ପାଠପଢ଼ା ଲାଗି ଶୈକ୍ଷିକ ପରିବେଶର ଆବଶ୍ୟକତା ରହିଛି। କେବଳ ଶ୍ରେଣୀଗୃହ ରୂପାନ୍ତରଣ ଦ୍ବାରା ଶିକ୍ଷାରେ ପ୍ରଭାବ ପଡ଼ିବ ନାହିଁ। ପଢ଼ାଉଥିବା ଶିକ୍ଷକ ମଧ୍ୟ ତାଲିମପ୍ରାପ୍ତ ହେବା ଆବଶ୍ୟକ। ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ଅତି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ସହରରେ ସମସ୍ତ ସୁବିଧା ଉପଲବ୍ଧ ହେତୁ ଉପାନ୍ତ ଅଞ୍ଚଳକୁ ଯିବା ଲାଗି ଶିକ୍ଷକମାନେ ନାକ ଟେକନ୍ତି। ଭଲ ଶିକ୍ଷକ ରହିଲେ, ଅଧ୍ୟୁଷିତ ଅଞ୍ଚଳରୁ ମଧ୍ୟ ମେଧାବୀ ଛାତ୍ରଛାତ୍ରୀ ବାହାରିବେ। ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାରେ ଏ-୧ ଗ୍ରେଡ୍‌ରେ ପାସ୍‌ ହୋଇଥିବା ୪ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ‘ଭବିଷ୍ୟତ ନିର୍ମାଣ ପାଇଁ ଆମ ଶ୍ରେଣୀଗୃହ ପ୍ରସ୍ତୁତ କି?’ ଶୀର୍ଷକ ଆଲୋଚନାରେ ଏଭଳି ମତ ପ୍ରକାଶ ପାଇଛି। ମାଲକାନଗିରି ସାବେରୀ ସରକାରୀ ହାଇସ୍କୁଲର ଦୁଇଛାତ୍ର (ଜାଆଁଳା ଭାଇ) ଡାନିଏଲ ଲେଙ୍କା ଓ ଡମ୍ବରୁ ଲେଙ୍କା କହିଲେ, ଶିକ୍ଷକଙ୍କୁ ପ୍ରଶ୍ନ ପଚାରିବାର ସଂ‌କୋଚ ଛାଡ଼ିବାକୁ ହେବ।

Advertisment

ଭୁଲ୍‌ ଇଂରାଜୀ ସତ୍ତ୍ବେ ଆମକୁ ଇଂରାଜୀ କହିବାକୁ ଅଭ୍ୟାସ କରିବାକୁ ହେବ। ମାଲକାନାଗିରି ଭଳି ଉପାନ୍ତ ଅଞ୍ଚଳରେ ଶିକ୍ଷକ ଅଭାବ ସମସ୍ୟା ଜଟିଳ ରୂପ ଧାରଣ କରିଛି। ଏଥିପ୍ରତି ସରକାର ଦୃ‌ଷ୍ଟି ଦେବା ଆବଶ୍ୟକ ବୋଲି ଦୁଇଭାଇ ମତ ଦେଇଥିଲେ। ନୀଳକଣ୍ଠନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ଅର୍ପିତା ଆଚାର୍ଯ୍ୟ କହିଲେ, ପାଠପଢ଼ାରେ ଶିକ୍ଷକ ଓ ସହପାଠୀ ଉଭୟଙ୍କ ସହଯୋଗର ଆବଶ୍ୟକତା ରହିଛି। କେତେ ସମୟ ପଢ଼ୁଛେ ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ। ଯେତିକି ସମୟ ପଢ଼ିବା, ମନଦେଇ ପଢ଼ିଲେ ପରୀକ୍ଷାରେ ନିଶ୍ଚୟ ଭଲ ହେବ ବୋଲି ମତ ରଖିଥିଲେ। ବଡ଼ଗଡ଼ ବ୍ରିଟ୍‌ କଲୋନି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ସୌରଜିତ ପ୍ରଧାନ କହିଲେ, ଶ୍ରେଣୀଗୃହରେ ଯେତିକି ପଢ଼ାଯାଉଛି, ତାହା ମନଦେଇ ଶୁଣିଲେ ଏବଂ ବାରମ୍ବାର ଅଭ୍ୟାସ କରିବା ଦ୍ବାରା ପାଠ ପ୍ରତି ଡର କମିବ। ଖାଲି ସମୟକୁ ଅପଚୟ ନକରି ଧ୍ୟାନ ଓ ଯୋଗ କଲେ ମାନସିକ ସନ୍ତୁଳନ ଭଲ ରହିବା ସହିତ ପାଠପଢ଼ା ପ୍ରତି ଆଗ୍ରହ ବଢ଼ିବ ବୋଲି କହିଥିଲେ। ବିବର୍ତ୍ତନ ପଣ୍ଡା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।