସରକାର ଏ ନେଇ କୌଣସି ନିର୍ଦ୍ଦେଶାବଳୀ ଜାରି କରିନାହାନ୍ତି। ନିର୍ଦ୍ଦେଶାବଳୀ ଆସିବା ପରେ ସେହି ଅନୁସାରେ ପଦକ୍ଷେପ ନିଆଯିବ। କୋଭିଡ୍ ସମସ୍ତଙ୍କୁ ବହୁତ କିଛି ଶିକ୍ଷା ଦେଇଛି। ସ୍ବାସ୍ଥ୍ୟ ବ୍ୟବସ୍ଥା ପୂର୍ବ ତୁଳନାରେ ଅଧିକ ସୁଦୃଢ଼ ହୋଇଛି। ଏଚ୍ଏମ୍ପିଭି ପରୀକ୍ଷା ଲାଗି ଆର୍ଏମ୍ଆର୍ସି ଓ ଭୁବନେଶ୍ବର ଏମ୍ସରେ ବ୍ୟବସ୍ଥା ରହିଛି। ଏହା ଏକ ନୂଆ ଭୂତାଣୁ ନୁହେଁ। ଏହା ପୂର୍ବରୁ ଥିଲା ଓ ରହିଛି। ୨୦୦୧ ମସିହାରୁ ଏହି ଭୂତାଣୁ ଚିହ୍ନଟ ହୋଇସାରିଛି। ତେଣୁ ଲୋକମାନେ ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ।
ନୂଆ ଭୂତାଣୁ ନୁହେଁ,
ଲୋକମାନେ ଭୟଭୀତ ହୁଅନ୍ତୁନି
ପୂର୍ବରୁ ଭାରତ ସମେତ ବିଶ୍ବରେ
ଚିହ୍ନଟ ହୋଇଛି ଏହି ଭୂତାଣୁ
ଆଇଏଲ୍ଆଇ ଓ ଏସ୍ଏଆର୍ଆଇ ମାମଲାରେ ଅସ୍ବାଭାବିକ ବୃଦ୍ଧି ହୋଇନି
କ’ଣ କରିବେ
ସାବୁନରେ ନିୟମିତ ଧୋଇବା କିମ୍ବା ପାଣିରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବା ଜରୁରି। ହାତ ନ ଧୋଇ ଆଖି, ନାକ ଓ ପାଟିରେ ହାତ ମାରନ୍ତୁ ନାହିଁ। ଜ୍ବର-ଥଣ୍ଡା ଲକ୍ଷଣ ଥିବା ବ୍ୟକ୍ତିଙ୍କଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ। କାଶିବା କିମ୍ବା ଛିଙ୍କିବା ସମୟରେ ପାଟି ଓ ନାକକୁ ଘୋଡ଼ାଇ ରଖନ୍ତୁ। ବାସନକୁସନ କିମ୍ବା ଖାଇବା ପାତ୍ରକୁ ଅନ୍ୟ ସହ ଆଦାନପ୍ରଦାନରୁ ଦୂରେଇବା, ଚୁମ୍ବନକୁ ଏଡ଼ାଇବା ଓ ଦେହ ଖରାପ ରହିଲେ ଘରେ ରୁହନ୍ତୁ।
କିଭଳି ବ୍ୟାପିଥାଏ
କାଶ ଓ ଛିଙ୍କ ଦ୍ବାରା ଏଚ୍ଏମ୍ପିଭି ବ୍ୟାପିଥାଏ। ଆକ୍ରାନ୍ତ ରୋଗୀଙ୍କ ସହ ହାତ ମିଳାଇବା କିମ୍ବା ତାଙ୍କୁ ଛୁଇଁବା ଦ୍ବାରା ଏହା ବ୍ୟାପିଥାଏ। ଏହାସହ ସଂକ୍ରମିତ ବସ୍ତୁକୁ ଛୁଇଁବା ପରେ ପାଟି, ନାକ ଓ ଆଖିକୁ ଛୁଇଁଲେ ଏଥିରେ ମଧ୍ୟ ରୋଗ ସଂକ୍ରମିତ ହୋଇଥାଏ।
ଏଚ୍ଏମ୍ପିଭିର ଲକ୍ଷଣ
ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ କାଶ, ଜ୍ବର, ନାକ ଜାମ୍ ହୋଇଯିବା ଓ ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ହୋଇଥାଏ। ଏହା ଛାତିରେ ଉଭୟ ଉପର ଓ ନିମ୍ନରେ ଶ୍ବାସଜନିତ ସଂକ୍ରମଣ ସୃଷ୍ଟି କରିଥାଏ। ସଂକ୍ରମଣର ଗୁରୁତ୍ବକୁ ନେଇ ରୋଗର ଅବଧି ନିର୍ଣ୍ଣୟ ହୋଇଥାଏ। ତେବେ ପ୍ରାୟତଃ ଏହା ୩ରୁ ୬ଦିନ ପର୍ଯ୍ୟନ୍ତ ରହିଥାଏ।
ଆଉ ଦୁଇ ଦିନରେ ଭୁବନେଶ୍ବରରେ ଆୟୋଜିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ। ଏକାଧିକ ଦେଶରୁ ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପଞ୍ଜୀକରଣ କରିସାରିଛନ୍ତି। ଓଡ଼ିଶାରେ ବର୍ତ୍ତମାନସୁଦ୍ଧା କୌଣସି ରୋଗୀ ଏଚ୍ଏମ୍ପିଭିରେ ଆକ୍ରାନ୍ତ ଥିବା ଚିହ୍ନଟ ହୋଇନାହାନ୍ତି। ତେବେ ବହୁସଂଖ୍ୟାରେ ଦେଶବିଦେଶରୁ ଲୋକମାନେ ଭୁବନେଶ୍ବର ଆସିବାର କାର୍ଯ୍ୟକ୍ରମ ଥିବାରୁ ସେମାନେ ଏହି ଭୂତାଣୁର ବାହକ ସାଜିପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି। ହଠାତ୍ ଓଡ଼ିଶାରେ ଆଇଏଲ୍ଆଇ କିମ୍ବା ଏସ୍ଏଆରଆଇ ମାମଲା ବଢ଼ିଯାଇପାରେ। ବିମାନବନ୍ଦରରେ ଯାଞ୍ଚ ପାଇଁ କେନ୍ଦ୍ର ସରକାରଙ୍କ ବର୍ତ୍ତମାନସୁଦ୍ଧା କୌଣସି ନିର୍ଦ୍ଦେଶାବଳୀ ଜାରି କରିନାହାନ୍ତି। ତେଣୁ ଏହା ଓଡ଼ିଶା ପାଇଁ ବିପଦକୁ ଆହୁରି ବଢ଼ାଇଦେଇଛି।
ନୂଆ ଭୂତାଣୁ ନୁହେଁ, କରୋନା ଭଳି ରୂପ ବଦଳାଏ ନାହିଁ
୨୦୦୧ ମସିହାରୁ ଏହି ଭୂତାଣୁ ଚିହ୍ନଟ ହୋଇଛି। ଶୀତ ଓ ବସନ୍ତ ଋତୁ ସମୟରେ ଏହି ଭୂତାଣୁ ନଜରକୁ ଆସିଥାଏ। ଇନ୍ଫ୍ଲୁଏଞ୍ଜା ଭଳି ଏହା ପ୍ରତିବର୍ଷ ଦେଖିବାକୁ ମିଳିଥାଏ। ଆମେରିକାର ରୋଗ ନିୟନ୍ତ୍ରଣ କେନ୍ଦ୍ର(ସିଡିସି)ର ରିପୋର୍ଟ ଅନୁସାରେ, ସେଠାରେ ପ୍ରତିବର୍ଷ ଲକ୍ଷେରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଥାନ୍ତି ଏବଂ ୧୦ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥାଏ। ଭାରତରେ ଏହି ଭୂତାଣୁ ରହିଥିଲେ ହେଁ ଏହାର ଟ୍ରାକିଂ ହେଉ ନ ଥିଲା। ଇନ୍ଫ୍ଲୁଏଞ୍ଜା ଭଳି ଏଚ୍ଏମ୍ପିଭିରେ ଥଣ୍ଡା, ଛିଙ୍କ, କାଶ ହେବା ସହ ୩ରୁ ୫ଦିନ ଭିତରେ ଭଲ ହୋଇଯାଏ। ମାତ୍ର ୧୦ରୁ ୧୫% ରୋଗୀଙ୍କ କ୍ଷେତ୍ରରେ ଏହା ସ୍ବାସ୍ଥ୍ୟଗତ ସମସ୍ୟା ଆଣିପାରେ। ୫ବର୍ଷରୁ କମ୍ ପିଲା, ୬୫ବର୍ଷରୁ ଅଧିକ ଲୋକଙ୍କଠାରେ ନିମୋନିଆ, ବ୍ରୋଙ୍କାଇଟିସ୍ର ଶିକାର ହୋଇପାରନ୍ତି। ପ୍ରତିବର୍ଷ ଛାତି ସଂକ୍ରମଣ ପାଇଁ ଯେତିକି ସଂଖ୍ୟକ ଛୋଟ ପିଲା ହସ୍ପିଟାଲରେ ଭର୍ତ୍ତି ହୋଇଥାନ୍ତି, ତହିଁରୁ ପ୍ରାୟ ୧୦% ଏହି ଭୂତାଣୁରେ ଆକ୍ରାନ୍ତ। ତେଣୁ ଏହା ଏକ ସ୍ଥିର ଭୂତାଣୁ ଓ ଜଣାଶୁଣା ଭୂତାଣୁ। କରୋନା ଭଳି ଏହା ବାରମ୍ବାର ନିଜର ରୂପ ବଦଳାଏନାହିଁ। କରୋନା ବାରମ୍ବାର ରୂପ ବଦଳାଉଥିବାରୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସମସ୍ୟା ସୃଷ୍ଟି ହେଉଥିଲା। ମାତ୍ର ଏଚ୍ଏମ୍ପିଭିରେ ଥରେ ଆକ୍ରାନ୍ତ ହେଲେ ଦୀର୍ଘକାଳ ପର୍ଯ୍ୟନ୍ତ ରୋଗ ପ୍ରତିରୋଧ ଶକ୍ତି ରହିଥାଏ।
ଡାକ୍ତର ନିରୋଜ ମିଶ୍ର,
ଭେଷଜ ବିଶେଷଜ୍ଞ
ଲକ୍ଷଣବିହୀନ ରୋଗଙ୍କଠାରୁ ଏଚ୍ଏମ୍ପିଭି ବ୍ୟାପିବା ଆଶଙ୍କା କମ୍
କରୋନା ବା କୋଭିଡ୍-୧୯ ଓ ଏଚ୍ଏମ୍ପିଭି ହେଉଛି ଶ୍ବାସକ୍ରିୟା ଜନିତ ସଂକ୍ରମଣ। କୋଭିଡ୍ର ସଂକ୍ରମଣ କ୍ଷମତା ବେଶ୍ ଅଧିକ। ଉଭୟ ଲକ୍ଷଣଯୁକ୍ତ ଓ ଲକ୍ଷଣବିହୀନ ରୋଗୀ ଅନ୍ୟକୁ ସଂକ୍ରମିତ କରିବାର କ୍ଷମତା ରଖନ୍ତି। ନିମୋନିଆ, ଏଆଇଡିଏସ୍ ପାଇଁ କରୋନାରେ ମୃତ୍ୟୁ ହାର ଅଧିକ। ମାତ୍ର ଏଚ୍ଏମ୍ପିଭି କ୍ଷେତ୍ରରେ ସାମାନ୍ୟରୁ ମଧ୍ୟମ ଧରଣର ରୋଗ ହୋଇଥାଏ। ଏଥିରେ କେବଳ ଲକ୍ଷଣ ଥିବା ବ୍ୟକ୍ତି ହିଁ ଅନ୍ୟକୁ ସଂକ୍ରମିତ କରିପାରନ୍ତି। ଲକ୍ଷଣ ବିହୀନ ରୋଗୀଙ୍କଠାରୁ ଏହା ବ୍ୟାପିବାର ଆଶଙ୍କା କମ୍। କୋଭିଡ୍ ପାଇଁ ଏକାଧିକ ଟିକା ଉପଲବ୍ଧ ହେଉଛି। ମାତ୍ର ଏଚ୍ଏମ୍ପିଭି ପାଇଁ କୌଣସି ପ୍ରକାର ଟିକା କିମ୍ବା ନିର୍ଦ୍ଦିଷ୍ଟ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ନାହିଁ। ଥଣ୍ଡା ଓ ଶୁଷ୍କ ପରିବେଶରେ ଭୂତାଣୁ ନିଜକୁ ବଞ୍ଚାଇ ରଖିପାରେ। ତେଣୁ ଶୀତ ଦିନେ ଏହା ବ୍ୟାପିଥାଏ। ଖରାଦିନେ ଲୋକମାନେ ଘର ଭିତରେ ରହିବାକୁ ପସନ୍ଦ କରୁଥିବାରୁ ଶରୀରରେ ସୂର୍ଯ୍ୟ କିରଣ ପଡ଼ିବା ଦ୍ବାରା ସୃଷ୍ଟି ହେଉଥିବା ଭିଟାମିନ୍ ଡି ହ୍ରାସ ପାଇଥାଏ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଯିବା ଫଳରେ ଶୀତ ଦିନେ ଏହି ଭୂତାଣୁରେ ଆକ୍ରାନ୍ତ ହେବାର ଆଶଙ୍କା ବଢ଼ି ଯାଇଥାଏ।
ଡା. ଶୁଭଶ୍ରୀ ସାମନ୍ତରାୟ, ଆସୋସିଏଟ୍ କନ୍ସଲ୍ଟାଣ୍ଟ(ସଂକ୍ରାମକ ରୋଗ) ଓ ଡା. ଶରତ ବେହେରା, ସିନିଅର କନ୍ସଲ୍ଟାଣ୍ଟ(ଛାତିରୋଗ ଓ କ୍ରିଟିକାଲ କେୟାର),
ମଣିପାଲ ହସ୍ପିଟାଲ, ଭୁବନେଶ୍ବର