କରୋନା ଆତଙ୍କ : ରାଜ୍ୟରେ ୩୧ ଯାଏ ସବୁ ଶିକ୍ଷାନୁଷ୍ଠାନ ବନ୍ଦ, ପରୀକ୍ଷା ଓ ମୂଲ୍ୟାୟନ ଚାଲିବ

କଲେଜ ଓ ବିଶ୍ବବିଦ୍ୟାଳୟରେ ବାୟୋମେଟ୍ରିକ୍‌ ମନା
ବିପିୟୁଟି ଅଧୀନ ଶିକ୍ଷାନୁଷ୍ଠାନର ସବୁ ହଷ୍ଟେଲ ବନ୍ଦ
ଶିକ୍ଷାନୁଷ୍ଠାନକୁ ଆସିବେ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ

ଭୁବନେଶ୍ବର : କରୋନା ଭୂତାଣୁକୁ ରାଜ୍ୟ ସରକାର ବିପର୍ଯ୍ୟୟ ଘୋଷଣା କରିଛନ୍ତି। ତାହାକୁ ଦୃଷ୍ଟିରେ ରଖି ଆସନ୍ତା ୩୧ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଯେଉଁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ରହିଛି ସେମାନେ ହିଁ କେବଳ ବିଦ୍ୟାଳୟକୁ ଆସିବେ। ନ ହେଲେ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ପାଠପଢ଼ା ହେବନି। ତେବେ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ, ପ୍ରଫେସର, କର୍ମଚାରୀ ଶିକ୍ଷାନୁଷ୍ଠାନ ଆସିବେ। ପରୀକ୍ଷା ପୂର୍ବ ନିଦ୍ଧାରିତ ସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲକୁ ବନ୍ଦ କରି ଦିଆଯାଇଛି। କରୋନା ସମ୍ପର୍କରେ ପୂର୍ବରୁ ବିଦ୍ୟାଳୟଗୁଡ଼ିକୁ ଅବଗତ କରାଯାଇଥିଲା। ପିଲାଙ୍କୁ କିଭଳି ସଚେତନ କରାଯିବ ଓ ନଜର ରଖାଯିବ ସେନେଇ ବି ଶିକ୍ଷକଙ୍କୁ ପରାମର୍ଶ ଦିଆଯାଇଥିଲା। ପରୀକ୍ଷାଗୁଡ଼ିକ ପୂର୍ବଭଳି ଅନୁଷ୍ଠିତ ହେବ। ଏପ୍ରିଲ ୩ରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଥିବାରୁ ତା’ପୂର୍ବରୁ ସମସ୍ତ ବିଷୟର ପରୀକ୍ଷା‌ ଓ ମୂଲ୍ୟାୟନ ଶେଷ କରାଯିବ। ଆଗକୁ ୯ମ ଶ୍ରେଣୀ ବାର୍ଷିକ ପରୀକ୍ଷା ସମେତ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ତେଣୁ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟକୁ ଆସିବେ। ମୁଖ୍ୟତଃ ପିଲାମାନଙ୍କ ପାଇଁ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରାଯାଇଛି। ଯେଉଁ ପିଲାମାନେ ପରୀକ୍ଷା ଦେବାକୁ ଆସିବେ ସେମାନେ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ବିଦ୍ୟାଳୟରେ ରହିବେ। ଅଧିକ ସମୟ ଅର୍ଥାତ୍‌ ପୂର୍ବାହ୍ନ ୧୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଦ୍ୟାଳୟରେ ରହିବେ ନାହିଁ। ତେଣୁ ପରୀକ୍ଷା ଦେବାରେ କୌଣସି ଅସୁବିଧା ନାହିଁ। ତେବେ ଯଦି କୌଣସି ପିଲାଙ୍କୁ ଥଣ୍ଡା, ଜ୍ବର, କାଶ ପରି କରୋନା ଭୂତାଣୁ ସଂକ୍ରମଣର ଲକ୍ଷଣ ଦେଖାଯାଉଥିବ ସେମାନେ ବିଦ୍ୟାଳୟକୁ ଆସନ୍ତୁ ନାହିଁ କି ପରୀକ୍ଷା ଦିଅନ୍ତୁ ନାହିଁ। ୩୧ ପର୍ଯ୍ୟନ୍ତ କ’ଣ ସ୍ଥିତି ରହିଥିବ ତାହା ଦେଖିବା ପରେ ପରବର୍ତୀ ପଦକ୍ଷେପ ନିଆଯିବ। ଛୁଟିର ସମୟ ସୀମାକୁ ବୃଦ୍ଧି କରାଯିବ କି ନାହିଁ ସେନେଇ ବିଷଦ ଆଲୋଚନା କରାଯିବା ପରେ ବିଜ୍ଞପ୍ତି ଜାରି ହେବ।

ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର ଜାରି କରିଥିବା ବିଜ୍ଞପ୍ତିରେ କହିଛନ୍ତି ଯେ ପରୀକ୍ଷା‌ ଓ ଉତ୍ତର ଖାତା ମୂଲ୍ୟାୟନ ପ୍ରକ୍ରିୟା ବ୍ୟତୀତ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଏହି ସମୟ ମଧ୍ୟରେ କୌଣସି ବି ଶିକ୍ଷାନୁଷ୍ଠାନରେ କର୍ମଶାଳା, ଆଲୋଚନାଚକ୍ର, ସମ୍ମିଳନୀ କରାଯିବ ନାହିଁ। ଛାତ୍ରଛାତ୍ରୀ, ଶିକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ବାୟୋମେଟ୍ରିକ୍‌ ଉପସ୍ଥାନ ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି। ଏଦିଗରେ ପଦକ୍ଷେପ ନେବାକୁ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ, ସମସ୍ତ ସରକାରୀ ଡିଗ୍ରି କଲେଜ, ଅନୁଦାନପ୍ରାପ୍ତ କଲେଜ, ଅଣଅନୁଦାନପ୍ରାପ୍ତ କଲେଜର ଅଧ୍ୟକ୍ଷମାନଙ୍କୁ କୁହାଯାଇଛି। ବିଜ୍ଞପ୍ତିକୁ ନଜରରେ ରଖି ବ୍ରହ୍ମପୁର, ସମ୍ବଲପୁର ବିଶ୍ବବିଦ୍ୟାଳୟ ସମେତ କେତେକ ପ୍ରମୁଖ ଶିକ୍ଷାନୁଷ୍ଠାନ ଇତି ମଧ୍ୟରେ ଛୁଟି ଘୋଷଣା କରି ସାରିଛନ୍ତି। ବିପିୟୁଟି ଅଧୀନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲକୁ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ତେବେ ଅଧ୍ୟାପକ ଓ କର୍ମଚାରୀମାନେ କାର୍ଯ୍ୟ ଦିବସରେ ଶିକ୍ଷାନୁଷ୍ଠାନକୁ ଆସିବେ।

ଅନ୍ୟପକ୍ଷରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ପୂର୍ବ ନିଷ୍ପତ୍ତି ଅନୁଯାୟୀ ଚାଲୁ ରହିବ। କୌଣସି ବି ପରୀକ୍ଷା ବାତିଲ୍‌ ହେବ ନାହିଁ। ମାଧ୍ୟମିକ ଶିକ୍ଷା‌ ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷା ସରିଥିବା ବେଳେ ଆଗକୁ ମୂଲ୍ୟାୟନ ଆରମ୍ଭ ହେବାକୁ ଯାଉଛି। ତାହା ମଧ୍ୟ ଜାରି ରହିବ। ୧୬ ତାରିଖ ଅପରାହ୍ନ ୪ଟାରୁ ୫ଟା ପର୍ଯ୍ୟନ୍ତ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୂଲ୍ୟାୟନ ସମ୍ପର୍କରେ ଆଲୋଚନା କରାଯିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର