ଶିକ୍ଷକମାନଙ୍କୁ କେବଳ ଶିକ୍ଷାଦାନ ଦାୟିତ୍ବ ଦିଆଯାଉ

ଶିକ୍ଷା ବ୍ୟବସ୍ଥାରେ ଅବ୍ୟବସ୍ଥାକୁ ଦେଖାଇଲେ ଶାସକ ବିଧାୟକ, ଶିକ୍ଷକ ରାଜନୀତି କରୁଛନ୍ତି, ପାଠ ପଢ଼ାଉ ନାହାନ୍ତି : ମହାରଥୀ

ଭୁବନେଶ୍ବର : ଶିକ୍ଷକମାନଙ୍କୁ ଶିକ୍ଷାଦାନ ସହିତ ଅନ୍ୟ କାମରେ ନି‌ୟୋଜିତ କରାଯାଉଛି। ଫଳରେ ପାଠପଢ଼ାରେ ବ୍ୟାଘାତ ହେଉଛି। ପୁଣି ବହୁ ହାଇସ୍କୁଲ୍‌ରେ ଶିକ୍ଷକ ଅଭାବ ଉତ୍କଟ ଆକାର ଧାରଣ କଲାଣି। ଯେଉଁ ସ୍କୁଲ୍‌ରେ ଫଳାଫଳ ଭଲ ହେଉଛି, ସେଠାରେ ବି ଶିକ୍ଷକ ନାହାନ୍ତି। ପୁଣି କିଛି ସ୍କୁଲରେ ଜଣେ ଜଣେ ଶିକ୍ଷକ ୧୫/୨୦ ବର୍ଷ ହେଲା ରହି ପାଠ ପଢ଼ାଉ ନାହାନ୍ତି।

ଆଜି ବିଧାନସଭାର ପ୍ରଶ୍ନକାଳରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଏମିତି ଅଭିଯୋଗ ଗଦା କରି ପକାଇଥିଲେ ବିଧାୟକମାନେ। ସରକାରୀ ସ୍କୁଲରେ ମାଟ୍ରିକ୍ ଫଳାଫଳ କମୁଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ। ଶାସକ ଦଳ ସଭ୍ୟ ପ୍ରଦୀପ ମହାରଥୀ ଆଉ ପାଦେ ଆଗେଇ ଯାଇ ସିଧା ଆରୋପ ଲଗାଇଥିଲେ, ବହୁ ଶିକ୍ଷକ ପାଠପଢ଼ା ଅପେକ୍ଷା ରାଜନୀତି ଅଧିକ କରୁଛନ୍ତି। ସେଥିପାଇଁ ପାସ୍ ହାର କମୁଛି।

ଶାସକ ଦଳ ସଭ୍ୟ ସୁଧୀର କୁମାର ସାମଲଙ୍କ ମୂଳ ପ୍ରଶ୍ନ ଥିଲା, ରାଜ୍ୟରେ ଘରୋଇ ବିଦ୍ୟାଳୟ ତୁଳନାରେ ସରକାରୀ ବିଦ୍ୟାଳୟରେ ମାଟ୍ରିକ୍ ପାସ୍ ହାର ଉଦ୍‌ବେଗଜନକ ଭାବେ ହ୍ରାସ ପାଉଥିବା ପ୍ରତି ସରକାର ଅବଗତ ଅଛନ୍ତି କି ?

ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସରକାରୀ ବିଦ୍ୟାଳୟରେ ମାଟ୍ରିକ୍ ପାସ୍ ହାର କମୁଥିବା ସ୍ବୀକାର କରିଥିଲେ ବି ଘରୋଇ ବିଦ୍ୟାଳୟ ତୁଳନାରେ ଉଦ୍‌ବେଗଜନକ ଭାବେ ହ୍ରାସ ପାଉଛି ବୋଲି ମାନି ନ ଥିଲେ। ଗତ ତିନି ବର୍ଷରେ ଉଭୟ ଘରୋଇ ଓ ସରକାରୀ ବିଦ୍ୟାଳୟରେ ମାଟ୍ରିକ୍ ପାସ୍ ହାର ସମାନ ଅନୁପାତରେ ପରିବର୍ତ୍ତନ ହେଉଛି। ତେବେ ସରକାରୀ ହାଇସ୍କୁଲଗୁଡ଼ିକରେ ଶିକ୍ଷାର ମାନ ବୃଦ୍ଧି ପାଇଁ ସରକାର ନେଉଥିବା ପଦକ୍ଷେପର ଏକ ଲମ୍ବା ତାଲିକା ମନ୍ତ୍ରୀ ଦେଇଥିଲେ। ମୂଳ ପ୍ରଶ୍ନକର୍ତ୍ତା ସୁଧୀର ସାମଲ କହିଥିଲେ, ଶିକ୍ଷକମାନଙ୍କୁ କେବଳ ଶିକ୍ଷାଦାନ କାମ‌େର ନିୟୋଜିତ କରିବା ପାଇଁ ପଦକ୍ଷେପ ନିଆଯାଉ। ମନ୍ତ୍ରୀ କହିଥିଲେ, ଏ ନେଇ ସରକାର ସଚେତନ ଅଛନ୍ତି। ଧୀରେ ଧୀରେ ସେମାନଙ୍କୁ ଅନ୍ୟ ଦାୟିତ୍ବରୁ ଅନ୍ତର କରାଯାଉଛି।

ଶାସକ ଦଳ ସଭ୍ୟ ଉମାକାନ୍ତ ସାମନ୍ତରାୟ କହିଥିଲେ, ରାଜ୍ୟରେ ବହୁ ହାଇସ୍କୁଲରେ ଶିକ୍ଷକ ଅଭାବ ଉତ୍କଟ ଆକାର ଧାରଣ କଲାଣି। ମନ୍ତ୍ରୀ କହିଥିଲେ, ହାଇସ୍କୁଲରେ ପ୍ରଧାନ ଶିକ୍ଷକମାନଙ୍କର ଏକ କ୍ୟାଡର୍ କରାଯାଇଥିଲା। ତେବେ ଏ ନେଇ ମାମଲା ବିଚାରାଧୀନ ଥିବାରୁ ନିଯୁକ୍ତିରେ ବିଳମ୍ବ ହେଉଛି। ମାମଲା ଉଠିଲା ପରେ ପଦକ୍ଷେପ ନିଆଯିବ।

ଶାସକ ଦଳ ସଭ୍ୟ ପ୍ରଦୀପ ମହାରଥୀ କହିଥିଲେ, ୧୫/୨୦ ବର୍ଷ ହେଲା କିଛି ଶିକ୍ଷକ ନିଜ ଗାଁ ପାଖରେ ଗୋଟିଏ ସ୍କୁଲରେ ରହି ପାଠପଢ଼ା ପ୍ରତି ଧ୍ୟାନ ଦେଉ ନାହାନ୍ତି। ସେମାନେ ନିଜ କାମରେ ମାତୁଛନ୍ତି। ବହୁ ସ୍କୁଲରେ ଶିକ୍ଷକ ନାହାନ୍ତି। ପୁଣି ଶିକ୍ଷକମାନେ ରାଜନୀତି ଅଧିକ କରୁଛନ୍ତି।

ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ, ଶିକ୍ଷକମାନେ ରାଜନୀତି କରୁଥିବା କଥା ଆମ ନଜରକୁ ଆସି ନାହିଁ। ତେବେ ଶିକ୍ଷକ ଅଭାବ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି।

ସମ୍ବନ୍ଧିତ ଖବର